Unknown

 

 

 

 

 

 

 

 

 

 

 

ମଣିଷର ମନ

ଅଧ୍ୟାପକ ଶ୍ରୀ ଚିନ୍ତାମଣି ମିଶ୍ର

 

ଏଥିରେ ପଢ଼ିବାକୁ ପାଇବେ

 

ସାଧାରଣ ମନ

୧.

ମଣିଷର ମନ

୨.

ସ୍ମରଣ ଶକ୍ତି

୩.

ମନ ଜାଣିବାର ପ୍ରଣାଳୀ

୪.

ମାନସିକ ପ୍ରବର୍ତ୍ତନା

ମନର ବୈଶିଷ୍ଟ୍ୟ

୧.

ନିଜ ଦୁଃଖରେ ସୁଖୀ ଓ ପର ଦୁଃଖରେ ସୁଖୀ

୨.

ଆତ୍ମହେୟ ଓ ଆତ୍ମଗାରିମାପୂର୍ଣ୍ଣ ମନ

ମୌନମୁହାଁ ଓ ଖେଳଓ୍ୱାର୍ଡ ମନ

ଆତ୍ମନିୟନ୍ତ୍ରିତ ଓ ପରନିୟନ୍ତ୍ରିତ ମନ

ସାମାଜିକ ମନ

୧.

ଛାତ୍ର ବିଶୃଙ୍ଖଳା

୨.

ଛାତ୍ର ଓ ରାଜନୀତି

୩.

ଛାତ୍ର ଓ ‘କପି’ ସମସ୍ୟା

୪.

ପରିବାର ନିୟନ୍ତ୍ରଣ ଓ ତାର ସମସ୍ୟା

୫.

ସାମାଜିକ ଅନ୍ଧବିଶ୍ୱାସ

ଶିଶୁର ମନ

୧.

ଶିଶୁର ବ୍ୟକ୍ତିତ୍ୱ

୨.

ଶିଶୁର ଭୟ

୩.

ଶିଶୁର କଥନ

୪.

ଶିଶୁର ଖେଳ

୫.

ଶିଶୁର ବୁଦ୍ଧି

Image

 

ମୋ ମତରେ

 

ମଣିଷ ମନର ରହସ୍ୟ ଉଦ୍‍ଘାଟନ କରିବାପାଇଁ ଯୁଗ ଯୁଗ ଧରି ଅଦମ୍ୟ ଚେଷ୍ଟା ଚାଲିଛି । କବି, ଦାର୍ଶନିକ ଓ ମନୋବିଜ୍ଞାନୀ ନାନା ଭାବରେ ଏବଂ ନାନା ଦୃଷ୍ଟିକୋଣରୁ ମଣିଷର ମନକୁ ଦେଖିବାର ପ୍ରୟାସ କରିଛନ୍ତି । ପ୍ରାୟ ଶହେ ବର୍ଷ ହେଲା ମଣିଷର ମନକୁ ବୈଜ୍ଞାନିକ ପଦ୍ଧତିରେ ଟିକିନିଖ୍‍ କରି ଦେଖିବାର ପ୍ରଚେଷ୍ଟା ହୋଇଛି । ମାନବିକ ସଭ୍ୟତା ଓ ଚିନ୍ତନ ପ୍ରକ୍ରିୟା ପ୍ରାରମ୍ଭରୁ ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ମଣିଷ ମନ ବିଷୟରେ ଯେତିକି ଜ୍ଞାନ ସମ୍ଭବ ହୋଇଛି, ଗତ ଶହେ ବର୍ଷ ଭିତରେ ତାଠାରୁ ଅନେକ ବେଶୀ ଜଟିଳ ମନସ୍ତାତ୍ତ୍ୱିକ ତଥ୍ୟ ମନୋବିଜ୍ଞାନୀମାନେ ଉଦ୍ଭାବନ କରି ପାରିଛନ୍ତି । ଫ୍ରଏଡ୍‍, ଓ୍ୱାଟ୍‍ସନ ପ୍ରଭୃତି ମନୋବିଜ୍ଞାନୀମାନେ ମନ ବିଶ୍ଲେଷଣ ଲାଗି ଯେଉଁ ବୈପ୍ଳବିକ ଦିଗ୍‍ଦର୍ଶନ ଆମ ଆଗରେ ଉପସ୍ଥାପିତ କରିଯାଇଛନ୍ତି ତା ଫଳରେ ମାନସିକ ବିକାଶ ଓ ମନ ଗହୀରର ଗତିଶୀଳ କ୍ରିୟା ପ୍ରକ୍ରିୟା ବିଷୟରେ ଆମେମାନେ ବହୁ କଥା ଜାଣି ପାରୁଛୁ । ମନୁଷ୍ୟର ଜ୍ଞାନ ତଥା ବ୍ୟାବହାରିକ ରାଜ୍ୟରେ ଏହା ବୈପ୍ଳବିକ ପରିବର୍ତ୍ତନ ସୃଷ୍ଟି କରିଛି ।

 

‘‘ମଣିଷର ମନ’’ ଭିତରେ ସାଧାରଣ ମନ ସମ୍ପର୍କରେ ଲେଖକ ଗବେଷଣାପ୍ରସୂତ ବିରାଟ ଜ୍ଞାନ ଭଣ୍ଡାରରୁ କିୟଦଂଶ ଓଡ଼ିଆ ଭାଷାରେ ଉପସ୍ଥାପିତ କରିବାକୁ ଚେଷ୍ଟା କରିଛନ୍ତି । ମଣିଷ ମନର କେତେକ ଜ୍ଞାତବ୍ୟ ବୈଶିଷ୍ଟ୍ୟକୁ ଅତି ସରଳ ଭାଷାରେ ପ୍ରକାଶ କରିବାରେ ସେ କୃତକାର୍ଯ୍ୟ ହୋଇଛନ୍ତି । ମାନସିକ ପ୍ରବର୍ତ୍ତନା ଓ ତାର ପ୍ରଭାବ ବିଷୟରେ ଜାଣିବାରେ ଜନ ସାଧାରଣଙ୍କର ଯେଉଁ କୌତୂହଳ ଥାଏ ତାହା ମଧ୍ୟ ଏଥିରେ ଦକ୍ଷତାର ସହିତ ସେ ଉପସ୍ଥାପିତ କରିଛନ୍ତି ।

 

ମନର ବୈଶିଷ୍ଟ୍ୟ ଭିତରେ ଆଉ କେତୋଟି ଅବଚେତନ ପ୍ରବର୍ତ୍ତନା ହେତୁ ମଣିଷ ନିଜେ କିପରି ନିଜ ଓ ପର ଦୁଃଖରେ ସୁଖୀ ହୁଏ ଏବଂ ଆତ୍ମ ଗାରିମା ଓ ଆତ୍ମହେୟତା ଯୋଗୁଁ କିପରି ନାନା ଆତ୍ମବିଭ୍ରମରେ ଘାରି ହୁଏ ସେ ବିଷୟରେ ବହିଟିରେ ପ୍ରାଞ୍ଜଳ ବର୍ଣ୍ଣନା ରହିଛି । ଏ ବିଷୟରେ ସଠିକ୍‍ ଧାରଣା ହେବାଦ୍ୱାରା ଲୋକେ ନିଜ ନିଜକୁ ଭଲ ଭାବରେ ବୁଝିପାରିବା ସଙ୍ଗେ ସଙ୍ଗେ ନିଜ ମନକୁ ଓ ତାର ବ୍ୟାବହାରିକ କ୍ରିୟା ପକ୍ରିୟାକୁ ସହଜରେ ନିୟନ୍ତ୍ରଣ କରିବାର ସମ୍ଭାବନା ରହିଛି । ତେଣୁ ପ୍ରତ୍ୟେକ ଲୋକ ଏ ବିଷୟରେ ନିଶ୍ଚୟ ଆଗ୍ରହୀ ହେବେ ।

 

ଆଧୁନିକ ଯୁଗର ଜଟିଳ ସାମାଜିକ ପରିସ୍ଥିତିରେ ସାମାଜିକ ମନ ଓ ତାର ପାରସ୍ପରିକ କ୍ରିୟା ପ୍ରତିକ୍ରିୟା ଗୋଟିଏ ବିରାଟ ସମସ୍ୟା ରୂପରେ ଦେଖା ଦେଇଛି । ଏ କ୍ଷେତ୍ରରେ ବହୁ ଗବେଷଣାପ୍ରସୂତ ତଥ୍ୟ ଦେଖିବାକୁ ମିଳେ । ଏହି ତଥ୍ୟାବଳୀର ସୁଦୂରପ୍ରସାରୀ ପ୍ରଭାବ ଆଧୁନିକ ସମାଜରେ ପଡ଼ୁଛି । ଏ ପ୍ରକାର ସାମାଜିକ ସମସ୍ୟାର ଯେ କୌଣସି ଗୋଟିଏ କ୍ଷୁଦ୍ର ଅଂଶ ବର୍ଣ୍ଣନା କରିବାକୁ ଚାହିଁଲେ ଗୋଟିଏ ଗୋଟିଏ ବିରାଟ ଗ୍ରନ୍ଥ ରଚନା ସମ୍ଭବ ହୋଇ ପାରିବ । ଲେଖକ ସାମାଜିକ ମନ ବିଭାଗରେ ସମୟୋପଯୋଗୀ ଛାତ୍ର ଜୀବନର ସାମାଜିକ କ୍ରିୟା ପ୍ରକ୍ରିୟା ବିଷୟରେ କିଞ୍ଚିତ୍‍ ଆଭାଷ ଦେଇଛନ୍ତି । ଭବିଷ୍ୟତରେ ଅନ୍ୟାନ୍ୟ ଦିଗ ପ୍ରତି ଦୃଷ୍ଟି ଦେବେ ବୋଲି ଆଶା କରିବା ଯଥାର୍ଥ ବୋଲି ମନ ହୁଏ ।

 

ଆଧୁନିକ ଯୁଗରେ ଶିଶୁ ମନୋବିଜ୍ଞାନର ଉପାଦେୟତା ତଥା ପ୍ରାଧାନ୍ୟ ସମସ୍ତେ ଉପଲବ୍ଧି କରୁଛନ୍ତି । ମଣିଷ ବ୍ୟକ୍ତିତ୍ୱର ଗଠନ ଓ ବିକାଶର ଧାରାବାହିକ ନିୟନ୍ତ୍ରଣ ଆମ ସମାଜରେ ଦରକାର ପଡ଼ୁଛି । ବିଶେଷତଃ ଭାରତ ପରି ଦେଶରେ ଶିଶୁର ମନ କଥା ଜାଣି ତାର ପ୍ରଶିକ୍ଷଣ ପ୍ରକ୍ରିୟାକୁ ନିୟନ୍ତ୍ରଣ ତଥା ପ୍ରଭାବିତ କରିବା ନିତାନ୍ତ ଆବଶ୍ୟକ ବୋଲି ଶିକ୍ଷାବିତ୍‍ମାନେ ମନେ କରନ୍ତି । ସେହି ଦୃଷ୍ଟିରୁ ଶିଶୁର ମନ ଆଲୋଚନା କରି ତାର ବ୍ୟକ୍ତିତ୍ୱ ଗଠନ ଓ ଭୟ ପ୍ରଭୃତି କେତେ ଗୁଡ଼ିଏ ଦୈନଦିନ କ୍ରିୟାକଳାପ ବିଷୟରେ ଲେଖକ ଯେପରି ଭାବରେ ବର୍ଣ୍ଣନା କରିଛନ୍ତି ତାହା ବାପା, ମା, ଅଭିଭାବକ ଓ ଶିକ୍ଷକମାନଙ୍କର ଜାଣିବାର କଥା ।

 

ମୋଟାମୋଟି ଭାବରେ କହିବାକୁ ଗଲେ ବହିଟି ଜନ ସାଧାରଣଙ୍କ ପକ୍ଷରେ ଅତ୍ୟନ୍ତ ଉପାଦେୟ ବୋଲି ମନେ ହୁଏ । ସାଧାରଣ ଲୋକଙ୍କ ପାଖକୁ ବିଜ୍ଞାନର ଗବେଷଣାପ୍ରସୂତ ଜ୍ଞାନକୁ ନେଇ ପହଞ୍ଚାଇବା ପ୍ରତ୍ୟେକ ଶିକ୍ଷିତ ଲୋକର କର୍ତ୍ତବ୍ୟ । ଏ ଦିଗରେ ଲେଖକଙ୍କର ପ୍ରଚେଷ୍ଟା ଯେ ଅତ୍ୟନ୍ତ ପ୍ରଶଂସନୀୟ ଏଥିରେ ସନ୍ଦେହ ନାହିଁ । ଏହି କ୍ଷୁଦ୍ର ପୁସ୍ତିକାଟି ପଢ଼ିଲାପରେ ପାଠକମାନେ ଏ ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ ନିଶ୍ଚୟ ଆଗ୍ରହୀ ହେବେ । ମନୋବିଜ୍ଞାନ ତଥ୍ୟାବଳୀ ଜାଣି ନିଜକୁ ଗଢ଼ିବା ପାଇଁ ଯଦି ଲୋକଙ୍କଠାରେ ଏ ପ୍ରକାର ଆଗ୍ରହର ସୂତ୍ରପାତ ହେବ ତେବେ ଲେଖକଙ୍କର ଶ୍ରମ ସାର୍ଥକ ହେଲାବୋଲି ଧରି ନେବାକୁ ହେବ । ଏ ଦିଗରେ ମୋର ଶୁଭେଚ୍ଛା ରହିଲା ।

 

ଡକ୍ଟର ରାଧାନାଥ ରଥ

ପ୍ରଫେସର ଓ ମୁଖ୍ୟ ଅଧ୍ୟାପକ, ମନୋବିଜ୍ଞାନ ବିଭାଗ

ଉତ୍କଳ ବିଶ୍ୱବିଦ୍ୟାଳ, ଭୁବନେଶ୍ୱର ।

Image

 

ମଣିଷର ମନ

 

ମନ କଅଣ ଏ କଥା ଆଧୁନିକ ଯୁଗରେ ମନସ୍ତାତ୍ତ୍ୱିକମାନେ ସଠିକ୍‍ ଭାବରେ କହିପାରିନାହାନ୍ତି । ଦିନକୁଦିନ ଗବେଷଣା ଫଳରେ ନୂଆ ନୂଆ ପ୍ରକାର ମତାମତରେ ସେମାନେ ଉପନୀତ ହୁଅନ୍ତି । ଗ୍ରୀକ୍‌ ସଭ୍ୟତାର ପ୍ରାରମ୍ଭରୁ ମନର ସଂଜ୍ଞା ବିଷୟରେ ଆଲୋଚନା ହୋଇ ଆସୁଅଛି । ଗ୍ରୀକ୍‍ ସଭ୍ୟତାରେ ଦାର୍ଶନିକମାନେ ମନକୁ ପ୍ରାଣ ବା ଆତ୍ମା ରୂପରେ ପରିଚିତ କରାଇଲେ । କିନ୍ତୁ ପ୍ରାଣ ବା ଆତ୍ମା ପରୀକ୍ଷାଗାରରେ ପ୍ରମାଣିତ ହୋଇ ମନର ପୂର୍ଣ୍ଣ ପରିଚୟ ଦେବାରେ ସମର୍ଥ ହୋଇ ପାରିଲାନାହିଁ । ତେଣୁ ମନର ଏକ ବୈଜ୍ଞାନିକ ପରିଚୟ ମିଳିବା ପରିବର୍ତ୍ତେ, ମନ, ଏକ ଦାର୍ଶନିକ ତତ୍ତ୍ୱ ହିସାବରେ ପରିଚିତ ହେଲା । ପରବର୍ତ୍ତୀ ଯୁଗରେ ମନକୁ ପ୍ରାଣୀର ଚେତନ ଶକ୍ତି ବୋଲି କୁହାଗଲା । ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଚେତନ ଶକ୍ତିର ଅର୍ଥ ହେଲା ବ୍ୟକ୍ତିର ପରିବେଷ୍ଟନୀ ସହିତ ସମ୍ପର୍କ । ଅର୍ଥାତ୍‌ ପରିବେଷ୍ଟନୀ ଭିତରେ କୌଣସି ପ୍ରକାର ପରିବର୍ତ୍ତନ ଦେଖାଦେଲେ ବ୍ୟକ୍ତିର ମନ ଭିତରେ ମଧ୍ୟ ପରିବର୍ତ୍ତନ ଦେଖାଯିବା ଦରକାର । କିନ୍ତୁ ବ୍ୟକ୍ତିର ମନ ଭିତରେ ସେପରି ପରିବର୍ତ୍ତନ ହେଉଛି କି ନାହିଁ ଯା ଫଳରେ ତା’ର ଚେତନା ଶକ୍ତି ଅଛି କି ନାହିଁ ସବୁ ଜାଗାରେ ଜାଣିବା ସମ୍ଭବ ହୋଇ ପାରେ ନାହିଁ । ଉଦାହରଣସ୍ୱରୂପ ପଶୁପକ୍ଷୀ, ଶିଶୁ, ପାଗଳ ଆଦିଙ୍କର ଭାଷାଦ୍ୱାରା ଭାବ ପ୍ରକାଶ କରିବାର ସାମର୍ଥ୍ୟ ନ ଥିବା ହେତୁ ସେମାନଙ୍କର ଚେତନ ଶକ୍ତି ସମ୍ବନ୍ଧରେ ଜାଣିହୁଏ ନାହିଁ । ସେ ଦୃଷ୍ଟିରୁ ଚେତନ ଶକ୍ତିକୁ ମନ ବୋଲି ପରିଚୟ ଦେବା ସମ୍ଭବପର ହୁଏ ନାହିଁ ।

 

ଶରୀରତତ୍ତ୍ୱବିତ୍‌ମାନେ ମତ ଦିଅନ୍ତି ଯେ ମସ୍ତିଷ୍କର ଶକ୍ତି ଓ ସାମର୍ଥ୍ୟଦ୍ୱାରା ବାହାର ଜଗତର ପରିପ୍ରକାଶ ହିଁ ମନ । ଏହା କେତେକ ପରିମାଣରେ ଗ୍ରହଣଯୋଗ୍ୟ ହୁଏ । କିନ୍ତୁ ସର୍ବାଧୁନିକ ଯୁଗରେ ପରୀକ୍ଷା କରି ପ୍ରମାଣିତ କରିପାରିବା ଭଳି ସଂଜ୍ଞା ହେଉଛି ବ୍ୟକ୍ତିର ପରିବେଷ୍ଟନୀ ସହିତ ସମ୍ପର୍କ ଥିବା ବ୍ୟବହାରଗୁଡ଼ିକ ହିଁ ତା’ର ମନ । ଏଠାରେ ବ୍ୟକ୍ତି କହିଲେ ପଶୁ, ପକ୍ଷୀ ଓ ମଣିଷଙ୍କୁ ବୁଝାଏ ଏବଂ ମଣିଷମାନଙ୍କ ଭିତରେ ଶିଶୁ, ବୃଦ୍ଧ, ପୁରୁଷ; ସ୍ତ୍ରୀ, ସାଧାରଣ ମଣିଷ ଏବଂ ପାଗଳ ମଧ୍ୟ ଆସନ୍ତି । ସେମାନଙ୍କର ପରିବର୍ତ୍ତନଶୀଳ ପରିବେଷ୍ଟନୀ ଭିତରେ ବିଭିନ୍ନ ପ୍ରକାର ବ୍ୟବହାର, ଯଥା : କିପରି ଶିକ୍ଷାଲାଭ କରନ୍ତି, କଅଣ ମନେରଖନ୍ତି, କଅଣ ଭୁଲି ଯାଆନ୍ତି, କଅଣ ଅନୁଭବ କରନ୍ତି, ସେମାନଙ୍କର ଭାବପ୍ରବଣତା, ଭଲ ମନ୍ଦ ବ୍ୟବହାର ଆଦିକୁ ମନ ବୋଲି କୁହାଯାଏ । ତେଣୁ ପୂର୍ବକାଳର ଏକ ଦାର୍ଶନିକ ତତ୍ତ୍ୱ ‘ମନ’ ଆଧୁନିକ ଯୁଗରେ ଏକ ବ୍ୟବହାରଗତ ପ୍ରଣାଳୀରେ ପରିଣତ ହୋଇଛି ।

 

‘ମନ’ ଏକ ବ୍ୟବହାରଗତ ପ୍ରଣାଳୀ ବୋଲି ପରିଚିତ ହେବାପରେ ଅନେକଗୁଡ଼ିଏ ବ୍ୟବହାର ତା’ର ଅନ୍ତର୍ଭୁକ୍ତ ହୋଇଛି । ସେଥିମଧ୍ୟରୁ ମନର ଚାହିଦା ଗୋଟିଏ । ଚାହିଦା ଯୋଗୁଁ ମଣିଷ ଅନେକ ସମୟରେ ଉତ୍ସାହିତ ବା ନିରୁତ୍ସାହିତ ହୋଇଥାଏ । ପରିବେଷ୍ଟନୀର ପ୍ରଭାବଦ୍ୱାରା ମନର ଚାହିଦା ନିୟନ୍ତ୍ରିତ ହୋଇଥାଏ ଏବଂ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏପରି ଚାହିଦା ଲାଗି ରହିଥାଏ । ଜନ୍ମ ପରେ ପରେ ମଣିଷର ଖାଦ୍ୟ ଦରକାର ହୁଏ ଏବଂ ପାନୀୟ ମଧ୍ୟ ଦରକାର ହୁଏ-। ଅବଶ୍ୟ ସ୍ଥାନବିଶେଷରେ ଖାଦ୍ୟ ଓ ପାନୀୟର ପ୍ରକାରଭେଦ ଦେଖାଯାଇପାରେ । କେଉଁଠାରେ ଭାତ ବା ରୁଟିକୁ ପ୍ରଧାନ ଖାଦ୍ୟ ରୂପେ ମଣିଷ ଖାଏ ଏବଂ ଆଉ କେଉଁଠାରେ ମାଂସ ବା ଫଳମୂଳ ହେଉଛି ତା’ର ପ୍ରଧାନ ଖାଦ୍ୟ । ସେହିପରି ପାନୀୟ ରୂପେ ଦୁଧ, ପାଣି ବା ମଦକୁ ବ୍ୟବହାର କରାଯାଇଥାଏ । ମୋଟ ଉପରେ ଖାଦ୍ୟ ଓ ପାନୀୟ ଯେ ମଣିଷର ମୌଳିକ ଚାହିଦା ଏଥିରେ ସନ୍ଦେହ ନାହିଁ । ଏପରି ମୌଳିକ ଚାହିଦା ତା’ର ଜୀବନ ସାରା ଲାଗି ରହିଥାଏ ।

 

ଖାଦ୍ୟ, ପାନୀୟ ବ୍ୟତୀତ ମଣିଷର ଆଉ କେତୋଟି ମୌଳିକ ଚାହିଦା ଅଛି । ସେଗୁଡ଼ିକ ହେଲା ଯୌନଲାଳସା, ବିଶ୍ରାମ, ବାୟୁର ଆବଶ୍ୟକତା ଇତ୍ୟାଦି । ଜନ୍ମ ପରେ ପରେ ପିଲାଟି ମାଆଠାରୁ କ୍ଷୀର ଖାଏ । ତା’ର ଏପରି କ୍ଷୀର ଖାଇବା, ବାପା ମାଆଙ୍କ କୋଳରେ ବସା ଉଠା କରିବା ଏବଂ ଖେଳିବା; ବାପା, ମାଆ ଓ ପରିବାରର ଅନ୍ୟମାନଙ୍କଠାରୁ ଚୁମା ଖାଇବା ଓ ଚୁମା ଦେବା ଆଦି କାର୍ଯ୍ୟଦ୍ୱାରା ତା’ର ଯୌନ ଲାଳସା ସାଧିତ ହୁଏ ବୋଲି ମନସ୍ତାତ୍ତ୍ୱିକ ସିଗ୍‌ମଣ୍ଡ ଫ୍ରଏଡ କହିଛନ୍ତି । ତାଙ୍କ ମତରେ ଜନ୍ମ ପରେ ପୁଅ ପିଲାଟି ଚାହେଁ ମାଆ ପାଖରେ ସବୁବେଳେ ରହିବ, ମାଆ ତା’ର ସର୍ବସ୍ୱ ଏବଂ ମାଆ ଉପରେ ତା’ର ପୂର୍ଣ୍ଣ ଅଧିକାର ଅଛି । ସେ ଦୃଷ୍ଟିରୁ ସେ ବାପାଙ୍କୁ ଶତ୍ରୁ ବୋଲି ଭାବେ । ମାଆ ବ୍ୟତୀତ ଖୁଡ଼ି, ବଡ଼ ଭଉଣୀକୁ ମଧ୍ୟ ସେ ଏହି ଦୃଷ୍ଟିରେ ଦେଖିଥାଏ । ସେହିପରି ଝିଅ ପିଲାଟି ଭାବେ ବାପା ତା’ର ସର୍ବସ୍ୱ ଏବଂ ସେ ଦୃଷ୍ଟିରୁ ସେ ମାଆକୁ ଶତ୍ରୁ ବୋଲି ବିଚାରେ । ବାପାଙ୍କ ବ୍ୟତୀତ ବଡ଼ଭାଇ, କକା ଇତ୍ୟାଦିଙ୍କ ପାଖରେ ସେ ଅଧିକ ସମୟ କଟାଇବାକୁ ଇଚ୍ଛା କରେ । ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗରେ ପରିବର୍ତ୍ତନ ଦେଖାଦିଏ ଏବଂ ତା ସଙ୍ଗେ ସଙ୍ଗେ ମଣିଷର ମାନସିକ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସେ । ସ୍କୁଲ, କଲେଜ ଯିବା ବୟସରେ ବାଳକମାନେ ବାଳିକାମାନଙ୍କ ସହିତ ମିଶି ଚଳିବାକୁ ଏବଂ କଥାବାର୍ତ୍ତା କରିବାକୁ ଚାହାନ୍ତି । ସେ ବୟସରେ ବାଳିକାମାନେ ମଧ୍ୟ ଅନୁରୂପ ଇଚ୍ଛା ପୋଷଣ କରିଥାଆନ୍ତି । କିନ୍ତୁ ସମାଜରେ ଥିବା ଶୃଙ୍ଖଳାଗତ ଆଇନ ସେମାନଙ୍କୁ ଚାହିଦା ପୂରଣ ପାଇଁ ସୁବିଧା ଦିଏ ନାହିଁ । ଅବଶ୍ୟ ବିବାହ ପରେ ପୁରୁଷ ବା ସ୍ତ୍ରୀଙ୍କର ଏ ପ୍ରକାର ଇଚ୍ଛା ପୂରଣ ପାଇଁ ଅସୁବିଧା ନ ଥାଏ ।

 

ମୌଳିକ ଚାହିଦା ବ୍ୟତୀତ ମଣିଷର କେତେଗୁଡ଼ିଏ ସାମାଜିକ ଚାହିଦା ଅଛି । ସମାଜରେ ଅନ୍ୟମାନଙ୍କ ସହିତ ଚଳିବାକୁ ହେଲେ ତା’ର ସେହି ଚାହିଦାଗୁଡ଼ିକ ପୂରଣ ହେବା ଦରକାର । ବୟସ ବଢ଼ିବା ସଙ୍ଗେ ସଙ୍ଗେ ତା’ର ଚାହିଦାର ସୀମା ମଧ୍ୟ ବଢ଼ି ବଢ଼ି ଯାଉଥାଏ । ତା’ର ଚାହିଦା ଭିତରେ ଖେଳନା ଏକ ଅପରିହାର୍ଯ୍ୟ ବସ୍ତୁ । ପିଲାଠାରୁ ଯୁବକ ଓ ବୁଢ଼ା ପର୍ଯ୍ୟନ୍ତ ଖେଳନା ଦରକାର କରନ୍ତି । ପିଲାମାନଙ୍କ ପକ୍ଷରେ ଏହାର ଚାହିଦା ଖୁବ୍‍ ବେଶୀ । ଖେଳନାଦ୍ୱାରା ଯେ ସେମାନଙ୍କର ସମୟ କଟେ ତା ନୁହେଁ, ଏହାଦ୍ୱାରା ସେମାନଙ୍କର ବୁଦ୍ଧିର ବିକାଶ ହୁଏ ଏବଂ ମନ ଭିତରେ କୌଣସି ଦୁର୍ଭାବନା ଲୁଚି ରହେ ନାହିଁ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ତା’ର ବାହ୍ୟଜ୍ଞାନର ପରିସୀମା ପ୍ରସାରିତ ହେବାକୁ ଆରମ୍ଭ କରେ । ସେତେବେଳେ ସେ ବାପା ମାଆ ଓ ପରିବାରଗତ ବନ୍ଧନକୁ ପଛକୁ ରଖି ସାଙ୍ଗମାନଙ୍କ ସହିତ ଅଧିକ ସମୟ କଟାଇବାକୁ ଇଚ୍ଛା କରେ । ସ୍କୁଲ, କଲେଜକୁ ଯିବାପରେ ସେ ବହି, ଖାତା, କଲମ, ବିଭିନ୍ନ ପ୍ରକାର ପୋଷକ ଆଦି ଦରକାର କରିଥାଏ ।

 

ସମାଜରେ ବା ଦେଶ ବିଦେଶରେ ସୁନାମ ଅର୍ଜନ କରିବା ପ୍ରତ୍ୟେକ ବ୍ୟକ୍ତିର କାମ୍ୟ । ସେଥିପାଇଁ ସେ ଶିକ୍ଷାଗତ ଯୋଗ୍ୟତା, ଅର୍ଥ ବିନିଯୋଗ ବା ଶାରୀରିକ ବଳ ପ୍ରୟୋଗ କରି ତାହା ଅର୍ଜନ କରିବାକୁ ଇଚ୍ଛା କରେ । ପ୍ରଭୁତ୍ୱ ବିସ୍ତାର କରିବା ମଧ୍ୟ ମଣିଷର ଅନ୍ୟ ଏକ ଚାହିଦା । ଏପରି ଚାହିଦା ପୂରଣ ପାଇଁ ମଧ୍ୟ ବଳପ୍ରୟୋଗ ବା ଅର୍ଥ ବିନିଯୋଗ କରାଯାଏ । ସେଥିପାଇଁ ସବଳ ଓ ଦୁର୍ବଳ ମଧ୍ୟରେ ଯୁଗ ଯୁଗ ଧରି କଳହ ଲାଗି ରହିଅଛି । ଇତିହାସ ପଢ଼ିଲେ ଜଣାଯାଏ, ଯେକୌଣସି ରାଜା ବା ସମ୍ରାଟଙ୍କର ରାଜ୍ୟ ବିସ୍ତାର ମୂଳରେ ପ୍ରଭୁତ୍ୱ ବିସ୍ତାର ଏବଂ ଅନ୍ୟକୁ ନିଜ ଅଧୀନରେ ବଶ କରି ରଖିବାର ଇଚ୍ଛା ନିହିତ ଥାଏ । ଆଜିକାଲି ଗାଁଗହଳି ବା ସହର ବଜାରରେ ଦେଖାଯାଉଥିବା ଷଣ୍ଢ ଲଢ଼େଇ, କୁକୁର ବା କୁକୁଡ଼ା ଲଢ଼େଇ ପଛରେ ଗୋଟିଏ ପକ୍ଷ ବଳିୟାନ ହେବାର ଅଭିଳାଷ ନିହିତ ଥାଏ ଏବଂ ଅପରପକ୍ଷ ଦୁର୍ବଳ ହେଲେ ପରାଧୀନତା ସ୍ୱୀକାର କରିବାକୁ ବାଧ୍ୟ ହୁଏ । ଆଧୁନିକ ରାଜନୀତି ମଧ୍ୟ ଏହିପରି କେତେକ ମନସ୍ତାତ୍ତ୍ୱିକ ନିୟମ ଉପରେ ପର୍ଯ୍ୟବସିତ ।

 

ଦଳବଦ୍ଧ ହୋଇ ରହିବାର ଇଚ୍ଛା ପ୍ରତ୍ୟେକ ମଣିଷ ଏପରିକି ପଶୁପକ୍ଷୀଙ୍କର ମଧ୍ୟ ଅଛି । ଆମ ଦେଶରେ ପ୍ରଚଳିତ ଥିବା ଗୋଷ୍ଠୀଗତ ପରିବାର ପଛରେ ଏପରି ଏକ ମନସ୍ତାତ୍ତ୍ୱିକ କାରଣ ନିହିତ ଥାଏ । ସ୍କୁଲ, କଲେଜର ଛାତ୍ରଛାତ୍ରୀମାନେ ଏପରି ଦଳବଦ୍ଧ ଭାବେ ଯେତେବେଳେ ପରିଭ୍ରମଣରେ ଯାଆନ୍ତି କିମ୍ବା ବାଦାନୁବାଦମୂଳକ କୌଣସି ତର୍କସଭା ଖେଳ କସରତ ଆଦିରେ ଯୋଗ ଦିଅନ୍ତି ସେତେବେଳେ ସେମାନେ ଖୁବ୍‍ ଗୌରବ ଅନୁଭବ କରନ୍ତି । ତେଣୁ ପ୍ରତ୍ୟେକ ବ୍ୟକ୍ତି କୌଣସି ଦଳ, ଅନୁଷ୍ଠାନ, ରାଜ୍ୟ ବା ଦେଶର ଏକ ଅଙ୍ଗ ବୋଲି ଭାବିବାକୁ ଖୁବ୍‍ ପସନ୍ଦ କରନ୍ତି । ଅପର ପକ୍ଷରେ ସମାଜ, ବନ୍ଧୁ ଓ ପରିଜନଙ୍କଠାରୁ ଦୁରେଇ ରହିଲେ ଖୁବ୍‍ ଅଭାବ ଅନୁଭବ କରନ୍ତି । ଏହିପରି କେତେକ ଦୁଷ୍ଟାନ୍ତକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ମଣିଷ ମନର ମୌଳିକ ଓ ସାମାଜିକ ଚାହିଦା ଥାଏ । ଏପରି ଚାହିଦା ବଂଶପରମ୍ପରାକ୍ରମେ ଲାଗି ରହିଥାଏ । ଏହି ଚାହିଦା ଥିବାଦ୍ୱାରା ମଣିଷର ମନ ସଜୀବ ଓ କାର୍ଯ୍ୟକ୍ଷମ ଥାଏ ଏବଂ ଏହାର ଅନୁପସ୍ଥିତିରେ ତା’ର ମନ ଗୋଡ଼ି, ମାଟି, ପଥର ପରି ନିର୍ଜୀବ ହୋଇଯାଏ ।

 

ଫ୍ରଏଡଙ୍କର ଯୌନତତ୍ତ୍ୱ ଉପରେ ପ୍ରତିଷ୍ଠିତ ମଣିଷର ମନ ଆଲୋଚନା କଲେ ଜଣାଯାଏ ଯେ, କେତେକ ଲୋକ ନିଜକୁ ଖୁବ୍‍ ଭଲପାଆନ୍ତି (Narcissism) । ସେମାନେ ନିଜର ପ୍ରତିବିମ୍ବ ବା ଫଟୋ ଚିତ୍ର ଦେଖିବା, ନିଜର ମୁହଁର ଭାଷା ଶୁଣିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରନ୍ତି । ସେହିପରି କେତେକ ଲୋକ ସମଲିଙ୍ଗୀ (Homo-sex) ଲୋକଙ୍କୁ ଭଲ ପାଆନ୍ତି ।

 

ମାନସିକ ବ୍ୟାଧିଗ୍ରସ୍ତ ମଣିଷର ମନ କଥା ସ୍ୱତନ୍ତ୍ର । ଜଣେ ମଣିଷ ଗୋଟିଏ ମୁହୂର୍ତ୍ତରେ ଋଷିପ୍ରତିମ ବ୍ୟବହାର ଦେଖାଏ । ଅନ୍ୟ ମୁହୂର୍ତ୍ତରେ ସାଧାରଣ ମଣିଷ ଏବଂ ତା ପର ମୁହୂର୍ତ୍ତରେ ରାକ୍ଷସ ପରି ବ୍ୟବହାର ଦେଖାଏ । ଅଥଚ ଏ ସବୁ ମାନସିକ ପରିବର୍ତ୍ତନ ତା’ର ଅଜ୍ଞାତସାରରେ ହୋଇଥାଏ । ସେହି ମଣିଷ ବେଳେ ବେଳେ ନିଜକୁ ଖୁବ୍‍ ବଡ଼ ବୋଲି ଭାବେ ଏବଂ ଆଉ କେତେବେଳେ ନିଜକୁ ଖୁବ୍‍ ଛୋଟ ବୋଲି ଭାବି ଆତ୍ମହତ୍ୟା କରେ । ସେ ଅନେକ ସମୟରେ ଭାବେ ଯେ ତା’ର ସମସ୍ତପ୍ରକାର ବ୍ୟବହାର ନିଜଦ୍ୱାରା ପରିଚାଳିତ ହେଉଛି ଅର୍ଥାତ୍‌ ତା’ର ଚାରିପଟେ ଯାହାସବୁ ଘଟିଯାଉଛି ସବୁର ମୂଳରେ ସେ ଅଛି ଏବଂ ଅନ୍ୟ ସମୟରେ ସେ ଭାବେ ଯେ ତା ନିଜଦ୍ୱାରା କିଛି ହୋଇପାରେ ନାହିଁ ବରଂ ଐଶ୍ୱରିକ ଆଶୀର୍ବାଦଦ୍ୱାରା ସବୁକିଛି ସମ୍ଭବ ହୁଏ-

Image

 

ସ୍ମରଣ ଶକ୍ତି

 

ମଣିଷର ମନ ଭିତରେ ସ୍ମରଣଶକ୍ତିର (Memory) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି । ଅତୀତରେ ମଣିଷ ଅନେକ କଥା ଦେଖିଥାଏ, ଶୁଣିଥାଏ ଏବଂ ଅଙ୍ଗେ ଲିଭେଇଥାଏ । କିଛିଦିନ ପରେ ଅତୀତର ସମସ୍ତ ଅନୁଭୂତି ଭିତରୁ କେତେକ ମନେପଡ଼େ (Remembering) ଏବଂ ଆଉ କେତେକ ମନେପଡ଼େ ନାହିଁ; କାରଣ ସେଗୁଡ଼ିକ ଭୁଲି ହୋଇଯାଇଥାଏ (Forgetting) । ମନ ଭିତରେ ଘଟୁଥିବା ଏ ସମସ୍ତ କାର୍ଯ୍ୟକଳାପକୁ ମନସ୍ତାତ୍ତ୍ୱିକମାନେ ଆଜି ପର୍ଯ୍ୟନ୍ତ ମାନସିକ ପ୍ରକ୍ରିୟା ବୋଲି କହି ଆସିଛନ୍ତି । କିନ୍ତୁ ଶରୀରତତ୍ତ୍ୱବିତ୍‌ମାନେ ଏହାକୁ ଏକ ଶାରୀରିକ ପ୍ରକ୍ରିୟା ହିସାବରେ ପରିଚିତ କରାଉଛନ୍ତି । ସେମାନଙ୍କ ମତରେ ମଣିଷ ଯାହା ଦେଖେ, ଶୁଣେ, ସ୍ପର୍ଶ କରେ ବା ଯାହାକିଛି ପଢ଼େ ସେ ସମସ୍ତ ଅନୁଭୂତି ମସ୍ତିଷ୍କରେ ଏକ ଏକ ବିନ୍ଦୁ ବା ତାହାଠାରୁ ଛୋଟ ପରିମିତ ସ୍ଥାନରେ ଜମା ହୋଇ ରହେ । ଯେତେବେଳେ ଦରକାର ତାହା ମନେପଡ଼େ ଏବଂ ଦରକାର ନ ହେଲେ ତାହା ଆପେ ଆପେ ଉଭେଇଯାଏ । ଜନ୍ମଗତ ଦୋଷରୁ କୌଣସି ଦୁର୍ଘଟଣାବଶତଃ କିମ୍ବା ଯୁଦ୍ଧକ୍ଷେତ୍ରରେ ଯଦି କୌଣସି ଲୋକର ମସ୍ତିଷ୍କ କ୍ଷତବିକ୍ଷତ ହୋଇଯାଏ କିମ୍ବା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଏ ତେବେ ସେପରି ଲୋକଙ୍କ ପକ୍ଷରେ ସ୍ମରଣଶକ୍ତି କାର୍ଯ୍ୟକାରୀ ହେବା ସମ୍ଭବ ହୁଏ ନାହିଁ ।

 

ସ୍ମରଣ ଶକ୍ତି ସମ୍ବନ୍ଧରେ ବୈଜ୍ଞାନିକ ପରୀକ୍ଷା ସର୍ବପ୍ରଥମେ ୧୮୮୫ ମସିହାରେ ହରମ୍ୟାନ୍‌ ଏବିଙ୍ଗହସ ଆରମ୍ଭ କରିଥିଲେ । ସେ ପରୀକ୍ଷାଗାର ଭିତରେ ପରୀକ୍ଷା କରି ପ୍ରମାଣ କରି ଦେଇ ପାରିଲେ ଯେ ମଣିଷର ଶିକ୍ଷା ଓ ଶିକ୍ଷାଗତ ଅନୁଭୂତିର ସଂକ୍ଷରଣ ଭିତରେ ସଂହତି ରକ୍ଷା କରାଯାଇପାରେ । ଶିକ୍ଷା କରିବାପାଇଁ ସେ ନିତ୍ୟ ବ୍ୟବହାର୍ଯ୍ୟ ଶବ୍ଦ ବ୍ୟବହାର ନ କରି ଏକପ୍ରକାର ଅର୍ଥହୀନ ଶବ୍ଦାଂଶ (Nonsense Syllable) ଉଦ୍ଭାବନ କରିଥିଲେ । ତାଙ୍କରି ପରୀକ୍ଷାର ପନ୍ଥା ଅନୁସରଣ କରି ଆଜି ପର୍ଯ୍ୟନ୍ତ ସ୍ମରଣଶକ୍ତି କ୍ଷେତ୍ରରେ ପ୍ରଭୁତ୍ୱ ପରୀକ୍ଷା ହୋଇ ଆସୁଅଛି ।

 

ସାଧାରଣତଃ ସ୍ମରଣ ଶକ୍ତି ତିନୋଟି ପର୍ଯ୍ୟାୟରେ ବିଭକ୍ତ ହୋଇଥାଏ । ସେଗୁଡ଼ିକ ହେଲା ଶିକ୍ଷା କରିବା, ଧାରଣ କରିବା ଓ ପରୀକ୍ଷା କରିବା ।

 

ଶିକ୍ଷା କରିବା (Learning)—

 

ମଣିଷ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଓ ଇନ୍ଦ୍ରିୟଦ୍ୱାରା ବାହ୍ୟଜଗତର ପ୍ରଣୋଦକ ମସ୍ତିଷ୍କ ଭିତରେ ପ୍ରବେଶ କରେ । ଉଦାହରଣସ୍ୱରୂପ ମଣିଷ ଯାହା ଶୁଣେ, ଦେଖେ, ସ୍ପର୍ଶ କରେ, ଗନ୍ଧ ବାରେ, ସ୍ୱାଦ ପାଇପାରେ ସେ ସବୁ ମସ୍ତିଷ୍କ ଭିତରେ ରହେ । ସ୍ଥୂଳତଃ ମଣିଷ ଏହାହିଁ ଶିକ୍ଷା କରେ । କିନ୍ତୁ ‘ପରୀକ୍ଷାଗାର’ ଭିତରେ ମଣିଷର ଶିକ୍ଷା ପ୍ରଣାଳୀ ଭିନ୍ନ । ସାଧାରଣତଃ ସ୍ମରଣ ଶକ୍ତି ପାଇଁ ମଣିଷ କେତେଗୁଡ଼ିଏ ଅର୍ଥହୀନ-ଶବ୍ଦାଂଶ ପାଟି କରି ପଢ଼େ । ସେଗୁଡ଼ିକ ଥରେ ପଢ଼ିପାରେ, ଦୁଇଥର, ତିନିଥର ଏପରିକି ଦଶଥର ପର୍ଯ୍ୟନ୍ତ ପଢ଼ିପାରେ । ତେଣୁ କେତେ ସମୟ ପର୍ଯ୍ୟନ୍ତ ବା କେତେଥର ପଢ଼ିବ ତାହା ପରୀକ୍ଷକର ନିର୍ଦ୍ଦେଶ ଉପରେ ନିର୍ଭର କରେ । ସ୍ମରଣ ଶକ୍ତିର ପଦ୍ଧିତ ଭିତରେ ଅର୍ଥହୀନ-ଶବ୍ଦାଂଶଗୁଡ଼ିକ ଶିକ୍ଷା କରିବାର ଉଦ୍ଦେଶ୍ୟ ହେଉଛି ଏଗୁଡ଼ିକ ପୂରାପୂରି ନୂଆ ହୋଇଥାଏ ଏବଂ ପୂର୍ବରୁ ଏଗୁଡ଼ିକର କାହା ସହିତ ସମ୍ପର୍କ ନଥାଏ ।

 

ଅଧିକ ସ୍ମରଣ ଶକ୍ତି ପାଇଁ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କେତେକ ମନସ୍ତାତ୍ତ୍ୱିକ ନିୟମାନୁଯାୟୀ ଶିକ୍ଷା କଲେ ସ୍ମରଣ ଶକ୍ତି ଅଧିକ ହୁଏ । ସେଥିମଧ୍ୟରୁ ଗୋଟିଏ ହେଉଛି ଶିକ୍ଷା ପରେ ପରେ ବିଶ୍ରାମ ନେବାକୁ ହୁଏ । ତଦ୍ଦ୍ୱାରା ଯାହାକିଛି ଶିକ୍ଷା କରାଯାଇ ଥାଏ ତାହା ସଂଗଠିତ ହୋଇ ମସ୍ତିଷ୍କରେ ସଞ୍ଚିତ ହୁଏ । ବିଶ୍ରାମ ନ ନେଇ ଯଦି ଏକାଧିକ ବିଷୟ ଗୋଟିକ ପରେ ଗୋଟିଏ ପଢ଼ାଯାଏ ତେବେ କୌଣସି ଗୋଟିଏ ହେଲେ ସଠିକ୍‍ ଭାବେ ମସ୍ତିଷ୍କ ଧାରଣ କରିପାରେ ନାହିଁ । ଅବଶ୍ୟ ଅତ୍ୟଧିକ ବିଶ୍ରାମ ନେଲେ ପଢ଼ାଯାଇଥିବା ବିଷୟ ଭୁଲି ହୋଇଯାଏ । ତେଣୁ ପଢ଼ିସାରିବା ପରେ କେତେକ ସମୟ ବିଶ୍ରାମ ନେଲେ ସ୍ମରଣ ଶକ୍ତି ଅଧିକ ହୁଏ ତାହା ମନସ୍ତାତ୍ତ୍ୱିକମାନେ ନିର୍ଣ୍ଣୟ କରିଥାଆନ୍ତି । ସ୍ମରଣ ଶକ୍ତି ଅଧିକ ହେବାର ଦ୍ୱିତୀୟ ପନ୍ଥା ହେଉଛି ପଢ଼ିବା ସମୟରେ ଏକାଦିକ୍ରମେ ଅଧିକଗୁଡ଼ାଏ ପାଠ; ଯଥା: ୧୦୦ ଧାଡ଼ି ବା ୫୦ ଧାଡ଼ି ନ ପଢ଼ି ଅଳ୍ପ ଅଳ୍ପ ୫ ଧାଡ଼ି ବା ୧୦ ଧାଡ଼ି ଲେଖାଏଁ ପଢ଼ିବାକୁ ହୁଏ । ଅବଶ୍ୟ ଉପନ୍ୟାସ ବା ନାଟକ ପଢ଼ିବା ବେଳେ ଏକାଦିକ୍ରମେ ୧୦୦ ପୃଷ୍ଠା ପଢ଼ାଯାଇପାରେ । କାରଣ ସେତେବେଳେ କେବଳ ସାରାଂଶ ଜାଣିବାର ଆଗ୍ରହ ଥାଏ । ସ୍ମରଣ ଶକ୍ତି ଅଧିକ ହେବାର ଅନ୍ୟ ଏକ ପନ୍ଥା ହେଉଛି କୌଣସି କଥା ପଢ଼ିବାବେଳେ ଉଚ୍ଚାରଣ କରି ବଡ଼ ପାଟିରେ ପଢ଼ିବାକୁ ହୁଏ ଏବଂ ଯାହା କିଛି ପଢ଼ାହୁଏ ତା’ର ଅର୍ଥ ବୁଝିଥିଲେ ଶୀଘ୍ର ମନେ ରହିଯାଏ । ପଢ଼ିବା ସମୟରେ ଏହିପରି କେତେକ ପନ୍ଥା ଅନୁସରଣ କଲେ ସ୍ମରଣ ଶକ୍ତି ଅଧିକ ହୁଏ ।

 

ଧାରଣ କରିବା (Retention)—

 

ଶିକ୍ଷା ପରେ ମଣିଷର ସମସ୍ତ ଅନୁଭୂତି ମସ୍ତିଷ୍କ ଧାରଣ କରେ ଏବଂ ଦରକାରବେଳେ ତାହା ବ୍ୟବହୃତ ହୁଏ । ମସ୍ତିଷ୍କର ଧାରଣ ପ୍ରଣାଳୀ ସମ୍ପର୍କରେ ବିଭିନ୍ନ ପ୍ରକାର ମତ ପ୍ରକାଶିତ ହୋଇଛି । ସବୁ ପ୍ରକାର ମତରେ ‘‘ସ୍ମରଣ ଶକ୍ତିର ଦାଗ’’ (Memory trace) ସମ୍ପର୍କରେ ଉଲ୍ଲେଖ ଅଛି । ମଣିଷ ଜୀବନର, ଗୋଟିଏ ଅନୁଭୂତି ମସ୍ତିଷ୍କରେ ଗୋଟିଏ ଗୋଟିଏ ‘ଦାଗ’ ସୃଷ୍ଟି କରେ । ସେହି ‘ଦାଗ’ ଯୋଗୁଁ ମଣିଷ ମନେ ରଖେ, ‘ଦାଗ’ ଲିଭିଗଲେ ମଣିଷ ଭୁଲିଯାଏ ଏବଂ ‘ଦାଗ’ ଦୁର୍ବଳ ହୋଇଗଲେ ମଣିଷର ସ୍ମରଣ ଶକ୍ତି ଦୁର୍ବଳ ହୋଇଯାଏ । ସେଥିପାଇଁ ମନସ୍ତାତ୍ତ୍ୱିକ ନିୟମାନୁଯାୟୀ ଶିକ୍ଷା କଲେ ଆବଶ୍ୟକୀୟ ‘ଦାଗ’ ସୃଷ୍ଟି ହୁଏ ଏବଂ ବାରମ୍ୱାର ଆବୃତ୍ତି କଲେ ‘ଦାଗ’ ଉଜ୍ୱଳ ହୁଏ । ପଠିତ ବିଷୟବସ୍ତୁର ଆବଶ୍ୟକତା କମିଗଲେ ‘ଦାଗ’ ଲିଭିଯାଏ ।

 

‘‘ସ୍ମରଣ ଶକ୍ତିର ଦାଗ’’ (Memory trace) କଅଣ ଏ ବିଷୟରେ ମଧ୍ୟ ବୈଜ୍ଞାନିକଙ୍କ ଭିତରେ ମତ ପାର୍ଥକ୍ୟ ଦେଖାଯାଏ । କେତେକଙ୍କ ମତରେ ଏହା ଏକ ଆନୁମାନିକ କାର୍ଯ୍ୟ (Hypothetical function) । ଅନ୍ୟ କେତେକଙ୍କ ମତରେ ମସ୍ତିଷ୍କ ଭିତରେ କାର୍ଯ୍ୟରତ ଥିବା ବୈଦ୍ୟୁତିକ ତରଙ୍ଗ ଦେହରେ ଏହା ଗୋଟିଏ ଗୋଟିଏ ଦାଗ । ସେମାନେ ଏକଥା କହିଲା ବେଳେ ବୋଧହୁଏ କମ୍ପ୍ୟୁଟରର ସ୍ମରଣ ଶକ୍ତି, ଧାରଣ ପ୍ରଣାଳୀ ଓ ସେଥିରେ ବ୍ୟବହୃତ ହେଉଥିବା ଚୁମ୍ବକୀୟ ଫିତାକୁ ଲକ୍ଷ୍ୟ ରଖି କହନ୍ତି । ଅବଶ୍ୟ ଅତୀତର ସେମାନଙ୍କର ଏପରି ଧାରଣା ପରିବର୍ତ୍ତିତ ହୋଇଛି । ଆଜିକାଲି ସେମାନେ ଭାବନ୍ତି ଯେ, ‘‘ସ୍ମରଣ ଶକ୍ତିର ଦାଗ’’ ଏକ ରାସାୟନିକ ପ୍ରକିୟା । ସେମାନଙ୍କ ମତରେ ଯଦି ପୈତୃକ ଦୋଷ ବା ଗୁଣର କେତେକାଂଶ ମଣିଷ ଦେହର ଜୀବକୋଷ ଭିତରେ ରାସାୟନିକ ଦ୍ରବ୍ୟ ଆକାରରେ (ଯେପରି–RNA.; DNA) ସଂରକ୍ଷିତ ହୋଇପାରେ; ତେବେ ବାହ୍ୟ ଜଗତର କେତେକ ସାଧାରଣ ଘଟଣା ସେହିପର ରାସାୟନିକ ଦ୍ରବ୍ୟ ଆକାରରେ ମସ୍ତିଷ୍କରେ ସଂରକ୍ଷିତ ହୋଇ ନ ପାରିବାର କୌଣସି କାରଣ ନାହିଁ-। ଏପରି ଏକ ତଥ୍ୟକୁ ପ୍ରମାଣିତ କରିଛନ୍ତି ଆମେରିକାର ହଷ୍ଟନସ୍ଥିତ ବେଲୋର ଚିକିତ୍ସା ମହାବିଦ୍ୟାଳୟର ଡାକ୍ତର ଜର୍ଜ ଉଙ୍ଗାର (Dr. George Ungar) । ସେ ସ୍ମରଣ ଶକ୍ତିକୁ ମସ୍ତିଷ୍କରୁ ଅଲଗା କରିବା ସଙ୍ଗେ ସଙ୍ଗେ ସେହିପରି କୃତ୍ରିମ ରାସାୟନିକ ସ୍ମରଣ ଶକ୍ତି ପ୍ରସ୍ତୁତ କରି ପାରିଛନ୍ତି । ଏହାକୁ ମୂଷା ଉପରେ ପରୀକ୍ଷା କରି ସେ ମଧ୍ୟ କୃତକାର୍ଯ୍ୟ ହୋଇଛନ୍ତି । ଉଦାହରଣ ସ୍ୱରୂପ ସେ ପ୍ରଥମେ ଗୋଟିଏ ମୂଷାକୁ ଅନ୍ଧାରରେ ଭୟ କରିବା ପାଇଁ ବୈଦ୍ୟୁତିକ ଯନ୍ତ୍ର ସାହାଯ୍ୟରେ ଶିକ୍ଷା ଦେଲେ । ମୂଷାଟି ଯେତେବେଳେ ଅନ୍ଧାରକୁ ଭୟ କରିବାରେ ଅଭ୍ୟସ୍ତ ହୋଇଗଲା ସେତେବେଳେ ତା’ର ମସ୍ତିଷ୍କରୁ ଭୟ ସୃଷ୍ଟି ହୋଇଥିବା ରାସାୟନିକ ସ୍ମରଣ ଶକ୍ତିଗୁଡ଼ିକୁ ବାହାର କରିନେଲେ । ତାଙ୍କର ଗବେଷଣାଗାରରେ ପରୀକ୍ଷା ନଳୀ ଭିତରେ ସେହି ଧର୍ମ ବିଶିଷ୍ଟ କୃତ୍ରିମ ରାସାୟନିକ ସ୍ମରଣ ଶକ୍ତି ପ୍ରସ୍ତୁତ କଲେ ଏବଂ ତାକୁ ଅନ୍ୟ ଏକ ସାଧାରଣ ମୂଷାର ମସ୍ତିଷ୍କରେ ଇଞ୍ଜେକ୍‍ସନ ସାହାଯ୍ୟରେ ପ୍ରବେଶ କରାଇଲେ । ତା’ପରେ ଦେଖିଲେ ଯେ ପ୍ରଥମ ମୂଷାଟି ପରି ଦ୍ୱିତୀୟ ମୂଷାଟି ମଧ୍ୟ ଅନ୍ଧାରକୁ ଭୟ କରୁଛି । ଅବଶ୍ୟ ଦେଖାଗଲା ଯେ, ଦ୍ୱିତୀୟ ମୂଷାଟିର ଭୟ ପ୍ରାୟ ପାଞ୍ଚ ଦିନ ପର୍ଯ୍ୟନ୍ତ ରହିଲା । ତେଣୁ ସେ ମତ ଦେଲେ ଯେ, ଯଦି ଥରକୁ ଥର କୃତ୍ରିମ ସ୍ମରଣ ଶକ୍ତି ଇଞ୍ଜେକ୍‍ସନ ଦିଆଯାଇ ପାରିବ ତାହା ସବୁଦିନ ପାଇଁ କାର୍ଯ୍ୟକାରୀ ହେବ ।

 

ପରୀକ୍ଷାକରିବା (Testing)—

 

ଶିକ୍ଷାକରିବା ପରେ ମସ୍ତିଷ୍କ କେତେକ ପରିମାଣରେ ପଠିତ ବିଷୟବସ୍ତୁ ଧାରଣ କରିପାରିଛି ତାହା ପରୀକ୍ଷାକଲେ ଜଣାପଡ଼େ । ଏହି ପରୀକ୍ଷା ମୁଖ୍ୟତଃ ଦୁଇପ୍ରକାରର ହୋଇଥାଏ-। ତାହା ହେଉଛି ମନେ ପକାଇବା (Recalling) ଓ ଚିହ୍ନଟ କରିବା (Recognizing) ।

 

ମଣିଷ ଅତୀତରେ ଯାହା କିଛି ଜାଣିଥାଏ ସବୁକଥା ମନେ ପକାଇବାକୁ ଇଚ୍ଛାକରେ । ଜଣେ ଜଣେ ଯେତେବେଳେ ଯାହାକିଛି ମନେ ପକାଇବାକୁ ଇଚ୍ଛା କରନ୍ତି ତାହା ମନେ ପକାଇପାରନ୍ତି । ସେଥିପାଇଁ ସେମାନଙ୍କର ସ୍ମରଣଶକ୍ତି ପ୍ରଖର ବୋଲି କୁହାଯାଏ । ଆଉ କେତେ ଲୋକ ଅତୀତର ଘଟଣାବଳୀ ମୋଟେ ମନେପକାଇ ପାରନ୍ତି ନାହିଁ । ସେମାନଙ୍କର ସ୍ମରଣଶକ୍ତି ଦୁର୍ବଳ ବୋଲି କୁହାଯାଇଥାଏ । ପରୀକ୍ଷାଗାରରେ ଦେଖାଯାଇଛି ଯେ ଜଣକୁ ଦଶଟି ଶବ୍ଦ ବା ଅର୍ଥହୀନ-ଶବ୍ଦାଂଶ ପଢ଼ିବାକୁ ଦେଇ କିଛି ସମୟ ପରେ ପଚାରିଲେ ଜଣେ ଜଣେ ଦଶଟିଯାକ ମନେ ପକାନ୍ତି ଏବଂ ଆଉ କେତେଜଣ ନଅଟି, ଆଠଟି, ସାତଟି, ଏପରିକି ମୋଟେ ମନେପକାଇ ପାରନ୍ତି ନାହିଁ । ସେଥିରୁ ସେମାନଙ୍କର ସ୍ମରଣଶକ୍ତିର ପରିମାଣ ହିସାବ କରିହୁଏ । ଅନେକ ସମୟରେ ଛୋଟ ପିଲାମାନେ ଯାହା ପଢ଼ିଥାଆନ୍ତି ଶିକ୍ଷକ ବା ବାପମାଆ ପଚାରିଲେ କିଛି ମନେପକାଇ ପାରନ୍ତି ନାହିଁ । ତେଣୁ ମାଡ଼, ଗାଳି ବା ଅପମାନ ପାଇଥାଆନ୍ତି । ବାସ୍ତବିକ ମନେପକାଇ ନ ପାରିବାରେ ପିଲାର କିଛି ଦୋଷ ନ ଥାଏ । କାରଣ ପ୍ରଥମତଃ ପଢ଼ିବା ସମୟରେ ମନେରଖିବାପାଇଁ ଯେପରି ଯତ୍ନନେବା କଥା ସେପରି ନିଆଯାଇ ନ ଥାଏ ଏବଂ ଖେଳିବାବେଳେ, ଖାଇବାବେଳେ ବା ଶାରୀରିକ ଅସୁସ୍ଥି ସମୟରେ ଯଦି ପଢ଼ିବାକୁ କୁହାଯାଏ କିମ୍ବା ପରିବାରର ଅନ୍ୟମାନେ ପଢ଼ିଛନ୍ତି ତେଣୁ ତାକୁ ପଢ଼ିବାକୁ ହେବ ବୋଲି ବାଧ୍ୟକରି ପଢ଼ାଯାଏ ତେବେ ସେ ଭଲ ପଢ଼େନାହିଁ । ଯାହାକିଛି ପଢ଼େ ସବୁ ଭୁଲିଯାଏ । ଦ୍ୱିତୀୟତଃ ପଢ଼ିବାବେଳେ ଅନେକକଥା ଅଦରକାରୀ ବୋଲି ଭାବି ମଣିଷ ଭୁଲିଯିବାପାଇଁ ଇଚ୍ଛା କରେ । ଉଦାହରଣସ୍ୱରୂପ ଜଣେ ଧନୀଘରର ପିଲା ସହରରେ ଦଶତାଲା ବିଶିଷ୍ଟ କୋଠାଘରେ ରହେ । ଖେଳଣା, ବହି, ପୋଷାକଆଦିର ଅଭାବ ନ ଥାଏ । କାର୍‌, ଉଡାଜାହାଜରେ ବିଭିନ୍ନ ଜାଗାକୁ ଯିବାଆସିବା କରେ । ତାକୁ ଯଦି କୃଷିକ୍ଷେତ୍ର, ଲଙ୍ଗଳ, ଚାଷ ଆଦି ବିଷୟରେ ଶିକ୍ଷା ଦିଆଯାଏ, ତାହା ସେ ଭୁଲିଯିବା ସ୍ୱାଭାବିକ । କାରଣ ଶିକ୍ଷା ଦିଆଯାଉଥିବା ବିଷୟ ତା’ର ବ୍ୟକ୍ତିତ୍ୱର ପରିସୀମା ଏବଂ କଳ୍ପନାର ବାହାରେ ରହିଯାଏ । ସେହିପରି ଗାଁଗହଳରେ ଚାଷୀ ମୂଲିଆର ପିଲାଟିକୁ ଶୀତତାପ ନିୟନ୍ତ୍ରଣ ବିଷୟରେ ଶିକ୍ଷାଦେଲେ ସେ ମଧ୍ୟ ଭୁଲିଯାଏ । ତେଣୁ ଜାଣିବାକୁ ଇଚ୍ଛା ନ ଥିବା ବିଷୟ ଶିକ୍ଷା କରିଥିଲେ ତାହା ଯେତେ ଚେଷ୍ଟାକଲେ ମଧ୍ୟ ମନେ ପଡ଼େନାହିଁ ।

 

ଚିହ୍ନଟକରିବା ପ୍ରଣାଳୀ ସାଧାରଣତଃ ମନେପକାଇବା ପ୍ରଣାଳୀ ଅପେକ୍ଷା ସହଜ । ଏଥିରେ ଅତୀତରେ ପରିଚିତ ଥିବା କୌଣସି ବ୍ୟକ୍ତି ବା ବସ୍ତୁକୁ ସମ୍ପୂର୍ଣ୍ଣ ନୂଆ ବ୍ୟକ୍ତି ବା ବସ୍ତୁର ଗହଣରେ ଚିହ୍ନିବାକୁ ହୁଏ । ଦଶଟି ଫଟୋ ମିନିଟକପାଇଁ ଦେଖିବାକୁ ଦେଇ ଦିନକ ପରେ ଆଉ ପନ୍ଦରଟି ନୂଆ ଫଟୋ ସହିତ ସେହି ପୁରୁଣା ଦଶଟିକୁ ମିଶାଇ ଏହିପରି ସର୍ବମୋଟ ପଚିଶଟି ଫଟୋରୁ ପୁରୁଣା ଦଶଟିକୁ ଚିହ୍ନଟ କରିବାକୁ କୁହାଯାଏ । ଯେଉଁ ଲୋକ ଯେତେ ଅଧିକ ଚିହ୍ନିପାରେ ତା’ର ସ୍ମରଣଶକ୍ତି ସେତେ ବେଶୀ ବୋଲି ଧରାଯାଏ । ଫଟୋ ପରିବର୍ତ୍ତେ ଶବ୍ଦ ବା ଅର୍ଥହୀନ - ଶବ୍ଦାଂଶ ପଢ଼ିବାକୁ ଦେଇ କିଛିସମୟ ପରେ ନୂଆ ଶବ୍ଦ ବା ଶବ୍ଦାଂଶ ସହିତ ତାକୁ ମିଶାଇ ଚିହ୍ନଟ କରିବାକୁ କୁହାଯାଇପାରେ ।

 

ମନେପକାଇବା ଓ ଚିହ୍ନଟକରିବା ବ୍ୟତୀତ ପୁନରାୟ-ପଠନ (Relearning) ଓ ପୁନରାୟ-ଗଠନ (Reconstruction) ଦ୍ୱାରା ମଣିଷର ସ୍ମରଣଶକ୍ତି ଜାଣିହୁଏ । ଅଧିକ ସ୍ମରଣଶକ୍ତି ଥିବା ବ୍ୟକ୍ତିକୁ ଧୀମାନ ବୋଲି କୁହାଯାଇଥାଏ । ପରିବେଷ୍ଟନୀ ଭିତରେ ଶିଶୁର ଖାଦ୍ୟ ଓ ଶିକ୍ଷାର ଯତ୍ନ ନେଲେ ସ୍ମରଣଶକ୍ତି ଅଧିକ ହେବାର ଯଥେଷ୍ଟ ସମ୍ଭାବନା ଥାଏ ।

Image

 

ମନ ଜାଣିବାର ପ୍ରଣାଳୀ

 

ମନ ଓ ମନସ୍ତତ୍ତ୍ୱ ସମ୍ବଳିତ ବିଷୟ ପଢ଼ିବା ଓ ବୁଝିବାପାଇଁ କେତେକ ପ୍ରଣାଳୀ ଅନୁକରଣ କରାଯାଉଅଛି । ଅନ୍ୟାନ୍ୟ ବୈଜ୍ଞାନିକ ବିଷୟରେ ସ୍ୱତନ୍ତ୍ର ପ୍ରଣାଳୀ ଥିବାପରି ମନସ୍ତତ୍ତ୍ୱର ମଧ୍ୟ ତାହା ଅଛି ।

ପ୍ରାୟ ଏକଶହ ବର୍ଷ ତଳେ ମନସ୍ତତ୍ତ୍ୱର କୌଣସି ବୈଜ୍ଞାନିକ ପ୍ରଣାଳୀ ନ ଥିଲା । କେବଳ କଳ୍ପନା ବା ଅନୁମାନକରି ବା କେତେବେଳେ ଉଦାହରଣ ଦେଇ ଯାହା କିଛି ସ୍ଥିର କରାଯାଉଥିଲା । କାଳକ୍ରମେ ମନସ୍ତତ୍ତ୍ୱର କ୍ଷେତ୍ର ପ୍ରସାରିତ ହେବା ସଙ୍ଗେ ସଙ୍ଗେ ଏହାର ପ୍ରଣାଳୀରେ ମଧ୍ୟ ପରିବର୍ତ୍ତନ ହୋଇଛି । ଆଧୁନିକ ମନସ୍ତତ୍ତ୍ୱବିତ୍‌ମାନେ ସାଧାରଣ ମନ ବୁଝିବାପାଇଁ କେତେଗୁଡ଼ିଏ ପ୍ରଣାଳୀ ଅନୁକରଣ କରୁଛନ୍ତି । ସେଗୁଡ଼ିକ ହେଲା :

(୧)

ଆତ୍ମନୀରକ୍ଷଣ,

(୩)

ପରୀକ୍ଷାମୂଳକ ପ୍ରଣାଳୀ

(୨)

ବାହ୍ୟ ପର୍ଯ୍ୟବେକ୍ଷଣ

(୪)

ପ୍ରଶ୍ନାବଳୀ ପ୍ରଣାଳୀ

(୫)

ପ୍ରକ୍ଷେପଣ ପ୍ରଣାଳୀ ଏବଂ ଆଉ କେତେ

ଆତ୍ମନିରୀକ୍ଷଣ (Introspection)

ମଣିଷ ତା’ର ଆଭ୍ୟନ୍ତରୀଣ ମନୋଭାବ ପ୍ରକାଶ କରିବାହିଁ ଆତ୍ମନିରୀକ୍ଷଣ । କୌଣସି ଏକ ପରିସ୍ଥିତିରେ ସେ ଯାହା ଅନୁଭବ କରେ ତାକୁ ସଙ୍ଗେ ସଙ୍ଗେ ପ୍ରକାଶ କରେ । କିନ୍ତୁ ଉତ୍ତାପ ବା ଅଙ୍ଗପ୍ରତ୍ୟଙ୍ଗର ଯନ୍ତ୍ରଣା ଓ ତା’ର ଅନୁଭୂତିକୁ ଛାଡ଼ିଦେଲେ ମନଭିତରେ ଥିବା ପ୍ରବର୍ତ୍ତନା, ଭାବପ୍ରବଣତା, ଅନୁଭବ, ଚିନ୍ତନ ଇତ୍ୟାଦି ଏବଂ ତା’ର ପ୍ରକାଶ ଆତ୍ମନିରୀକ୍ଷଣ ପ୍ରଣାଳୀର ଅନ୍ତର୍ଭୁକ୍ତ ହୋଇଥାଏ । ଆମେରିକାରେ ଗବେଷଣା କରିଥିବା ଇଂରେଜ ମନସ୍ତତ୍ତ୍ୱବିତ୍‌ ଏଡୱାଡ଼ ବ୍ରାଡ଼ଫୋର୍ଡ଼ ଟିଚନର ଆତ୍ମନିରୀକ୍ଷଣ ପ୍ରଣାଳୀକୁ ତାଙ୍କ ଗବେଷଣା ଭିତରେ ପ୍ରଧାନ ସ୍ଥାନ ଦେଇଥିଲେ । ତାଙ୍କ ମତରେ ଜଣେ ଗବେଷକ ବିଷୟୀ ମନଭିତରେ ଥିବା ସଚେତନ ଚିନ୍ତାଧାରା ପୂର୍ଣ୍ଣରୂପେ ଜାଣିବା ଉଚିତ । ସେଥିପାଇଁ ବିଷୟୀକୁ ପୂର୍ଣ୍ଣ ତତ୍ୱାବଧାନରେ ରଖି ପରୀକ୍ଷାକାର୍ଯ୍ୟ ଚାଲିଥିବା ସମୟରେ ତା’ର ମାନସିକ ଅବସ୍ଥାର ଆତ୍ମନିରୀକ୍ଷଣ ପାଇଁ କୁହାଯାଏ । ଏହିପରି କାର୍ଯ୍ୟକାରୀ ହୋଇ ଆତ୍ମନିରୀକ୍ଷଣ ପ୍ରଣାଳୀ ମଣିଷର ମନ ଜାଣିବାରେ ଯଥେଷ୍ଟ ବୈଜ୍ଞାନିକ ତଥ୍ୟ ଯୋଗାଇଥାଏ ଏବଂ ବିଷୟୀର ବାହ୍ୟ ଓ ଆଭ୍ୟନ୍ତରୀଣ ବ୍ୟବହାର ଭିତରେ ସଂଯୋଗ ରକ୍ଷା କରିବାରେ ଯଥେଷ୍ଟ ସାହାଯ୍ୟ କରିଥାଏ ।

ଆତ୍ମନିରୀକ୍ଷଣ ପ୍ରଣାଳୀରେ ଅନେକଗୁଡ଼ିଏ ଦୋଷ ଥାଏ । ସେଥିମଧ୍ୟରୁ ଗୋଟିଏ ହେଲା ବିଷୟୀ ଦେଉଥିବା ମନ୍ତବ୍ୟ ସବୁବେଳେ ସତ ହୋଇ ନ ପାରେ । ସେ ଅନେକ ସମୟରେ ଜାଣିଶୁଣି ମିଛ ଓ ମନଗଢ଼ା କଥା କହିଦେଇପାରେ । ସେପରି ମନ୍ତବ୍ୟକୁ ପରୀକ୍ଷାକରି ସତ୍ୟାସତ୍ୟ ଜାଣିବାର ଉପାୟ ନ ଥାଏ । ଅନ୍ୟ ଏକ ଦୋଷ ହେଲା ଜଣେ ମଣିଷ ଏକ ସମୟରେ ଦୁଇଟି କଥା ଭାବିପାରେ ନାହିଁ । ସେଥିପାଇଁ ବିଷୟୀ ଯେତେବେଳେ ପରୀକ୍ଷା କାର୍ଯ୍ୟରେ ଲିପ୍ତ ଥାଏ ସେତେବେଳେ ସେ ଆତ୍ମନିରୀକ୍ଷଣ କରିପାରେ ନାହିଁ ଏବଂ ଆତ୍ମନିରୀକ୍ଷଣ ସମୟରେ ସେ ପରୀକ୍ଷା କାର୍ଯ୍ୟରେ ମନୋଯୋଗ ଦେଇପାରେ ନାହିଁ । ତେଣୁ ଆତ୍ମନିରୀକ୍ଷଣ କରି ଦିଆଯାଉଥିବା ମନ୍ତବ୍ୟ ପରୀକ୍ଷା କାର୍ଯ୍ୟରେ ନିଯୁକ୍ତ ଥିବା ସମୟରେ ମନୋଭାବ ହୋଇ ନ ପାରେ । ଗୋଟିଏ ମାନସିକ ପ୍ରକ୍ରିୟାଯୋଗୁଁ ଅନ୍ୟଟି ଉଭେଇଯାଏ । ତୃତୀୟରେ ଶିଶୁ ଓ ପାଗଳମାନେ ଆତ୍ମନିରୀକ୍ଷଣ କରିପାରନ୍ତି ନାହିଁ ଏବଂ କୌଣସି ଉପାୟରେ ଭାବ ପ୍ରକାଶ କରି ପାରନ୍ତି ନାହିଁ । ସେହିପରି ବିଭିନ୍ନ ଭାଷାଭାଷୀ ବ୍ୟକ୍ତିଙ୍କର ମନୋଭାବ ଭାଷାଗତ ବିଭେଦ ଯୋଗୁଁ ବୁଝିହୁଏ ନାହିଁ । ଅନ୍ୟ ପକ୍ଷରେ ଉପରୋକ୍ତ ବ୍ୟକ୍ତିଙ୍କୁ ବାଦଦେଇ ମନସ୍ତତ୍ତ୍ୱର ସ୍ଥିତି ନଥାଏ । ସେଥିପାଇଁ ଆତ୍ମନିରୀକ୍ଷଣ ପ୍ରଣାଳୀଦ୍ୱାରା ମନସ୍ତତ୍ତ୍ୱର ପରିସର ସୀମିତ ହୋଇଯାଏ । ଏହାର ଚତୁର୍ଥ ଦୋଷ ହେଉଛି ଆତ୍ମନିରୀକ୍ଷଣ ବ୍ୟକ୍ତିର ମିଞ୍ଜାସ ଉପରେ ନିର୍ଭର କରେ । ଜଣକର ମିଞ୍ଜାସ ପ୍ରତି ମୁହୂର୍ତ୍ତରେ ବଦଳିବାର ସମ୍ଭାବନା ଥାଏ । ତେଣୁ ଗୋଟିଏ ପରୀକ୍ଷାରେ ଲିପ୍ତଥିବା ବିଷୟୀର ମତାମତ ପରୀକ୍ଷା ଆରମ୍ଭରେ ଯାହା, ପରୀକ୍ଷା ଶେଷକୁ ବା ଅନ୍ୟ ଏକ ପରୀକ୍ଷାବେଳକୁ ତାହା ବଦଳି ଯାଇପାରେ । ସେହିପରି ବ୍ୟକ୍ତିଗତ ତାରତମ୍ୟ ହେତୁ ଗୋଟିଏ ପରୀକ୍ଷାରେ ନିଯୁକ୍ତ ଥାଇ ଆତ୍ମନିରୀକ୍ଷଣ କରୁଥିବା ଦୁଇ ବା ତହିଁରୁ ଅଧିକ ବିଷୟୀଙ୍କର ମନ୍ତବ୍ୟ ପାର୍ଥକ୍ୟ ହେବାର ଯଥେଷ୍ଟ ସମ୍ଭାବନା ଥାଏ-। ଏହି ପ୍ରଣାଳୀରେ ଅନ୍ୟ ଏକ ଗୁରୁତର ଦୋଷ ହେଉଛି ମଣିଷ ଆତ୍ମନିରୀକ୍ଷଣ କରି ଯାହା କହେ ତାହା ତା’ର ସଚେତନ ମନର ପରିପ୍ରକାଶ । ସଚେତନ ମନ ତା’ର ସମସ୍ତ ମାନସିକ ଧାରାର ଏକଦଶମାଂଶ ମାତ୍ର । ବାକି ଅଂଶ ତା’ର ଅଚେତନ ମନ ଭିତରେ ଥାଏ, ଯାହାକି ସେ କେବେହେଲେ ପ୍ରକାଶ କରିପାରେ ନାହିଁ । ମନସ୍ତାତ୍ତ୍ୱିକ ସିଗମଣ୍ଡ ଫ୍ରଏଡ଼ ସଚେତନତା ଓ ଅଚେତନତାକୁ ପାଣି ଉପରେ ଭାସୁଥିବା ଏକ ବରଫ ପାହାଡ଼ ସହିତ ତୁଳନା କରି କହିଛନ୍ତି ଯେ, ବରଫ ପାହାଡ଼ର ଦଶଭାଗରୁ ଏକଭାଗ ପାଣି ଉପରେ ଭାସୁଥାଏ ଏବଂ ନଅ ଭାଗ ସବୁବେଳେ ପାଣି ଭିତରେ ବୁଡ଼ି ଅଦୃଶ୍ୟ ଥାଏ । ସେହିପରି ମଣିଷର ଅଚେତନ ମନ କେବେ ହେଲେ ଜଣା ପଡ଼େନାହିଁ ।

ବାହ୍ୟ ପର୍ଯ୍ୟବେକ୍ଷଣ (Objective Observation)

ଆତ୍ମ ନିରୀକ୍ଷଣରେ ଦେଖାଯାଉଥିବା କେତେକ ଅସୁବିଧାକୁ ଦୂର କରିବାରେ ବାହ୍ୟ ପର୍ଯ୍ୟବେକ୍ଷଣ ପ୍ରଣାଳୀ ଯଥେଷ୍ଟ ସାହାଯ୍ୟ କରିଥାଏ । ଏହାଦ୍ୱାରା ବାହ୍ୟ ବ୍ୟବହାରକୁ ପର୍ଯ୍ୟବେକ୍ଷଣ କରି ମଣିଷର ଶାରୀରିକ ଓ ମାନସିକ ବ୍ୟବହାର ସମ୍ବନ୍ଧରେ ସାଧାରଣ ଧାରଣା କରିହୁଏ । ମନସ୍ତାତ୍ତ୍ୱିକ କୌଣସି ଲୋକର ଚାଲିଚଳଣକୁ ଅନୁକରଣ କଲାବେଳେ ତା’ର କିଛି କରିବାକୁ ନ ଥାଏ ବା ତା’ର ସମସ୍ତ ପ୍ରକାର ବ୍ୟବହାରକୁ ଲକ୍ଷ୍ୟ କରାଯାଉଛି ବୋଲି ସେ ଜାଣିବାର ଉପାୟ ନ ଥାଏ । ଉଦାହରଣସ୍ୱରୂପ ଲୋକଟି ରାଗିଛି ବୋଲି ତା’ର କେତେଗୁଡ଼ିଏ ବ୍ୟବହାରରୁ ଜାଣିହୁଏ । ସେ ଖୁବ୍‍ ବଡ଼ ପାଟିରେ କଥାବାର୍ତ୍ତା କରୁଥାଏ, ତା’ର ମୁହଁ ନାଲି ଦେଖାଯାଏ, ଆଖି ବଡ଼ ବଡ଼ ଦିଶେ, ଓଠ ଥରେ ଏବଂ ସେ ଗୋଟିଏ ଜାଗାରେ ସ୍ଥିର ନ ରହି ଜୋରରେ ପାଦ ପକାଇ ଯିବା ଆସିବା କରୁଥାଏ । ସେହିପରି ଲୋକଟି ଗଭୀର ଚିନ୍ତାମଗ୍ନ ଅଛି ବୋଲି ମଧ୍ୟ ତା’ର ବାହ୍ୟ ବ୍ୟବହାରରୁ ଜାଣି ହୁଏ । ସେ ଗୋଟିଏ ଜାଗାରେ ବସିଥାଏ । ବିଭିନ୍ନ ଆଡ଼େ ମୁହଁ ନ ବୁଲାଇ ଏକ ଲକ୍ଷ୍ୟରେ କୌଣସିଆଡ଼େ (ଆକାଶକୁ ମଧ୍ୟ) ଚାହିଁ ରହେ । ତା’ର ଖୁବ୍‍ ନିକଟରେ ଶବ୍ଦ କଲେ ବା କୌଣସି ବାଧା ସୃଷ୍ଟି କଲେ ମଧ୍ୟ ସେ ଅବିଚଳିତ ହୋଇ ସେଠାରେ ବସିଥାଏ ।

 

ବାହ୍ୟ ପର୍ଯ୍ୟବେକ୍ଷଣ ପ୍ରଣାଳୀ ସାଧାରଣତଃ ମସ୍ତିଷ୍କ କ୍ଷତବିକ୍ଷତ ବ୍ୟକ୍ତି, ମସ୍ତିଷ୍କ ବିକୃତ ବ୍ୟକ୍ତି, ଶିଶୁ ଓ ପଶୁପକ୍ଷୀଙ୍କର ନିକଟରେ ପ୍ରଯୁଜ୍ୟ ହୁଏ କାରଣ ସେମାନେ ଅନ୍ତରର ଭାବପ୍ରକାଶ କରିବା ପାଇଁ ସମର୍ଥ ହୁଅନ୍ତି ନାହିଁ । ବର୍ତ୍ତମାନ ପ୍ରଶ୍ନ ହେଉଛି ମଣିଷର ମନ ଜାଣିବାପାଇଁ ଏହା ଏକ ବୈଜ୍ଞାନିକ ପ୍ରଣାଳୀ କି ? ଏଥିପାଇଁ ମନସ୍ତାତ୍ତ୍ୱିକମାନେ ଦୁଇପ୍ରକାର ମତ ଦେଇଛନ୍ତି । ଯେଉଁମାନେ ସପକ୍ଷରେ ମତ ଦିଅନ୍ତି ସେମାନେ କହନ୍ତି ଯେ, ମନସ୍ତତ୍ତ୍ୱର ପରିସର ଭିତରେ ମଣିଷ (ପୁରୁଷ, ସ୍ତ୍ରୀ, ଶିଶୁ, ବୃଦ୍ଧ) ଓ ପଶୁପକ୍ଷୀ ସ୍ଥାନ ପାଆନ୍ତି । ତେଣୁ ସେମାନଙ୍କର ଓ କୌଣସି ପାଗଳ, ମସ୍ତିଷ୍କ ବିକୃତ ବା କ୍ଷତବିକ୍ଷତ ବ୍ୟକ୍ତିଙ୍କର ମାନସିକ ପ୍ରକ୍ରିୟା ଜାଣିବା ପାଇଁ ବାହ୍ୟ ପର୍ଯ୍ୟବେକ୍ଷଣ ପଦ୍ଧତି ହିଁ ସମ୍ଭବ-। ଦ୍ୱିତୀୟରେ ସେମାନେ କହନ୍ତି ଯେ, ଏହାଦ୍ୱାରା ମଣିଷ ନିକଟରେ ଛଳନା ସ୍ଥାନ ପାଏ ନାହିଁ । କାରଣ ତା’ର ବ୍ୟବହାରକୁ ପର୍ଯ୍ୟବେକ୍ଷଣ କରାଯାଉଛି ବୋଲି ସେ ଜାଣିପାରେ ନାହିଁ । ତେଣୁ ତା’ର ପ୍ରକୃତ ବ୍ୟବହାର ଯାହା ତାହାହିଁ ପର୍ଯ୍ୟବେକ୍ଷକର ଆଖିରେ ପଡ଼େ । ଯେଉଁମାନେ ବିପକ୍ଷରେ ମତ ଦିଅନ୍ତି ସେମାନେ କହନ୍ତି ଯେ ବାହ୍ୟ ପର୍ଯ୍ୟବେକ୍ଷଣ ପଦ୍ଧତି ଉପରେ ଯଦି ମନସ୍ତତ୍ତ୍ୱ ନିର୍ଭର କରେ ତେବେ ମନସ୍ତାତ୍ତ୍ୱିକ ଗବେଷଣା ଓ ତା’ର ଫଳାଫଳ ଜାଣିବା ପାଇଁ ଶହ ଶହ ବର୍ଷ ଲାଗିଯିବ । ମୋଟ ଉପରେ ମନସ୍ତତ୍ତ୍ୱର ପ୍ରଗତି ବର୍ଷ ବର୍ଷ ଧରି ପଛରେ ପଡ଼ିଯିବ । ଉଦାହରଣସ୍ୱରୂପ ଶିଶୁ ମନ ଜାଣିବା ପାଇଁ ଯଦି ତା’ର ଦୈନନ୍ଦିନ ବ୍ୟବହାରରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଥିବ, ସାମାଜିକ ମନ ଜାଣିବା ପାଇଁ ଯଦି ସମାଜର ପ୍ରତ୍ୟେକ ମୁହୂର୍ତ୍ତର ପରିବର୍ତ୍ତନକୁ ଲକ୍ଷ୍ୟ କରାଯାଉଥିବ, ତା ହେଲେ ଏଥିରେ ମନସ୍ତାତ୍ତ୍ୱିକର ସାରା ଜୀବନ ବିତିଯିବ ଏବଂ ପର୍ଯ୍ୟବେକ୍ଷଣରୁ କୌଣସି ଉପାଦେୟ ଫଳ ମିଳିବ ନାହିଁ । ଦ୍ୱିତୀୟତଃ ମନସ୍ତାତ୍ତ୍ୱିକର ଇଚ୍ଛା ଅନୁଯାୟୀ ପର୍ଯ୍ୟବେକ୍ଷଣ ପାଇଁ ପରିବେଶ ସୃଷ୍ଟି କରି ହେବ ନାହିଁ । ବ୍ୟକ୍ତିର ଭାବପ୍ରବଣତା ଓ ତା’ର ପରିଣାମ ଜାଣିବା ପାଇଁ ପରୀକ୍ଷକ ହଠାତ୍‌ କାହାକୁ ଭାବପ୍ରବଣ କରାଇପାରିବ ନାହିଁ । ବରଂ ତାକୁ ଦୀର୍ଘଦିନ ଧରି ଅପେକ୍ଷା କରିବାକୁ ପଡ଼ିବ । କେହି କେବେ ଭାବପ୍ରବଣ ହେଲେ ତାକୁ ପର୍ଯ୍ୟବେକ୍ଷଣ କରିବ । ଏହାଦ୍ୱାରା ତା’ର ଶକ୍ତି, ସାମର୍ଥ୍ୟ ଓ ସମୟ ଅକାରଣରେ ନଷ୍ଟ ହେବ । ତୃତୀୟତଃ ପର୍ଯ୍ୟବେକ୍ଷଣ ସମୟରେ ଯଦି ବ୍ୟକ୍ତିର ସମ୍ମାନରେ ବାଧା ଆସେ ତେବେ ସେ ପର୍ଯ୍ୟବେକ୍ଷକକୁ ଅପମାନିତ, ଲାଞ୍ଛିତ ଓ ଶାରୀରିକ ଯନ୍ତ୍ରଣା ଦେବାରେ କୁଣ୍ଠାବୋଧ କରିବ ନାହିଁ । ଉଦାହରଣ ସ୍ୱରୂପ ଯଦି ଜଣେ ନାରୀ ବା ଉଚ୍ଚପଦସ୍ଥ ବ୍ୟକ୍ତିର ଚାଲିଚଳଣ ଓ ବାହ୍ୟ ବ୍ୟବହାରକୁ ପର୍ଯ୍ୟବେକ୍ଷଣ କରାଯାଏ ତେବେ ସେମାନେ ହୁଏତ ଅପମାନିତ ବୋଧକରି ଉପରୋକ୍ତ କୌଣସି ଉପାୟରେ ପ୍ରତିଶୋଧ ନେଇପାରନ୍ତି । ଏହାଦ୍ୱାରା ମନସ୍ତତ୍ତ୍ୱର ମୂଳ ଲକ୍ଷ୍ୟ ସାଧିତ ହେବା ପରିବର୍ତ୍ତେ ଅଧିକ ସମସ୍ୟା ଦେଖାଦେବ । ଶେଷରେ ପର୍ଯ୍ୟବେକ୍ଷଣ କରାଯାଉଥିବା କଥା କୌଣସି ବ୍ୟକ୍ତି ଜାଣିଲେ ସେ ତା’ର କୃତ୍ରିମ ବ୍ୟବହାର ଦେଖାଇବ ଯାହାକି ମନସ୍ତାତ୍ତ୍ୱିକ ଚିନ୍ତାଧାରାର ବିଶେଷ ସହଯୋଗୀ ହେବ ନାହିଁ-

 

ବାହ୍ୟ ପର୍ଯ୍ୟବେକ୍ଷଣ ପ୍ରଣାଳୀର ଦୋଷ, ଗୁଣ ଉଭୟ ଥିଲେ ମଧ୍ୟ ଏହାଦ୍ୱାରା ମନସ୍ତତ୍ତ୍ୱର ଲକ୍ଷ୍ୟ ସୀମିତ ହୋଇଯାଉଛି । ମନ କହିଲେ ଯଦି ମଣିଷର ପ୍ରକାଶ୍ୟ ବ୍ୟବହାରକୁ ବୁଝାଯାଉଥାଆନ୍ତା ତେବେ ଏହା ଖୁବ୍‌ ଦରକାରୀ ପ୍ରଣାଳୀ ହୋଇଥାଆନ୍ତା । କିନ୍ତୁ ମନକୁ ଏପରି ଭାବରେ ସୀମାବଦ୍ଧ କରିବା ସମ୍ଭବ ନୁହେଁ । ମଣିଷର ପ୍ରକାଶ୍ୟ ବ୍ୟବହାରକୁ ପର୍ଯ୍ୟବେକ୍ଷଣ କରାଯିବା ସଙ୍ଗେ ସଙ୍ଗେ ଅନ୍ତର୍ନିହିତ ବ୍ୟବହାର, ଯଥା : ଭାବପ୍ରବଣତା, ଅନୁଭବ, ପ୍ରବର୍ତ୍ତନା ଆଦି ମଧ୍ୟ ପର୍ଯ୍ୟବେକ୍ଷଣ କରାଯିବା ଦରକାର । ତେଣୁ ପର୍ଯ୍ୟବେକ୍ଷକର ପର୍ଯ୍ୟବେକ୍ଷଣ ଓ ତା’ର ଫଳାଫଳ ଉପରେ ଏହି ପଦ୍ଧତିର ଉପାଦେୟତା ନିର୍ଭର କରେ ।

ପରୀକ୍ଷାମୂଳକ ପ୍ରଣାଳୀ (Experimental Method)

ପରୀକ୍ଷାମୂଳକ ପ୍ରଣାଳୀ ପବର୍ତ୍ତନ ହେବାର ଶହେ ବର୍ଷ ପୂର୍ଣ୍ଣ ହେବାକୁ ଆଉ ମାତ୍ର ଅଳ୍ପ କେତେବର୍ଷ ବାକି ଅଛି । ଜର୍ମାନୀର ଲିପ୍‌ଜିଗ ବିଶ୍ୱ ବିଦ୍ୟାଳୟରେ ଉଇଲିୟମ ଉଣ୍ଟ (Wilhelm Wundt) ଏହି ପ୍ରଣାଳୀକୁ ପ୍ରଥମେ ୧୮୭୯ ମସିହାରେ ବ୍ୟବହାର କରିଥିଲେ । ତାହାପରେ କ୍ରମଶଃ ଏହା ପ୍ରସାରଲାଭ କରି ଆସୁଅଛି ।

ପରୀକ୍ଷାମୂଳକ ପ୍ରଣାଳୀ ଏକ ବୈଜ୍ଞାନିକ ପ୍ରଣାଳୀ ହିସାବରେ ପରିଗଣିତ ହୋଇ ଆସୁଅଛି । କାରଣ ମନ ଭିତରେ ଥିବା ସମସ୍ତ ତଥ୍ୟକୁ ପରୀକ୍ଷା କରି ପ୍ରମାଣ କରିବାର ସୁବିଧା ଏଥିଭିତରେ ଅଛି । ଏହାକୁ ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ପ୍ରଣାଳୀ ବୋଲି କୁହାଯାଏ । କାରଣ ବିଜ୍ଞାନାଗାର ଭିତରେ ମଣିଷକୁ ରଖି କିମ୍ବା ତା’ର ସମସ୍ତ ପ୍ରକାର ସଠିକ ବିବରଣୀ ରଖି ତାହା ଉପରେ ପରୀକ୍ଷା କରି ତା’ର ଫଳାଫଳ ନିର୍ଣ୍ଣୟ କରାଯାଇପାରେ । ଆତ୍ମନିରୀକ୍ଷଣ ପ୍ରଣାଳୀ ବା କେବଳ ଏହି ପ୍ରଣାଳୀଦ୍ୱାରା ହିଁ ଦୂର କରାଯାଇପାରିବ ।

ପରୀକ୍ଷାମୂଳକ ପ୍ରଣାଳୀରେ ଜଣେ ପରୀକ୍ଷକ (Experimenter) ରହନ୍ତି ଯେ କି ସମସ୍ତ ପରୀକ୍ଷା ପରିଚାଳନା କରନ୍ତି ଏବଂ ଯାହା ଉପରେ ସମସ୍ତ ପରୀକ୍ଷା କରାଯାଏ ତାହାକୁ ବିଷୟୀ (Subject) ବୋଲି କୁହାଯାଏ । ସାଧାରଣତଃ ମଣିଷ, ପଶୁ ଓ ପକ୍ଷୀ ବିଷୟୀର ଅନ୍ତର୍ଭୁକ୍ତ ହୋଇପାରନ୍ତି । ମଣିଷମାନଙ୍କ ଭିତରେ ବାଳକ, ଯୁବକ, ବୃଦ୍ଧ, ପୁରୁଷ-ସ୍ତ୍ରୀ; ପଶୁମାନଙ୍କ ଭିତରେ କୁକୁର, ମାଙ୍କଡ଼, ଛେଳି, ସିମ୍ପାଞ୍ଜି; ଏବଂ ପକ୍ଷୀମାନଙ୍କ ଭିତରେ ପାରା, ଶୁଆ କୁକଡ଼ା ଆଦି ବିଷୟୀ ହେବା ପାଇଁ ବ୍ୟବହୃତ ହୁଅନ୍ତି । ପରୀକ୍ଷା ସମୟରେ ବିଷୟୀକୁ ଦୁଇଟି ଅବସ୍ଥା ଭିତର ଦେଇ ଗତି କରିବାକୁ ହୋଇଥାଏ । ସେଥିରୁ ଗୋଟିଏ ହେଲା ନିୟନ୍ତ୍ରିତ ଅବସ୍ଥା (Control Condition) ଏବଂ ଅନ୍ୟଟି ହେଲା ପରୀକ୍ଷାମୂଳକ ଅବସ୍ଥା (Experimental Condition) । ଉଭୟ ଅବସ୍ଥାପାଇଁ ଜଣେ ମାତ୍ର ମଣିଷ ବ୍ୟବହୃତ ହୋଇପାରେ କିମ୍ବା ସମଚରିତ୍ର ବିଶିଷ୍ଟ ଦୁଇଦଳ ମଣିଷ ବ୍ୟବହୃତ ହୋଇପାରନ୍ତି । ଉଦାହରଣ ସ୍ୱରୂପ ପୁରସ୍କାର ଦେଲେ ପିଲାମାନଙ୍କର ପଢ଼ାରେ ଆଗ୍ରହ ଜନ୍ମିବା କଥା ପରୀକ୍ଷା କରିବା ପାଇଁ ସମବୟସ୍କ, ସମଲିଙ୍ଗୀ ଓ ସମବୁଦ୍ଧି ସମ୍ପନ୍ନ ଦୁଇଦଳ ପିଲାଙ୍କୁ ବଛାଯାଇ ଉଭୟ ଦଳଙ୍କୁ ଏକା ବିଷୟ ପଢ଼ିବାକୁ ଦିଆଯାଏ । କିନ୍ତୁ ସେଥିମଧ୍ୟରୁ ଗୋଟିଏ ଦଳକୁ (ପରୀକ୍ଷାମୂଳକ ଦଳ) କିଛି ପଢ଼ିବାକୁ ଦିଆଯିବା ସଙ୍ଗେ ସଙ୍ଗେ ଅଧିକ ମନେ ରଖିଲେ ପୁରସ୍କାର ଦିଆଯିବ ବୋଲି କୁହାଯାଏ ଏବଂ ଅନ୍ୟ ଦଳକୁ (ନିୟନ୍ତ୍ରିତ ଦଳ) କେବଳ ପଢ଼ିବାକୁ ଦିଆଯାଏ । ଯଦି ପରୀକ୍ଷାମୂଳକ ଦଳ ଅଧିକ ମନେ ରଖିଲେ ତେବେ ତାହା ପୁରସ୍କାର ଯୋଗୁଁ ହୋଇଛି ବୋଲି ବୁଝିବାକୁ ହୁଏ । ଏଠାରେ ପୁରସ୍କାର ହେଉଛି ଏକ ସ୍ୱାଧୀନ ପରିବର୍ତ୍ତନ (Independent Variable) ଯାହାକି ପ୍ରତ୍ୟେକ ପରୀକ୍ଷାମୂଳକ ପ୍ରଣାଳୀରେ ବ୍ୟବହୃତ ହୁଏ ।

ମଣିଷ ମନ ଜାଣିବାର ଅନ୍ୟାନ୍ୟ କେତେକ ପ୍ରଣାଳୀପରି ପରୀକ୍ଷାମୂଳକ ପ୍ରଣାଳୀର ମଧ୍ୟ ସପକ୍ଷୀୟ ଓ ବିପକ୍ଷୀୟ ମତବାଦ ଅଛି । ସପକ୍ଷୀୟ ମତବାଦଗୁଡ଼ିକ ହେଲା ଗବେଷଣାଗାରରେ ପରୀକ୍ଷା କରିବାପାଇଁ ପରିବେଶ ସୃଷ୍ଟି କରିହେବ ଏବଂ ଇଚ୍ଛାକଲେ ଏକାଧିକବାର ମଧ୍ୟ ପରିବେଶ ସୃଷ୍ଟି ହୋଇପାରିବ । ଏହି ପ୍ରଣାଳୀରେ ଏକାଧିକ ସ୍ୱାଧୀନ ପରିବର୍ତ୍ତେ, ଯାହା କିଛି ସମ୍ଭବ, ତାହା ବ୍ୟବହାର କରିହେବ । ପରୀକ୍ଷାମୂଳକ ପ୍ରଣାଳୀର ବିପକ୍ଷରେ ଥିବା ମତଗୁଡ଼ିକ ହେଲା ମଣିଷର ମନ ଓ ତା’ର ବିଭିନ୍ନ ବ୍ୟବହାର ସଦାସର୍ବଦା ପରୀକ୍ଷାପାଇଁ ଅନୁକୂଳ ହୋଇ ନ ପାରେ । ଦ୍ୱିତୀୟତଃ କେତେଗୁଡ଼ିଏ ଘଟଣା ଗବେଷଣାଗାର ଭିତରେ ଘଟିପାରେ ନାହିଁ । ସେଗୁଡ଼ିକ ହେଲା ମସ୍ତିଷ୍କର କ୍ଷତ, ଶିଶୁର ଶାରୀରିକ ଓ ମାନସିକ ବୃଦ୍ଧି, ମଣିଷର ଭୟ, କ୍ରୋଧ ଇତ୍ୟାଦି । ସେଥିପାଇଁ ସେଗୁଡ଼ିକ ଉପରେ ହେଉଥିବା ପରୀକ୍ଷା ଗବେଷଣାର ଭିତରେ ସମ୍ଭବ ନୁହେଁ । ମଣିଷ ମଣିଷ ଭିତରେ ସଦା ସର୍ବଦା ପାର୍ଥକ୍ୟ ରହି ଆସିଅଛି ଏବଂ ଗୋଟିଏ ମଣିଷର ବିଭିନ୍ନ ସମୟରେ ପରିବେଷ୍ଟନୀକୁ ଚାହିଁ ମତ ପାର୍ଥକ୍ୟ ହେବାର ଯଥେଷ୍ଟ ସମ୍ଭାବନା ଅଛି । ତେଣୁ ପରୀକ୍ଷାମୂଳକ ପ୍ରଣାଳୀରେ ମଣିଷର ମନ ଜାଣିଲେ ମଧ୍ୟ ତାହା ସବୁ ସମୟରେ ବା ସବୁ ମଣିଷଙ୍କ ପ୍ରତି ସତ୍ୟ ହୁଏ ନାହିଁ । ଏତେଗୁଡ଼ିଏ ପ୍ରତିକୂଳ ମତ ଥିଲେ ମଧ୍ୟ ପରୀକ୍ଷାମୂଳକ ପ୍ରଣାଳୀ ମଣିଷର ମନ ଜାଣିବାପାଇଁ ଏକ ବୈଜ୍ଞାନିକ ପ୍ରଣାଳୀବୋଲି ଅଭିହିତ ହୋଇ ଆସୁଅଛି ।

 

ପ୍ରଶ୍ନାବଳୀ ପ୍ରଣାଳୀ (Questionnaire Method)

ମଣିଷର ମନ ଜାଣିବା ପାଇଁ ପ୍ରଶ୍ନାବଳୀ ପ୍ରଣାଳୀ ଏକ ସହଜ ଉପାୟ । ସାଧାରଣତଃ ଏହା ସାମାଜିକ ମନସ୍ତତ୍ୱ ଓ ବିକୃତ ମସ୍ତିଷ୍କ ବ୍ୟକ୍ତିମାନଙ୍କ ସମ୍ବନ୍ଧରେ ଜାଣିବା ପାଇଁ ବ୍ୟବହୃତ ହୋଇଥାଏ । ଏଥିପାଇଁ ବ୍ୟବହୃତ ହେଉଥିବା ପ୍ରଶ୍ନପତ୍ର (Questionnaire) ଭିତରେ ଅନେକ ଗୁଡ଼ିଏ ପ୍ରଶ୍ନ ଥାଏ । ପ୍ରଶ୍ନଗୁଡ଼ିକର ବିଭିନ୍ନ ପ୍ରକାର ଉତ୍ତର ‘ହଁ’, ‘ନାହିଁ’ ଆଦି ପ୍ରଶ୍ନଗୁଡ଼ିକର ପାଖେ ପାଖେ ଥାଏ । ଗୋଟିଏ ପ୍ରଶ୍ନ ପଢ଼ି ତା ବିଷୟରେ ମତାମତ ଦେବାପାଇଁ କେବଳ ହଁ, ନାହିଁ, ଆଦି ଉତ୍ତର ଭିତରୁ ଗୋଟିକରେ ଚିହ୍ନ ଦେବା ହୁଏ । ପ୍ରଶ୍ନଗୁଡ଼ିକ ସାଧାରଣତଃ ବିଭିନ୍ନ ଲକ୍ଷ୍ୟରଖି ତିଆର ହୋଇଥାଏ । ବ୍ୟକ୍ତିଗତ ଖବର ଜାଣିବାପାଇଁ ଏକ ପ୍ରକାର ପ୍ରଶ୍ନପତ୍ର ବ୍ୟବହାର କରାଯାଏ ଯେଉଁଥିରେ କି ମଣିଷର ଦୁଶ୍ଚିନ୍ତା, ଉଚ୍ଚଆଶା, ଅଭାବ ଅସୁବିଧା ଇତ୍ୟାଦି ଥାଏ । ଆଉ ଏକ ପ୍ରକାର ପ୍ରଶ୍ନପତ୍ରରେ ମଣିଷର ଆର୍ଥିକ, ସାମାଜିକ, ରାଜନୈତିକ ଏବଂ ଧର୍ମସମ୍ବନ୍ଧୀୟ ବିଶ୍ୱାସ ଓ ସେଥିପ୍ରତି ତା’ର ମନୋଭାବ ପ୍ରତିଫଳିତ ହୋଇଥାଏ । ତୃତୀୟ ପ୍ରକାର ପ୍ରଶ୍ନପତ୍ର ବ୍ୟବହାର କରାଯାଏ, ଯେଉଁଥିରେ ମଣିଷର ମଣିଷ ପ୍ରତି, ପଶୁପକ୍ଷୀ, ବହି, ଖେଳ କସରତ, ଅବସର ଇତ୍ୟାଦି ପ୍ରତି କେତେ ଆଗ୍ରହ ଥାଏ ତାହା ବର୍ଣ୍ଣିତ ହୋଇଥାଏ । ସେହିପରି ଅନ୍ୟ ଏକ ପ୍ରଶ୍ନପତ୍ରରେ ମଣିଷର କଳା, ସହିତ୍ୟ, ବିଜ୍ଞାନ, ଧର୍ମ, ସଙ୍ଗୀତ, ସମାଜସେବା ଆଦି ପ୍ରତି ଆଗ୍ରହ ଏବଂ ଇଞ୍ଜିନିୟରିଂ, ଡାକ୍ତରୀ, କୃଷି, ଶିଳ୍ପ, ବାଣିଜ୍ୟ ଓ ଶିକ୍ଷକତା ପରି ଚାକିରୀ ଓ ବ୍ୟବସାୟିକ ମନୋଭାବ ପରିଲକ୍ଷିତ ହୋଇଥାଏ ।

ପ୍ରଶ୍ନାବଳୀ ପ୍ରଣାଳୀରେ ବ୍ୟବହୃତ ହେଉଥିବା ପ୍ରଶ୍ନପତ୍ରଗୁଡ଼ିକ ଅନେକ ସମୟରେ ଯାହାଙ୍କଠାରୁ ଉତ୍ତର ଆସିବ ତାଙ୍କ ପାଖକୁ ଡାକରେ ପଠାଇ ଦିଆଯାଏ । ସେ ଉତ୍ତର ଲେଖିସାରି ଡାକରେ ପ୍ରଶ୍ନପତ୍ରଟି ଫେରାଇ ଦିଅନ୍ତି । ଆଉ କେତେକ ସମୟରେ ଯାହାଙ୍କଠାରୁ ଉତ୍ତର ଅଣାଯିବ ତାଙ୍କୁ ସାକ୍ଷାତ ଦେଇ (Interview) ଗୋଟିକ ପରେ ଗୋଟିଏ ପ୍ରଶ୍ନପଚରା ଯାଏ ଏବଂ ତାଙ୍କଠାରୁ ମନ ଭିତରର କଥା ସଂଗ୍ରହ କରାଯାଏ । ଏହି ପ୍ରଣାଳୀରେ କେତେଗୁଡ଼ିଏ ଅସୁବିଧା ମଧ୍ୟ ଅଛି । ପ୍ରଶ୍ନପତ୍ରଟି ଡାକରେ ପଠାଇବା ପରେ ଯଦି ଉତ୍ତରକର୍ତ୍ତା ଉତ୍ତର ନ ଦିଏ ଏବଂ ଠିକ୍‌ ସମୟରେ ଡାକରେ ନ ଫେରାଏ, ସାକ୍ଷାତ୍‌ ଦେବାପାଇଁ ଯଦି କେହି ମନା କରେ, ବା ତା’ର କର୍ଯ୍ୟବ୍ୟସ୍ତତାଯୋଗୁଁ ସେ ସମୟ ଦେଇପାରେ ନାହିଁ ଏବଂ ଶେଷରେ ଯଦି ତା’ର ଉତ୍ତରଗୁଡ଼ିକ ମନଗଢ଼ା ହୋଇଥାଏ ତେବେ ପ୍ରଶ୍ନାବଳୀ ପ୍ରଣାଳୀର ସମସ୍ତ ମହତ୍‌ ଉଦ୍ଦେଶ୍ୟ ବୃଥା ହୋଇଯାଏ ।

 

ପ୍ରକ୍ଷେପଣ ପ୍ରଣାଳୀ (Projective Method)

 

ମଣିଷର ମନ ଜାଣିବାପାଇଁ ଯେତେଗୁଡ଼ିଏ ପ୍ରଣାଳୀ ଅଛି ତା ଭିତରେ ପ୍ରକ୍ଷେପଣ ପ୍ରଣାଳୀ ଅଧିକ ବିଶ୍ୱାସଯୋଗ୍ୟ । କାରଣ ଅନ୍ୟ କେତେକ ପ୍ରଣାଳୀ ପରି ଏହା ତ୍ରୁଟିପୂର୍ଣ୍ଣ ନୁହେଁ । ଏହାଦ୍ୱାରା ମଣିଷର ଅଚେତନ ମନର ସମସ୍ତ ଭାବନା ଅନାୟାସରେ ଜାଣିହୁଏ । ମଣିଷ ତା’ର ସମସ୍ତ ଅଭିଳାଷ, ଉଚ୍ଚ ଆଶା, ମାନ ଅଭିମାନ ଏକ ଅଜ୍ଞାତ ଓ ଅର୍ଥହୀନ ବସ୍ତୁ ମାଧ୍ୟମରେ ପ୍ରକାଶ କରେ । ସେ କିନ୍ତୁ ସେତେବେଳେ ଜାଣିପାରେନାହିଁ ଯେ ସେ ତା’ର ମନ ଭିତରର ସବୁ କଥା ପ୍ରକାଶ କରି ଦେଉଛି । ଏହାହିଁ ହେଉଛି ପ୍ରକ୍ଷେପଣ ପ୍ରଣାଳୀର ବିଶେଷତ୍ୱ ।

 

ପ୍ରକ୍ଷେପଣ ପ୍ରଣାଳୀ ବିଭିନ୍ନ ପ୍ରକାରର ହୋଇପାରେ । ସେଥିମଧ୍ୟରୁ ଶବ୍ଦ ସଂଯୋଗ (Word Association), ବାକ୍ୟ ପୂରଣ (sentence Completion), ଥେମାଟିକ ଆପରସେପ୍‌ସନ (Thematic Apperception) ଓ ରୋରସାକ (Rorschach) ବହୁଳ ଭାବେ ବ୍ୟବହୃତ ହେଉଅଛି ।

 

ଶବ୍ଦ ସଂଯୋଗ ଏକ ପୁରାତନ ପ୍ରକ୍ଷେପଣ ପ୍ରଣାଳୀ । ଏହା ୧୮୭୯ ମସିହାରେ ଗାଲଟନ (Galton)ଙ୍କଦ୍ୱାରା ବ୍ୟବହୃତ ହୋଇଥିଲା । ପରେ ଯୁଙ୍ଗ (Jung) ଓ କେଣ୍ଟ ରୋଜାନଫ (Kent Rosanoff) ଏହାକୁ ବ୍ୟବହାର କରି କେତେଗୁଡ଼ିଏ ଶବ୍ଦ ସର୍ବୋପଯୋଗୀକରଣ କରିଛନ୍ତି । ଆଜି ସୁଦ୍ଧା ତାହା ବିଭିନ୍ନ କ୍ଷେତ୍ରରେ ବ୍ୟବହାର ହେଉଅଛି ।

 

ଯାହାର ମନ ଜାଣିବା ଦରକାର ହୁଏ ତାକୁ ପାଖରେ ବସାଇ ତାହା ଆଗରେ ଗୋଟିଏ ଗୋଟିଏ ଶବ୍ଦ ପଢ଼ି ଶୁଣାଇବାକୁ ହୁଏ । ସେ ଗୋଟିଏ ଶବ୍ଦ ଶୁଣିବା ପରେ ସେହି ଶବ୍ଦ ସହିତ ସଂଯୋଗ ରକ୍ଷା କରିପାରୁଥିବା ଯେକୌଣସି ଶବ୍ଦ ହଠାତ୍‌ ତା ମନକୁ ଆସି ପହଞ୍ଚେ ତାକୁ କହେ । ସେ ଉତ୍ତର ଦେଉଥିବା ଶବ୍ଦଟି ଶୁଣିବାପରେ ତା’ର ଉତ୍ତର ଓ ସେ ଉତ୍ତର ଦେବାକୁ କେତେ ସମୟ ନେଉଛି ଲେଖି ରଖାଯାଏ । ସାଧାରଣତଃ ତା’ର ଉତ୍ତରରୁ ମନ ଭିତରର ଭାବପ୍ରବଣତା, ଯୌନ ଲାଳସା, ଦ୍ୱନ୍ଦ୍ୱ ଏବଂ ଅନ୍ୟାନ୍ୟ ଚିନ୍ତାଧାରା ଜାଣିହୁଏ । ଉତ୍ତର ଦେବା ପାଇଁ ଖୁବ୍‍ ବେଶୀ ସମୟ ନେବା ବା ଖୁବ୍‍ କମ୍‍ ସମୟ ନେବା ଶବ୍ଦଗୁଡ଼ିକ ପରୀକ୍ଷକ ମନରେ ସନ୍ଧାନ ଦେଇଥାଏ । ସେହି ଶବ୍ଦ ସହିତ ମନ ଭିତରର ଭାବପ୍ରବଣତା ଜଡ଼ିତ ଥାଏ । ତେଣୁ ସେ ଶବ୍ଦଗୁଡ଼ିକୁ ବିଶ୍ଳେଷଣ କରି ତା’ର ମନ ଭିତରର କଥା ଜାଣିହୁଏ ।

 

ବାକ୍ୟ ପୂରଣ ସମୟରେ ଗୋଟିଏ ବାକ୍ୟର ଅଧା ପଢ଼ି ଜଣକୁ ଶୁଣାଇଦେବା ପରେ ତା’ର ଅନ୍ୟ ଅଂଶଟି କଣ ସେ କହେ । ସେହି ଉତ୍ତରରୁ ଲୋକଟିର ଅଚେତନ ମନ ଭିତରେ ଥିବା ଜୀବନ ପ୍ରତି ମମତା, ଯୌନ ଲାଳସା, ଉଚ୍ଚ ଆଶା, ଘୃଣା, ଦ୍ୱନ୍ଦ୍ୱ, ଭାବପ୍ରବଣତା ଇତ୍ୟାଦି ଜଣାଯାଇଥାଏ । ଅନେକ ସମୟରେ ସିଧାସଳଖ ପ୍ରଶ୍ନ ପଚାରିଲେ ଜଣେ ଜଣେ ଉତ୍ତର ଦେବା ପାଇଁ କୁଣ୍ଠାବୋଧ କରନ୍ତି, ବିଚଳିତ ବା ଲଜ୍ଜିତ ହୁଅନ୍ତି । କିନ୍ତୁ ଶବ୍ଦ ସଂଯୋଗ ବା ବାକ୍ୟ ପୂରଣଦ୍ୱାରା ସେମାନଙ୍କର ଅଜ୍ଞାତସାରରେ ଉତ୍ତର ପାଇହୁଏ । ବାକ୍ୟ ପୂରଣ ଉପାୟ ପ୍ରଥମେ ଏବିଙ୍ଗହସ୍‍ । (Ebbinghaus) ବ୍ୟବହାର କରିଥିଲେ । ପରେ ବିଂଶ ଶତାବ୍ଦୀର-ତୃତୀୟ ଦଶକରେ ପାଇନ (Payne) ଓ ଟେଣ୍ଡଲର (Tendler) ଏହାକୁ ବ୍ୟକ୍ତିତ୍ୱ ନିରୂପଣ କରିବା ପାଇଁ ବ୍ୟବହାର କଲେ । ଆଜି ସୁଦ୍ଧା ତାହା ବ୍ୟକ୍ତିତ୍ୱ ନିରୂପଣ କ୍ଷେତ୍ରରେ ହିଁ ବ୍ୟବହୃତ ହୋଇ ଆସୁଅଛି ।

 

ଥେମାଟିକ ଆପରସେପସନ ପରୀକ୍ଷା (Thematic Apperception Test–T.A.T) ପ୍ରଥମେ ମୂରେ (Murray) ଓ ମରଗାନ (Morgan) ମଣିଷର ଅଚେତନ ମନ ଭିତରର କଥା ଜାଣିବା ପାଇଁ ବ୍ୟବହାର କରିଥିଲେ । ସେମାନେ ଏଥିପାଇଁ ୩୦ ଖଣ୍ଡି ଚିତ୍ରିତ କାର୍ଡ ଓ ଖଣ୍ଡିଏ କୌଣସି ଚିତ୍ର ନ ଥିବା ଖାଲି କାର୍ଡ ନେଇ ଯାହାର ମନ କଥା ଜାଣିବା ଦରକାର ତାକୁ ଦେଉଥିଲେ ଏବଂ ପ୍ରତ୍ୟେକ କାର୍ଡରେ ଥିବା ଚିତ୍ର ଦେଖି ତାହାରି ଉପରେ ଗୋଟିଏ ଗୋଟିଏ କ୍ଷୁଦ୍ର ଗଳ୍ପ ଲେଖିବା ପାଇଁ କହୁଥିଲେ । ଏପରି କି ଖାଲି କାର୍ଡକୁ ଦେଖି ମଧ୍ୟ ଗୋଟିଏ ଗଳ୍ପ ଲେଖିବାର ନିର୍ଦ୍ଦେଶ ଥିଲା । ସେହି ପ୍ରଣାଳୀ ଆଜି ସୁଦ୍ଧା ଅନୁସୃତ ହୋଇ ଆସୁଅଛି ।

 

କାର୍ଡଗୁଡ଼ିକରେ ପୁରୁଷ, ସ୍ତ୍ରୀ, ବାଳକ, ବାଳିକା, ବୃଦ୍ଧ, ବୃଦ୍ଧା ଆଦି ମଣିଷମାନଙ୍କର ଚିତ୍ର ସେମାନଙ୍କର ବିଭିନ୍ନ ଅବସ୍ଥାରେ ଥାଏ । ଚିତ୍ରକୁ ଦେଖି ଗଳ୍ପ ଲେଖିଲାବେଳେ ଲେଖକ ତା’ର ମନ ଭିତରେ ଥିବା ପାରିବାରିକ ଓ ସାମାଜିକ ସମସ୍ୟା, ନିଜର ଇଚ୍ଛା, ଭବିଷ୍ୟତ କଳ୍ପନା, ଉଚ୍ଚଆଶା, ଯୌନ ଲାଳସା, ଭାବପ୍ରବଣତା, ଦ୍ୱନ୍ଦ୍ୱ, ପରିବେଷ୍ଟନୀ ପ୍ରତି ତା’ର ମନୋଭାବ ଇତ୍ୟାଦି ସେଥିରେ ସ୍ଥାନ ଦେଇଥାଏ । ସାଧାରଣତଃ ସେ ନିଜକୁ ନାୟକ ବା ନାୟିକା ମନେକରି ଚିତ୍ରରେ ଥିବା କୌଣସି ଏକ ଚରିତ୍ର ମାଧ୍ୟମରେ ନିଜର ମନକଥା ପ୍ରକାଶ କରିଥାଏ । ଗଳ୍ପଟିରେ ଥିବା ଚରିତ୍ର ଓ ଘଟଣାଗୁଡ଼ିକୁ ବିଶ୍ଳେଷଣ କଲେ ଲୋକଟିର ମନ ଭିତରେ ଥିବା ଅକୁହା କଥା ସହଜରେ ବୁଝିହୁଏ-

 

ସ୍ୱିଜରଲାଣ୍ଡର ମନସ୍ତତ୍ତ୍ୱବିତ୍‌ ହରମନ ରୋରସାକ (Hermann Rorschach) ୧୯୨୧ ମସିହାରେ ମଣିଷର ମନ ଜାଣିବାପାଇଁ ଏକ ପ୍ରକାର ପ୍ରକ୍ଷେପଣ ପ୍ରଣାଳୀ ଉଦ୍ଭାବନ କଲେ ଯାହାକି ଆଜିସୁଦ୍ଧା ମନସ୍ତତ୍ତ୍ୱ ଜଗତରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି । ତାଙ୍କରି ନାମ ଅନୁସାରେ ରୋରସାକ ପରୀକ୍ଷା (Rorschach Test) ପ୍ରଚଳିତ ହୋଇ ଆସୁଅଛି । ଏହିପ୍ରକାର ପରୀକ୍ଷା ପାଇଁ ଦଶଖଣ୍ଡି କାର୍ଡ ବ୍ୟବହାର ହୁଏ ଯେଉଁଥିରେ କି କେବଳ କାଳି ଦାଗ ମରା ହୋଇଥାଏ । ଅବଶ୍ୟ ଦଶଟି କାର୍ଡରେ ଦଶପ୍ରକାର କାଳି ଦାଗ ଥାଏ । ଯାହାର ମନ ପରୀକ୍ଷା କରାଯିବ ତାକୁ କୌଣସି ଘରେ ଏକୁଟିଆ ବସାଇ ତା’ର ମନରେ ପରୀକ୍ଷକ ପ୍ରତି ଓ ତା’ର ନିଜ ପ୍ରତି ବିଶ୍ୱାସ ଜନ୍ମାଇବାକୁ ହୋଇଥାଏ । ତାପରେ ଖଣ୍ଡିଏ ଖଣ୍ଡିଏ କାର୍ଡ ତା ଆଗରେ ରଖି ଦିଆଯାଏ ଏବଂ ପଚରାଯାଏ ‘‘ଏହା କଅଣ ହୋଇପାରେ ?’’ ସେ କାର୍ଡଟିକୁ ଯେକୌଣସି ପ୍ରକାର ଧରି ରଖିପାରେ, ବୁଲାଇ ବୁଲାଇ ଦେଖିପାରେ । ଯଦି ସେ କୌଣସି ଉତ୍ତର ନ ଦିଏ ତାକୁ ପୁଣି କୁହାଯାଏ ‘‘ଅନେକ ଲୋକ ଏଥିରୁ ବିଭିନ୍ନ କଥା ଦେଖିପାରନ୍ତି, ତୁମେ କଅଣ ଦେଖୁଛ ?’’ ଇତ୍ୟାଦି-। ସେ ଯାହା ଉତ୍ତର ଦିଏ ତାକୁ ସବୁ ଲେଖି ରଖାଯାଏ । ବାସ୍ତବିକ କାର୍ଡରେ ଥିବା କାଳି ଛାପା କୌଣସି ଉଦ୍ଦେଶ୍ୟ ରଖି କରାଯାଇ ନ ଥାଏ ବା ସେଥିରେ ଥିବା କାଳିଦାଗର କୌଣସି ଅର୍ଥ ନ ଥାଏ । ତେଣୁ ପରୀକ୍ଷାର୍ଥୀ ଯାହା କହେ ତାହା ତା’ର ମନ ଭିତରର ବୌଦ୍ଧିକତା, ଭାବପ୍ରବଣତା, ଗଠନମୂଳକ ଚିନ୍ତାଧାରା, ଯୌନ ମନୋଭାବ, ଦୁଶ୍ଚିନ୍ତା, ଉଚ୍ଚଆଶା ଇତ୍ୟାଦିର ପରିପ୍ରକାଶ ମାତ୍ର ।

Image

 

ମାନସିକ ପ୍ରବର୍ତ୍ତନା

 

ମଣିଷ ଓ ପଶୁ ପକ୍ଷୀଙ୍କର ସମସ୍ତପ୍ରକାର କାର୍ଯ୍ୟ ମାନସିକ ପ୍ରବର୍ତ୍ତନାଦ୍ୱାରା ପରିଚାଳିତ ହୁଏ । ସବୁ ସମୟରେ ବ୍ୟକ୍ତିର ଚାଲି ଚଳନ, ବ୍ୟବହାର, କୌଣସି ଏକ ବହିଃଶକ୍ତିଦ୍ୱାରା ନିୟନ୍ତ୍ରିତ ନ ହୋଇ ଅନେକ ସମୟରେ ଆତ୍ମଶକ୍ତିଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଏହିପରି ଆତ୍ମପରିଚାଳିତ ମନୋଭାବକୁ ପ୍ରେରଣା ବା ପ୍ରବର୍ତ୍ତନା କୁହାଯାଇଥାଏ । ଆଜିକାଲି ମନସ୍ତତ୍ତ୍ୱବିତ୍‌ମାନେ ଗବେଷଣାକରି ଦେଖିଲେଣି ଯେ ଶିଶୁମାନଙ୍କ ନିକଟରେ ଆତ୍ମପରିଚାଳିତ ମନୋଭାବ ବା ପ୍ରବର୍ତ୍ତନା ଖୁବ୍‌ କମ୍‌ ପରିମାଣରେ ଥାଏ । କ୍ରମେ ବୟସର ବୃଦ୍ଧି ହେବା ସଙ୍ଗେ ସଙ୍ଗେ ପ୍ରବର୍ତ୍ତନାଶକ୍ତି ମଧ୍ୟ ବୃଦ୍ଧିପ୍ରାପ୍ତ ହୁଏ । ଏ କଥା ଅବଶ୍ୟ ସତ୍ୟ ଯେ ଶିଶୁ ଅବସ୍ଥାରୁ ହିଁ ପ୍ରବର୍ତ୍ତନା ଶିକ୍ଷା କରାଯାଇଥାଏ କାରଣ ଶିଶୁ ଜନ୍ମ ହେବା ପରେ ପରେ ତା’ର ନିଜର ଖାଇବା, ପିଇବା ଓ ସୁଖ ଶାନ୍ତିରେ ରହିବା କଥା ନିଜେ ଜାଣି ନ ଥାଏ । ବାପ, ମାଆ, ଭାଇ, ବନ୍ଧୁ, କୁଟୁମ୍ବ ଓ ସମାଜର ଅନ୍ୟମାନଙ୍କଠାରୁ ସେ ନିଜର ଆବଶ୍ୟକତା ସମ୍ବନ୍ଧରେ ଶିକ୍ଷାଲାଭ କରେ । ପଶୁପକ୍ଷୀଙ୍କ କଥା ମଧ୍ୟ ଠିକ୍‌ ସେହିପରି । ବିରାଡ଼ି, କୁକୁର, ବାଘ, ସିଂହ ଆଦି ପଶୁ ଛୁଆମାନେ ବାପମାଆଙ୍କଠାରୁ ଶିକ୍ଷାଲାଭ କରିବାପରେ ଗଛ ଚଢ଼ିବା, ଧାଇଁବା, ନଖ ମାରିବା, ଖାଇବା ଆଦି ବିଭିନ୍ନ ପ୍ରକାର ପଶୁ ପ୍ରକୃତି ବଢ଼ାଇ ଥାଆନ୍ତି । ସେହିପରି ଚଢ଼େଇ ଛୁଆଟିଏ ଡିମ୍ବ ଭିତରୁ ବାହାରକୁ ଆସିବା ପରେ ବାପମାଆଙ୍କ ସାହାଯ୍ୟରେ ଉଡ଼ି ବୁଲିବା, ଖାଦ୍ୟ ସଂଗ୍ରହ କରିବା, ଖାଇବା ଆଦି ଶିଖିଥାଏ । ତେଣୁ ପ୍ରବର୍ତ୍ତନା ମଣିଷ ଓ ପଶୁପକ୍ଷୀଙ୍କ ନିକଟରେ ଥିବା କଥା ଏବଂ ତାହା ପିଲାଟି ବେଳୁ କାର୍ଯ୍ୟକାରୀ ହେଉଥିବା କଥା ପରିଲକ୍ଷିତ ହୁଏ ।

ଏହି ପ୍ରକାର ପ୍ରବର୍ତ୍ତନା ମଣିଷକୁ ଚଳନଶକ୍ତି ଯୋଗାଇଥାଏ । ଯଦିଓ ସମସ୍ତଙ୍କର ଚଳନଶକ୍ତି ଅଛି ତଥାପି ସମାଜରେ ଏକ ପ୍ରକାର ଲୋକ ଅଛନ୍ତି ଯାହାଙ୍କର ନିଜର ପ୍ରବର୍ତ୍ତନାଶକ୍ତି ନ ଥାଏ । ଅନ୍ୟର ପ୍ରବର୍ତ୍ତନା ଉପରେ ସେମାନଙ୍କର ଚଳନଶକ୍ତି ନିର୍ଭର କରେ । ସେମାନଙ୍କୁ ‘‘ପରବୋଲା’’ କୁହାଯାଏ । ପ୍ରାଣୀଜଗତରେ ଅସରପା ଜାତୀୟ ଜୀବ ଦେଖାଯାଆନ୍ତି ଯେଉଁମାନେ କି ଆଲୋକ ଦେଖିଲେ ଦୂରକୁ ଚାଲିଯାଆନ୍ତି । ସେହିପରି କୀଟ, ପତଙ୍ଗଆଦି ଆଲୁଅ ଦେଖିଲେ ତା’ର ନିକଟରୁ ନିକଟତର ହୁଅନ୍ତି । ଏପରି ବ୍ୟବହାରକୁ ଦେଖିଲେ ସେମାନଙ୍କର ଇଚ୍ଛା ଥିବା କଥା କେହି କେବେ କହିବ ନାହିଁ । କଣ୍ଢେଇ ନାଚକୁ ଦେଖିଲେ ମନେହୁଏ ସତେ ଯେପରି କଣ୍ଢେଇମାନେ ନିଜ ଇଚ୍ଛାରେ ଚଲାବୁଲା କରୁଛନ୍ତି ବା ଖେଳୁଛନ୍ତି । ମାତ୍ର ବାସ୍ତବିକ୍‌ ସେମାନଙ୍କର ନିଜର ଇଚ୍ଛା ନ ଥାଏ । ଏହିପରି କେତେକ ନିର୍ଜୀବ ଓ ସଜୀବଙ୍କୁ ଦେଖିଲେ ଜଣାଯାଏ ଯେ, ଏମାନଙ୍କର ଇଚ୍ଛା ନ ଥାଇ ମଧ୍ୟ ଏମାନଙ୍କ ଦେହରେ ଚଳନଶକ୍ତି ଥାଏ । କିନ୍ତୁ ସମସ୍ତ ସଜୀବ ପ୍ରାଣୀ କଣ୍ଢେଇ ପରି କାର୍ଯ୍ୟ କରନ୍ତି ନାହିଁ । ସେମାନଙ୍କର ସ୍ୱନିୟନ୍ତ୍ରିତ ଇଚ୍ଛା ଓ ଚଳନଶକ୍ତି ଅଛି । ତାହାର ଫଳରେ ମଣିଷ, ପଶୁ, ପକ୍ଷୀ ଭିତରେ ସ୍ୱାତନ୍ତ୍ର୍ୟ ରହି ଆସିଛି ।

ପ୍ରବର୍ତ୍ତନା ସମ୍ବନ୍ଧରେ ପରୀକ୍ଷା

ସଜୀବ ପ୍ରାଣୀମାନଙ୍କ ଭିତରେ ମାନସିକ ପ୍ରବର୍ତ୍ତନା କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ଜାଣିବା ପାଇଁ ବିଭିନ୍ନ ପ୍ରକାରର ପରୀକ୍ଷା କରାଯାଇଅଛି । ସେଥିମଧ୍ୟରୁ କେତୋଟି ଏଠାରେ ଦିଆଯାଉଅଛି ।

ଘୂର୍ଣ୍ଣାୟମାନ ଚକି (Revolving Drum) ସାହାଯ୍ୟରେ ଏକ ପ୍ରକାର ପରୀକ୍ଷା କରାଯାଏ । ଗୋଟିଏ ମୂଷାକୁ ଉକ୍ତ ଚକି ଭିତରେ ରଖିଦିଆଯାଏ । ଚକିଟିର ଘୂରିବା କାର୍ଯ୍ୟକୁ ଯାନ୍ତ୍ରିକ ଉପାୟରେ ଲେଖି ରଖାଯାଏ । ମୂଷାଟି ଯେ କୌଣସି ଦିଗରେ ଘୂରିଲେ ମଧ୍ୟ ଚକିଟି ଘୂରେ ଏବଂ କୌଣସି ଉପାୟରେ ହେଲେ ମୂଷା ବାହାରକୁ ଯାଇପାରେନାହିଁ । ଏହି ପ୍ରଣାଳୀରେ ଗୋଟିଏ ଭୋକିଲା ମୂଷା ଦିନକୁ ପ୍ରାୟ ୧୫ ମାଇଲ ବା ତାହାଠାରୁ ଅଧିକ ଦୌଡ଼ିପାରେ । ସେହିପରି ପାଣି ନ ପିଇ ତଣ୍ଟି ଶୁଖିଯାଉଥିବା ମୂଷା ବା ମାଇ ମୂଷାର ସଂସ୍ପର୍ଶରେ ନ ଆସି ସେଥିପାଇଁ ଖୁବ୍‌ ଉତ୍‌କଣ୍ଠିତ ହୋଇଥିବା ପୁରୁଷ ମୂଷା ଚକି ଭିତରେ ଅଧିକ ଦୌଡ଼ିଥାଏ । କିନ୍ତୁ ଖାଦ୍ୟ ଖାଇଥିବା ବା ପାଣି ପିଇଥିବା ମୂଷାକୁ ତାହା ଭିତରେ ଛାଡ଼ିଲେ ସେ ଆଦୌ ଦୌଡ଼େ ନାହିଁ-

ଆଉ ଏକପ୍ରକାର ପରୀକ୍ଷା ଅଛି ଯାହାର ନାମ ପ୍ରତିବନ୍ଧକ ପ୍ରଣାଳୀ (Obstruction Method) ଏଠାରେ ଦୁଇଟି ବାକ୍‌ସ ବ୍ୟବହୃତ ହୁଏ ଏବଂ ପ୍ରତ୍ୟେକର ଲମ୍ବ, ଓସାର ଓ ଉଚ୍ଚତା ୧୦ ଇଞ୍ଚ ଲେଖାଏଁ ହୋଇଥାଏ । ଦୁଇଟି ଯାକ ବାକ୍‌ସକୁ ସଂଯୋଗ ପାଇଁ ୧୦ ଇଞ୍ଚ ଲମ୍ବ, ୪ ଇଞ୍ଚ ଚଉଡ଼ା, ଏବଂ ୪ ଇଞ୍ଚ ଉଚ୍ଚତାରେ ଏକ ତା’ର ଜାଲିର ରାସ୍ତା ଥାଏ ଯାହା ଭିତର ଦେଇ ଗୋଟିଏ ମୂଷା ଏକ ବାକ୍‌ସରୁ ଅନ୍ୟ ବାକ୍‌ସକୁ ଯାଇପାରେ । ସଂଯୋଜକ ଦେହରେ ତମ୍ବାତାର ଗୁଡ଼ାଇ ଖୁବ୍‌ କମ୍‌ଶକ୍ତିର ବିଜୁଳି ଶକ୍ତି ପ୍ରବାହିତ କରାଯାଏ । ପ୍ରଥମ ବାକ୍‌ସ ଭିତରେ ମୂଷା ରହେ ଏବଂ ଦ୍ୱିତୀୟ ବାକ୍‌ସ ଭିତରେ ଖାଦ୍ୟ ବା ପାଣି ରହେ ଯାହାକୁ କି ମୂଷା ଦେଖିପାରେ ଏବଂ ଗନ୍ଧ, ମଧ୍ୟ ପାଇପାରେ । ଗୋଟିଏ ଖୁବ୍‌ ଭୋକିଲା ବା ଶୋଷ ହେଉଥିବା ମୂଷାକୁ ପ୍ରଥମ ବାକ୍‌ସରେ ରଖିଲେ ତାହା ବିଜୁଳି ଶକ୍ତି ପରି ପ୍ରତିବନ୍ଧକକୁ ଖାତିର ନ କରି ଅନ୍ୟ ବାକ୍‌ସକୁ ଚାଲିଯାଏ । କିନ୍ତୁ ଯଦି କମ୍‍ ଭୋକ ବା ଶୋଷ ହେଉଥାଏ କିମ୍ବା ମୋଟେ ଭୋକ, ଶୋଷ ହେଉ ନ ଥାଏ, ତେବେ ସେ କ୍ଷେତ୍ରରେ ମୂଷାଟି ବିଜୁଳି ଶକ୍ତିକୁ ଭୟ କରି ଅନ୍ୟ ବାକ୍‌ସକୁ ଯାଏ ନାହିଁ । ସେହିପରି ମୂଷା ମନରେ ଯଦି ଯୌନମିଳନର ପ୍ରବଳ ଆକାଙ୍‌କ୍ଷା ଥାଏ ତେବେ ବିଜୁଳି ଶକ୍ତିକୁ ଭୟ ନ କରି ପୁରୁଷ ମୂଷା ସ୍ତ୍ରୀ ମୂଷା ପାଖକୁ ବା ସ୍ତ୍ରୀ ମୂଷା ପୁରୁଷ ମୂଷା ପାଖକୁ ଚାଲିଯାଏ-

ଏହି ସବୁ ପରୀକ୍ଷାରୁ ଜଣାଯାଏ ଯେ, ମୂଷାର ମାନସିକ ପ୍ରବର୍ତ୍ତନା ତା ଦେହରେ ଚଳନଶକ୍ତି ଯୋଗାଏ । ମୂଷା ପରି ଅନ୍ୟାନ୍ୟ ପ୍ରାଣୀମାନଙ୍କର ମଧ୍ୟ ମାନସିକ ପ୍ରବର୍ତ୍ତନା ଅଛି ।

ମାନସିକ ପ୍ରବର୍ତ୍ତନାର ଅଙ୍ଗ

ମାନସିକ ପ୍ରବର୍ତ୍ତନା କିପରି ଭାବରେ କାର୍ଯ୍ୟକାରୀ ହେଉଛି ବୁଝିବାକୁ ହେଲେ ଏହାର ବିଭିନ୍ନ ଅଙ୍ଗ ପ୍ରତି ଲକ୍ଷ୍ୟ କରାଯିବା ଉଚିତ୍‌ । ପ୍ରାଧାନତଃ ଏହାର ଚାରୋଟି ଅଙ୍ଗ ଅଛି । ସେଗୁଡ଼ିକୁ ହେଲା ଆବଶ୍ୟକତା (Need), ପ୍ରଣୋଦନା (Drive), ପ୍ରୋତ୍ସାହକ, (Incentive) ଏବଂ ଚରମ ଲକ୍ଷ୍ୟ (Goal) ।

ଆବଶ୍ୟକତା ଭିତରେ ବ୍ୟକ୍ତିର ଶାରୀରିକ ଓ ମାନସିକ ଆବଶ୍ୟକତା ଅନ୍ତର୍ଭୁକ୍ତ । ମାନସିକ ଅଭିପ୍ରାୟର ପ୍ରଥମ ସୋପାନ ରୂପେ ଆବଶ୍ୟକତା କାମ କରିଥାଏ । କାରଣ ବ୍ୟକ୍ତିର କୌଣସି ଆବଶ୍ୟକତା ନ ଥିଲେ ମାନସିକ ଅଭିପ୍ରାୟ ସ୍ଥାନ ପାଏ ନାହିଁ । ଉଦାହରଣ ସ୍ୱରୂପ ଭୋକ ହେଲେ ଖାଦ୍ୟ ଦରକାର ହୁଏ ଏବଂ ଶୋଷ ହେଲେ ପାନୀୟ ଦରକାର ହୁଏ । ତେଣୁ ଭୋକ, ଶୋଷ ବା ସାମାଜିକ ଅଭିଜ୍ଞାନ (Social Recognition) ଆବଶ୍ୟକତାର ଏକ ଏକ ନିଦର୍ଶନ ।

ବ୍ୟକ୍ତିର ସମସ୍ତ ପ୍ରକାର ଆବଶ୍ୟକତା ପୂରଣ ହେବା ଦରକାର ନଚେତ ଅନେକ ସମୟରେ ସେ ଅସୁସ୍ଥି ଅନୁଭବ କରିବ ଏବଂ ପାଗଳ ହୋଇଯିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ଅଛି-। ଆବଶ୍ୟକତା ପୂରଣ କରିବା ପାଇଁ ବ୍ୟକ୍ତିର ମନ ଭିତରେ ଏକପ୍ରକାର ଚଳନ ଶକ୍ତି ଦେଖାଯାଏ । ତାକୁ ପ୍ରଣୋଦନା (Drive) କୁହାଯାଏ । ପ୍ରଣୋଦନା ବ୍ୟକ୍ତିକୁ ତା’ର ଆବଶ୍ୟକତା ପୂରଣ ହେବା ସ୍ଥଳରେ (Goal) ପହଞ୍ଚାଏ । ତେଣୁ ପ୍ରତ୍ୟେକ ଆବଶ୍ୟକତାର ନିଶ୍ଚୟ ଚରମ ଲକ୍ଷ୍ୟ ଅଛି । ଉଦାହରଣସ୍ୱରୂପ ଭୋକ ହେଲେ ଦରକାର ହେଉଥିବା ଖାଦ୍ୟ ଭିତରେ ଭାତ, ରୁଟି, ମାଂସ ଆଦି ପୃଥକ ପୃଥକ ଖାଦ୍ୟ ଥାଇପାରେ । ସେହିପରି ଶୋଷ ହେଲେ କେହି କେହି ପାଣି ପିଇ ପାରନ୍ତି । କେହି କେହି ସରବତ, ତୋରାଣି ବା ଫଳରସ ପିଇ ପାରନ୍ତି । ମଣିଷ ଯେତେବେଳେ ନିର୍ଜନତା ଅନୁଭବ କରେ ସେ ବନ୍ଧୁ ଖୋଜେ । ତେଣୁ ଖାଦ୍ୟ ଖାଇବା, ପାଣି ପିଇବା, ବା ବନ୍ଧୁ ଲାଭ କରିବା ଏକ ଏକ ଚରମ ଲକ୍ଷ୍ୟ । ଯେଉଁ ବ୍ୟକ୍ତି ବା ବସ୍ତୁ ଦ୍ୱାରା ମଣିଷର ଚରମ ଲକ୍ଷ୍ୟ ସାଧିତ ହୁଏ ତାହା ହୁଏ ପ୍ରୋତ୍ସାହକ (Incentive) । ଉପରୋକ୍ତ ଖାଦ୍ୟ, ପାନୀୟ ଓ ବନ୍ଧୁତ୍ୱ ଏକ ଏକ ପ୍ରୋତ୍ସାହକର ଅନ୍ତର୍ଭୁକ୍ତ ।

ଆବଶ୍ୟକତାର ବିଭାଗ

ବ୍ୟକ୍ତିର ଆବଶ୍ୟକତାକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଅଛି । ସେ ଦୁଇଟି ହେଲା ପ୍ରାଥମିକ ଆବଶ୍ୟକତା (Primary Needs) ଓ ସାମାଜିକ ଆବଶ୍ୟକତା (Social Needs)

(୧) ପ୍ରାଥମିକ ଆବଶ୍ୟକତା

ପ୍ରାଥମିକ ଆବଶ୍ୟକତାକୁ କେହି କେହି ଶାରୀରିକ ଆବଶ୍ୟକତା ମଧ୍ୟ କହି ଥାଅନ୍ତି । କାରଣ ପ୍ରାଥମିକ ଆବଶ୍ୟକତା ଅନ୍ତର୍ଭୁକ୍ତ ବସ୍ତୁ ଶରୀରର ଗଠନ ଓ ବର୍ଦ୍ଧନପାଇଁ ମଧ୍ୟ ଦରକାର ହୁଏ । ଆବଶ୍ୟକୀୟ ବସ୍ତୁମାନଙ୍କ ଭିତରେ ଖାଦ୍ୟ, ପାନୀୟ, ବାୟୁ, ଶ୍ରମ ଓ ବିଶ୍ରାମ, ଯୌନମିଳନ ଆଦି ଅନ୍ତର୍ଭୁକ୍ତ । ଏ ପ୍ରକାର ଶାରୀରିକ ଚାହିଦା କେବଳ ଏକ ପୁରୁଷ (Generation) ପାଇଁ ଦରକାର ନ ହୋଇ ସମସ୍ତ ପୁରୁଷ ପାଇଁ ଦରକାର ହୁଏ । ଅର୍ଥାତ୍‍ ତାହା ମୋ ପାଇଁ ଯେତିକି ଦରକାର ମୋର ବାପ ମାଆ, ଜେଜେ ବାପ, ଜେଜେ ମାଆ ଏବଂ ପୁଅ, ଝିଅ, ନାତି ନାତୁଣୀଙ୍କ ପାଇଁ ମଧ୍ୟ ସେହିପରି ଦରକାର ହୁଏ ।

(କ) ଖାଦ୍ୟ

ପ୍ରାଥମିକ ଚାହିଦାମାନଙ୍କ ଭିତରୁ ଗୋଟିଏ ହେଲା ଖାଦ୍ୟ । ଖାଦ୍ୟ ନ ଖାଇଲେ କୌଣସି ପ୍ରାଣୀ ବଞ୍ଚିପାରିବ ନାହିଁ । ବେଳେବେଳେ ପ୍ରଶ୍ନଉଠେ ମଣିଷ ଖାଦ୍ୟ ନ ଖାଇ ବଞ୍ଚୁଛି କିପରି ? ବିଭିନ୍ନ କାରଣ ନେଇ ମହାତ୍ମା ଗାନ୍ଧୀ, ସନ୍ଥ ଫତେ ସିଂହ, ଜଗଦ୍‌ଗୁରୁ ଶଙ୍କରଚାର୍ଯ୍ୟ ଅନଶନ କରି ଦୀର୍ଘ ଦିନ ଧରି ଖାଦ୍ୟ ନ ଖାଇ ରହି ପାରିଲେ, ଏହିପରି କେତେକ ବ୍ୟକ୍ତିବିଶେଷଙ୍କ କଥା ସ୍ୱତନ୍ତ୍ର କିନ୍ତୁ ସାଧାରଣ ଦୃଷ୍ଟିକୋଣରୁ ଲକ୍ଷ୍ୟ କଲେ ଜଣାଯାଏ ଯେ ଖାଦ୍ୟ ବିନା ମଣିଷ ଜୀବନ ଧାରଣ କରି ପାରିବ ନାହିଁ । ଅବଶ୍ୟ ଖାଦ୍ୟର ପ୍ରକାରଭେଦ କଥା ସ୍ୱୀକାର କରାଯାଇପାରେ ଅର୍ଥାତ୍‌ ଉତ୍ତରଭାରତର ଲୋକେ ଯେପରି ଖାଦ୍ୟ ଖାଆନ୍ତି ଦକ୍ଷିଣ ଭାରତର ଲୋକେ ସେପରି ଖାଦ୍ୟ ଖାଆନ୍ତି ନାହିଁ । ସେହିପରି ଇଂଲଣ୍ଡ, ଆମେରିକାର ଲୋକମାନେ ଯେପରି ଖାଦ୍ୟ ଖାଆନ୍ତି ଚୀନ, ଜାପାନ ବା ଭାରତର ଲୋକମାନେ ସେପରି ଖାଦ୍ୟ ଖାଆନ୍ତି ନାହିଁ-

ପୂର୍ଣ୍ଣାଙ୍ଗ ଓ ସୁସ୍ଥ ଶରୀର ଗଠନ ପାଇଁ ମଣିଷ ଖାଦ୍ୟ ସହିତ ପ୍ରୋଟିନ୍‌, ଭିଟାମିନ, ଫ୍ୟାଟ୍‌ସ, କାରବୋହାଇଡ୍ରେଟ୍‌ସ ଏବଂ ଲୌହ ଓ ଲବଣ ଜାତୀୟ କେତେକ ଖାଦ୍ୟ ଦରକାର କରେ । ଏହାଦ୍ୱାରା ଶରୀରର ଗଠନ ପରିପୂର୍ଣ୍ଣ ହେବା ସଙ୍ଗେ ସଙ୍ଗେ ଶକ୍ତି ସଞ୍ଚାଳିତ ହୁଏ । ଥରେ ଖାଦ୍ୟ ଖାଇବା ପରେ ଯଦି ସେହି ଖାଦ୍ୟ ନିଖୁଣ ଅବସ୍ଥାରେ ଦେହ ଭିତରେ ରହୁଥାଆନ୍ତା ତା ହେଲେ ମଣିଷ ବାରମ୍ବାର ଖାଇବାକୁ ଇଚ୍ଛା ପ୍ରକାଶ କରନ୍ତା ନାହିଁ । କିନ୍ତୁ ଖାଇଥିବା ଖାଦ୍ୟ କେତେ ଘଣ୍ଟା ପରେ ଜୀର୍ଣ୍ଣ ହୋଇଯାଏ । ଅବଶ୍ୟ ଖାଦ୍ୟର ପ୍ରକାର ଭେଦ ଓ ମଣିଷର ବୟସର ତାରତମ୍ୟ ତାହା ଜୀର୍ଣ୍ଣ ହେବାରେ ବ୍ୟତିକ୍ରମ ଦେଖାଯାଏ । ତେବେ ଯେ କୌଣସି ଖାଦ୍ୟ ହେଉନା କାହିଁକି ତାହା କେତେ ଘଣ୍ଟା ପରେ ନିଶ୍ଚୟ ଜୀର୍ଣ୍ଣ ହୋଇଯାଏ । ଖାଦ୍ୟରେ ଥିବା ଦରକାରୀ ପଦାର୍ଥ ରକ୍ତ ହୋଇ ଦେହରେ ମିଶିଯାଏ ଏବଂ ଅଦରକାରୀ ପଦାର୍ଥ ମଳ, ମୂତ୍ର ଓ ଝାଳ ଆକାରରେ ଦେହ ଭିତରୁ ବାହାରକୁ ଚାଲି ଆସେ । ତେଣୁ ଖାଦ୍ୟ ଗ୍ରହଣ କରିବା ଏବଂ ମଳ ମୂତ୍ର ତ୍ୟାଗ କରିବା ଆଦି ତା’ର ଆନୁସଙ୍ଗୀକ କର୍ମ ପ୍ରାଥମିକ ଚାହିଦାର ଅନ୍ତର୍ଭୁକ୍ତ । ସମୟେ ସମୟେ ଶରୀର ଅସୁସ୍ଥ ହେଲେ ମଣିଷ ଖାଇବାକୁ ଇଚ୍ଛା ପ୍ରକାଶ କରେ ନାହିଁ । କିନ୍ତୁ ଅନ୍ୟାନ୍ୟ ସମୟରେ ସେ ବଂଶପରମ୍ପରାକ୍ରମେ ଖାଦ୍ୟ ଖାଇ ଆସୁଥାଏ ।

(ଖ) ପାନୀୟ

ଖାଦ୍ୟପରି ପାନୀୟ ମଧ୍ୟ ମଣିଷର ଏକ ଅପରିହାର୍ଯ୍ୟ ପଦାର୍ଥ । ଯେତେବେଳେ ଆମକୁ ଶୋଷ ହୁଏ ସେତେବେଳେ ଓଠ ଶୁଖିଯାଏ, ତଣ୍ଟି ଅଠା ଅଠା ହୋଇଯାଏ । ଆମେ ସେତେବେଳେ ପିଇବାପାଇଁ କିଛି ପାନୀୟ ଦରକାର କରୁ । ସାଧାରଣତଃ ପାଣିକୁ ଲୋକମାନେ ପାନୀୟ ରୂପେ ବ୍ୟବହାର କରନ୍ତି । ତା ବ୍ୟତୀତ ଫଳରସ, ମଦ ଏବଂ ଚିନି, ମିଶ୍ରି କିମ୍ବା ଫଳରସ ମିଶ୍ରିତ ସରବତକୁ ଲୋକମାନେ ପାନୀୟରୂପେ ବ୍ୟବହାର କରନ୍ତି । ପାଣି ପିଇବାଦ୍ୱାରା ଆମ ଦେହରେ ଜଳୀୟ ଅଂଶ ପ୍ରବେଶ କରେ । ତାହା ଦେହକୁ ଥଣ୍ଡା ରଖିବା ସଙ୍ଗେ ସଙ୍ଗେ ଜଳରେ ଥିବା ଲବଣ ଜାତୀୟ ପଦାର୍ଥ, ଭିଟାମିନ, ବିଭିନ୍ନ ବାଷ୍ପ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ ଏବଂ ଅନ୍ୟାନ୍ୟ ଦରକାରୀ ପଦାର୍ଥ ରକ୍ତରେ ଯାଇ ମିଶିଯାଏ । ଅଦରକାରୀ ଜଳୀୟ ଅଂଶଗୁଡ଼ିକ ଝାଳ ଓ ମୂତ୍ର ଆକାରରେ ଦେହ ଭିତରୁ ବାହାରକୁ ଚାଲିଯାଏ । ତେଣୁ ପାଣି ପିଇବା ଯେପରି ମଣିଷର ଏକ ପ୍ରାଥମିକ ଚାହିଦା ଅଦରକାରୀ ଜଳୀୟ ଅଂଶକୁ ବାହାରକୁ ବାହାର କରିବା ମଧ୍ୟ ସେହିପରି ଏକ ପ୍ରାଥମିକ ଚାହିଦାର ଅନ୍ତର୍ଭୁକ୍ତ ।

(ଗ) ପବନ—

ଖାଦ୍ୟ ଓ ପାନୀୟ ଅପେକ୍ଷା ପବନର ଚାହିଦା ସବୁଠାରୁ ବେଶୀ । କାରଣ ନିଶ୍ୱାସ, ପ୍ରଶ୍ୱାସରେ ପବନ ଯଦି ଦେହଭିତରକୁ ଯିବାଆସିବା କରୁ ନ ଥାନ୍ତା ତାହେଲେ ମଣିଷ ଖୁବ୍‌ କମ୍‌ ସମୟ ବଞ୍ଚିରହନ୍ତା । ଅବଶ୍ୟ ଯୋଗ, ପ୍ରାଣାୟାମ କରି ମଣିଷ ଅଭ୍ୟାସ ବଳରେ କେତେ ଘଣ୍ଟାପାଇଁ ନିଶ୍ୱାସ ପ୍ରଶ୍ୱାସରେ ପବନ ବ୍ୟବହାର ନ କରି ରହିପାରେ । କିନ୍ତୁ ତାହା ମଣିଷର ଏକ ସାଧାରଣ ଧର୍ମ ନୁହେଁ । ମଣିଷ ଦେହ ଭିତରକୁ ଯେଉଁ ପବନ ନିଏ ସେଥିରେ ଅମ୍ଳଜାନ, ଅଙ୍ଗାରକାମ୍ଳ ଆଦି କେତେପ୍ରକାର ମୌଳିକ ବାଷ୍ପ ମିଶି ରହିଥାଏ । ବିଭିନ୍ନପ୍ରକାର ମୌଳିକ ବାଷ୍ପ ଶରୀରର ବିଭିନ୍ନ କାମରେ ଲାଗେ । ସେଥିମଧ୍ୟରୁ ଅମ୍ଳଜାନ ଦେହ ଭିତରକୁ ଯାଇ ରକ୍ତରେ ମିଶିଯାଏ ଏବଂ ତାହା ଖାଦ୍ୟ ଜୀର୍ଣ୍ଣ କରିବା, ଶରୀରର ଉତ୍ତାପ ରକ୍ଷା କରିବାରେ ସାହାଯ୍ୟ କରେ । ପ୍ରଶ୍ୱାସରେ ଯେଉଁ ପବନ ଯାଏ ତାହା ବିଶୁଦ୍ଧ ହୋଇଥାଏ ଏବଂ ନିଶ୍ୱାସରେ ଦେହ ଭିତରର ସମସ୍ତ ଅଙ୍ଗାରକାମ୍ଳ ବାଷ୍ପ ବାହାରକୁ ବାହାରିଆସେ; ଯା ଫଳରେ ଶରୀର ସୁସ୍ଥ ରହେ ।

(ଘ) ଶ୍ରମ ଓ ବିଶ୍ରାମ

କଥାରେ କହନ୍ତି ‘ବସି ଖାଇଲେ ନଈବାଲି ସରେ’ । କାମ ନ କଲେ ଖାଇବାକୁ ମିଳେନାହିଁ । ଜଣେ ମଣିଷ ନିଶ୍ଚୟ କିଛି ନା କିଛି କାମ କଲେ ତାପାଇଁ ଖାଦ୍ୟ ସଂଗ୍ରହ କରିପାରିବ-। ସେ କାମ ଶାରୀରିକ ବା ମାନସିକ ହୋଇପାରେ । କେବଳ ଯେ ଖାଦ୍ୟ ସଂଗ୍ରହ କରିବା ପାଇଁ ଜଣେ ଲୋକ କାମ କରିବ ତା ନୁହେଁ, କାମ କରିବା ହେଉଛି ତା’ର ଏକ ସ୍ୱାଭାବିକ ପ୍ରବୃତ୍ତି । ଯଦି ସେ କିଛି କାମ ନ କରେ ତା’ର ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇଯାଏ-। ହାତ ବା ଗୋଡ଼ରେ ଯଦି ପ୍ଲାଷ୍ଟରିଂ କରାଯାଇଥାଏ; କିଛିଦିନ ପରେ ପ୍ଲାଷ୍ଟର ବାହାର କଲେ ମଧ୍ୟ ସେହି ଅଙ୍ଗ ଚଳପ୍ରଚଳ ହୋଇପାରେ ନାହିଁ । ତା’ର କାରଣ ବ୍ୟବହାର ନ ହେବା ଫଳରେ ତାହା ଏକପ୍ରକାର ଶକ୍ତି ବିହୀନ ହୋଇଯାଏ । ତେଣୁ ଏକପକ୍ଷରେ ପରିପୂର୍ଣ୍ଣ ଓ ସୁସ୍ଥଶରୀର ଗଠନ ପାଇଁ ଶ୍ରମ ନିହାତି ଦରକାର ଏବଂ ଅନ୍ୟପକ୍ଷରେ ଏକ ସୁସ୍ଥ ମଣିଷ କୌଣସିପ୍ରକାର ଶ୍ରମ ନ କରି ବସି ରହିପାରେ ନାହିଁ । ସେ ଦୃଷ୍ଟିରୁ ପରିଶ୍ରମ କରିବାର ଅଭିଳାଷ ସମସ୍ତଙ୍କର ଅଛି । ଏହା ଶିଶୁମାନଙ୍କଠାରେ ଅତ୍ୟଧିକ ପରିମାଣରେ ଦେଖାଯାଏ । କ୍ରମେ କ୍ରମେ ଶିଶୁ ବଡ଼ହେବା ସଙ୍ଗେ ସଙ୍ଗେ ତା’ର ଶ୍ରମ କରିବାର ଅଭିଳାଷ ଦୃଢ଼ ହୁଏ । ଯଦି ତାକୁ ସତ୍‌ମାର୍ଗରେ ପରିଚାଳିତ କରା ନ ଯାଏ ତା’ର ସମସ୍ତ କର୍ମ ଅସତ୍‍ ପଥଗାମୀ ହୋଇ ସେ ଏକ ଅମଣିଷ ହୋଇଯାଏ ।

କୌଣସିପ୍ରକାର କାମ କରିବା ଫଳରେ ମଣିଷର ଅଙ୍ଗପ୍ରତ୍ୟଙ୍ଗ କ୍ରମଶଃ ଅବଶ ହୋଇଯାଏ । କାରଣ ଶ୍ରମ କରିବାଦ୍ୱାରା ଶାରୀରିକ ଶକ୍ତି କ୍ଷୟ ହୁଏ । ତେଣୁ ସମସ୍ତ ଶକ୍ତି ପୁଣି ଅଙ୍ଗପ୍ରତ୍ୟଙ୍ଗକୁ ଆସିବା ପାଇଁ କିଛି ସମୟ ବିଶ୍ରାମ ଦରକାର । ଶୋଇବା ଫଳରେ ମଣିଷ ପୂର୍ଣ୍ଣ ବିଶ୍ରାମ ପାଇଥାଏ । ଶୋଇବାବେଳେ ମଣିଷ ଗାଢ଼ ନିଦରେ ଶୋଇବା ଉଚିତ; ତା ଫଳରେ ନିଦରୁ ଉଠିଲେ ସେ ଖୁବ୍‌ ସତେଜ ଓ ସୁସ୍ଥ ହୋଇପାରିବ । ଅନେକ ସମୟରେ ଦେଖାଯାଇଛି ଯେ ଗାଢ଼ ନିଦରେ ନ ଶୋଇ ପରୀକ୍ଷା ସମୟରେ ଛାତ୍ର ଛାତ୍ରୀମାନେ ଦୁର୍ବଳ ହୋଇଯାଆନ୍ତି । ଅନିଦ୍ରା ହେତୁ ମଧ୍ୟ ଲୋକମାନେ ମାନସିକ କ୍ଲାନ୍ତି ଅନୁଭବ କରନ୍ତି ।

ପରିଶ୍ରମକରି କେବଳ ଶୋଇପଡ଼ିଲେ ଯେ ବିଶ୍ରାମ ମିଳିଥାଏ ତା ନୁହେଁ । କେତେକ ଲୋକ କେବଳ ବିଜୁଳିଚାଳିତ ପଙ୍ଖାତଳେ ବସିଗଲେ ବିଶ୍ରାମ ପାଇଥାଆନ୍ତି । ଅନେକ ସମୟରେ ବିଶ୍ରାମ ଶ୍ରମ ଉପରେ ନିର୍ଭର କରେ । ଅର୍ଥାତ୍‌ ଜଣେ ଲୋକ ଯଦି ଶାରୀରିକ ଶ୍ରମ କରୁଛି, ସେ ତାପରେ ମାନସିକ ଶ୍ରମ କଲେ ତାକୁ ବିଶ୍ରାମ ମିଳିଥାଏ । କଳ କାରଖାନାରେ କାମ କରୁଥିବା ଶ୍ରମିକ ବା କୃଷିକ୍ଷେତ୍ରରେ କାମ କରୁଥିବା କୃଷକ ସନ୍ଧ୍ୟାବେଳେ କାମରୁ ଫେରି କୌଣସି ଗ୍ରନ୍ଥ, ପୁରାଣ ବା ଗଳ୍ପବହି ପଢ଼ିଲେ ଏବଂ ଶୁଣିଲେ ତା’ର ଶାରୀରିକ କ୍ଳାନ୍ତି ଲାଘବ ହୋଇଥାଏ । ଅନ୍ୟ ପକ୍ଷରେ ବୁଦ୍ଧିଜୀବୀ ଏବଂ ସ୍କୁଲ କଲେଜର ଛାତ୍ରମାନେ ମାନସିକ ଶ୍ରମ କରିସାରିବା ପରେ ଫୁଟବଲ, ଭଲି, ଟେନିସ୍‌ ଆଦି ବିଭିନ୍ନପ୍ରକାର ଖେଳ ଖେଳିବାକୁ ଭଲପାଆନ୍ତି । ତାହାଦ୍ୱାରା ସେମାନଙ୍କର ମାନସିକ ଶ୍ରମଜନିତ କ୍ଳାନ୍ତି ଦୂର ହୋଇଥାଏ । ମନସ୍ତତ୍ତ୍ୱବିତ୍‌ମାନେ ମତଦିଅନ୍ତି ଯେ, ଯଦି ସ୍କୁଲ କଲେଜର ଦୈନନ୍ଦିନ ପାଠ୍ୟ କ୍ରମରେ ପୂର୍ବାହ୍ନରେ ଇତିହାସ, ସାହିତ୍ୟ, ନଗରବିଜ୍ଞାନ ଆଦି ପଢ଼ାଯାଇ ଅପରାହ୍ନରେ ଗଣିତ, ଭୂଗୋଳ, ବିଜ୍ଞାନ ଆଦି ପଢ଼ାଯାଆନ୍ତା ତାହେଲେ ପିଲାମାନଙ୍କର ପଢ଼ାରେ ମନ ଲାଗନ୍ତା । କାରଣ ଗଣିତ, ଭୂଗୋଳ, ବିଜ୍ଞାନ ଆଦି ବିଷୟମାନଙ୍କରେ ମାନସିକ ଓ ଶାରୀରିକ ଶ୍ରମ ହୋଇଥାଏ ।

(ଙ) ଯୌନ ଲାଳସା

ଯୌନ ଲାଳସା ପ୍ରତ୍ୟେକ ପ୍ରାଣୀ ନିକଟରେ ଦେଖାଯାଏ । ସେଥିପାଇଁ ଯୌନ ମିଳନ ସେମାନଙ୍କର ଏକ ଅପରିହାର୍ଯ୍ୟ କର୍ତ୍ତବ୍ୟ ହୋଇଥାଏ । ତାହାଦ୍ୱାରା ବଂଶବୃଦ୍ଧି କରିବାର ଅଭିଳାଷ ମଧ୍ୟ ପୂରଣ ହୁଏ । ମନସ୍ତାତ୍ତ୍ୱିକ ସିଗମଣ୍ଡ ଫ୍ରଏଡଙ୍କ ମତରେ ଶିଶୁ ଜନ୍ମଲାଭ କରିବା ପରେ ପରେ ମନ ଭିତରେ ମିଳନର ଆଶା ପୋଷଣ କରିଥାଏ । ସେଥିପାଇଁ ଗୋଟିଏ ବାଳକ ମାଆ, ଭଉଣୀ ଖୁଡ଼ିଙ୍କ ନିକଟରେ ଅଧିକ ସମୟ କଟାଇବାକୁ ଇଚ୍ଛା କରିଥାଏ ଏବଂ ଗୋଟିଏ ବାଳିକା ବାପା, ଭାଇ, କକା ଆଦିଙ୍କ ପାଖରେ ବେଶୀସମୟ ରହିଥାଏ । ଗ୍ରୀକ୍‌ ପୁରାଣରେ ବର୍ଣ୍ଣିତ ଓଡ଼ିପସ୍‌ ଚରିତ୍ରକୁ ଅବତାରଣା କରି ବାଳକମାନଙ୍କର ଏଭଳି ମନୋଭାବକୁ ଓଡ଼ିପସ୍‌ କମ୍ପ୍ଲେକ୍‌ସ (Oedipus Complex) ବୋଲି ସେ କହିଛନ୍ତି । କେବଳ ଶିଶୁଅବସ୍ଥାରେ ନୁହେଁ, କିଶୋର ଓ ଯୌବନ ଅବସ୍ଥାରେ ମଧ୍ୟ ଯୌନ ଲାଳସା ମନୁଷ୍ୟ ଓ ପଶୁପକ୍ଷୀଙ୍କ ମଧ୍ୟରେ ଦେଖାଯାଇଥାଏ । ବାଳକ ବାଳିକାମାନେ ସ୍କୁଲ, କଲେଜରେ ପଢ଼ିବାବେଳେ ବାଳକମାନେ ବାଳିକାସାଙ୍ଗ ଓ ବାଳିକାମାନେ ବାଳକ ସାଙ୍ଗମାନଙ୍କ ସହିତ ଖେଳିବା, ଗପ କରିବାକୁ ଖୁବ୍‌ ଭଲପାଆନ୍ତି । ଏହାଦ୍ୱାରା ସେମାନେ ମାନସିକ ତୃପ୍ତି ଲାଭ କରନ୍ତି । କିନ୍ତୁ କେତେକ ଜାଗାରେ ବାଳକ ବାଳିକାମାନଙ୍କର ଏପରି ମିଳାମିଶାକୁ ସମାଜ ବାରଣ କରିଥାଏ-। ତେଣୁ କେବଳ ସମଲିଙ୍ଗୀ ପିଲାଙ୍କ ଭିତରେ ଖେଳାବୁଲା ଓ ଖୁସିଗପ ହୁଏ । ଅବଶ୍ୟ ସ୍ଥଳ ବିଶେଷରେ କେହି ବାଳକ ବାଳିକା ସାମାଜିକ ନିୟମ ଲଙ୍ଘନକରି କିମ୍ବା ସମାଜଠାରୁ ଦୂରରେ ରହି ପରସ୍ପର ସହିତ ମିଳାମିଶା କରିଥାଆନ୍ତି ।

ବୟସ ହୋଇଗଲେ ଅର୍ଥାତ୍‌ ବାଳକ ବାଳିକାମାନଙ୍କୁ ୧୫ ।୧୬ ବର୍ଷ ବା ତହିଁରୁ ଅଧିକ ହେଲେ ସେମାନଙ୍କୁ ବିବାହ କରିବାର ସୁବିଧା ଦିଆଯାଏ ଏବଂ ମିଳନପାଇଁ ଥିବା କଟକଣା ଉଠିଯାଏ । ବିବାହ ପରେ ଶାରୀରିକ ଓ ମାନସିକ ମିଳନର ପରିପୂର୍ଣ୍ଣତା ଆସେ ଓ ଯୌନ ଲାଳସା ତୃପ୍ତିଲାଭ କରେ ।

(ଚ) ବାତ୍ସଲ୍ୟ

ପ୍ରସବ କରିବାର ସମୟ ଆସିଗଲେ ପଶୁ, ପକ୍ଷୀ ଓ ମଣିଷ ଆଦି ସ୍ତନ୍ୟପାୟୀ ଜାତୀର ସ୍ତ୍ରୀମାନଙ୍କ ବ୍ୟବହାରରେ ଏକ ପରିବର୍ତ୍ତନ ଦେଖାଦିଏ । ପଶୁ, ପକ୍ଷୀମାନେ ବସା ନିର୍ମାଣ କରିବାରେ ବ୍ୟସ୍ତ ରହନ୍ତି । ଛୁଆମାନଙ୍କୁ ବସା ଭିତରେ ଖୁବ୍‌ ଯତ୍ନରେ ରଖି ସେମାନଙ୍କୁ ଲାଳନ ପାଳନ କରିବାର ଆଗ୍ରହ ପ୍ରକାଶ କରନ୍ତି । ପରୀକ୍ଷାକରି ଦେଖାଯାଇଛି ଯେ, ଏକ ମୂଷା ଦେହରେ ପ୍ରୋଲାକ୍ଟିନ୍‌ (Prolactin) ନାମକ ଏକପ୍ରକାର ହରମୋନର ଆବିର୍ଭାବ ହେଲେ ସେମାନଙ୍କ ମନରେ ବାତ୍ସଲ୍ୟ ଜାତ ହୁଏ । ଏପରିକି ଉକ୍ତ ହରମୋନର ଆବିର୍ଭାବ ଫଳରେ ପୁରୁଷ ସଂସ୍ପର୍ଶରେ ଆସି ନ ଥିବା ମୂଷା ମନରେ ମଧ୍ୟ ବାତ୍ସଲ୍ୟ ଦେଖାଯାଏ ।

ପଶୁ, ପକ୍ଷୀ, ବା ମଣିଷ ହୁଅନ୍ତୁ, ପ୍ରତ୍ୟେକ ମାଆ ମନରେ ବାତ୍ସଲ୍ୟ ଭାବ ଥାଏ । ଏପରି ମନୋଭାବକୁ କେହି କେବେ ଦେଖି ବା ଶିଖି ବଢ଼ାଏନାହିଁ । ମଣିଷ ସମାଜରେ ଶିଶୁଟିକୁ ପାଳିବାର ପ୍ରଣାଳୀ ଶିକ୍ଷା ଦିଆଯାଇପାରେ ଏବଂ ଏହା ସ୍ଥାନ ବିଶେଷରେ ଫରକ ହୋଇପାରେ । ମାତ୍ର ବାତ୍ସଲ୍ୟର ଅଭିଳାଷ ଓ ଆନନ୍ଦ କେହି କେବେ ଶିଖାଏ ନାହିଁ । ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ଭିତରେ ଶିଶୁଟିକୁ କୋଳରେ ଧରି ସ୍ତନ୍ୟପାନ କରାଇବାର ଅଭିଳାଷ ସାରା ପୃଥିବୀରେ ପରିଲକ୍ଷିତ ହୁଏ । ସେଥିପାଇଁ ବାତ୍ସଲ୍ୟ ଏକ ପ୍ରାଥମିକ ବା ଜନ୍ମଗତ ଆବଶ୍ୟକତା ବୋଲି ଗ୍ରହଣ କରାଯାଇଥାଏ ।

(୨) ସାମାଜିକ ଆବଶ୍ୟକତା

ମନ ଭିତରେ ଥିବା ଦ୍ୱିତୀୟ ପ୍ରକାର ଆବଶ୍ୟକତାକୁ ମନସ୍ତାତ୍ତ୍ୱିକମାନେ ସାମାଜିକ ଚାହିଦାର ଅନ୍ତର୍ଭୁକ୍ତ କରିଥାଆନ୍ତି । କାରଣ ବନ୍ଧୁ, କୁଟୁମ୍ବ ଓ ପରିଜନଙ୍କ ସହିତ ସମାଜରେ ଚଳିବାକୁ ହେଲେ ସେହିପରି କେତେକ ଆବଶ୍ୟକତା ମଣିଷର ଥାଏ । ମଣିଷ ଏକ ସାମାଜିକ ଜୀବ ହୋଇଥିବା ହେତୁ ଏ ପ୍ରକାର ଚାହିଦା ମଣିଷ ନିକଟରେ ଦେଖାଦିଏ । ଏହା ମଧ୍ୟ ପଶୁ ପକ୍ଷୀଙ୍କ ସମାଜରେ ଦେଖାଯାଇଥାଏ ।

(କ) ପ୍ରଭୁତ୍ୱ (Mastery Motive)

ସମାଜରେ କେତେକ ଲୋକ ଅଛନ୍ତି ଯେଉଁମାନେ କି ନିଜର ବଳ ଦେଖାଇ ପ୍ରଭୁତ୍ୱ ବିସ୍ତାର କରିବାକୁ ଚାହାନ୍ତି । ସେଥିପାଇଁ ସବଳ ଓ ଦୁର୍ବଳ ମଧ୍ୟରେ ଯୁଗ ଯୁଗ ଧରି କଳହ ଲାଗି ଆସିଅଛି । ଦୁର୍ବଳ ଉପରେ ସବଳର ପ୍ରଭୁତ୍ୱ ବିସ୍ତାର କେବଳ ମଣିଷ ସମାଜରେ ନୁହେଁ ପଶୁ ପକ୍ଷୀଙ୍କ ଭିତରେ ମଧ୍ୟ ଥାଏ । ଇତିହାସ ପଢ଼ିଲେ ଜଣାଯାଏ ଯେ, ଯେ କୌଣସି ରାଜା ବା ସମ୍ରାଟଙ୍କର ରାଜ୍ୟ ବିସ୍ତାର ମୂଳରେ ପ୍ରଭୁତ୍ୱ ବିସ୍ତାର ଏବଂ ଅନ୍ୟକୁ ନିଜ ଅଧୀନରେ ବଶ କରି ରଖିବାର ଇଚ୍ଛାଥାଏ । ଗାଁ ଗହଳି ସହର ବଜାରରେ ଦେଖା ଯାଉଥିବା ଷଣ୍ଢ ଲଢ଼େଇ, କୁକୁର ଲଢ଼େଇ ବା କୁକୁଡ଼ା ଲଢ଼େଇ ପଛରେ ଗୋଟିଏ ପକ୍ଷ ବଳୀୟାନ ହେବାର ଅଭିଳାଷ ନିହିତ ଥାଏ ଏବଂ ଅପରପକ୍ଷ ଦୁର୍ବଳ ହେଲେ ପରାଧୀନତା ସ୍ୱୀକାର କରିବାକୁ ବାଧ୍ୟ ହୁଏ ।

(ଖ) ଅନୁମୋଦନ (Social Approval)

ଅନେକ ଲୋକ ଚାହାନ୍ତି ଯେ ସେମାନଙ୍କର ସମସ୍ତ କାର୍ଯ୍ୟକଳାପକୁ ସମାଜରେ ଲୋକମାନେ ଶ୍ରେଷ୍ଠ ବୋଲି ବିବେଚନା କରନ୍ତୁ । ସେମାନଙ୍କୁ ଭଲ ଲୋକ ବୋଲି ସ୍ୱୀକାର କରନ୍ତୁ-। ଶିଶୁଟିଏ ଯେପରି ତା’ର ଭଲ କାମ ପାଇଁ ବାପମାଆ, ଶିକ୍ଷକଙ୍କଠାରୁ ଅନୁମୋଦନ ଆଶା କରେ ସେପରି ଲୋକମାନେ ସେମାନଙ୍କର ବନ୍ଧୁ, ପରିବାର ଓ ସମାଜର ଅନ୍ୟମାନଙ୍କଠାରୁ ଅନୁମୋଦନ ଆଶା କରନ୍ତି । ଅବଶ୍ୟ ଏହା ପଛରେ ସେମାନଙ୍କର ସମ୍ମାନ ଲାଭର ଆଶା ଥାଏ । ଅନୁମୋଦନ ପାଇବା ପାଇଁ କେହି କେହି ଅର୍ଥ ବ୍ୟୟ କରନ୍ତି, କେହି କେହି କୌଶଳ ବା ବଳ ଖର୍ଚ୍ଚ କରନ୍ତି, ଆଉ କେତେକ ଲୋକ ନିଜର ଅଧ୍ୟବସାୟ ବଳରେ ଅନୁମୋଦନ ଲାଭ କରିଥାଆନ୍ତି । ଅନୁମୋଦନ ଲାଭ କରିବାପାଇଁ ଶିକ୍ଷା ଓ ଅର୍ଥ ଯେପରି ଏକ ଏକ ମାଧ୍ୟମ, ରାଜନୀତି ସେହିପରି ଏକ ମାଧ୍ୟମ । ସାଧାରଣ ନାଗରିକ, ସ୍କୁଲ, କଲେଜର ଛାତ୍ର ଛାତ୍ରୀ, କଳକାରଖାନାର ଶ୍ରମିକ ଓ ମାଲିକ, ଚାଷୀ ମୂଲିଆ ଆଦି ସମାଜର ପ୍ରତ୍ୟେକ ଶ୍ରେଣୀର ବ୍ୟକ୍ତି ରାଜନୀତିରେ ଭାଗ ନେଇ ସମାଜରେ ନିଜକୁ ପ୍ରତିଷ୍ଠା କରିବାପାଇଁ ଇଚ୍ଛା କରନ୍ତି । ବଡ଼ ବଡ଼ ଚାକିରି କରି, ନିଜ ପାଖରେ କାର, ମଟର ସାଇକେଲ, ଟେଲିଫୋନ ରଖି, ଦାମିକା ପୋଷାକ ପିନ୍ଧି ଅନେକ ଲୋକ ସମାଜରେ ନିଜର ମୂଲ୍ୟ ବଢ଼ାଇବା ପାଇଁ ଯତ୍ନବାନ ହୁଅନ୍ତି ।

(ଗ) ଦଳଗତ ମନୋଭାବ

(Gregariousness) ଦଳବଦ୍ଧ ହୋଇ ରହିବାର ଇଚ୍ଛା ମଣିଷ ଓ ପଶୁପକ୍ଷୀଙ୍କ ଭିତରେ ଦେଖାଯାଏ । ଜଣେ ମଣିଷ ଯେତେବେଳେ ତା’ର ବନ୍ଧୁ ବା ପରିବାର ଭିତରେ ଥାଏ ସେତେବେଳେ ସେ ଯଥେଷ୍ଟ ଗୌରବ ଅନୁଭବ କରେ । ସେହିପରି ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ଯେତେବେଳେ ତାଙ୍କ ନିଜ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ସହିତ ପରିଭ୍ରମଣରେ ଯାଆନ୍ତି, ବାଦାନୁବାଦମୂଳକ ଖେଳ, ତର୍କସଭା ଆଦିରେ ଯୋଗଦିଅନ୍ତି ସେତେବେଳେ ସେମାନେ ଅନୁଷ୍ଠାନର ଏକ ଦଳ ହିସାବରେ ଅଧିକ ଆନନ୍ଦ ପାଇଥାଆନ୍ତି । ଅନ୍ୟ ଦୃଷ୍ଟିରୁ ଦେଖିଲେ ପ୍ରତ୍ୟେକ ବ୍ୟକ୍ତି ନିଜକୁ କୌଣସି ଦଳ, ଅନୁଷ୍ଠାନ, ରାଜ୍ୟ ବା ଦେଶର ଏକ ଅଙ୍ଗ ବୋଲି ଭାବିବାକୁ ଅଧିକ ପସନ୍ଦ କରେ । ସମାଜ, ବନ୍ଧୁ, ପରିଜନଙ୍କଠାରୁ ଦୂରେଇ ରହିଲେ ମଣିଷ ଜୀବନରେ ଖୁବ୍‌ ବଡ଼ ଅଭାବ ରହିଗଲାପରି ବୋଧହୁଏ ଏବଂ ଜୀବନ ଦୁର୍ବିସହ ହୋଇଯାଏ ।

ବୈବାହିତ ଜୀବନ ଏହିପରି ଏକ ଦଳଗତ ମନୋଭାବର ପରିପ୍ରକାଶ ମାତ୍ର । ଏହାଦ୍ୱାରା ଯେ ମଣିଷର ଏକ କାମପ୍ରବୃତ୍ତି ଚରିତାର୍ଥ ହୁଏ ତା ନୁହେଁ, ସାରା ଜୀବନପାଇଁ ସେ ଏକ ବନ୍ଧୁ ପାଇପାରେ, ନିଜର ଏକ ପରିବାର ଗଠନ କରିବାର ଅଭିଳାଷ ପୂରଣ କରେ ଏବଂ ବିବାହିତ ଦମ୍ପତ୍ତି ଭିତରେ ପରସ୍ପର ନିର୍ଭରଶୀଳତାଦ୍ୱାରା ସେ ଯଥେଷ୍ଟ ଆନନ୍ଦ ପାଇପାରେ ?

(ଘ) ନିର୍ଭରଶୀଳତା (Dependence)

ଜନ୍ମହେବାପରେ ଶିଶୁଟିଏ ତା’ର ଖାଦ୍ୟ, ପାନୀୟ ଓ ଆରାମ ପାଇବା ପାଇଁ ବାପମାଆଙ୍କ ଉପରେ ନିର୍ଭର କରେ । କିନ୍ତୁ ତା’ର ବୟସ ହେବା ସଙ୍ଗେ ସଙ୍ଗେ ସେ ବାପ ମାଆ ଓ ପରିବାରର କୌଣସି ବ୍ୟକ୍ତିଙ୍କ ପାଖରେ ଅଧିକ ସମୟ କଟାଏ ନାହିଁ ବରଂ ଖେଳାଖେଳି କରିବାପାଇଁ ତା’ର ସାଙ୍ଗସାଥୀଙ୍କ ଉପରେ ଅଧିକ ନିର୍ଭର କରେ । ଆଜିକାଲି ମନସ୍ତତ୍ତ୍ୱବିତ୍‌ମାନେ ପରୀକ୍ଷାକରି ଦେଖିଲେଣି ଯେ ଶିଶୁର ବୟସ ଓ ବୁଦ୍ଧି ବିକାଶ ହେବା ସଙ୍ଗେ ସଙ୍ଗେ ସେ ପରମୁଖାପେକ୍ଷୀ ନ ହୋଇ ଆତ୍ମନିର୍ଭରଶୀଳ ହେବା ପାଇଁ ଚେଷ୍ଟା କରୁଛି । କିନ୍ତୁ ଏ କଥା ସତ ଯେ ମଣିଷ ଯେତେ ବୟସ୍କ ବା ବୃଦ୍ଧ ହେଲେ ମଧ୍ୟ ସେ ସମାଜ ଉପରେ ନିର୍ଭର ନ କରି ଚଳି ପାରିବ ନାହିଁ । ସେ ଏକ ସାମାଜିକ ଜୀବ ହୋଇଥିବା ହେତୁ ତା’ର ଖାଦ୍ୟ, ପାନୀୟ, ବସ୍ତ୍ର, ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ଓ ପରିଶେଷରେ ବନ୍ଧୁତା ପାଇଁ ସେ ସମାଜ ଉପରେ ନିଶ୍ଚୟ ନିର୍ଭର କରିବ ।

ପ୍ରବର୍ତ୍ତନା, ଦ୍ୱନ୍ଦ୍ୱ ଓ ହତାଶ ମନୋଭାବ

ମାନସିକ ପ୍ରବର୍ତ୍ତନା ଯଦି ଏକ ଦିଗରେ ଗତି କରୁଥାଏ ଅର୍ଥାତ୍‌ ଯଦି ଥରକେ ଗୋଟିଏ ମାତ୍ର ଆବଶ୍ୟକତା ମନ ଭିତରେ ସ୍ଥାନ ପାଏ ତେବେ ତାହା ବ୍ୟକ୍ତିକୁ କୌଣସି ଅସୁବିଧାରେ ପକାଏ ନାହିଁ । କିନ୍ତୁ ଅନେକ ସମୟରେ ଏକାଧିକ ଚାହିଦା ବ୍ୟକ୍ତିକୁ ବିଭିନ୍ନ ଦିଗରେ ପ୍ରବର୍ତ୍ତିତ କରାଇବା ଫଳରେ ସେ ସମସ୍ୟାର ସମ୍ମୁଖୀନ ହୁଏ । ଏଠାରେ ଗୋଟିଏ ମାତ୍ର ଉଦାହରଣ ଦେଲେ ହେବ । ଜଣେ ପିଲା ପରୀକ୍ଷାରେ ଭଲ ନମ୍ବର ରଖି ପାସ୍‌ କରିବା ପରେ ଉଚ୍ଚତର ଶ୍ରେଣୀରେ ପଢ଼ିବାକୁ ଇଚ୍ଛା କରିପାରେ । କିନ୍ତୁ ତା’ର କେତେକ ଚାଷୋପଯୋଗୀ ଜମି ଥିବାରୁ ତା’ର ରକ୍ଷଣାବେକ୍ଷଣ କରିବାକୁ ବାପା କହିପାରନ୍ତି । ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବା ହେତୁ ଚାକିରିକରି ଟଙ୍କା ରୋଜଗାର କରିବାକୁ ବାପମାଆ କହିପାରନ୍ତି । ବିବାହ ଉପଯୋଗୀ ବୟସ ହୋଇଥିବା ହେତୁ ଏବଂ ବାପମାଆଙ୍କ ବାର୍ଦ୍ଧକ୍ୟ ହେତୁ ପରିବାରରେ ସୁଖଶାନ୍ତି ପାଇଁ ବିବାହକରି ଘର ସଂସାର କରିବାକୁ ବାପମାଆ, ବନ୍ଧୁବାନ୍ଧବ ପ୍ରସ୍ତାବ ଦେଇପାରନ୍ତି । ଏମାନଙ୍କ ଭିତରୁ ପ୍ରତ୍ୟେକଟି ଗୋଟିଏ ଗୋଟିଏ ଯଥାର୍ଥ ଆବଶ୍ୟକତା । କିନ୍ତୁ ଯଦି ଚାରୋଟିଯାକ ଆବଶ୍ୟକତା ଏକତ୍ରିତ ହୋଇ ତାହା ପାଖରେ ପହଞ୍ଚେ ଏବଂ ଚାରିଦିଗରେ ଗତି କରିବାକୁ ପିଲାଟି ପ୍ରବର୍ତ୍ତିତ ହୁଏ, ସେ ସେତେବେଳେ ଦ୍ୱନ୍ଦ୍ୱର (Conflict) ସମ୍ମୁଖୀନ ହୁଏ । ପରୀକ୍ଷାକରି ଦେଖାଯାଇଛି ଯେ ଗୋଟିଏ ଭୋକିଲା ପୁରୁଷ ମୂଷାକୁ ଯୌନ ମିଳନରୁ କିଛିଦିନ ବଞ୍ଚିତକରିବା ପରେ ତା’ର ଖାଇବାର ଆକାଂକ୍ଷା ଓ ମିଳନର ଇଚ୍ଛା ଥାଏ । ଏକ ପାଖରେ କିଛି ଖାଦ୍ୟ ଓ ଅନ୍ୟପାଖରେ ସ୍ତ୍ରୀ ମୂଷାକୁ ରଖି ଦେଖାଯାଇଛି ଯେ ପୁରୁଷ ମୂଷାଟି ଦ୍ୱନ୍ଦ୍ୱରେ ପଡ଼ି କେଉଁଆଡ଼କୁ ଯାଇପାରେ ନାହିଁ ବରଂ ଗୋଟିଏ ଜାଗାରେ ନିଶ୍ଚଳ ହୋଇ ବସିଯାଏ ।

 

ଏକାଧିକ ସମସ୍ୟା ଭିତରୁ କୌଣସି ଗୋଟିଏ ସମସ୍ୟା ସମାଧାନ କରି ନ ପାରିଲେ ମଣିଷ ହତାଶ (Frustrated) ହୋଇଯାଏ । ଯଦି ଜଣେ ଯୁବକ ଅନ୍ୟ ଜାତିର ବାଳିକାକୁ ବିବାହ କରିବାକୁ ଇଚ୍ଛାକରେ ଏବଂ ଏଥିରେ ସମାଜ ପ୍ରତିବନ୍ଧକ ସୃଷ୍ଟିକରେ, ଯଦି ଜଣେ ଶିକ୍ଷିତ ବ୍ୟକ୍ତି ବହୁତ ଖୋଜିଲା ପରେ ମଧ୍ୟ ଚାକିରି ପାଏନାହିଁ, ଏବଂ ଯଦି ପରିବାରର ସମସ୍ତପ୍ରକାର ଅଭାବ ଅସୁବିଧା ଦୂର କରିବାକୁ ମଣିଷ ଅସମର୍ଥ ହୁଏ ତେବେ ସେ ନିଜର ମାନସିକ ପ୍ରବର୍ତ୍ତନାକୁ ଯଥାର୍ଥରୂପେ କାର୍ଯ୍ୟକାରୀ କରି ନ ପାରିବା ହେତୁ ହତାଶ ହୋଇଥାଏ । ତେଣୁ ପ୍ରବର୍ତ୍ତନାର ଚରମ ଲକ୍ଷ୍ୟ ସାଧନରେ ବିଫଳତା ଦେଖାଦେଲେ ମଣିଷ ହତାଶ ହୁଏ ଏବଂ ପ୍ରବର୍ତ୍ତନାର ଗୁରୁତା ବା ଲଘୁତା ଉପରେ ଦ୍ୱନ୍ଦ୍ୱ ଓ ହତାଶର ଗୁରୁତା ଓ ଲଘୁତା ନିର୍ଭର କରେ ।

 

ହତାଶାର ରୂପ ଓ ପ୍ରତିକାର

 

ମଣିଷ ହତାଶ ହେଲେ ତା’ର ଶାରୀରିକ ଓ ମାନସିକ ଅସୁସ୍ଥି ଦେଖାଦିଏ । ଶାରୀରିକ ଅସୁସ୍ଥି ଭିତରେ ଖାଦ୍ୟ ଅଜୀର୍ଣ୍ଣ ହେବା, ରକ୍ତଚାପ ବୃଦ୍ଧି, ହୃତ୍‌କ୍ରିୟା, ରକ୍ତ ସଞ୍ଚାଳନ ଓ ନିଶ୍ୱାସ ପ୍ରଶ୍ୱାସରେ ଅସ୍ୱାଭାବିକତା ଆଦି ବିଭିନ୍ନ ପରିବର୍ତ୍ତନ ଲକ୍ଷ୍ୟ କରିହୁଏ । ସେହିପରି ମାନସିକ ଅସୁସ୍ଥିଭିତରେ ଆତ୍ମ ହେୟଜ୍ଞାନ ପ୍ରଧାନ । ଏହାଦ୍ୱାରା ମଣିଷ ନିଜକୁ ଖୁବ୍‌ ଛୋଟ ଓ ଘୃଣ୍ୟ ବୋଲି ମନେକରେ । ତେଣୁ ସେ ସମାଜ ବା ସାଙ୍ଗସାଥୀ ମେଳରେ ରହିବାକୁ ଇଚ୍ଛା ନ କରି ଏକୁଟିଆ ସମୟ କାଟିବାକୁ ଇଚ୍ଛା କରେ । କେହି କେହି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥାଆନ୍ତି । ହତାଶ ହେଲେ ମଣିଷ ଆତ୍ମହତ୍ୟା କରିବା ପରିବର୍ତ୍ତେ ଅନେକ ସମୟରେ ଅନ୍ୟକୁ ଆକ୍ରମଣ କରେ । ଏହାଦ୍ୱାରା ସେ ତା’ର ପ୍ରତିବନ୍ଧକକୁ ଏଡ଼ାଇ ଦେବାପାଇଁ ଚେଷ୍ଟା କରିଥାଏ ।

 

ହତାଶ ମନୋଭାବ ମଣିଷ ପକ୍ଷରେ କ୍ଷତିକାରକ ହେଲେ ମଧ୍ୟ ତାହା ଖୁବ୍‌ ସୁବିଧାରେ ଦୂର କରିହୁଏ । ଏକ ସମୟରେ ଏକାଧିକ ପ୍ରବର୍ତ୍ତନା ମନଭିତରେ ସ୍ଥାନ ପାଇଲେ ସେଥିରେ ବିଚଳିତ ହୋଇ ନ ଯାଇ ସମସ୍ୟାର ଗୁରୁତ୍ୱ ଦୃଷ୍ଟିରୁ ଗୋଟିକ ପରେ ଗୋଟିଏ ସମସ୍ୟା ସମାଧାନ କରିବାକୁ ହୁଏ । ଉଦାହରଣ ସ୍ୱରୂପ ଜଣେ ଛାତ୍ର ସିନେମା ଦେଖିବାକୁ ଇଚ୍ଛା କରୁଛି । ପରୀକ୍ଷା ଯୋଗୁଁ ପଢ଼ିବା ଦରକାର ହେଉଛି ଏବଂ ବାପାଙ୍କ ଦେହ ଖରାପ ଯୋଗୁଁ ଡାକ୍ତର ଡାକି ଯିବାକୁ ପଡ଼ୁଛି । ଏହିପରି ଏକ ସମୟରେ ତିନିଗୋଟି ସାମାଜିକ ଆବଶ୍ୟକତା ଥିଲେ ପ୍ରଥମେ ବାପାଙ୍କପାଇଁ ଔଷଧ ଆଣି ତାପରେ କିଛି ସମୟ ପରୀକ୍ଷାପାଇଁ ପଢ଼ିବା ପରେ ସିନେମା ଦେଖିବାକୁ ଗଲେ ସମସ୍ୟା ଗୁଡ଼ିକର ସମାଧାନ ହୁଏ । ପ୍ରତ୍ୟେକ ମଣିଷର ଦୈନନ୍ଦିନ ଜୀବନରେ ସମସ୍ୟା ଆସିଥାଏ । ଧୈର୍ଯ୍ୟର ସହିତ ସମସ୍ୟାର ସମାଧାନ କଲେ ମଣିଷର ମହାନତା ପରିସ୍ଫୁଟ ହୁଏ । ସାଧାରଣତଃ ବୁଦ୍ଧିମାନ ମଣିଷ ଅତ୍ୟଧିକ ସମସ୍ୟାର ସମ୍ମୁଖୀନ ହୋଇ ତା’ର ସମାଧାନ କରିଥାଏ ।

 

ଅନେକ ସମୟରେ ମଣିଷ ଏକାଧିକ ପ୍ରବର୍ତ୍ତନାର ବଶବର୍ତ୍ତୀ ହେଲେ ମଧ୍ୟ ହତାଶ ହୋଇ ନ ଯାଇ ପ୍ରତିକ୍ରିୟାଶୀଳ ହୁଏ । ଅଭିଳାଷ ପୂରଣ ପାଇଁ ଦେଖାଯାଉଥିବା ପ୍ରତିବନ୍ଧକକୁ ଏଡ଼ାଇବାକୁ ଚେଷ୍ଟା ନ କରି ଭିନ୍ନ ଉପାୟରେ ତା’ର ଚାହିଦା ମେଣ୍ଟାଇଥାଏ । ଏପରି କାର୍ଯ୍ୟକୁ ପ୍ରତିରକ୍ଷା କୌଶଳ (Defence mechanism) କୁହାଯାଏ । ପ୍ରଚଳିତ ଗାଳ୍ପିକ ପ୍ରବଚନ ‘‘ଅଙ୍ଗୁରକୋଳି ଖଟା’’ ବିଲୁଆ ପକ୍ଷରେ ଏକ ପ୍ରତିରକ୍ଷା କୌଶଳ । ଏହାଦ୍ୱାରା ମଣିଷ ହତାଶା ଜନିତ ଏକ ଅସ୍ୱାଭାବିକ ପରିସ୍ଥିତିରୁ ନିଜକୁ ରକ୍ଷା କରିଦେଇ ପାରେ । କଥିତ ଅଛି ଖ୍ୟାତନାମା ଇଟାଲୀୟ କବି ଦାନ୍ତେ ଫ୍ଲୋରେନ୍‌ସ ସହରର ଏକ ଗଳିଭିତରେ ବ୍ରେଟିସ ନାମକ ଏକ ସୁନ୍ଦରୀ ବାଳିକାକୁ ଦେଖି ତାପ୍ରତି ପ୍ରେମାସକ୍ତ ହୋଇପଡ଼ିଲେ ଏବଂ ତାକୁ ବିବାହ ପ୍ରସ୍ତାବ ଦେଲେ । କିନ୍ତୁ ବାଳିକାଟି ଉଚ୍ଚଜାତିର ହୋଇଥିବା ହେତୁ ତାଙ୍କର ଅଭିଳାଷ ପୂରଣ ହୋଇପାରିଲା ନାହିଁ । ବାଳିକାଟି ସହିତ ସେ କିଛି କଥାବାର୍ତ୍ତା ହୋଇ ପାରିନାହାନ୍ତି ତଥାପି କେତୋଟି ମୁହୂର୍ତ୍ତ ପାଇଁ ତାକୁ ଦେଖି ଏତେ ପ୍ରେମ-ପାଗଳ ହୋଇଗଲେ ଯେ ତାକୁ ଲକ୍ଷ୍ୟ ରଖି କବିତା ଲେଖିବା ଆରମ୍ଭ କଲେ । ଶେଷକୁ ସେ ଜଣେ ପୃଥିବୀ ପ୍ରସିଦ୍ଧ କବି ହୋଇପାରିଲେ ।

Image

 

ନିଜ ଦୁଃଖରେ ସୁଖୀ ଓ ପରଦୁଃଖରେ ସୁଖୀ

 

ମଣିଷ ମନ ଭିତରେ ପରସ୍ପର ବିରୋଧୀ ଅନେକ ସ୍ୱଭାବ ଥାଏ । ସେଥିରୁ ଗୋଟିଏ ଯଦି ମନ ଭିତରେ ସ୍ଥାନ ପାଇଲା ଅନ୍ୟଟି ସେଠାରେ ରହିପାରେ ନାହିଁ । ଅବଶ୍ୟ ପରିବେଷ୍ଟନୀର ପ୍ରଭାବରେ ଗୋଟିକର ପରିବର୍ତ୍ତନରେ ଅନ୍ୟଟି ଆସି ମନ ଭିତରେ ପ୍ରବେଶକରି ପାରେ । କିନ୍ତୁ ଏକ ସମୟରେ ଦୁଇଟିଯାକ ରହିପାରନ୍ତି ନାହିଁ । ଏହିପରି ଅହି-ନକୁଳ ସମ୍ପର୍କ ଥିବା ଦୁଇଟି ଚରିତ୍ର ହେଲା ମାସୋକିଜ୍‌ମ୍‌ (ନିଜ ଦୁଃଖରେ ସୁଖୀ) ଓ ସାଡ଼ିଜ୍‌ମ୍‌ (ପରଦୁଃଖରେ ସୁଖୀ) ।

 

ପ୍ରଥମେ ମାସୋକିଜମ (Masochism) କଥା ଦେଖାଯାଉ । ମାସୋକିଜମର ଅର୍ଥ ହେଲା ନିଜ ଶରୀରକୁ ଯନ୍ତ୍ରଣା ଦେଇ ଆନନ୍ଦଲାଭ କରିବା ଏବଂ ଯେଉଁମାନେ ସେପରି କରନ୍ତି ସେମାନଙ୍କୁ ମାସୋକିଷ୍ଟ କୁହାଯାଏ । ପୃଥିବୀରେ ଉଭୟ ନାରୀ ଓ ପୁରୁଷ ଏହି ଚରିତ୍ରର ହୋଇଥାଆନ୍ତି । କିନ୍ତୁ ନାରୀମାନଙ୍କର କେତେକ ଯନ୍ତ୍ରଣା ଏପରି ଦିହସୁହା ହୋଇଯାଏ ଯେ ତାହା ସେମାନଙ୍କୁ ବିଶେଷ ବାଧେ ନାହିଁ । ଜଣେ ନାରୀ କହିଥିଲେ, ‘‘ଯେଉଁ ସ୍ୱାମୀ ନିଜ ସ୍ତ୍ରୀ ଉପରେ ଆକ୍ରମଣ କରିପାରେ ନାହିଁ ଏବଂ ତା’ର ଅଙ୍ଗବାସକୁ ଚିରାଚିରି କରିପାରେ ନାହିଁ ସେ ପ୍ରକୃତରେ ପ୍ରେମ କ’ଣ ଜାଣେ ନାହିଁ ।’’ ଅନ୍ୟ ଏକ ମହିଳା ତାଙ୍କ ସ୍ୱାମୀଙ୍କ ବିଷୟରେ କହିଥିଲେ ଯେ, ଯେଉଁ ଲୋକ ସାମାନ୍ୟ ଯନ୍ତ୍ରଣା ଦେଇପାରେ ନାହିଁ ତାକୁ ସ୍ୱାମୀ ବୋଲି ଗ୍ରହଣ କରାଯାଇ ନ ପାରେ । ପ୍ରେମ ବ୍ୟାପାରରେ ପୁରୁଷମାନେ ଅତ୍ୟଧିକ କଷ୍ଟ ସ୍ୱୀକାର କରିଥାଆନ୍ତି । ସେବକପରି ପ୍ରଣୟିନୀର ପାଖେ ପାଖେ ଥାଇ, ସମସ୍ତ ଆପଦ ବିପଦକୁ ସହ୍ୟ କରି ଏବଂ ନିଜର ଇଚ୍ଛା ବିରୁଦ୍ଧରେ ଅନେକ କାର୍ଯ୍ୟ କରି ଅନେକ ଲୋକ ତା’ର ଅନୁଗ୍ରହକୁ ଚାହିଁ ରହିଥାଆନ୍ତି । ଏଥିପାଇଁ ପୁରୁଷ-ପଶୁମାନଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ଲାଗି ରକ୍ତାକ୍ତ ହେବା ବା ମୃତ୍ୟୁବରଣ କରିବାର ଯଥେଷ୍ଟ ଉଦାହରଣ ଅଛି । ସାଧାରଣ ନାଗରିକଙ୍କ ଭିତରେ ଶ୍ରମିକ, କୃଷକ, ସୈନିକ ଆଦି, ଯେଉଁମାନେ ଦିନରାତି ଖରା କାକରରେ କଠିନ ପରିଶ୍ରମ କରି ଅନ୍ୟର ସେବା କରନ୍ତି ସେମାନଙ୍କୁ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ କରାଯାଇପାରେ ।

 

ଉପରୋକ୍ତ ଉଦାହରଣମାନଙ୍କରେ ଯେଉଁ ମାସୋକିଜମର ବର୍ଣ୍ଣନା କରାଯାଇଅଛି ତା’ର ସ୍ରଷ୍ଟା ହେଉଛନ୍ତି ଊନବିଂଶ ଶତାବ୍ଦୀର ଅଷ୍ଟ୍ରିଆ ଦେଶର ଜଣେ ଔପନ୍ୟାସିକ ଯାହାଙ୍କ ନାମ ହେଉଛି ସାକେର-ମାସୋକ (Sacher-Masoch) । ସେ ‘‘ଦି ଭେନସ ଇନ ଦି ଫର କୋଟସ’’ (The Venus in the fur coats) ନାମକ ଉପନ୍ୟାସରେ ଏପରି ଗୋଟିଏ ଚରିତ୍ର ସୃଷ୍ଟି କଲେ ଯେ କି ପ୍ରଣୟିନୀଠାରୁ ଯନ୍ତ୍ରଣା ପାଇ ମଧ୍ୟ ଅତ୍ୟଧିକ ଆନନ୍ଦ ଲାଭ କରିଥିଲେ । ଦାର୍ଶନିକ ଆରିଷ୍ଟୋଟଲଙ୍କଠାରୁ ଆରମ୍ଭ କରି ବାର୍ଟ୍ରାଣ୍ଡ ରସେଲଙ୍କ ପର୍ଯ୍ୟନ୍ତ ବର୍ଣ୍ଣନା କରିଯାଇଛନ୍ତି ଯେ, ଅସୁବିଧା ଓ ଯନ୍ତ୍ରଣାକୁ ଏଡ଼େଇ ଦେଇ ଆନନ୍ଦରେ ରହିବାକୁ ଇଚ୍ଛା କରିବା ପ୍ରତ୍ୟେକ ମଣିଷର ଏକ ଅନ୍ତର୍ନିହିତ ଅଭିଳାଷ । କିନ୍ତୁ ତାହା ପରିବର୍ତ୍ତେ ନିଜେ ଦୁଃଖ, କଷ୍ଟ ଓ ପରାଭବ ସହି ଆନନ୍ଦ ଲାଭ କରିବାକୁ ମଧ୍ୟ ମଣିଷ କାହିଁକି ଇଚ୍ଛା କରେ ? ଜନୈକ ମନସ୍ତାତ୍ତ୍ୱିକ ଥିଓଡର ରିକ୍‌ (Theodor Reik) ତାଙ୍କର ‘‘ମାସୋକିଜମ ଇନ୍‌ ମଡ଼ର୍ଣ୍ଣ ମ୍ୟାନ’’ (Masochism in Modern Man) ନାମକ ବହିରେ ଏହିପରି ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଲେଖିଛନ୍ତି ଯେ, ଅନେକ ମଣିଷ ନିଜର ଜ୍ଞାତସାରରେ ଦୁଃଖଠାରୁ ଦୂରରେ ରହିବାକୁ ଇଚ୍ଛା କରିଥାଆନ୍ତି । କିନ୍ତୁ ସେମାନଙ୍କର ଅଜ୍ଞାତରେ (ଅବଚେତନ ମନରେ) ଦୁଃଖ ପାଇବା ପାଇଁ ଏକ ଆଗ୍ରହ ଥାଏ ।

 

ସାକେର-ମାସୋକ କେବେହେଲେ ମନସ୍ତାତ୍ତ୍ୱିକ ନ ଥିଲେ । କିନ୍ତୁ ସେ ତାଙ୍କ ଉପନ୍ୟାସରେ ବର୍ଣ୍ଣନା କରିଥିବା ଚରିତ୍ରକୁ କ୍ରାଫଟ-ଏବିଙ୍ଗ (Kraft-Ebing) ନାମକ ଜଣେ ଜର୍ମାନ ଯୌନତତ୍ତ୍ୱବିତ୍‌ ପଢ଼ି ସମସ୍ତ ପ୍ରକାର ଆତ୍ମକେନ୍ଦ୍ରିକ ଯୌନବିପର୍ଯ୍ୟସ୍ତ ବ୍ୟକ୍ତିତ୍ୱକୁ ମାସୋକିଜମ ନାମରେ ଅଭିହିତ କରାଇଲେ । ପରେ ମନସ୍ତାତ୍ତ୍ୱିକ କ୍ଷେତ୍ରରେ ପରାଭବ ସହି ଆନନ୍ଦ ଲାଭ କରୁଥିବା ଯୌନ-ବିପର୍ଯ୍ୟସ୍ତ ବ୍ୟକ୍ତିତ୍ୱକୁ ଓ ସାଧାରଣ ବ୍ୟକ୍ତିତ୍ୱକୁ ମଧ୍ୟ ମାସୋକିଜମ ନାମରେ ନାମିତ କରାଗଲା । ସାଧାରଣ ବ୍ୟକ୍ତିତ୍ୱ ପ୍ରତି ମାସୋକିଜମ ଲାଗୁ କରାଇବାର ଉଦ୍ଦେଶ୍ୟ ହେଉଛି ଯେ, ପ୍ରତ୍ୟେକ ମଣିଷ ନିକଟରେ କିଛି ନା କିଛି ମାସୋକିଷ୍ଟିକ ଚରିତ୍ର ଅଛି । ଉଦାହରଣ ସ୍ୱରୂପ ଖରାଦିନେ କୋଟ ପିନ୍ଧି ଟାଇ ଭିଡ଼ିବା, ମୁନିଆଁ ଯୋତା ଓ ଚିପା ପୋଷାକ ପିନ୍ଧିବା, ଦାନ୍ତ ଖୁଣ୍ଟିବା, ଲମ୍ବା ବାଳ ରଖିବା ଇତ୍ୟାଦି । ଏହାଦ୍ୱାରା କେତେକ ବ୍ୟକ୍ତି ଯଥେଷ୍ଟ ଆନନ୍ଦ ପାଇଥାଆନ୍ତି-। କହିବା ବାହୁଲ୍ୟ ଯେ, ପ୍ରତ୍ୟେକ ଦମ୍ପତି ଭିତରେ ଯଦି ଜଣେ ମାସୋକିଷ୍ଟ ଓ ଅନ୍ୟ ଜଣକ ସାଡିଷ୍ଟ ହୋଇଥାଆନ୍ତି ତେବେ ସେମାନେ ଖୁବ୍ ଆନନ୍ଦରେ ସମୟ କଟାଇ ପାରନ୍ତି । ସାମାଜିକ ଚଳଣି ଅନୁଯାୟୀ ଯେଉଁ ସମାଜରେ ପରିବାର ଭିତରେ ବାପ ମାଲିକ ସେଠାରେ ମାଆ ମାସୋକିଷ୍ଟ ହୋଇଥାଆନ୍ତି ଏବଂ ମାଆ ମାଲିକ ଥିବା ପରିବାରରେ ବାପା ମାସୋକିଷ୍ଟ ହୁଅନ୍ତି ।

 

ମାସୋକିଷ୍ଟମାନେ ନିଜେ ଦୁଃଖ କଷ୍ଟ ସହିବାରେ ଆନନ୍ଦ ପାଇ ଥାଆନ୍ତି । କିନ୍ତୁ ସମାଜରେ ଆଉ ଏକପ୍ରକାର ଲୋକ ଅଛନ୍ତି ଯେଉଁମାନେ କି ଅନ୍ୟକୁ ଦୁଃଖ କଷ୍ଟ ଦେଇ ଆନନ୍ଦ ପାଇ ଥାଆନ୍ତି । ସେମାନଙ୍କୁ ସାଡିଷ୍ଟ (Sadist) କୁହାଯାଏ । ପୂର୍ବକାଳରେ କେତେକ ରାଜା, ମହାରାଜା ବା ଜମିଦାରମାନେ ଅନ୍ୟର ସମ୍ପତ୍ତି, ଧନ, ଦୌଲତ, ରାଜ୍ୟ ଅଧିକାର କରି କିମ୍ବା ଅନ୍ୟକୁ ଶାରୀରିକ କିମ୍ବା ଯୌନ ଯନ୍ତ୍ରଣା ଦେଇ ଆନନ୍ଦ ଲାଭ କରୁଥିଲେ । ଶିକାରୀ ପଶୁ ପକ୍ଷୀଙ୍କୁ ମାରି ଆନନ୍ଦ ଲାଭ କରେ । ଘରର ଚାକର ଚାକରାଣୀଙ୍କୁ ଦଣ୍ଡ ଦେଇ, ସ୍କୁଲରେ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ମାଡ଼ ଦେଇ ନିଜର ମାନସିକ ଚାହିଦା ପୂରଣ କରିଥାଆନ୍ତି । ଦୈନନ୍ଦିନ ଜୀବନରେ ମଧ୍ୟ ଦେଖିବାକୁ ମିଳେ ଯେ କାହାକୁ ଚାକିରୀରୁ ଛଟେଇ କରି, କାହାକୁ ପରୀକ୍ଷାରେ ଫେଲ୍‌ କରି, କାହାକୁ ଅର୍ଥଦଣ୍ଡ ଦେଇ କେତେକ ଲୋକ ଆନନ୍ଦ ଅନୁଭବ କରନ୍ତି । ଏହିପ୍ରକାର ସାଡିଷ୍ଟ, ଚରିତ୍ରର ଲୋକମାନେ ସାଧାରଣତଃ ଭୟାଳୁ, ମାଇଚିଆ, ଅତି ଧାର୍ମିକ ଏବଂ ଖୁବ୍‍ କୁଟିଳ ସ୍ୱଭାବର ହୋଇଥାନ୍ତି ।

 

ସାଡିଷ୍ଟ ଚରିତ୍ରର ସ୍ରଷ୍ଟା ହେଉଛନ୍ତି ମାରକ୍ୱିସ-ଡି-ସାଡ଼େ (Marquis de Sade) ଯାହାଙ୍କ ନାମ ଅନୁସାରେ ଏପରି ଚରିତ୍ରର ନାମ ସାଡ଼ିଜମ ହୋଇଛି । ସାଧାରଣ ଅର୍ଥରେ ଅନ୍ୟକୁ ଯନ୍ତ୍ରଣା ଦେଇ ଆନନ୍ଦ ଲାଭ କରୁଥିବା ହିଂସ୍ର ଚରିତ୍ରକୁ ସାଡ଼ିଜମ କୁହାଯିବା ସଙ୍ଗେ ସଙ୍ଗେ କେବଳ ଯୌନଯନ୍ତ୍ରଣାର ବିନିମୟରେ ଆନନ୍ଦ ଲାଭ କରୁଥିବା ବ୍ୟକ୍ତିକୁ ସାଡିଷ୍ଟ ବୋଲି ମଧ୍ୟ କୁହାଯିବା କଥା-। କାରଣ ମାରକ୍ୱିସ-ଡି-ସାଡ଼େ ଏହିପରି ଏକ ନଷ୍ଟଚରିତ୍ରର ଲୋକ ଥିଲେ ।

 

ସାଧାରଣତଃ କେତେକ ପୁରୁଷ ସାଡିଷ୍ଟିକ ଚରିତ୍ରର ଲୋକ ହୋଇଥାଆନ୍ତି । ନିଜର ସ୍ତ୍ରୀକୁ ଗାଳି, ଅପମାନ ଦେବା, ବିଷ ଦେଇ ବା ବିଭିନ୍ନ ପ୍ରକାର ଯନ୍ତ୍ରଣା ଦେଇ ପ୍ରାଣରେ ମାରିଦେବାର ଅନେକ ଉଦାହରଣ ଅଛି । ଜଣେ ଜଣେ ଏକାଧିକ ସ୍ତ୍ରୀ ଲୋକଙ୍କୁ ହତ୍ୟା କରି ତାଙ୍କର ଅଙ୍ଗ ପ୍ରତ୍ୟଙ୍ଗ କ୍ଷତବିକ୍ଷତ କରିବାର ଶୁଣାଯାଇଛି । ରାସ୍ତାଘାଟରେ ସ୍ତ୍ରୀଲୋକଙ୍କୁ ଅପଦସ୍ତ କରିବା, କୌଣସି ଧାରୁଆ ଅସ୍ତ୍ର ସାହାଯ୍ୟରେ ଆଘାତ କରିବାରେ ଅନେକ ଲୋକ ଆନନ୍ଦ ପାଇଥାଆନ୍ତି । ଆଉ କେତେକ ସାଡିଷ୍ଟିକ ଚରିତ୍ରର ଲୋକ ମହିଳାମାନଙ୍କୁ ସିଧାସଳଖ ଯନ୍ତ୍ରଣା ନ ଦେଲେ ମଧ୍ୟ ସେମାନଙ୍କର ଯୋତା ବା ଚପଲକୁ ଖଣ୍ଡ ଖଣ୍ଡ କରି କାଟି ଦେବା, ଫଟୋ ଦେଖିଲେ ଚିରି ଦେବା, ଫଟୋରେ କଳାଗାର ପକାଇବା ବା ବେକକୁ କାଟି ଦେବାରେ ଆନନ୍ଦ ପାଆନ୍ତି । କାରଣସ୍ୱରୂପ ଜଣାଯାଇଛି ଯେ, ଯେତେବେଳେ କୌଣସି ଲୋକ ହତାଶ ହୋଇଯାଏ ସେତେବେଳେ ତା’ର ହତାଶିଆ ମନର ଭାବ ପ୍ରକାଶ ଏହିପରି କେତେକ କ୍ଷତିକାରକ ଉପାୟରେ ପ୍ରକାଶ କରେ । ହତାଶର ବିଭିନ୍ନ କାରଣ ଥିଲେ ସୁଦ୍ଧା ପ୍ରେମ ବ୍ୟାପାରରେ ଯେତେବେଳେ ଜଣେ ପୁରୁଷ ହତାଶ ହୁଏ ସେତେବେଳେ ସେ ଆତ୍ମହତ୍ୟା କରେ । ସମଗ୍ର ସ୍ତ୍ରୀ ଜାତିକୁ ଘୃଣା ଚକ୍ଷୁରେ ଦେଖେ ଏବଂ ସେମାନଙ୍କର ଯଥେଷ୍ଟ କ୍ଷତି କରେ । ସ୍ତ୍ରୀ ହୋଇଥିଲେ ସେ ପୁରୁଷମାନଙ୍କୁ ଅପଦସ୍ତ କରେ କିମ୍ବା ଆତ୍ମହତ୍ୟା କରେ । ସାଡିଜମର ଅନ୍ୟ ଏକ କାରଣ ହେଉଛି ପିଲାଟି ଦିନରୁ ଜଣେ ମଣିଷ ଯଦି ଘରେ, ସମାଜରେ, ରେଡ଼ିଓରେ, ଟେଲିଭିଜନରେ ବା ସିନେମାରେ ଅପରକୁ ଯନ୍ତ୍ରଣା ଦିଆଯାଉଥିବା କଥା ଦେଖେ ଦରକାର ହେଲେ ସେ ସେହି ପନ୍ଥା ଅନୁସରଣ କରିବାକୁ ଇଚ୍ଛା ପୋଷଣ କରେ । ଯଦି ଦୃଢ଼ତା ସହକାରେ ସମସ୍ତ ପ୍ରକାର ଯନ୍ତ୍ରଣାଦାୟକ ବା ହତ୍ୟାଜନିତ କାର୍ଯ୍ୟକଳାପ ବନ୍ଦ କରି ଦିଆଯାଉଥାଆନ୍ତା ତେବେ ପିଲାମାନେ ଆଉ ସେସବୁ ଶିଖିବାର ସୁଯୋଗ ପାଆନ୍ତେ ନାହିଁ ।

Image

 

ଆତ୍ମହେୟ ଓ ଆତ୍ମଗାରିମାପୂର୍ଣ୍ଣ ମନ

 

ମଣିଷମାନଙ୍କ ପାଖରେ ପରସ୍ପରବିରୋଧୀ ଆଉ ଦୁଇପ୍ରକାର ମନ ଥାଏ । ସେ ଦୁଇଟି ହେଲା ଆତ୍ମହେୟ (Inferiority Complex) ଏବଂ ଆତ୍ମଗାରିମା (Superiority Complex) । ଜଣେ ମଣିଷ ଏହି ଦୁଇ ପ୍ରକାର ମନ ଭିତରୁ କୌଣସି ଗୋଟିଏ ପ୍ରକାର ମନର ଅଧିକାରୀ ହୋଇପାରେ ।

 

ଆତ୍ମହେୟର ଅର୍ଥ ହେଲା ନିଜକୁ ଛୋଟ ମନେ କରିବା । କେତେକ ଲୋକ ଅଛନ୍ତି ଯେଉଁମାନେ କି ପଢ଼ାସାଥୀ, ଖେଳସାଥୀ, ସହକର୍ମୀ ଏବଂ ପଡ଼ୋଶୀମାନଙ୍କ ମଧ୍ୟରେ ନିଜକୁ ଛୋଟ ବୋଲି ମନେ କରନ୍ତି । ସେଥିପାଇଁ କାମ କଲାବେଳେ, ଖେଳିଲାବେଳେ, ଯେ କୌଣସି ସ୍ଥାନରେ ବସିଥିବାବେଳେ କିମ୍ବା ଚଲାବୁଲା କଲାବେଳେ ସେମାନେ ଅନ୍ୟମାନଙ୍କ ସହିତ ମିଶିପାରନ୍ତି ନାହିଁ । ସେମାନେ ଭାବନ୍ତି ଯେ ଜାତି, ଧର୍ମ, ବର୍ଣ୍ଣ, ଶିକ୍ଷା, ବୁଦ୍ଧି, ବ୍ୟବହାର ଆଦିରେ ସେମାନେ ଖୁବ୍‌ ଛୋଟ । ଅନ୍ୟମାନେ ତାଙ୍କୁ ଘୃଣା ଚକ୍ଷୁରେ ଦେଖୁଛନ୍ତି; ତାଙ୍କଠାରୁ ଦୂରେଇ ଯାଉଛନ୍ତି । ଦଳଗତଭାବେ କୌଣସି ଏକ ନିଷ୍ପତ୍ତି ନେଲାବେଳକୁ ତାଙ୍କୁ ପଚାରୁନାହାନ୍ତି; କୌଣସି ପ୍ରତିଯୋଗିତାରେ ଯୋଗ ଦେବାପାଇଁ ସେମାନେ ସମର୍ଥ ହେଉନାହାନ୍ତି । ଏହିପରି କେତେକ ଶକ୍ତି ଓ ସାମର୍ଥ୍ୟବିହୀନ ମନୋଭାବ ସେମାନେ ଦେଖାଇଥାଆନ୍ତି । ସେହି କାରଣରୁ ମଧ୍ୟ ସେମାନେ ସବୁବେଳେ ରୋଗଗ୍ରସ୍ତ ଥିଲାପରି ଭାବନ୍ତି । ସେମାନେ ଭାବନ୍ତି ଯେ ସେମାନଙ୍କର ଖାଦ୍ୟ ଜୀର୍ଣ୍ଣ ହେଉନାହିଁ । ମୁଣ୍ଡବ୍ୟଥା ହେଉଛି । ସବୁବେଳେ ଛାତି ପୀଡ଼ା ଲାଗୁଛି ଇତ୍ୟାଦି । ତେଣୁ ଶାରୀରିକ ଓ ମାନସିକ ଉଭୟ କ୍ଷେତ୍ରରେ ସେମାନେ ନିଜକୁ ଖୁବ୍‍ ଛୋଟ ବୋଲି ଭାବିଥାଆନ୍ତି ।

 

ନିଜକୁ ଖୁବ୍‍ ଛୋଟ ବୋଲି ଭାବିବାପାଇଁ ଜଣେ ଲୋକ ପରୋକ୍ଷରେ ତାହା ପିଲାଟି ଦିନରୁ ଶିଖିଥାଏ । ଉଦାହରଣସ୍ୱରୂପ ଧରାଯାଉ, ଜଣେ ଲୋକ ଗରିବ ପରିବାରରେ ଜନ୍ମ ହୁଏ । ପିଲାଟି ଦିନରୁ ସେ ଅଳ୍ପ ଖର୍ଚ୍ଚ କରି ଚଳିଆସେ । ବଡ଼ ହେବା ପରେ ଯେତେବେଳେ ସେ ସ୍କୁଲ ବା କଲେଜରେ ତା’ର ପଢ଼ା ସାଥୀମାନଙ୍କର ଅମିତବ୍ୟୟିତା ଦେଖେ ସେତେବେଳେ ଆର୍ଥିକ ଦୃଷ୍ଟିରୁ ସେ ନିଜକୁ ଛୋଟ ମନେକରେ । ଅନେକ ସମୟରେ ଗରିବ ବାପମାଆ ଅଳ୍ପ ଖର୍ଚ୍ଚ କରିବା ପାଇଁ ପିଲାଙ୍କୁ ଶିଖାଇ ଥାଆନ୍ତି । ତାହା ପିଲାର ଅଭ୍ୟାସରେ ପଡ଼ିଯାଇଥାଏ । ବାପମାଆଙ୍କ ପ୍ରଭାବରୁ ପିଲାଟି ଯେପରି ନିଜେ ଗରିବ ବୋଲି ଶିଖେ ସେହିପରି ସେ ଏକ ଆଦିବାସୀ, ହରିଜନ ବା ସମାଜରେ କୌଣସି ନିମ୍ନ ଶ୍ରେଣୀର ହୋଇଥିବା କଥା ଅନୁଭବ କରେ । ତା’ର ଯାହା ଧାରଣା ଥାଏ, ପଢ଼ାସାଥୀ ଓ ପରିବେଷ୍ଟନୀର ସମ୍ପର୍କରେ ଆସିଲେ ତାହା ଦୃଢ଼ୀଭୂତ ହୁଏ । ଅବଶ୍ୟ ସ୍ଥଳବିଶେଷରେ ତାହା ବଦଳିଯାଏ । ଅନ୍ୟମାନଙ୍କ ତୁଳନାରେ ନିଜକୁ ଛୋଟ ବୋଲି ଭାବିବାର ଅନ୍ୟ ଏକ କାରଣ ହେଉଛି ଯଦି ଜଣେ ମଣିଷ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚଆଶା ରଖି ହତାଶ ହୋଇଥାଏ ତେବେ ସେ ନିଜକୁ ହେୟ ମନେକରେ । ଅତୀତର ଅନୁଭୂତିକୁ ଆଖିଆଗରେ ରଖି ଭବିଷ୍ୟତର ଯେ କୌଣସି କାର୍ଯ୍ୟ ପାଇଁ ସେ ପଛଘୁଞ୍ଚା ଦିଏ ।

 

ମଣିଷ ମନରେ ଆତ୍ମହେୟ ସ୍ୱଭାବ ସ୍ଥାନ ପାଏ ବୋଲି ପ୍ରଥମେ ୧୯୧୭ ମସିହାରେ ଭିଏନାର ଆଲଫ୍ରେଡ ଆଡଲର (Alfred Adler) ନାମକ ଜନୈକ ଚିକିତ୍ସକ ମତ ଦେଇଥିଲେ-। ତାଙ୍କ ମତରେ ଶିଶୁ ବୟସ୍କଙ୍କ ସହିତ ନିଜକୁ ତୁଳନାକରି ଦେଖେ ଯେ, ବୟସ୍କ ଲୋକଙ୍କ ଶରୀର ତୁଳନାରେ ତା’ର ଶରୀର ଓ ଅଙ୍ଗ ପ୍ରତ୍ୟଙ୍ଗ ଖୁବ୍‍ ଛୋଟ । ତା’ର ବିଚାର, ବୁଦ୍ଧି, ଭାବନା ଇତ୍ୟାଦି ବୟସ୍କଙ୍କ ତୁଳନାରେ ଖୁବ୍‍ କମ୍‌ । କେବଳ ବୟସ୍କ ମଣିଷ ନୁହନ୍ତି, ଶିଶୁର ପରିବେଷ୍ଟନୀ ଭିତରେ ଥିବା ବୃକ୍ଷ, ଲତା, ପର୍ବତ, ନଦୀ, ସମୁଦ୍ର, ବୃହତ୍‌କାୟ ପଶୁ ପକ୍ଷୀ ଇତ୍ୟାଦି ତାକୁ ଖୁବ୍‍ ବଡ଼ ଜଣାଯାଆନ୍ତି । ତେଣୁ ସେମାନଙ୍କୁ ପୂଜା କରିବାର ଅଭିଳାଷ ତା ମନଭିତରେ ସ୍ଥାନ ପାଏ ଏବଂ କ୍ରମଶଃ ତାହା ଧର୍ମରେ ପରିଣତ ହୁଏ । ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଶିଶୁ ମନର ଭାବନାରେ ପରିବର୍ତ୍ତନ ଆସେ । ସେ ନିଜେ ବଡ଼ ହୋଇ ବୟସ୍କଙ୍କ ସହିତ ସମତାଳରେ ଗତି କରିବାକୁ ଇଚ୍ଛା କରେ । ପରିପାର୍ଶ୍ୱରେ ଦେଖାଯାଉଥିବା ବୃହତ୍‌ ବସ୍ତୁଗୁଡ଼ିକୁ ନିଜ ଅକ୍ତିଆରରେ ରଖିବାକୁ ଚେଷ୍ଟାକରେ । ତେଣୁ ତା’ର ମନ ଭିତରେ ଥିବା ଛୋଟ ମନୋଭାବ ବିରୁଦ୍ଧରେ ସେ ନିଜେ ପ୍ରତିବାଦ କରେ । ମନ ଭିତରେ ଥିବା ପ୍ରତିବାଦ ଓ ସାମାଜିକ ବାସ୍ତବତା ଭିତରେ ସବୁବେଳେ ଦ୍ୱନ୍ଦ୍ୱ ଲାଗି ରହେ । ଦ୍ୱନ୍ଦ୍ୱର ଗୁରୁତା ଉପରେ ନିର୍ଭର କରି ତା’ର ଏକ ସାଧାରଣ ବ୍ୟକ୍ତିତ୍ୱ କିମ୍ବା ‘‘ହାମ୍‌ ବଡ଼ା’’ ବା ଆତ୍ମଗାରିମା ସ୍ୱଭାବ ଦେଖା ଦେଇଥାଏ ।

 

ଆତ୍ମଗାରିମା ସାଧାରଣତଃ ଆତ୍ମହେୟ ସ୍ୱଭାବର ପ୍ରତିକ୍ରିୟାରୁ ଜାତ ହୋଇଥାଏ ଏବଂ ତା’ର କ୍ଷତିପୂରକ ଭାବରେ କାମକରେ । ମଣିଷ ଆତ୍ମଗାରିମାର ବଶବର୍ତ୍ତୀ ହୋଇ ଅନେକ ସମୟରେ ଅତ୍ୟନ୍ତ ଅଭଦ୍ର, ନିର୍ଦ୍ଦୟ ଓ ପ୍ରତିହିଂସାପରାୟଣ ହୋଇଥାଏ । ଯୁଦ୍ଧରେ ପରାସ୍ତ ହୋଇ ଯାଉଥିବା ସୈନିକ କେବଳ ନରହତ୍ୟା ଓ ନାରୀଧର୍ଷଣ କରେ । ଦୁର୍ବଳ ମଣିଷ ସାଧାରଣ କଥାରେ କଜିଆ କରେ ଏବଂ ଆକ୍ରମଣାତ୍ମକ ବ୍ୟବହାର ଦେଖାଏ । ଆତ୍ମଗାରିମାପୂର୍ଣ୍ଣ ଆଉ କେତେକ ମଣିଷ କେବଳ ଲୋକଦେଖାଣିଆ ବ୍ୟବହାର ଦେଖାଇଥାଆନ୍ତି । ଯେପରି ଦୁର୍ବଳମନା ରାଜନୀତିଜ୍ଞ ଓ ସମାଜସେବୀ ଭାଷଣ ମାଧ୍ୟମରେ ଅତ୍ୟଧିକ ଧର୍ମପରାୟଣତା ଓ ଆଦର୍ଶବାଦ ଦେଖାଇଥାଆନ୍ତି । ଆତ୍ମଦେୟତାର ପ୍ରତିକ୍ରିୟାସ୍ୱରୂପ କେତେକ ଗରିବଛାତ୍ର ଶିକ୍ଷାକ୍ଷେତ୍ରରେ ଖୁବ୍‌ ଉନ୍ନତି କରିଥାଆନ୍ତି ।

 

ଅନେକ ସମୟରେ ମଣିଷ ଭାବେ ଯେ ସେ ଅନ୍ୟମାନଙ୍କ ଅପେକ୍ଷା ଅତ୍ୟନ୍ତ ବୁଦ୍ଧିମାନ, ଖୁବ୍‍ ସୁନ୍ଦର, ବଳଶାଳୀ, ଲୋକପ୍ରିୟ ଇତ୍ୟାଦି । ଏହିପରି କେତେକ ଆତ୍ମଗାରିମା ସ୍ୱଭାବ ସବୁବେଳେ ଆତ୍ମହେୟ ଜ୍ଞାନର ପ୍ରତିକ୍ରିୟାସ୍ୱରୂପ ଜନ୍ମ ହୋଇ ନ ଥାଏ । ମନ ଭିତରେ ଥିବା ଅନ୍ୟାନ୍ୟ ବୈଶିଷ୍ଟ୍ୟ ପରି ଏହା ମଧ୍ୟ ସ୍ୱତନ୍ତ୍ର । ପରିବେଷ୍ଟନୀର ପ୍ରଭାବରୁ ଏହା ପ୍ରଥମେ ମଣିଷ ମନ ଭିତରେ ସ୍ଥାନ ପାଇଥାଏ । ଉଦାହରଣସ୍ୱରୂପ ରାଜା ଜମିଦାର ବା ଆଧୁନିକ ଯୁଗରେ କେତେକ ମନ୍ତ୍ରୀଙ୍କର ପିଲାମାନେ ଅନ୍ୟାନ୍ୟ ସମବୟସ୍କ ପିଲାଙ୍କ ଅପେକ୍ଷା ନିଜକୁ ବଡ଼ ବୋଲି ଭାବିବାକୁ ପିଲାଦିନରୁ ସୁଯୋଗ ପାଇଥାଆନ୍ତି । ସମାଜରେ ଉଚ୍ଚ ଜାତିର ଲୋକମାନେ ନୀଚ ଜାତିର ଲୋକଙ୍କୁ ଘୃଣା କରିବାର ମନୋଭାବ ପିଲାଦିନରୁହିଁ ପୋଷଣ କରିଥାଆନ୍ତି ।

 

ଆତ୍ମହେୟ ଓ ଆତ୍ମଗାରିମା, ଉଭୟ ପ୍ରକାର ସ୍ୱଭାବ ମଣିଷ ପିଲାଟି ଦିନରୁ ବାପ, ମାଆ, ପରିବାର ଓ ବନ୍ଧୁବାନ୍ଧବଙ୍କ ପ୍ରଭାବରୁ ଶିକ୍ଷାଲାଭ କରିଥାଏ । ତେଣୁ ପିଲାଟି ଦିନରୁ ଯଦି ପିଲାମାନଙ୍କର ବ୍ୟବହାର ନିୟନ୍ତ୍ରଣ କରାଯାଏ ଏବଂ ସେମାନଙ୍କୁ ଉଚିତ ଶିକ୍ଷା ଦିଆଯାଏ ତେବେ ଭବିଷ୍ୟତରେ ସେମାନଙ୍କଠାରେ ଅସାମାଜିକ ବ୍ୟବହାରର ଆଶଙ୍କା ରହେ ନାହିଁ ।

Image

 

ମୌନ ମୁହାଁ ଓ ଖେଳୱାର୍ଡ ମନ

 

ମଣିଷ ମନ ଭିତରେ ପରସ୍ପର ବିରୋଧୀ ଅନ୍ୟ ଦୁଇଟି ଚରିତ୍ର ହେଲା ମୌନ ମୁହାଁ (Introvert) ଓ ଖେଳଓ୍ୱାର୍ଡ (Extrovert) ଚରିତ୍ର । ଜଣେ ମଣିଷର ମନ ଭିତରେ ଦୁଇଟି ଯାକ ଚରିତ୍ର ସ୍ଥାନ ପାଇପାରେ ନାହିଁ । ସେଥିମଧ୍ୟରୁ କେବଳ ଗୋଟିଏ ରହିପାରେ । ଅବଶ୍ୟ ଗୋଟିକରେ ଅନୁପସ୍ଥିତିରେ ଆଉ ଗୋଟିଏ ପ୍ରବେଶ କରିପାରେ । ଶିଶୁ ଅବସ୍ଥାରେ ଗୋଟିଏ ଚରିତ୍ର; ଯୌବନ ବା ବାର୍ଦ୍ଧକ୍ୟରେ ଆଉ ଗୋଟିଏ ଚରିତ୍ର ମଣିଷ ପାଖରେ ସମ୍ଭବ ହୋଇପାରେ ।

 

ମୌନମୁହାଁ ଓ ଖେଳଓ୍ୱାର୍ଡ ଚରିତ୍ରର ସ୍ରଷ୍ଟା ହେଉଛନ୍ତି ସ୍ୱିଜରଲାଣ୍ଡର ମାନସିକ ଚିକିତ୍ସକ କାର୍ଲୟଙ୍ଗ (Carl Jung) । ସେ କହିଲେ ଯେ ମଣିଷର ମନ ଯେତେବେଳେ ଅନ୍ତର୍ମୁଖୀ ହୁଏ ସେ ସେତେବେଳେ ମୌନମୁହାଁ ହୁଏ ଏବଂ ତା’ର ମନ ଯେତେବେଳେ ବହିର୍ମୂଖୀ ହୁଏ ସେ ସେତେବେଳେ ଖେଳଓ୍ୱାର୍ଡ ହୁଏ ।

 

ମୌନମୁହାଁର ମନ ଅନ୍ତର୍ମୂଖୀ ହେବା ଦ୍ୱାରା ସେ ସବୁବେଳେ ନିଜ ବିଷୟରେ ଚିନ୍ତା କରେ, ନିଜ କଥା ଅନୁଭବ କରେ ଏବଂ ଏପରି ବ୍ୟବହାର ଦେଖାଏ ଯାହାଦ୍ୱାରା ଜଣାପଡ଼େ ଯେ ସେ ନିଜେ ସଂସାର ଭିତରେ ଏକମାତ୍ର ମଣିଷ । ପରିବେଷ୍ଟନୀ, ବନ୍ଧୁବାନ୍ଧବ, ଶିକ୍ଷକ ଓ ବାପା ମାଆଙ୍କର ମୂଲ୍ୟ ତାହା ନିକଟରେ କିଛି ନୁହେଁ । ଏପରିକି ସଂସାର ଭିତରେ ସେମାନଙ୍କର ଅସ୍ତିତ୍ୱ ସେ ଉପଲବ୍‌ଧି କରିପାରେ ନାହିଁ ବରଂ ସମାଜ ଓ ପରିବେଷ୍ଟନୀଠାରୁ ନିଜକୁ ଦୂରରେ ରଖିବାକୁ ଚାହେଁ । ଜଣେ ମୌନମୁହାଁ ମଣିଷର ଅନ୍ୟ କେତୋଟି ଚରିତ୍ରଗତ ଗୁଣ ହେଉଛି ସେ ସବୁବେଳେ ଶାନ୍ତ, ଶିଷ୍ଟ, ଓ ସୁବୋଧତାର ପରିଚୟ ଦିଏ । ଅପରକୁ ସନ୍ଦେହ ଚକ୍ଷୁରେ ଦେଖେ ଏବଂ ନିଜ ଚରିତ୍ରକୁ ବାରମ୍ବାର ବିଶ୍ଳେଷଣ କରିବାରେ ସେ ଅଧିକାଂଶ ସମୟ କଟାଏ । ସେ ଏକବୁଝା ହୋଇଥାଏ ଏବଂ ଅନ୍ୟ ଆଇନ କାନୁନ୍‌, ଆଦର୍ଶବାଦକୁ ମାନି ଚଳିବା ପାଇଁ ଆପ୍ରାଣ ଚେଷ୍ଟା କରେ-। ଏକାଗ୍ରତା ଭିତରେ ରହି ଦିବାସ୍ୱପ୍ନ ଦେଖିବାରେ ସେ ଅଭ୍ୟସ୍ତ ଥାଏ । ଏହି ଚରିତ୍ରର ମଣିଷ ଅଧିକ ଚିନ୍ତାଶୀଳ, ଅନୁଧ୍ୟାନପରାୟଣ, କଳ୍ପନାପ୍ରବଣ ଓ ଦାର୍ଶନିକ ମଧ୍ୟ ହୋଇଥାଏ ।

 

ମଣିଷର ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ତା’ର ଚରିତ୍ରରେ ମଧ୍ୟ ପରିବର୍ତ୍ତନ ଦେଖାଦିଏ । ଶିଶୁ ଅବସ୍ଥାରେ ତା’ର ମୌନ ମୁହାଁ ସ୍ୱଭାବ ଥାଏ, କିନ୍ତୁ ବଡ଼ ଦିନକୁ ତାହା ବଦଳିଯାଏ । ସେହିପରି ପିଲାଦିନର ଖେଳଓ୍ୱାର୍ଡ ସ୍ୱଭାବ ବଡ଼ ଦିନକୁ ରହେ ନାହିଁ । ପରିବେଷ୍ଟନୀର ପ୍ରଭାବରୁ ମଣିଷ ଗୋଟିଏ ଗୁଣ ହାସଲ କରିଥାଏ ଏବଂ ସେହି ପରିବେଷ୍ଟନୀ ପ୍ରଭାବରୁ ତାହା ପୁଣି ବଦଳିଯାଏ । ତା’ର ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଶାରୀରିକ ଓ ମାନସିକ ପରିପୂର୍ଣ୍ଣତା ଏବଂ ପରିବେଷ୍ଟନୀ ଭିତରେ ବାପ, ମାଆ, ଶିକ୍ଷକ ଓ ବନ୍ଧୁମାନଙ୍କର ପ୍ରଭାବ ଏଥିପାଇଁ ମୁଖ୍ୟତଃ ଦାୟୀ ।

 

ମଣିଷର ମୌନ ମୁହାଁ ସ୍ୱଭାବ ବଦଳି ଯାଇ ଖେଳଓ୍ୱାର୍ଡ ସ୍ୱଭାବ ହୋଇଗଲେ ସେମାନେ ଅନ୍ୟମାନଙ୍କ ସହିତ ଖୁବ୍‍ ମିଳିମିଶି ଚଳିପାରନ୍ତି । ସେପରି ମଣିଷମାନଙ୍କର ଆଗ୍ରହ ନିଜ ପ୍ରତି ନ ହୋଇ ବନ୍ଧୁ, ସମାଜ ବା ବାହାରର କୌଣସି ବସ୍ତୁ ପ୍ରତି ହୋଇଥାଏ । ସେମାନଙ୍କର ନିଜର ଚିନ୍ତାଧାରା ଓ ବ୍ୟବହାର ଯେପରି ପରିବେଷ୍ଟନୀଗତ ହୋଇଥାଏ ସେହିପରି ପରିବେଷ୍ଟନୀ ମଧ୍ୟ ସେହି ମଣିଷମାନଙ୍କର ବ୍ୟବହାର ନିୟନ୍ତ୍ରଣ କରେ । ଉଦାହରଣସ୍ୱରୂପ ବନ୍ଧୁମାନଙ୍କ ପ୍ରରୋଚନାରେ ଖେଳଓ୍ୱାର୍ଡ ସ୍ୱଭାବର ଛାତ୍ରମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପରିବର୍ତ୍ତେ ସିନେମା ଦେଖିଯିବା ପାଇଁ ଅଧିକ ଭଲ ପାଆନ୍ତି । ଖେଳଓ୍ୱାର୍ଡ ମଣିଷଙ୍କର ଆଉ କେତେଗୁଡ଼ିଏ ସାଧାରଣ ଗୁଣ ହେଉଛି ସେମାନେ ଭାରି ଗପୁଡ଼ା । ବନ୍ଧୁମାନଙ୍କ ଗହଣରେ ରହି ସାରା ଦିନ କଟାଇ ଦେବାକୁ ସେମାନେ ଟିକିଏ ହେଲେ କୁଣ୍ଠାବୋଧ କରନ୍ତିନାହିଁ । ସେମାନଙ୍କର ବ୍ୟବହାର ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତିତ ହୋଇପାରେ । ସେମାନେ ଖୁବ୍‌ ବାସ୍ତବବାଦୀ । ନିଜେ କୌଣସି ସମାଲୋଚନାକୁ କର୍ଣ୍ଣପାତ କରନ୍ତି ନାହିଁ କିମ୍ବା କୌଣସି କଥା ବା କାର୍ଯ୍ୟ ପାଇଁ ଅପରକୁ ସନ୍ଦେହ ଚକ୍ଷୁରେ ଦେଖନ୍ତି ନାହିଁ । ଦିବାସ୍ୱପ୍ନ ବା ଚରିତ୍ର ବିଶ୍ଳେଷଣ ସେମାନଙ୍କର ଗୁଣର ବାହାରେ-। ସେମାନଙ୍କର ଅନ୍ୟ କେତେଗୁଡ଼ିଏ ଆକର୍ଷଣୀୟ ଗୁଣ ହେଉଛି ସେମାନେ ଖୁବ୍‌ ଖୋଲା, ଉଦାରମନା, ସହାନୁଭୂତିଶୀଳ ଏବଂ ପରୋପକାରୀ । ସେହିମାନଙ୍କ ଭିତରୁ ମଧ୍ୟ ବୈଜ୍ଞାନିକ, ଡାକ୍ତର, ଇଞ୍ଜିନିୟର, ଦାର୍ଶନିକ ଇତ୍ୟାଦି ବାହାରିଥାଆନ୍ତି । ଏହି ସ୍ୱଭାବର ମଣିଷମାନଙ୍କର ସବୁବେଳେ ଜୀବନରେ ଉଚ୍ଚ ଆଶା ଥାଏ ଏବଂ ତାହା କାର୍ଯ୍ୟକାରୀ କରିବାପାଇଁ ସେମାନେ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଥାଆନ୍ତି । କିନ୍ତୁ ମୌନମୁହାଁ ସ୍ୱଭାବର ମଣିଷମାନଙ୍କ ନିକଟରେ ସେପରି କୌଣସି ଉଚ୍ଚ ଆଶା ନ ଥିବା କଥା ସମାଜ-ବିଜ୍ଞାନ ଗବେଷଣାଦ୍ୱାରା ଜଣାଯାଇଛି ।

 

ମୌନମୁହାଁ କିମ୍ବା ଖେଳଓ୍ୱାର୍ଡ ସ୍ୱଭାବର ମଣିଷ ସମାଜରେ ପ୍ରାୟ ଖୁବ୍‍ କମ୍‍ ଥାଆନ୍ତି । ଉଦାହରଣ ସ୍ୱରୂପ ସମାଜରେ ଥିବା ସାଧାରଣ ଲୋକସଂଖ୍ୟା ଭିତରୁ ଶତକଡ଼ା ୫ରୁ ୧୦ ଭାଗ ମଣିଷ ମୌନମୁହାଁ । ସେହିପରି ୫ରୁ ୧୦ ଭାଗ ମଣିଷ ଖେଳଓ୍ୱାର୍ଡ । ବାକି ଶତକଡ଼ା ୮୦ରୁ ୯୦ ଭାଗ ମଣିଷ ଉପରୋକ୍ତ କୌଣସି ଗୋଷ୍ଠୀ ଭିତରେ ଯାଆନ୍ତି ନାହିଁ । ସେମାନଙ୍କୁ ଅମ୍ବିଭର୍ଟ (Ambivert) କୁହାଯାଏ । ସେମାନଙ୍କର ମନ ସ୍ୱାଭାବିକ ହୋଇଥାଏ । ମଣିଷମାନଙ୍କ ଭିତରେ ଦେଖାଯାଉଥିବା ସମସ୍ତ ପ୍ରକାର ମନ ସାମାଜିକ ପରିବେଶରୁ ସୃଷ୍ଟି ହୋଇଥାଏ ।

Image

 

ଆତ୍ମ-ନିୟନ୍ତ୍ରିତ ଓ ପର-ନିୟନ୍ତ୍ରିତ ମନ

 

ମଣିଷର ଅସ୍ଥିର ମନ ଭିତରେ ସେ କେତେବେଳେ ଭାବେ ଯେ ତା’ର ସମସ୍ତ ବ୍ୟବହାର ଓ ତା’ର ଚାରିପଟେ ଘଟୁଥିବା ଘଟଣାବଳୀର ନିୟନ୍ତ୍ରଣକାରୀ ସେ ନିଜେ, ଆଉ କେତେବେଳେ ସେ ଭାବେ ଯେ ଏ ସମସ୍ତ ଘଟଣାବଳୀର ନିୟନ୍ତ୍ରଣକାରୀ ସେ ନିଜେ ନ ହୋଇ ଆଉ ଜଣେ କେହି ହୋଇଥାଏ । ମଣିଷର ଏହି ଦୁଇ ପ୍ରକାର ମନକୁ ମନସ୍ତାତ୍ତ୍ୱିକମାନେ ଗବେଷଣା ମାଧ୍ୟମରେ ବିଶ୍ଳେଷଣ କରିବାକୁ ସକ୍ଷମ ହୋଇଛନ୍ତି । ପ୍ରଥମ ପ୍ରକାର ମନକୁ ଆତ୍ମ-ନିୟନ୍ତ୍ରିତ (Internal Locus of Control) ଓ ଦ୍ୱିତୀୟ ପ୍ରକାର ମନକୁ ପର-ନିୟନ୍ତ୍ରିତ (External Locus of Control) ବୋଲି କୁହାଯାଏ । ଜଣେ ମଣିଷ କେଉଁ ଶ୍ରେଣୀର ଅନ୍ତର୍ଭୁକ୍ତ ଜାଣିବା ପାଇଁ କେତେଗୁଡ଼ିଏ ସହଜ ଉପାୟ ଅଛି । ସେଥିରୁ ଗୋଟିଏ ହେଲା ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରି ତା’ର ଉତ୍ତର ନିଆଯାଏ ଏବଂ ସେହି ଉତ୍ତରରୁ ସେ କେଉଁ ଶ୍ରେଣୀର ଲୋକ ତାହା ସହଜରେ ଜାଣିହୁଏ । ଉଦାହରଣସ୍ୱରୂପ ଜଣକ ଆଗରେ ଦୁଇଟି ମତାମତ ପଢ଼ି ଶୁଣାଇ ଦିଆଗଲା(କ) ‘‘ଜଣେ ପ୍ରଭାବଶାଳୀ ନେତା ହୋଇ ଉପରକୁ ଉଠିବାଟା ବହୁ ପରିମାଣରେ ନିଜର ଭାଗ୍ୟ ଓ ଘଟଣାର ଯୋଗାଯୋଗ ଉପରେ ନିର୍ଭର କରେ ।’’ (ଖ) ‘‘ନିଜ ଜୀବନରେ ଆସିଥିବା ସୁଯୋଗକୁ ହାତରେ ପାଇ ମଧ୍ୟ ଅବହେଳା କରିଥିବାରୁ ବହୁ ଯୋଗ୍ୟ ଲୋକ ଉପରକୁ ଉଠିପାରି ନାହାନ୍ତି ।’’ ଏ ଦୁଇଟି ମତାମତ ଭିତରୁ ସେ ଯଦି ପ୍ରଥମଟିକୁ ତା’ର ନିଜର ମତ ବୋଲି ଗ୍ରହଣ କରେ ତେବେ ସେ ଜଣେ ପରନିୟନ୍ତ୍ରିତ ମଣିଷ ବୋଲି କୁହାଯିବ । ସେହିପରି ଆଉ ଦୁଇଟି ମତାମତ ହେଲା(କ) ‘‘ମୋ ନିଜ ଯୋଗୁଁ ହିଁ ଜୀବନରେ ସୁଖରେ ରହିବି କି ଦୁଃଖରେ ରହିବି ଆଉ କାହା ଯୋଗୁଁ ନୁହେଁ ।’’ (ଖ) ‘‘ମୋର ଜୀବନର ଗତି ଯେ କେଉଁଆଡ଼େ, ସେ କଥା ମୁଁ ଜାଣେନା ଏବଂ ତାଉପରେ ମୋର କୌଣସି ହାତ ନାହିଁ ।’’ ଯେଉଁ ଲୋକ ଦ୍ୱିତୀୟଟିକୁ ନିଜର ମତ ବୋଲି ଭାବେ ସେ ଜଣେ ପର-ନିୟନ୍ତ୍ରିତ ବ୍ୟକ୍ତି ଓ ଯେଉଁ ଲୋକ ପ୍ରଥମଟିକୁ ନିଜର ମତ ବୋଲି କୁହେ, ସେ ଜଣେ ଆତ୍ମ-ନିୟନ୍ତ୍ରିତ ବ୍ୟକ୍ତି ବୋଲି ଗ୍ରହଣ କରାଯାଏ । କୌଣସି ଏକ ଛାତ୍ର, ଶିକ୍ଷକ, ଶ୍ରମିକ, କୃଷକ, କିରାଣୀ କିମ୍ବା ଶାସକ କେଉଁ ଶ୍ରେଣୀର ଅନ୍ତର୍ଭୁକ୍ତ ହେବେ ଜାଣିବା ପାଇଁ ବିଭିନ୍ନ ପ୍ରକାର ପ୍ରଶ୍ନାବଳୀ ଅଛି । ତା ସାହାଯ୍ୟରେ ଉପରୋକ୍ତ ଯେ କୌଣସି ବ୍ୟକ୍ତିଙ୍କର ମତାମତ ନେଇ ତାଙ୍କର ବ୍ୟକ୍ତିତ୍ୱ ନିରୁପଣ କରାଯାଏ ।

 

ମଣିଷର ଆତ୍ମ-ନିୟନ୍ତ୍ରିତ ଓ ପର-ନିୟନ୍ତ୍ରିତ ମନ ଆଧୁନିକ ମନସ୍ତାତ୍ତ୍ୱିକ ଗବେଷଣା କ୍ଷେତ୍ରରେ ଯଥେଷ୍ଟ ଉପାଦାନ ଯୋଗାଉଛି । ଅନୁଧ୍ୟାନ କରି ଜଣାଯାଇଛି ଯେ, ମଣିଷର ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ତା’ର ବ୍ୟକ୍ତିତ୍ୱରେ ପରିବର୍ତ୍ତନ ହୁଏ । ଶିଶୁ ଓ କିଶୋର ଅବସ୍ଥାରେ ଯେତେବେଳେ ସେ ବାପ-ମାଆଙ୍କର ଶାସନାଧୀନ ହୋଇଥାଏ ଏବଂ ସ୍କୁଲ କଲେଜକୁ ଯିବାପରେ ସେ ଯେତେବେଳେ ଶିକ୍ଷକ ଏବଂ ଆଇନ ଶୃଙ୍ଖଳାର ବଶବର୍ତ୍ତୀ ହୋଇଥାଏ, ସେତେବେଳେ ତା’ର ମନ ପର-ନିୟନ୍ତ୍ରିତ ହୁଏ । କିନ୍ତୁ ତାପରେ ସାମାଜିକ କ୍ଷେତ୍ରରେ ପ୍ରବେଶ କଲାପରେ ଚାକିରୀ, ବ୍ୟବସାୟ, ପରିବାର ପରିଚାଳନା ଇତ୍ୟାଦି କ୍ଷେତ୍ରରେ ତା’ର ନିଜର ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରେ । ଅବଶ୍ୟ ବ୍ୟକ୍ତିଗତ ତାରତମ୍ୟ ହେତୁ କେତେକ ମଣିଷଙ୍କର ସ୍ୱଭାବରେ ପରିବର୍ତ୍ତନ ଆସେ ନାହିଁ ଏବଂ ଆଉ କେତେକ ମଣିଷ ଈଶ୍ୱରବିଶ୍ୱାସ ଓ ବୟସ୍କଙ୍କୁ ଭକ୍ତି କରୁଥିବାର ଛଳନା କରି ପର-ନିୟନ୍ତ୍ରିତ ହୋଇଥିବା କଥା ସମାଜକୁ ଦେଖାଇଥାଆନ୍ତି ।

 

ମଣିଷର ପ୍ରତ୍ୟେକ କାର୍ଯ୍ୟରେ ସଫଳତା ବା ବିଫଳତା ଆସି ପାରେ । ଯେଉଁମାନଙ୍କର ଆତ୍ମ-ନିୟନ୍ତ୍ରିତ ବ୍ୟକ୍ତିତ୍ୱ ସେମାନେ ଏ ସବୁ ପ୍ରତି ବିଶେଷ ଦୃଷ୍ଟି ଦିଅନ୍ତି ନାହିଁ । ସେମାନେ ନିଜ କର୍ତ୍ତବ୍ୟ କରି ଅଧିକ ଆନନ୍ଦ ପାଇଥାଆନ୍ତି । ନିଜ କାର୍ଯ୍ୟର କୌଣସି ଦୋଷ ତ୍ରୁଟି ଜାଣିବାକୁ ପାଇଲେ ତାକୁ ସଂଶୋଧନ କରିବାରେ ଏବଂ ପୁନର୍ବାର ନିଜ କର୍ତ୍ତବ୍ୟ ପଥରେ ଆଗେଇବାରେ ସେମାନେ ନିଜକୁ ବିନିଯୋଗ କରନ୍ତି । ପର ନିୟନ୍ତ୍ରିତ ବ୍ୟକ୍ତିଙ୍କ କଥା ସମ୍ପୂର୍ଣ୍ଣ ଫରକ । ଯେକୌଣସି କାମ ଆରମ୍ଭ କରିବା ପୂର୍ବରୁ ସେମାନେ ପ୍ରଥମେ ଐଶ୍ୱରିକ ଆଶୀର୍ବାଦ ଭିକ୍ଷା କରିଥାଆନ୍ତି । ନିଜ କାମରେ ଯଦି ବିଫଳ ହୁଅନ୍ତି ତେବେ ସବୁଦିନ ପାଇଁ ସେଥିରୁ ନିବୃତ୍ତ ହୋଇ ଯାଆନ୍ତି । ସମାଜରେ ଲୋକମାନେ ସେମାନଙ୍କର କାର୍ଯ୍ୟକୁ କେତେ ଦୂର ପସନ୍ଦ କରୁଛନ୍ତି ବା ନିନ୍ଦା କରୁଛନ୍ତି ତାହା ସେମାନେ ଖୁବ୍‍ ସତର୍କତାର ସହିତ ଲକ୍ଷ୍ୟ କରନ୍ତି । ସାମାଜିକ ପ୍ରଶଂସା ସେମାନଙ୍କୁ ଅଧିକ କାର୍ଯ୍ୟକ୍ଷମ କରାଏ । କିନ୍ତୁ ମୌଖିକ ପ୍ରଶଂସା ଅପେକ୍ଷା ଅର୍ଥ ବା କୌଣସି ବସ୍ତୁ ପୁରସ୍କାର ସ୍ୱରୂପ ପାଇଲେ ସେମାନେ ଅଧିକ କାର୍ଯ୍ୟକ୍ଷମ ହୁଅନ୍ତି । ଅପରପକ୍ଷରେ ଯଦି ସେମାନଙ୍କର କୌଣସି କାର୍ଯ୍ୟ ପାଇଁ ଦଣ୍ଡ ପାଆନ୍ତି ତାହା ସେମାନଙ୍କର ମନରେ ଅଧିକ ପ୍ରଭାବ ପକାଏ ।

 

ପୁରୁଷମାନଙ୍କ ପରି ସ୍ତ୍ରୀମାନଙ୍କ ମନ ଭିତରେ ଆତ୍ମ-ନିୟନ୍ତ୍ରିତ ଓ ପର-ନିୟନ୍ତ୍ରିତ ସ୍ୱଭାବ କାର୍ଯ୍ୟକାରୀ ହେଉଥାଏ । ଉଭୟ ପ୍ରକାର ସ୍ତ୍ରୀଙ୍କର ବ୍ୟବହାରକୁ ତୁଳନା କରି ଦେଖାଯାଇଛି ଯେ, ଆତ୍ମ-ନିୟନ୍ତ୍ରିତ ସ୍ତ୍ରୀଙ୍କ ଅପେକ୍ଷା ପର-ନିୟନ୍ତ୍ରିତ ସ୍ତ୍ରୀମାନେ ଅଧିକ ବିଶୃଙ୍ଖଳିତ । ସେମାନଙ୍କର ବ୍ୟବହାର ବା କାର୍ଯ୍ୟରେ କୌଣସି ଶୃଙ୍ଖଳା ଥିବା କଥା ଜଣାଯାଏ ନାହିଁ । କୌଣସି କାର୍ଯ୍ୟ ପାଇଁ ସେମାନଙ୍କର ଭବିଷ୍ୟତ ଯୋଜନା ନ ଥାଏ ବା ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନ ଥାଏ । ବିନା ବିଚାରରେ ସେମାନେ ଯାହା କିଛି କରନ୍ତି । ତେଣୁ ସେମାନଙ୍କର ନିଜ କାର୍ଯ୍ୟରେ ମଧ୍ୟ ସେମାନେ ସନ୍ତୋଷପ୍ରକାଶ କରି ପାରନ୍ତି ନାହିଁ । ପର-ନିୟନ୍ତ୍ରିତ ସ୍ତ୍ରୀମାନଙ୍କର ଧୀଶକ୍ତି ଆତ୍ମ-ନିୟନ୍ତ୍ରିତ ସ୍ତ୍ରୀମାନଙ୍କ ଧୀଶକ୍ତି ଅପେକ୍ଷା କମ୍‌ ହୋଇଥିବା କଥା ବିଭିନ୍ନ ପ୍ରକାର ପରୀକ୍ଷାରୁ ଜଣାଯାଇଛି । ପର-ନିୟନ୍ତ୍ରିତ ବ୍ୟକ୍ତି ସାଧାରଣତଃ ଭାଗ୍ୟବାଦୀ ହୋଇଥିଲେହେଁ ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀମାନେ ଅଧିକ ଦୈବବାଦୀ ହୋଇଥାଆନ୍ତି ।

 

ଆତ୍ମ-ନିୟନ୍ତ୍ରିତ ଓ ପର-ନିୟନ୍ତ୍ରିତ ମନ ଭିତରେ ଅନ୍ୟାନ୍ୟ ଅନେକ ଚରିତ୍ରଗତ ପାର୍ଥକ୍ୟ ଦେଖାଯାଇଅଛି । ସେମାନଙ୍କର ଧୀଶକ୍ତି ତୁଳନା କରି ଦେଖାଯାଇଛି ଯେ, ଆତ୍ମ-ନିୟନ୍ତ୍ରିତ ବ୍ୟକ୍ତି ଅଧିକ ବୁଦ୍ଧିମାନ । ପର-ନିୟନ୍ତ୍ରିତ ବ୍ୟକ୍ତିଙ୍କ ପରି ସେମାନେ ଉଚ୍ଚ ଆଶା ନ କରି କାର୍ଯ୍ୟ ସମ୍ପାଦନ କରିଥାଆନ୍ତି । ଉଭୟ ପ୍ରକାର ବ୍ୟକ୍ତିଙ୍କର ଧର୍ମ ଓ ବିଜ୍ଞାନ ପ୍ରତି ଥିବା ମନୋଭାବରୁ ଜଣାଯାଇଛି ଯେ ଆତ୍ମ-ନିୟନ୍ତ୍ରିତ ବ୍ୟକ୍ତିମାନେ ବିଜ୍ଞାନ ପ୍ରତି ଅଧିକ ଆଗ୍ରହୀ । କାରଣ ଈଶ୍ୱରବିଶ୍ୱାସ, ନୈତିକତା, ପରମ୍ପରା ପ୍ରତି ବିଶ୍ୱାସ ଧର୍ମ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥିବା ହେତୁ ପର-ନିୟନ୍ତ୍ରିତ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ତାହାରି ଉପରେ ନିର୍ଭର କରି ଗଢ଼ି ଉଠିଥାଏ । ସମାଜରେ ମିଳିମିଶି ରହିବା ଏବଂ କୌଣସି କାର୍ଯ୍ୟ ମିଳିମିଶି କରିବାକୁ ପର-ନିୟନ୍ତ୍ରିତ ବ୍ୟକ୍ତି ଅଧିକ ପସନ୍ଦ କରିଥାଏ । ମିଳିମିଶି କାର୍ଯ୍ୟ କରିବା ସମୟରେ ପର-ନିୟନ୍ତ୍ରିତ ବ୍ୟକ୍ତି ନିଜେ ଆନନ୍ଦ ପାଇବା ସଙ୍ଗେ ସଙ୍ଗେ ଅନ୍ୟ ଲୋକମାନେ ଆନନ୍ଦ ପାଇବା ଦେଖି ସେ ଅଧିକ ଆନନ୍ଦ ଅନୁଭବ କରେ ଏବଂ ଉତ୍ସାହିତ ହୁଏ । କିନ୍ତୁ ଆତ୍ମ-ନିୟନ୍ତ୍ରିତ ବ୍ୟକ୍ତି ନିଜ କାର୍ଯ୍ୟରେ ଅଧିକ ସନ୍ତୋଷ ଲାଭ କରେ । ବାଦବିବାଦମୂଳକ କାର୍ଯ୍ୟରେ ଯୋଗ ଦେଇ କୃତକାର୍ଯ୍ୟ ହେବା ପାଇଁ ସେ ପ୍ରଯତ୍ନ କରେ ଏବଂ ପରିଣାମରେ ସେ ଆନନ୍ଦିତ ହୁଏ । ଏହିପରି ବ୍ୟକ୍ତିତ୍ୱ କିପରି ଗଢ଼ି ଉଠେ ତାହା ଜାଣିବା ପାଇଁ ବର୍ତ୍ତମାନ ବିଶେଷ ଭାବେ ଅନୁସନ୍ଧାନ କରାଯାଉଅଛି ।

Image

 

Unknown

ଛାତ୍ର ବିଶୃଙ୍ଖଳା

 

ଆଜିକାଲି ସ୍କୁଲ କଲେଜରେ ଛାତ୍ର ବିଶୃଙ୍ଖଳା ପ୍ରାୟ ସବୁବେଳେ ଦେଖାଯାଉଛି । ଛାତ୍ରମାନଙ୍କର ସମସ୍ୟାର ସମାଧାନ କରିବା ପାଇଁ ଏକ ପକ୍ଷରେ ଚିନ୍ତାଶୀଳ ବ୍ୟକ୍ତି ଓ ଅଭିଭାବକମାନେ ବ୍ୟାକୁଳ ହୋଇ ଉଠୁଛନ୍ତି ଏବଂ ଅନ୍ୟ ପକ୍ଷରେ ସରକାର ପୋଲିସ ଶକ୍ତିର ପ୍ରୟୋଗ କରି ତାହାକୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ବ୍ୟସ୍ତ ହେଉଛନ୍ତି । ଛାତ୍ରମାନେ କାହିଁକି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ଏଥିପାଇଁ ବିଭିନ୍ନ ପ୍ରକାର ମତ ପ୍ରକାଶ ପାଉଛି । କେହି କେହି କହିଛନ୍ତି ଯେ, ଆଧୁନିକ ଶିକ୍ଷା ପଦ୍ଧତି ଏଥିପାଇଁ ଦାୟୀ । ଆଉ କେତେକ କହନ୍ତି ଯେ ଅଭିଭାବକ ଓ ଶିକ୍ଷକମାନଙ୍କର କର୍ତ୍ତୃତ୍ତ୍ୱର ଅଭାବ ହେତୁ ଦେଶରେ ଛାତ୍ର ବିଶୃଙ୍ଖଳା ଦେଖାଯାଉଛି । ପ୍ରକୃତରେ ଦେଖିବାକୁ ଗଲେ ଏଥିରୁ କେଉଁଟି ହେଲେ ମିଛ ନୁହେଁ । କିନ୍ତୁ ପ୍ରତ୍ୟେକ ଜାଗାରେ ଛାତ୍ର ବିଶୃଙ୍ଖଳା ପାଇଁ ଏ ସମସ୍ତ କାରଣ ପ୍ରଯୁଜ୍ୟ ହୋଇ ନ ପାରେ । ତା’ର କାରଣ କୌଣସି ଛାତ୍ର କଲେଜରେ ପହଞ୍ଚିବା ପରେ ଅଭିଭାବକଙ୍କ ସମ୍ପର୍କରେ ଖୁବ୍‍ କମ୍‍ ଆସିଥାଏ । ତେଣୁ ଅଭିଭାବକମାନେ ଛାତ୍ରମାନଙ୍କର ସମସ୍ତ ବ୍ୟବହାରକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ । ଅନ୍ୟ ପକ୍ଷରେ ଅଧ୍ୟାପକମାନେ ଶିକ୍ଷା ଦେବା ବ୍ୟତୀତ ଅନ୍ୟ କୌଣସି ପ୍ରକାରେ ଛାତ୍ରର ବ୍ୟକ୍ତିତ୍ୱ ଉପରେ ହସ୍ତକ୍ଷେପ କରିବାକୁ ଉଚିତ୍‌ ମନେ କରନ୍ତି ନାହିଁ । ବୟସର ଆଧିକ୍ୟ ହେତୁ ଏବଂ ଅନେକ ଦାୟିତ୍ୱଜ୍ଞାନ ଆସିଥିବା ହେତୁ କେତେକ ଛାତ୍ର ଅଧ୍ୟାପକଙ୍କ ଗୁରୁତା ସ୍ୱୀକାର କରନ୍ତି ଆଉ କେତେକ କରନ୍ତି ନାହିଁ । ବର୍ତ୍ତମାନ ପ୍ରଶ୍ନ ହେଉଛି, ଛାତ୍ର ବିଶୃଙ୍ଖଳା ପାଇଁ ଅଧିକ ପରିମାଣରେ ଦାୟୀ କିଏ ?

 

ଛାତ୍ରମାନଙ୍କ ଭିତରେ କେତେକ ଅଛନ୍ତି ଯେଉଁମାନେ ଅନ୍ୟ ଉପରେ କର୍ତ୍ତୃତ୍ୱ ଦେଖାଇବାକୁ ଭଲ ପାଆନ୍ତି । ଏପରି ବ୍ୟକ୍ତିତ୍ୱ ସେମାନେ ବଂଶଗତ ଗୁଣରୁ ଓ ଶିଶୁ ଅବସ୍ଥାରେ ପରିବେଷ୍ଟନୀରୁ ଶିକ୍ଷା କରି ଥାଆନ୍ତି । ସେମାନେ ଯେତେବେଳେ ବନ୍ଧୁ ମେଳରେ ପହଞ୍ଚନ୍ତି ସେତେବେଳେ ସେମାନେ ନିଜେ ନିଜେ ନେତୃତ୍ୱ ନେଇ ଯାଆନ୍ତି । ସେହି ଦୃଷ୍ଟିକୋଣରୁ କଲେଜ ଛାତ୍ରମାନଙ୍କୁ ଦେଖିଲେ ଜଣାଯାଏ କେତେକ ଛାତ୍ରଙ୍କର ବ୍ୟକ୍ତିତ୍ୱହିଁ ବିଶୃଙ୍ଖଳା ପାଇଁ ଦାୟୀ । ସେହି ବ୍ୟକ୍ତିତ୍ୱ ଯଦି ସୁପଥରେ ପରିଚାଳିତ ହୋଇଥାଏ ତାହା ହେଲେ ସେ ଛାତ୍ର ଜଣେ ଭଲ ବକ୍ତା, ଲେଖକ ବା ବିଶ୍ୱବିଦ୍ୟାଳୟର କୃତୀ ଛାତ୍ର ହୁଏ । ଯଦି କୁପଥରେ ଚାଳିତ ହୋଇଥାଏ ତା’ ହେଲେ ସେ ଛାତ୍ରମାନଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରେ । ତାହାରିଦ୍ୱାରା ପରିଚାଳିତ ହୋଇ ଛାତ୍ରମାନେ ଇଟା ଫିଙ୍ଗିବା, ଗାଡ଼ି ମଟରରେ ନିଆଁ ଲଗାଇବା, ଘେରାଉ କରିବା ଆଦି କ୍ଷତିକାରକ କାମ କରନ୍ତି-। ତେଣୁ କେତେକ ଛାତ୍ରଙ୍କର ବ୍ୟକ୍ତିତ୍ୱହିଁ ବିଶୃଙ୍ଖଳାର କାରଣ ବୋଲି କୁହାଯାଇପାରେ ।

 

ଛାତ୍ରମାନଙ୍କ ମଧ୍ୟରେ ଦାୟିତ୍ୱସମ୍ପନ୍ନ ବ୍ୟକ୍ତିତ୍ୱ ଓ ଦାୟିତ୍ୱହୀନ ବ୍ୟକ୍ତିତ୍ୱ ଏପରି ଦୁଇପ୍ରକାର ଥାଏ । ତେବେ ଛାତ୍ରମାନେ କେବଳ ଦାୟିତ୍ୱହୀନ ବ୍ୟକ୍ତି ହୋଇ ବିଶୃଙ୍ଖଳା ସୃଷ୍ଟି କରନ୍ତି କାହିଁକି ? ଏଥିପାଇଁ ବିଶୃଙ୍ଖଳାର କାରଣସ୍ୱରୂପ ଅନ୍ୟ କିଛି ଥିବାର ଅନୁମାନ କରାଯାଏ । କେତେକ ବ୍ୟକ୍ତିଙ୍କ ମତରେ ପ୍ରଚଳିତ ଶିକ୍ଷା ପଦ୍ଧତି ଛାତ୍ର ବିଶୃଙ୍ଖଳାର କାରଣ ହୋଇଥାଏ । ସେମାନେ କହନ୍ତି ଆଜିକାଲି ଛାତ୍ରମାନେ ବଜାରରେ ମିଳୁଥିବା କେତେକ ଶସ୍ତା ଅର୍ଥ-ବହି ଓ ଟିପ୍‌ପଣୀକୁ ମୁଖସ୍ଥ କରି ସେମାନଙ୍କର ଡିଗ୍ରୀ ହାସଲ କରନ୍ତି । ଯାହା ଫଳରେ ପାଠ ପଢ଼ାରେ ସେମାନଙ୍କର ଅଧିକ ସମୟ ବିନିଯୋଗ କରିବାର ଆବଶ୍ୟକତା ନ ଥାଏ । ତେଣୁ ବଳକା ସମୟରେ ସେମାନେ ଦେଖାଯାଉଥିବା ଦୁଶ୍ଚିନ୍ତାରେ ମଗ୍ନ ରହନ୍ତି । ଅବଶ୍ୟ ଏହାର ପ୍ରତିକାର ସ୍ୱରୂପ ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଖାଦେଇଛି । ବିଶ୍ୱବିଦ୍ୟାଳୟ ତରଫରୁ ବର୍ତ୍ତମାନ ପାକ୍ଷିକ, ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାମାନ କରାଯାଉଅଛି ଏବଂ ସେଥିରେ ଛାତ୍ରମାନେ ଯେଉଁ ନମ୍ବର ରଖନ୍ତି ତାହା ସେମାନଙ୍କର ଯୋଗ୍ୟତାର ପରିଚୟ ଦିଏ ।

 

ଶିକ୍ଷାପଦ୍ଧତିର ଦୋଷତ୍ରୁଟି ଦେଖାଇ କେହି କେହି କହନ୍ତି ଯେ, ଆଜିକାଲି ଛାତ୍ରମାନେ କଲେଜରୁ ବାହାରିବା ପରେ ସେମାନଙ୍କୁ ଯୋଗ୍ୟତା ଅନୁଯାୟୀ କାମ ଯୋଗାଇ ଦିଆଯାଏ ନାହିଁ । ଅନ୍ୟ ପକ୍ଷରେ ସେମାନଙ୍କର ଶିକ୍ଷା ସ୍ୱାଧୀନ ଭାବରେ କାମ କରିବାର ଉପାଦାନ ଯୋଗାଏ ନାହିଁ । ତେଣୁ ଦେଶରେ ବେକାର ସମସ୍ୟା ଦେଖାଦିଏ । ବେକାର ହେବାର ଆଶଙ୍କା ହିଁ ଛାତ୍ରମାନଙ୍କ ମନରେ ଅଶାନ୍ତି ସୃଷ୍ଟି କରେ ଯାହା ଫଳରେ ସେମାନଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୁଏ । ତେଣୁ ଛାତ୍ରମାନେ ଯଦି ବୈଷୟିକ ଶିକ୍ଷା ପାଆନ୍ତେ ତାହାହେଲେ ସେମାନେ ଆଉ ଭବିଷ୍ୟତରେ ବେକାର ହୁଅନ୍ତେ ନାହିଁ । ଏହା ଯଦି ପ୍ରକୃତ କାରଣ ହୋଇଥାଆନ୍ତା ତାହା ହେଲେ ବୈଷୟିକ ଶିକ୍ଷା ଦେଉଥିବା କଲେଜ ଅର୍ଥାତ୍‌ କୃଷି, ପଶୁଚିକିତ୍ସା, ଡାକ୍ତରୀ, ଇଞ୍ଜିନିୟରିଂ କଲେଜମାନଙ୍କରେ ଛାତ୍ର ବିଶୃଙ୍ଖଳା ଦେଖା ଯା’ନ୍ତା ନାହିଁ । କିନ୍ତୁ ଛାତ୍ର ଧର୍ମଘଟ ହେଲେ ଏ କଲେଜଗୁଡ଼ିକ କେବେହେଲେ ବାଦ ପଡ଼ନ୍ତି ନାହିଁ । ଅନେକ ସମୟରେ ସ୍ୱତନ୍ତ୍ର ଭାବରେ ଏ କଲେଜମାନଙ୍କରେ ଛାତ୍ରମାନେ ଧର୍ମଘଟ କରନ୍ତି ।

 

ଛାତ୍ର ବିଶୃଙ୍ଖଳା ସମ୍ବନ୍ଧରେ ଆଲୋଚନା କଲାବେଳେ ଅନେକ ବିଶିଷ୍ଟ ବ୍ୟକ୍ତି କହିବାର ଶୁଣାଯାଏ ଯେ, ସରକାର ବା କଲେଜ କର୍ତ୍ତୃପକ୍ଷ ଛାତ୍ରମାନଙ୍କର ଅଭାବ ଅସୁବିଧା ଦୂର କରନ୍ତି ନାହିଁ । ତେଣୁ ଛାତ୍ରମାନେ ଧର୍ମଘଟ, ଗଣ୍ଡଗୋଳ ଆଦି କରନ୍ତି । ଏ କଥା ଯଦି ସତ ହୁଏ ତାହାହେଲେ ଏଥିପାଇଁ ଛାତ୍ରମାନଙ୍କୁ ଦାୟୀ କରାଯିବା ଉଚିତ । କାରଣ କୌଣସି ଜାଗାରେ ନୂଆ କଲେଜ ବସାଇବା ପୂର୍ବରୁ ସେ କଲେଜ ପାଇଁ କଅଣ ଦରକାର ସେକଥା ସରକାର ଏବଂ କଲେଜ କର୍ତ୍ତୃପକ୍ଷ ବିଚାର କରିବା ଉଚିତ । ସେହିପରି ଜଣେ ଛାତ୍ର କୌଣସି କଲେଜରେ ନାମ ଲେଖାଇବା ପୂର୍ବରୁ ସେ କଥା ବିଚାରକରିବା ଉଚିତ ଏବଂ ଏଭଳି ବିଚାର କରି ଥରେ ନାମ ଲେଖାଇଲେ ତା’ପରେ ପାଠପଢ଼ା, ଗବେଷଣା ଆଦି କାର୍ଯ୍ୟରେ ମନଦେବା ଉଚିତ । କିନ୍ତୁ ଯଦି ନିଜ ଅଞ୍ଚଳର କଲେଜ, ନିଜ ଜାତି ବା ଧର୍ମର କଲେଜ ଭାବି କେହି ନାମ ଲେଖାଏ ଏବଂ ପରେ କଲେଜର ଅଭାବ ଅସୁବିଧାର ସୁଯୋଗ ନେଇ ଧର୍ମଘଟ ବା ଗଣ୍ଡଗୋଳ ଆରମ୍ଭ କରେ ତେବେ ତଦ୍ଦ୍ୱାରା ତା’ର ନିଜର କ୍ଷତି ଘଟେ । ଧର୍ମଘଟ ବା ଆନ୍ଦୋଳନ ଜରିଆରେ ଯଦି ବାରମ୍ବାର ଅଭାବ ଅସୁବିଧାକୁ କର୍ତ୍ତୃପକ୍ଷଙ୍କ ଆଗକୁ ଅଣାଯାଏ ତାହାହେଲେ ଅଭାବ ଅସୁବିଧା ଘୁଞ୍ଚିବା ଦୂରର କଥା, କେବଳ ସେମାନଙ୍କର ମୌଖିକ ପ୍ରତିଶ୍ରୁତି ହିଁ ସାର ହୁଏ ।

 

ଅନେକ ସମୟରେ ଦେଖାଯାଏ ଯେ ଛାତ୍ର ଆନ୍ଦୋଳନ କୌଣସି ଏକ ଅଞ୍ଚଳ, ରାଜ୍ୟ ବା ସମଗ୍ର ଦେଶକୁ ବ୍ୟାପି ଯାଇଥାଏ । ଏଥିପାଇଁ ଉପରୋକ୍ତ କୌଣସି ଗୋଟିଏ କାରଣ ସମ୍ଭବ ନୁହେଁ । ଧର୍ମଘଟ କରିଥିବା ବେଳେ କେହି କେହି ଛାତ୍ରନେତା କହନ୍ତି ଯେ, କେବଳ ସହାନୁଭୂତି ପାଇଁ ସେମାନେ ତାହା କରିଛନ୍ତି । ଛାତ୍ରମାନଙ୍କୁ ପଚାରିବାରେ ସେମାନେ କହନ୍ତି ଯେ, ଅନ୍ୟମାନେ କଲେଜକୁ ଆସି ନଥିବାରୁ ସେମାନେ ଯାଇନାହାନ୍ତି ବା କଲେଜକୁ ନ ଯିବା ପାଇଁ କେତେକ ଛାତ୍ରନେତା ସେମାନଙ୍କୁ ମନା କରିଛନ୍ତି । ଏଥିରୁ ଜଣାଯାଏ ଯେ ଆନ୍ଦୋଳନରେ ଯୋଗ ଦେଇଥିବା ପ୍ରାୟ ଅଧିକାଂଶ ଛାତ୍ର ଆନ୍ଦୋଳନର କାରଣ ବୁଝି ନଥାନ୍ତି । କେବଳ ମୁଷ୍ଟିମେୟ କେତେକ ଛାତ୍ରଙ୍କ ଇଙ୍ଗିତରେ ସେମାନେ ପରିଚାଳିତ ହୁଅନ୍ତି । ସମସ୍ତ ପ୍ରକାର ଆନ୍ଦୋଳନ ପଛରେ ଏହିପରି କ୍ଷୁଦ୍ର ନେତୃତ୍ୱ ଥାଏ । ତେବେ ଏକ ଆନ୍ଦୋଳନ ବ୍ୟାପକ ଆକାର ଧାରଣ କରେ କିପରି ? ତାହାର ପଛରେ ରାଜନୀତି ଓ ରାଜନୀତିଜ୍ଞମାନଙ୍କର ହାତ ଥିବାର ଅନୁମାନ କରାଯାଏ ।

 

ଅନେକ ରାଜନୀତିଜ୍ଞ କହନ୍ତି ଯେ, ଛାତ୍ରମାନେ ସର୍ବଦା ପାଠପଢ଼ା ଓ ଗବେଷଣାରେ ମନଦେବା ଉଚିତ । ସେମାନେ ଦେଶର ଭବିଷ୍ୟତ; ରାଜନୀତିରେ ଭାଗନେଇ ସେମାନଙ୍କର ମୂଲ୍ୟବାନ ସମୟ ନଷ୍ଟ କରନ୍ତୁ ନାହିଁ ଇତ୍ୟାଦି । ଏ କଥା ମୁହଁରେ କହନ୍ତି କିନ୍ତୁ କାମରେ ଅନ୍ୟ ପ୍ରକାର ବ୍ୟବହାର ଦେଖାନ୍ତି । ନିଜ ନାମର ବହୁଳ ପ୍ରସାର ଓ ପ୍ରଚାର ପାଇଁ ସେମାନେ ଛାତ୍ରମାନଙ୍କୁ ମାଧ୍ୟମରୂପେ ଗ୍ରହଣ କରିଯାଆନ୍ତି । ନିର୍ବାଚନ ସମୟରେ ଟଙ୍କାଦେଇ ମଟର ବା ସାଇକେଲ ଦେଇ କିମ୍ବା ବଡ଼ ବଡ଼ ଚାକିରି ଯୋଗାଇ ଦେବାର ଆଶା ଦେଖାଇ ସେମାନେ ଛାତ୍ରମାନଙ୍କୁ ନିଜର କରି ନିଅନ୍ତି । ଯାହା ଫଳରେ ସେମାନଙ୍କଦ୍ୱାରା ପ୍ରଚାର ଅନେକ ସମୟରେ ସୁବିଧା ହୁଏ । କେବଳ ଯେ ଆଶା ଦେଖାନ୍ତି ତାହା ନୁହେଁ, ଅନେକ ସମୟରେ ରାଜନୀତିଜ୍ଞମାନେ ଦଳୀୟ ମୁଖ୍ୟ କର୍ତ୍ତାଙ୍କୁ କହି ନିଜର ବିଶ୍ୱାସଭାଜନ ହୋଇଥିବା ବ୍ୟକ୍ତିକୁ କୌଣସି କାମରେ ନିଯୁକ୍ତ କରନ୍ତି । ଏହାଦ୍ୱାରା ଛାତ୍ରର ଶିକ୍ଷାଗତ ଯୋଗ୍ୟତା ବା ଅଯୋଗ୍ୟତାକୁ କେହି ଦେଖନ୍ତି ନାହିଁ । ଏଭଳି ଅନେକ ସମୟରେ ସେମାନେ ବିଭାଗୀୟ ଶୃଙ୍ଖଳା ଲଙ୍ଘନ କରିଥାଆନ୍ତି । ଅନ୍ୟ ପକ୍ଷରେ ଛାତ୍ରମାନେ ଦେଖନ୍ତି ଯେ ଚାକିରି ଏକ ଅନିଶ୍ଚିତ ସମସ୍ୟା । କୌଣସି ଚାକିରି ନ ପାଇ ସେମାନେ ନିରାଶ ହେବା ବେଳେ ଯଦି କେହି ସେମାନଙ୍କୁ ଆଶା ଦେଖାଏ ତାହାହେଲେ ସେମାନେ ତା’ର ଆଦେଶ ବହନ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ । ଏପରି ପରିସ୍ଥିତିରେ ନିଜର ଶିକ୍ଷାଗତ ଯୋଗ୍ୟତା ବା ଆତ୍ମସମ୍ମାନକୁ ମଧ୍ୟ ସେମାନେ ପଛରେ ପକାଇଦିଅନ୍ତି । ତେଣୁ ରାଜନୈତିକ ନେତାମାନଙ୍କ ମତରେ ଯେତେବେଳେ ଛାତ୍ରମାନେ ପରିଚାଳିତ ହୁଅନ୍ତି, ସେତେବେଳେ ସେମାନଙ୍କ ମଧ୍ୟରେ ଦଳ ସୃଷ୍ଟି ହେବା ବା ଆନ୍ଦୋଳନ ଦେଖାଦେବା ସ୍ୱାଭାବିକ ।

 

ଅନେକ କ୍ଷେତ୍ରରେ ବେସରକାରୀ ବା ବିରୁଦ୍ଧ ରାଜନୈତିକ ଦଳ ଛାତ୍ର ଆନ୍ଦୋଳନକୁ ଅଧିକ ଉତ୍ତେଜିତ କରିଥାଆନ୍ତି । ସେମାନେ ସରକାର ବିରୋଧୀ ରାଜନୈତିକ ଦଳ; ତେଣୁ ସରକାର ଯାହା କିଛି କରୁନା କାହିଁକି ତା’ର ବିରୁଦ୍ଧରେ ଜନମତ ସଂଗ୍ରହ କରିବା ସେମାନଙ୍କର କର୍ତ୍ତବ୍ୟ ବୋଲି ସେମାନେ ଭାବି ଥାଆନ୍ତି । ଭାରତରେ ଗଣତନ୍ତ୍ର ଶାସନ ପ୍ରଚଳନ ହେବା ଦିନଠାରୁ ଆଜିସୁଦ୍ଧା ଦେଖାଯାଇଛି ଯେ, ଖୁବ୍‌ କମ୍‍ ସମୟରେ ବିରୋଧୀ ଦଳମାନେ ସରକାରୀ ଦଳ ସହିତ ଏକମତ ହୋଇଛନ୍ତି । ଯଦି ଛାତ୍ରମାନେ କୌଣସି ଏକ କ୍ଷୁଦ୍ର କାରଣ ନେଇ ଆନ୍ଦୋଳନ ସୃଷ୍ଟି କରନ୍ତି ସେତେବେଳେ ବିରୋଧୀଦଳର ଲୋକମାନେ କହନ୍ତି ଯେ ସମସ୍ତ ପ୍ରକାର ଅସୁବିଧା ପାଇଁ ସରକାର ଦାୟୀ ଏବଂ ସରକାର କେବଳ ଅସୁବିଧା ଦୂର କରିପାରିବ । ଏଥିପାଇଁ ପ୍ରବଳ ଆନ୍ଦୋଳନ ଦରକାର । ସେମାନେ ମଧ୍ୟ କହନ୍ତି ଯେ ସେ ଅସୁବିଧା ପାଇଁ ବିଭାଗୀୟ ମନ୍ତ୍ରୀହିଁ ଦାୟୀ-। ସେ ଇସ୍ତଫା ଦେଲେ ବା ସରକାର ବଦଳିଲେ ଉକ୍ତ ଅସୁବିଧା ଦୂରହେବ । ଏହାଦ୍ୱାରା ଛାତ୍ରମାନଙ୍କର ସମସ୍ୟା ଓ ତା’ର ସମାଧାନର ଆଶା ସୀମିତ ରହିପାରେ ନାହିଁ । ବରଂ ବିରୋଧୀଦଳମାନଙ୍କର ସହାୟତାରେ ଆନ୍ଦୋଳନ ଘନୀଭୂତ ହୋଇଯାଏ ।

 

ଛାତ୍ରବିଶୃଙ୍ଖଳାର ଅନ୍ୟ ଏକ କାରଣ ହେଉଛି ଯେ, ପ୍ରତ୍ୟେକ ମଣିଷ ମନରେ ସୃଷ୍ଟି କରିବା ମନୋଭାବ ଯେପରି ଅଛି ସଂହାର କରିବା ମନୋଭାବ ସେହିପରି କେତେକ ପରିମାଣରେ ଅଛି । ଜୀବନରେ ହତାଶା, ଅଶାନ୍ତି, ଅକୃତକାର୍ଯ୍ୟ ହେବା ଯେତେବେଳେ ଘନୀଭୂତ ହୁଏ ସେତେବେଳେ ମଣିଷ ଏକ ରାକ୍ଷସରେ ପରିଣତ ହୋଇଯାଏ, ଅର୍ଥାତ୍‌ ବାପମାଆ, ଭାଇଭଉଣୀ, ବନ୍ଧୁବାନ୍ଧବ ସମସ୍ତେ ତା’ର ଶତ୍ରୁ ପରି ଜଣାଯାଆନ୍ତି । ପ୍ରତ୍ୟେକ ଛାତ୍ର ଜଣେ ଜଣେ ମଣିଷ; ତେଣୁ ସେମାନଙ୍କର ହତାଶ ମନୋଭାବରୁହିଁ ଛାତ୍ର ଆନ୍ଦୋଳନ ହୋଇଥାଏ । ସେହିପରି ମଣିଷର ଧ୍ୱଂସ କରିବାର ପ୍ରବୃତ୍ତି ଯେତେବେଳେ ଜାଗିଉଠେ ସେତେବେଳେ ଦେଶ ଦେଶ ମଧ୍ୟରେ ଯୁଦ୍ଧ ଲାଗେ ଏବଂ ଯୁଦ୍ଧ ଶେଷ ହେଲେ ମଣିଷର ମନ ବଦଳି ଯାଏ ।

 

କେତେକ ନୀତିବାଦୀ ବ୍ୟକ୍ତି କହନ୍ତି ଯେ ଆଧୁନିକ ଯୁବସମାଜ ନୀତିହୀନ ହୋଇ ପଡ଼ିଛନ୍ତି । ସେମାନେ ଯଦି ଗାନ୍ଧୀ, ନେହେରୁ ଆଦି ନେତାମାନଙ୍କ ଆଦର୍ଶ ରଖି ପାରନ୍ତେ କିମ୍ବା ରାମଚନ୍ଦ୍ର, ଶ୍ରୀକୃଷ୍ଣ ଆଦି ଧର୍ମବୀରମାନଙ୍କର ପଥ ଅନୁକରଣ କରିପାରନ୍ତେ ତାହାହେଲେ ସେମାନଙ୍କର ନୈତିକ ଉନ୍ନତି ହୋଇପାରନ୍ତା । ଏ କଥା ସତ ଯେ ସାମାଜିକ ପରିସ୍ଥିତିକୁ ନେଇ ମଣିଷର ବ୍ୟକ୍ତିତ୍ୱ ଗଢ଼ି ଉଠେ । ରାମଚନ୍ଦ୍ରଙ୍କ ସମୟରେ ସାମାଜିକ ପରିସ୍ଥିତି ଯାହା ଥିଲା ତାହା ଶ୍ରୀକୃଷ୍ଣଙ୍କ ସମୟରେ ନଥିଲା । ସେହିପରି ଶ୍ରୀକୃଷ୍ଣଙ୍କ ସମୟର ସାମାଜିକ ପରିସ୍ଥିତି ଗାନ୍ଧୀ ବା ନେହେରୁଙ୍କ ସମୟରେ ନଥିଲା । ବର୍ତ୍ତମାନର ସମାଜ ଉପରୋକ୍ତ ପ୍ରତ୍ୟେକ ସମାଜଠାରୁ ସମ୍ପୂର୍ଣ୍ଣ ପୃଥକ; ତେଣୁ ସେମାନଙ୍କୁ ଆଦର୍ଶ ରଖି ବା ସେମାନଙ୍କର ପଥ ଅନୁକରଣ କରି ଚଳିଲେ ଆଧୁନିକ ସମାଜଠାରୁ ଦୂରେଇ ଯିବାକୁ ହେବ । ହେଲେସୁଦ୍ଧା ସେମାନେ ଯେ ଆମର ପୂଜ୍ୟ ଏଥିରେ ସନ୍ଦେହ ନାହିଁ । ସେମାନଙ୍କର କେତେକ ଆଦର୍ଶ ଓ ନୀତି ସବୁ ଯୁଗରେ ସମସ୍ତଙ୍କଦ୍ୱାରା ଗ୍ରହଣୀୟ । ଉଦାହରଣସ୍ୱରୂପ ହିନ୍ଦୁ ଧର୍ମଗ୍ରନ୍ଥ ‘‘ଗୀତା’’ରେ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ନୀତିକୁ ଧର୍ମ ଦୃଷ୍ଟିରୁ ଦେଖିଲେ ତାହା ସୀମିତ ହୋଇପାରେ କିନ୍ତୁ ରାଜନୀତି ଓ ସାମାଜିକ ଦୃଷ୍ଟିକୋଣରୁ ଦେଖିଲେ ତାହା ଯୁଗ ଯୁଗ ଧରି ଆଦୃତ ହେବ । ସେ ଦୃଷ୍ଟିରୁ ଛାତ୍ରମାନେ କୌଣସି ମହାପୁରୁଷଙ୍କୁ ଆଦର୍ଶରଖି ଚଳିଲେ ଛାତ୍ର ବିଶୃଙ୍ଖଳା କେତେକ ପରିମାଣରେ ଲାଘବ ହୋଇପାରନ୍ତା ।

 

କେତେକ ଛାତ୍ରଛାତ୍ରୀ ବିଶୃଙ୍ଖଳାର କାରଣସ୍ୱରୂପ କହିବାର ଶୁଣାଯାଇଛି ଯେ, ସେମାନଙ୍କପାଇଁ ଭବିଷ୍ୟତରେ ଚାକିରିର ସୁବିଧା ନ ଥିବା, ଅନ୍ୟ ଦେଶ ତୁଳନାରେ ଭାରତ ଅର୍ଥନୈତିକ କ୍ଷେତ୍ରରେ ପଛରେ ପଡ଼ିଥିବା ଏବଂ ଦେଶର ବୟୋଜ୍ୟେଷ୍ଠମାନେ ଯୁବକମାନଙ୍କର ସମସ୍ତ କାର୍ଯ୍ୟରେ ହସ୍ତକ୍ଷେପ କରିବା ଫଳରେ ଛାତ୍ର ବିଶୃଙ୍ଖଳା ଦେଖାଯାଉଛି । ଶେଷୋକ୍ତ କଥା ଯଦି ସତ୍ୟ ହୋଇଥାଏ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କର ଯଦି ଏହିପରି ମତାମତ ହୋଇଥାଏ ତେବେ ଏହା କେତେଦୂର ଯେ ସାଙ୍ଘାତିକ ତାହା କଳ୍ପନା କରାଯିବାର କଥା । କାରଣ ଏହାଦ୍ୱାରା ବୟୋଜ୍ୟେଷ୍ଠମାନଙ୍କର କାର୍ଯ୍ୟକୁ ନାପସନ୍ଦ କରିବାର ପ୍ରବୃତ୍ତି ଛାତ୍ରମାନଙ୍କଠାରେ ଦେଖାଦେଉଛି । ତେଣୁ ଏଭଳି ପ୍ରବୃତ୍ତିର ପରୀକ୍ଷା ପାଇଁ ଦେଶର ଶିକ୍ଷାବିତ୍‌ ତଥା ଚିନ୍ତାଶୀଳ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଆଜିଠାରୁ ଚେଷ୍ଟାକରିବା ଉଚିତ୍‌ । ତାହା ସଙ୍ଗେ ସଙ୍ଗେ ନମ୍ର ଓ ଭଦ୍ର ବ୍ୟବହାର ଶିକ୍ଷାକରିବା ପାଇଁ ଛାତ୍ରମାନଙ୍କୁ ପ୍ରବର୍ତ୍ତାଇବା ଉଚିତ ।

Image

 

ଛାତ୍ର ଓ ରାଜନୀତି

 

ଛାତ୍ରମାନଙ୍କର ମୁଖ୍ୟ କର୍ତ୍ତବ୍ୟ ହେଲା, ପାଠ ପଢ଼ିବା । ପାଠ ପଢ଼ି ବିଭିନ୍ନ ପରୀକ୍ଷାରେ ପାଶ୍‌ କଲେ ସେମାନେ ପ୍ରଫେସର, ଡାକ୍ତର, ଇଞ୍ଜିନିୟର ଆଦି ହୋଇପାରନ୍ତେ । ଗବେଷଣା କରି ବୈଜ୍ଞାନିକ ମଧ୍ୟ ହୋଇପାରନ୍ତେ । କିନ୍ତୁ ତା ପରିବର୍ତ୍ତେ କେତେକ ଛାତ୍ର ପାଠପଢ଼ାକୁ ଗୌଣ କର୍ମ ବୋଲି ଭାବି ପ୍ରତ୍ୟକ୍ଷ ରାଜନୀତିକୁ ମୁଖ୍ୟ କର୍ତ୍ତବ୍ୟରୂପେ ପାଳନ କରୁଛନ୍ତି । ପ୍ରତ୍ୟକ୍ଷ ରାଜନୀତିରେ ଭାଗ ନେଇ ସେମାନେ ଖୁବ୍‌ ଛୋଟ ଛୋଟ କାରଣରୁ ମନ୍ତ୍ରୀଙ୍କୁ ଦାୟୀ କରୁଛନ୍ତି; ମନ୍ତ୍ରୀଙ୍କର ଇସ୍ତଫା ଦାବି କରୁଛନ୍ତି; ଦେଶର ସମସ୍ତ ଶାସକଙ୍କୁ ବଦଳାଇ ନୂତନ ସରକାର ଗଠନ କରିବାର ଧ୍ୱନି ଦେଉଛନ୍ତି । ସେଥିପାଇଁ ଆନ୍ଦୋଳନ, ଧର୍ମଘଟ, ହରତାଳ, ବନ୍ଦ, ଘେରାଉ ଆଦି ବିଭିନ୍ନ ରାଜନୈତିକ ପନ୍ଥା ଗ୍ରହଣ କରୁଛନ୍ତି । ଏହିପରି ରାଜନୈତିକ କର୍ତ୍ତବ୍ୟ ସମ୍ପାଦନ କରୁଥିବାରୁ ସେମାନଙ୍କର ବାପ ମାଆ, ଅଭିଭାବକ, ଶିକ୍ଷକ ତଥା ଦେଶର ଶାସକମାନେ ଅଧିକ ଚିନ୍ତିତ ହୋଇ ପଡ଼ୁଛନ୍ତି ।

 

ସମାଜବିଜ୍ଞାନବିତ୍‌ମାନେ ମତ ଦିଅନ୍ତି ଯେ ଛାତ୍ରମାନେ ଯାହା ସବୁ କରୁଛନ୍ତି, ତାହା ସେମାନଙ୍କର ଜନ୍ମଗତ ଗୁଣ ନୁହେଁ । ବରଂ ସମାଜ, ପରିବେଷ୍ଟନୀରୁ ଏ ସବୁ ଶିକ୍ଷା କରୁଛନ୍ତି ଏବଂ ପ୍ରେରଣା ଲାଭ କରୁଛନ୍ତି ।

 

ପରିବେଷ୍ଟନୀ ଭିତରେ ପ୍ରଥମେ ବାପ ମାଆଙ୍କ କଥା ବିଚାର କରାଯାଉ । ଆମ ଦେଶର ଅଧିକାଂଶ ବାପା ମାଆ ଶିକ୍ଷିତ ନୁହନ୍ତି । ତେଣୁ ଶିକ୍ଷା ସମ୍ବନ୍ଧରେ ସେମାନଙ୍କର ବିଶେଷ ଅଭିଜ୍ଞତା ନ ଥାଏ । କେବଳ ପୁଅ ଝିଅଙ୍କୁ ସ୍କୁଲ କଲେଜକୁ ପଠାଇଦେଲେ ସେମାନଙ୍କର କର୍ତ୍ତବ୍ୟ ଶେଷ ହୋଇଗଲା ବୋଲି ଭାବନ୍ତି । ସେ ପରିସ୍ଥିତିରେ ପିଲାମାନେ ବାପ ମାଆଙ୍କ ପାଖରେ ରହିବାବେଳେ ଅଧିକ ଓ ଉତ୍ତମ ଶିକ୍ଷା ଲାଭ କରିବା ବିଷୟରେ କୌଣସି ପ୍ରେରଣା ପାଆନ୍ତି ନାହିଁ । ଦେଶରେ ଯେଉଁ କେତେକ ଖୁବ୍‌ ଉଚ୍ଚଶିକ୍ଷିତ ବ୍ୟକ୍ତି ଅଛନ୍ତି, ସେମାନେ ନିଜ ନିଜ କାମରେ ଏତେ ବ୍ୟସ୍ତ ରହନ୍ତି ଯେ, ପିଲାମାନଙ୍କର ଶିକ୍ଷା ପ୍ରତି ଦୃଷ୍ଟି ଦେଇ ପାରନ୍ତି ନାହିଁ । ଉଦାହରଣ ସ୍ୱରୂପ କୌଣସି ଅଧ୍ୟକ୍ଷ ବା ପ୍ରଧାନ ଶିକ୍ଷକ ଯଦି କେବେ ଛାତ୍ରମାନଙ୍କ ମଙ୍ଗଳ ପାଇଁ କିଛି ଆଲୋଚନା କରିବାକୁ ଅଭିଭାବକମାନଙ୍କୁ ଡକାନ୍ତି, ସେତେବେଳେ ସେମାନେ କଲେଜ ବା ସ୍କୁଲକୁ ଯିବା ତ ଦୂରର କଥା କୌଣସି ଉତ୍ତର ମଧ୍ୟ ଦିଅନ୍ତି ନାହିଁ । ଏହାଦ୍ୱାରା ନିଜ ପୁଅଝିଅମାନଙ୍କର ଶିକ୍ଷାର ପ୍ରଗତି ପାଇଁ ସେମାନେ କେତେଦୂର ଆଗ୍ରହୀ ତାହା ଜଣାପଡ଼େ । ଯେଉଁମାନଙ୍କର ଅଧିକ ଟଙ୍କା ଥାଏ ସେମାନେ ଜଣେ ଜଣେ ଗୃହଶିକ୍ଷକ ନିଯୁକ୍ତ କରି ନିଜର କର୍ତ୍ତବ୍ୟ ସମ୍ପାଦିତ ହୋଇଗଲା ବୋଲି ମନେ କରନ୍ତି । ତେଣୁ ଏପରି ପରିବେଷ୍ଟନୀରେ ଛାତ୍ରମାନେ ବାପ ମାଆଙ୍କଠାରୁ ଶିକ୍ଷା ପାଇଁ କୌଣସି ପ୍ରେରଣା ପାଇବାର ସୁଯୋଗ ପାଆନ୍ତି ନାହିଁ ।

 

ଦେଶର ଅଧିକ ଲୋକ ଭାବନ୍ତି ଯେ ଶିକ୍ଷକମାନେ ଇଚ୍ଛାକଲେ ଛାତ୍ରମାନଙ୍କୁ ଠିକ୍‌ ବାଟରେ ଚଳାଇ ପାରିବେ ଏବଂ ଉତ୍ତମ ଶିକ୍ଷା ମଧ୍ୟ ଦେଇପାରିବେ । କାଳ୍ପନିକ ଦୃଷ୍ଟିକୋଣରୁ ଏ କଥା ଭାବିବା ଠିକ୍‌ କିନ୍ତୁ ବାସ୍ତବିକ କ୍ଷେତ୍ରରେ ଏହା କେତେଦୂର ସମୀଚୀନ ସେକଥା ବିଚାର କରାଯିବା ଉଚିତ୍‌ । ଶିକ୍ଷକମାନଙ୍କର କଥା ଓ କାର୍ଯ୍ୟକୁ ଛାତ୍ରମାନେ ଅନୁକରଣ କରିବାକୁ ହେଲେ ଶିକ୍ଷକଙ୍କର ବ୍ୟକ୍ତିତ୍ୱ ଅଧିକ ଉଚ୍ଚ ହେବା ଦରକାର । କିନ୍ତୁ ଅନେକ କ୍ଷେତ୍ରରେ ତାହା ସମ୍ଭବ ହୋଇ ପାରୁନାହିଁ । କାରଣ, ପ୍ରଥମରେ ସେମାନଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ । ଉଚ୍ଚ ଶିକ୍ଷା ଲାଭ କରି ଶିକ୍ଷକତା କରିବା ଫଳରେ ଯେଉଁ ଅର୍ଥ ଉପାର୍ଜ୍ଜନ କରନ୍ତି ତାହା ସେମାନଙ୍କ ପରିବାରର ଭରଣ ପୋଷଣ ତଥା ପିଲାମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଯଥେଷ୍ଟ ହୁଏ ନାହିଁ । ଅଥଚ ସେହିପରି ଶିକ୍ଷା ଲାଭ କରି ଏବଂ କ୍ଷେତ୍ରବିଶେଷରେ ଅଳ୍ପ ଶିକ୍ଷିତ ବ୍ୟକ୍ତି ମଧ୍ୟ ଅନ୍ୟ କେତେକ ଚାକିରିରେ ଅଧିକ ଉପାର୍ଜନ କରି ଅଧିକ ସଞ୍ଚୟ କରି ପାରୁଛନ୍ତି ଏବଂ ଖୁବ୍‌ ସୁଖ ସ୍ୱାଚ୍ଛନ୍ଦ୍ୟରେ ରହିପାରୁଛନ୍ତି । ଏପରିକି ବ୍ୟବସାୟୀ ଏବଂ ଠିକାଦାରମାନଙ୍କର ଚଳଣି ଶିକ୍ଷକମାନଙ୍କର ଚଳଣିଠାରୁ ଖୁବ୍‌ ଉଚ୍ଚରେ । ଅନେକ କହିପାରନ୍ତି ଯେ, ଶିକ୍ଷକମାନେ ସମ୍ମାନ ଲାଭ କରନ୍ତି । କିନ୍ତୁ ସେମାନଙ୍କୁ ଯେତେବେଳେ ପୋଲିସମାନେ ପ୍ରହାର କରନ୍ତି, ଅସାମାଜିକ ବ୍ୟକ୍ତିମାନେ ଆକ୍ରମଣ କରି ଧନ ଜୀବନ ଉପରେ ଆଶଙ୍କା ସୃଷ୍ଟି କରାନ୍ତି ଏବଂ ଯେତେବେଳେ କେତେ ଛାତ୍ର ସଭା ସମିତିରେ ରାସ୍ତାଘାଟରେ ନିନ୍ଦିତ, ଅପମାନିତ କରାନ୍ତି ଏବଂ ମାଡ଼ ଦିଅନ୍ତି ସେତେବେଳେ ଶିକ୍ଷକମାନଙ୍କର ସମ୍ମାନ ଯେ କିପରି ଭାବରେ ବଜାୟ ରହେ, ତାହା ସମସ୍ତେ ଅନୁମାନ କରି ପାରୁଥିବେ । ଏପରି ଦୁଃସମୟରେ ସମାଜ ଯେପରି ନୀରବଦ୍ରଷ୍ଟା ଭାବରେ ରହିଯାଏ, ତାହା ତା’ର ଶିକ୍ଷକଙ୍କ ଶ୍ରଦ୍ଧା ଓ ସମ୍ମାନର ପରିଚୟ ଦିଏ । ଏ ପରିପ୍ରେକ୍ଷୀରେ ସେପ୍ଟେମ୍ବର ପାଞ୍ଚତାରିଖଟିକୁ ‘ଗୁରୁଦିବସ’ ରୂପେ ପାଳନ କରାଯାଇ ଯେପରି ପ୍ରହସନ କରାଯାଏ, ‘ତାହା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଅନେକ ଲୋକ ମନେ କରନ୍ତି ।

 

ବର୍ତ୍ତମାନ ଜଣାଯାଉଛି ଛାତ୍ରମାନେ ଅଭିଭାବକ ଓ ଶିକ୍ଷକମାନଙ୍କର ଶାସନାଧୀନ ହୋଇ ଶିକ୍ଷାପ୍ରତି ପ୍ରୟାସୀ ହେବା ସମ୍ଭବ ନୁହେଁ । କିନ୍ତୁ ସେମାନେ ଯେ କୋମଳମତି ବାଳକ ବାଳିକା ଏ କଥା ସମସ୍ତେ ସ୍ୱୀକାର କରିବେ ଏବଂ ସେ ବୟସରେ ଅଧିକ ଶିକ୍ଷା ଲାଭ କରିବାର ଆଗ୍ରହ ସେମାନଙ୍କର ବଳବତ୍ତର ଥାଏ । ଶାରୀରିକ ଓ ମାନସିକ ଦୃଷ୍ଟିକୋଣରୁ ସେମାନେ ଅପରିପକ୍ୱ ଥିବାରୁ ସେ ବୟସରେ ଅଧିକ ଶିକ୍ଷା ଲାଭ କରିପାରନ୍ତେ ମାତ୍ର ଉପରୋକ୍ତ ବିଭିନ୍ନ କାରଣରୁ ଅଭିଭାବକ ଓ ଶିକ୍ଷକଙ୍କ ଶିକ୍ଷାଦାନକୁ ସେମାନେ ନ୍ୟୂନ ଦୃଷ୍ଟିରେ ଦେଖି ରାଜନୀତିଜ୍ଞମାନଙ୍କର କାର୍ଯ୍ୟକୁ ଅଧିକ ପସନ୍ଦ କରିଥାନ୍ତି ଏବଂ ସେଥିପ୍ରତି ସେମାନେ ଆକୃଷ୍ଟ ହୁଅନ୍ତି ।

 

ଛାତ୍ରମାନେ ରାଜନୀତି ପ୍ରତି ଅଧିକ ଆଗ୍ରହୀ ହେବାର ଯେ ଯୁକ୍ତିଯୁକ୍ତ କାରଣ ନାହିଁ ତାହା ନୁହେଁ । ଯେଉଁ ଛାତ୍ରମାନେ ପ୍ରତ୍ୟକ୍ଷ ରାଜନୀତିରେ ପୂର୍ଣ୍ଣପ୍ରାଣରେ ଭାଗ ନିଅନ୍ତି, ସେମାନଙ୍କର ସ୍ୱତନ୍ତ୍ର ଧରଣର ବ୍ୟକ୍ତିତ୍ୱ ହୋଇଥାଏ । ପାଠପଢ଼ାରେ ଯେଉଁ କଷ୍ଟ, ଦିନ ଓ ରାତି ଘଣ୍ଟା ଘଣ୍ଟା ଧରି ଯେଉଁ ମାନସିକ ଓ ଶାରୀରିକ ପରିଶ୍ରମ ଏବଂ ତତ୍‌ ସଙ୍ଗେ ସଙ୍ଗେ କାୟ ମନୋବାକ୍ୟରେ ଯେଉଁ ଏକାଗ୍ରତା ତାହା ସେମାନଙ୍କର ନ ଥାଇପାରେ । ଅନ୍ୟ ପକ୍ଷରେ ସଭା କରି ଖୁବ୍‌ ବଡ଼ ପାଟିରେ ଭାଷଣ ଦେବା, ଦଳ ବାନ୍ଧି ରାସ୍ତାଘାଟରେ ସ୍ଲୋଗାନ ଦେବା, ‘‘ଘେରାଉ’’, ‘‘ବନ୍ଦ’’ ଆଦି କାର୍ଯ୍ୟରେ ଭାଗ ନେବାରେ ଏବଂ ରାଜନୀତିରେ ଭାଗନେଇ ଆନ୍ଦୋଳନ କରିବା କିମ୍ବା ଖବର କାଗଜରେ ନିଜ ନାମ ବା ଫୋଟ ବାହାର କରିବାପାଇଁ ସେମାନଙ୍କର ଅଧିକ ଆଗ୍ରହ ଥାଇପାରେ । ତେଣୁ ରାଜନୀତି କରିବା ଯେତେ ସହଜ ଓ ସୁଲଭ ଉପାୟ, ପାଠପଢ଼ି ଶିକ୍ଷା କ୍ଷେତ୍ରରେ କୃତକାର୍ଯ୍ୟ ହେବା ସେତେ ସହଜ ନୁହେଁ ବୋଲି ସେମାନେ ଭାବିପାରନ୍ତି ।

 

ଛାତ୍ରମାନେ ରାଜନୀତି ପ୍ରତି ବିଶେଷ ଆକୃଷ୍ଟ ହେବାର ଅନ୍ୟ ଏକ କାରଣ ହେଲା ଯେ, ସମାଜରେ ରାଜନୀତିଜ୍ଞମାନଙ୍କର ପ୍ରତିଷ୍ଠା ଓ ପ୍ରତିପତ୍ତିକୁ ସେମାନେ ଅନୁକରଣ କରିବାକୁ ଅଧିକ ପସନ୍ଦ କରନ୍ତି । ଶାସନର ବିକେନ୍ଦ୍ରିକରଣ ହେତୁ ଗାଁ ଗହଳରେ ପଞ୍ଚାୟତିରାଜ ପ୍ରତିଷ୍ଠା ହେବା ପରେ ଅଧିକାଂଶ ଲୋକଙ୍କର ରାଜନୈତିକ ଚେତନା ଜାଗ୍ରତ ହୋଇଅଛି । ସେମାନେ ଦେଖନ୍ତି ଯେ, ଗାଁ ଗହଳର ସରପଞ୍ଚ, ଚେୟାରମ୍ୟାନ୍‌ ବା ଏମ୍‌. ଏଲ୍‌. ଏ ଯେପରି ସମ୍ମାନିତ ହୁଅନ୍ତି ଅନ୍ୟ କେହି ସେପରି ହୁଅନ୍ତି ନାହିଁ । ମନ୍ତ୍ରୀ ବା ରାଜନୈତିକ ନେତା କୌଣସି ସଭାକୁ ଗଲେ ଯେପରି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପାଆନ୍ତି, ସେପରି ଅନ୍ୟ କେହି ପାଆନ୍ତି ନାହିଁ । ମନ୍ତ୍ରୀ, ଏମ୍‌. ଏଲ୍‌. ଏ. ବା ଚେୟାରମ୍ୟାନ୍‌ ଯେତେ ଅଳ୍ପ ଶିକ୍ଷିତ ହେଲେ ମଧ୍ୟ ଶାସନର ମୁଖ୍ୟ ହିସାବରେ ଯେପରି ଖୁବ୍‌ ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କୁ ଶାସନ କରନ୍ତି ତାହା ସେମାନଙ୍କୁ ଅଭିଭୂତ କରିଦିଏ ଏବଂ ଯଥେଷ୍ଟ ପ୍ରରଣା ଯୋଗାଏ । ଏମାନେ ଯେ କେବଳ ଶାସନର ମୁଖ୍ୟ ତା ନୁହେଁ, ଦେଶରେ ଧନ ବଣ୍ଟନର ଚାବିକାଠି ମଧ୍ୟ ଏମାନଙ୍କ ହାତରେ ଥାଏ । କୌଣସି ଅନୁଷ୍ଠାନ ବା ସଭାକୁ ଯାଇ ଅର୍ଥ ବିତରଣ କରିବାର କ୍ଷମତା ମନ୍ତ୍ରୀ ବା ରାଜନୈତିକ ନେତାମାନଙ୍କର ଯେପରି ଅଛି, ସେପରି କ୍ଷମତା କୌଣସି ଡାକ୍ତର, ଇଞ୍ଜିନିୟର, ପ୍ରଫେସର ବା କୌଣସି ବୈଜ୍ଞାନିକର ମଧ୍ୟ ନାହିଁ । ତେଣୁ କେବଳ ଛାତ୍ର କାହିଁକି ସାଧାରଣ ଜନତା ମଧ୍ୟ ରାଜନୀତିରେ ଭାଗ ନେଇ ମନ୍ତ୍ରୀ ହେବାପାଇଁ ଯେପରି ଆଗ୍ରହ ପ୍ରକାଶ କରିବ, ଅନ୍ୟ କେଉଁଥିପାଇଁ ସେପରି ହେବ ନାହିଁ । କେତେକ ଶିକ୍ଷାବିତ୍‌ କହିବାର ଶୁଣାଯାଏ ଯେ ଛାତ୍ରମାନେ ପରୀକ୍ଷାରେ ଫେଲ୍‌ ହୋଇ ବା ତୃତୀୟ ଶ୍ରେଣୀରେ ପାସ୍‌ କରି ମନ୍ତ୍ରୀ ହେବାପାଇଁ ଯେପରି ପସନ୍ଦ କରନ୍ତି, ପ୍ରଥମ ବା ଦ୍ୱିତୀୟ ଶ୍ରେଣୀରେ ପାସ୍‌ କରି କିରାଣୀ ହେବାପାଇଁ ସେପରି ପସନ୍ଦ କରନ୍ତି ନାହିଁ ।

 

ଦେଶରେ କ୍ରମବର୍ଦ୍ଧମାନ ବେକାର ସମସ୍ୟା ଛାତ୍ରମାନଙ୍କୁ ରାଜନୀତିର ଛାୟା ତଳେ ଆଶ୍ରୟ ନେବା ପାଇଁ ଅଧିକ ଇନ୍ଧନ ଯୋଗାଉଛି । ଜଣେ ଛାତ୍ର ଯେତେବେଳେ ଦେଖୁଛି ଯେ, ବର୍ଷକୁ ଶହ ଶହ ଟଙ୍କା ଖର୍ଚ୍ଚ କରି, ଦେହରୁ ରକ୍ତ କ୍ଷୟକରି ସେ କେତୋଟି ସାର୍ଟିଫିକେଟ ସଂଗ୍ରହ କରୁଛି ଯାହାର କି ବାସ୍ତବ ଦୁନିଆଁରେ କୌଣସି ମୂଲ୍ୟ ରହୁନାହିଁ, ସେତେବେଳେ ତା’ର ପାଠପଢ଼ା ପ୍ରତି ବୈରାଗ୍ୟ ଜାତ ହେବା ସ୍ୱାଭାବିକ । ସାଧାରଣ ଶିକ୍ଷା କିମ୍ବା ବୈଷୟିକ ଶିକ୍ଷାରେ ଛାତ୍ରମାନେ ଯୋଗ୍ୟତା ହାସଲ କରି ମଧ୍ୟ କୌଣସିଠାରେ ଚାକିରି ନ ପାଇବା ଫଳରେ ସେମାନଙ୍କ ମନରେ ହତାଶା ଭାବ ସୃଷ୍ଟି ହୁଏ । ଅନ୍ୟ ପକ୍ଷରେ ଛାତ୍ର ଅବସ୍ଥାରୁ କୌଣସି ଏକ ରାଜନୈତିକ ଦଳରେ ନାମ ଲେଖାଇ ଗୋଷ୍ଠୀଗତ ଜୀବନ ନିର୍ବାହ କରିବାରେ ସେମାନେ ଅପାର ଆନନ୍ଦ ଓ ଆତ୍ମସନ୍ତୋଷ ଲାଭ କରନ୍ତି । ଛାତ୍ର ଜୀବନର ଏହି ରାଜନୈତିକ ତାଲିମ ପର ଜୀବନରେ ସେମାନଙ୍କୁ ଜଣେ ନେତା, ସୁଯୋଗ ମିଳିଲେ ଜଣେ ମନ୍ତ୍ରୀ ହେବାରେ ସାହାଯ୍ୟ କରେ ବୋଲି ସେମାନଙ୍କର ପୂର୍ଣ୍ଣ ବିଶ୍ୱାସ ରହେ । ଏହି ଦୃଷ୍ଟିରୁ ଭବିଷ୍ୟତରେ ଜଣେ ସଫଳକାମ ବ୍ୟକ୍ତି ହେବାପାଇଁ ଆଶା ରଖି ସେମାନେ ଛାତ୍ରଜୀବନରୁ ରାଜନୀତିର ଆଶ୍ରୟ ନେଇଥାଆନ୍ତି ।

 

ଛାତ୍ରମାନଙ୍କ ମନରେ ରାଜନୀତି ପ୍ରବେଶ କରିବାର ଅନ୍ୟତମ କାରଣ ହେଲା ରାଜନୀତିଜ୍ଞମାନଙ୍କର ପ୍ରଭାବ । ପୁରୁଖା ରାଜନୈତିକ କର୍ମୀମାନେ ବେସରକାରୀ ଦଳରେ ଥିବାବେଳେ କେତେକ ଛାତ୍ରଙ୍କୁ ମନ୍ତ୍ରଣା ଦେଇ ଯେପରି ସରକାରଙ୍କ ବିରୁଦ୍ଧରେ ଅସ୍ତ୍ରରୂପେ ବ୍ୟବହାର କରନ୍ତି, ସରକାରୀ ଦଳର ନେତାମାନେ ସେପରି ଛାତ୍ରମାନଙ୍କୁ ଚାକିରିର ଉଚ୍ଚ ଆଶା ଦେଖାଇ ପ୍ରତି-ଅସ୍ତ୍ର ରୂପେ ବ୍ୟବହାର କରନ୍ତି ଏବଂ ସେମାନଙ୍କଦ୍ୱାରା ନିଜର ଧର୍ମ ପ୍ରଚାର କରନ୍ତି । ଏହା ଫଳରେ ସରଳ, ନିରୀହ କୋମଳମତି ବାଳକ ବାଳିକାମାନେ ନିଜର ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହୋଇଯାଆନ୍ତି । ଯେତେବେଳେ ରାଜନୈତିକ ଶିକ୍ଷା ପାଇ ଛାତ୍ରମାନେ ଭସ୍ମାସୁର ପରି ସେମାନଙ୍କର ରାଜନୈତିକ ଗୁରୁଙ୍କୁ ଅପଦସ୍ଥ କରନ୍ତି, ସେତେବେଳେ ଗୁରୁ ନିଜର ଭୁଲ ବୁଝିପାରନ୍ତି-। କିନ୍ତୁ ଅବସ୍ଥା ଅଣାୟତ୍ତ ହୋଇଯାଇଥାଏ ।

 

ରକ୍ଷଣଶୀଳ ବ୍ୟକ୍ତିମାନେ ମତ ଦିଅନ୍ତି ଯେ ଛାତ୍ରମାନେ ବିଶ୍ୱବିଦ୍ୟାଳୟର ପରିସୀମା ମଧ୍ୟରେ ରହି ସବୁବେଳେ କ୍ଳାସରୁମ, ଲାଇବ୍ରେରୀ ଏବଂ ପାଠପଢ଼ାରେ ନିଜର ସମୟ କଟାଇ ଆବିଳତାପୂର୍ଣ୍ଣ ରାଜନୀତିକୁ ଦୂରରେ ରଖିବା ଉଚିତ । କିନ୍ତୁ ସେମାନେ ତିନୋଟି ଦିଗକୁ ଦୃଷ୍ଟି ପକାଇ ପାରନ୍ତି ନାହିଁ । ସେଥିରୁ ଗୋଟିଏ ହେଲା ରାଜନୀତିଜ୍ଞମାନଙ୍କର ବିଶ୍ୱବିଦ୍ୟାଳୟ ଉପରେ ପ୍ରଭାବ; ଦ୍ୱିତୀୟଟି ହେଲା ପୋଲିସ, ଯେଉଁମାନେ କି ଶାନ୍ତି ଶୃଙ୍ଖଳା ନାମରେ ଅନେକ ସମୟରେ ଅକଥନୀୟ ଅତ୍ୟାଚାର କରନ୍ତି ଏବଂ ତୃତୀୟଟି ହେଲା ସୈନ୍ୟବାହିନୀ, ଯେଉଁମାନେ ବିପଦ ଦୂର କରିବାକୁ ଆସି ଛାତ୍ରମାନଙ୍କ ମନରେ ଭୟ ସୃଷ୍ଟି କରନ୍ତି । ତେଣୁ ବିଶ୍ୱବିଦ୍ୟାଳୟ ଭିତରେ ରହି ଛାତ୍ରମାନଙ୍କର ଏକାଗ୍ରତା ଆସିବାରେ ଏହିପରି କେତେକ ପ୍ରତିବନ୍ଧକ ସୃଷ୍ଟିହୁଏ ।

 

ଜଣେ ଛାତ୍ର କେବେହେଲେ ପାଣ୍ଡିତ୍ୟପୂର୍ଣ୍ଣ କୋଠରୀ ଭିତରେ ଆବଦ୍ଧ ରହି ପାରିବ ନାହିଁ । ସାମାଜିକ ଓ ସାଂସ୍କୃତିକ ପରିବେଷ୍ଟନୀଦ୍ୱାରା ସେ ନିଶ୍ଚୟ ପ୍ରଭାବିତ ହେବ । ଯେତେବେଳେ ଜଣେ ଆମେରିକାର ଛାତ୍ର ଟେଲିଭିଜନରେ ଦେଖିବ ଯେ ତା’ର ଦେଶର ସୈନ୍ୟମାନେ ଭିଏତନାମ୍‌ର ଅଧିବାସୀଙ୍କର ବସବାସ ଓ ନିତିଦିନିଆଁ ଜୀବନକୁ ଛାରଖାର କରି ଆନନ୍ଦ ଉପଲବ୍‌ଧି କରୁଛନ୍ତି ସେତେବେଳେ ସେ କେବେହେଲେ ସ୍ଥିର ହୋଇ ରହିପାରିବ ନାହିଁ । ଇଂଲଣ୍ଡର ଜଣେ ଛାତ୍ର ଯେତେବେଳେ ଜାଣିବ ଯେ ଶତକଡ଼ା ୮୦ ଭାଗ ଜାତୀୟ ସମ୍ପତ୍ତି ତା’ର ଦେଶର ଶତକଡ଼ା ୧୦ ଭାଗ ଲୋକଙ୍କ ହାତରେ ପୁଞ୍ଜିଭୂତ ହୋଇ ରହିଛି ସେତେବେଳେ ସେ ମଧ୍ୟ ଅସ୍ଥିର ହୋଇ ଉଠିବ । ଭାରତୀୟ ଛାତ୍ରମାନେ ସେହିପରି ଯଦି ଦେଖନ୍ତି ଯେ ରାଜନୈତିକ ନେତାମାନେ ସଭା ସମିତିରେ ସମାଜବାଦ ଓ ପଞ୍ଚବାର୍ଷିକ ଯୋଜନା ନାମରେ ସୁଦୀର୍ଘ ଭାଷଣ ଦେଇ ବ୍ୟକ୍ତିଗତ ଓ ରାଜନୈତିକ ସ୍ୱାର୍ଥସିଦ୍ଧି ପାଇଁ ସର୍ବଦା ବ୍ୟାକୁଳ ରହନ୍ତି ଏବଂ ମାତ୍ର ୭୫ଟି ବ୍ୟବସାୟୀଙ୍କ ହାତରେ ଦେଶର ୧୫୩୬ଟି ଶିଳ୍ପ ପରିଚାଳିତ ହୁଏ ସେତେବେଳେ ସେମାନେ ଭୀଷଣ ପ୍ରତିକ୍ରିୟାଶୀଳ ହୋଇ ଉଠନ୍ତି । ଛାତ୍ରମାନେ ଜାଣି ପାରନ୍ତି ଯେ ଦେଶର କେତେଜଣ ପୁଞ୍ଜିପତି ଏକଚାଟିଆ ବ୍ୟବସାୟ ବାଣିଜ୍ୟ କରୁଥିବାରୁ ଦେଶରେ ବେକାର ସମସ୍ୟା ବୃଦ୍ଧି ପାଉଛି । ଏହିପରି ଛାତ୍ରମାନଙ୍କ ସମସ୍ୟା ବିଭିନ୍ନ ଦେଶରେ ଭିନ୍ନ ରୂପ ନେଇ ଦେଖାଦେଲେ ମଧ୍ୟ ତା’ର ସାରାଂଶ ଏକ । ତେଣୁ ତା’ର ସମାଧାନ ପାଇଁ ଛାତ୍ରମାନେ ନିଜକୁ ରାଜନୀତି ଭିତରେ ଲିପ୍ତ ରଖୁଛନ୍ତି କିମ୍ବା ରାଜନୀତିଜ୍ଞମାନଙ୍କର ସାହାଯ୍ୟ ନେଉଛନ୍ତି ।

Image

 

ଛାତ୍ର ଓ ‘କପି’ ସମସ୍ୟା

 

ପରୀକ୍ଷା ସମୟ ଆସିଗଲେ ମେଧାବୀ ଛାତ୍ରମାନେ ପଢ଼ାପଢ଼ିରେ ଲାଗି ଯାଆନ୍ତି କିନ୍ତୁ ଆଉ କେତେକ ଛାତ୍ର ନୋଟ ବହି ବା ନୋଟ ଖାତା ଧରି ଆଶା କରାଯାଉଥିବା କେତେକ ପ୍ରଶ୍ନର ଉତ୍ତର ଖୁବ୍‌ ଛୋଟ ଛୋଟ ଅକ୍ଷରରେ ଦିନରାତି ଲାଗି ଲେଖିପକାନ୍ତି । ସେହି କାଗଜଗୁଡ଼ିକ ଏବଂ ନୋଟ ବହି ଆଦି ଆଣି ପରୀକ୍ଷା ହଲ୍‌କୁ ଆସନ୍ତି ଏବଂ ଯଦି ଆଶା କରାଯାଉଥିବା ପ୍ରଶ୍ନ ଆସିଥାଏ ତେବେ ତା’ର ଉତ୍ତରକୁ ପରୀକ୍ଷା ଖାତାରେ ଉତ୍ତାରି ଦିଅନ୍ତି । ଏହିପରି ଛାତ୍ରମାନେ ପରୀକ୍ଷାରେ କପି କରିବା ଫଳରେ ଯେଉଁ ସମସ୍ୟା ଉପୁଜେ ତାହାର ପରିଣତି ଖୁବ୍‌ ବିଷମୟ । ଏକଥା ଦେଶର ଶିକ୍ଷାବିତ୍‌, ଅଭିଭାବକ, ଏପରିକି ଛାତ୍ରମାନେ ଅନୁଭବ କରି ପାରୁଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁନାହିଁ । ଦେଶର ଶିକ୍ଷାବିତ୍‌ମାନେ ସୁଚିନ୍ତିତ ମତ ଦେଉଛନ୍ତି । ବିଭିନ୍ନ ବିଶ୍ୱବିଦ୍ୟାଳୟ ନୂଆ ନୂଆ ପଦକ୍ଷେପ ନେଉଛନ୍ତି । କିନ୍ତୁ କେଉଁଠାରେ ହେଲେ ପୂର୍ଣ୍ଣ ସଫଳତା ହାସଲ ହୋଇପାରୁନାହିଁ । ସେ ସମ୍ବନ୍ଧରେ କେତେକ ସମାଧାନର ଉପାୟ ଏଠାରେ ଆଲୋଚନା କରାଯାଉଅଛି ।

 

ଅନେକ ସମୟରେ ଛାତ୍ର, ଅଭିଭାବକ ଓ ଅନ୍ୟାନ୍ୟ ଶିକ୍ଷାପ୍ରେମୀମାନେ କହନ୍ତି ଯେ, ଛାତ୍ର ବିଶୃଙ୍ଖଳା, ବା ଛାତ୍ରମାନଙ୍କର ଅସାଧୁ ଉପାୟ ଅବଲମ୍ବନ କରିବା ପଛରେ ଶିକ୍ଷକମାନଙ୍କର ହାତ ଥାଏ । ଏକଥା ସତ ହୋଇପାରେ ଯେ, କେତେକ ଶିକ୍ଷକ ଛାତ୍ରମାନଙ୍କଠାରୁ ଟଙ୍କା ନେଇ, ନିଜର ରାଜନୈତିକ ଉଦ୍ଦେଶ୍ୟ ସାଧନପାଇଁ ବା ଅଧିକ ଲୋକପ୍ରିୟତା ଅର୍ଜନ କରିବାପାଇଁ ଛାତ୍ରମାନଙ୍କୁ ଅସାଧୁ ଉପାୟ ଅବଲମ୍ବନ କରିବାକୁ ପ୍ରବର୍ତ୍ତାଇ ଥାଆନ୍ତି । କେହି କେହି ଛାତ୍ରମାନଙ୍କ ଅପେକ୍ଷା ଛାତ୍ରୀମାନଙ୍କୁ ଅଧିକ ଅଯାଚିତ ସାହାଯ୍ୟ କରିଥାନ୍ତି । ଆଉ କେତେକ ଜାଗାରେ ନିଜର ଅନୁଷ୍ଠାନରେ ଓ ବିଭାଗରେ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ବଢ଼ାଇବା ପାଇଁ ଓ ପାସ୍‌ ସଂଖ୍ୟା ବଢ଼ିଲେ ଅଧିକ ସୁନାମ ଅର୍ଜନ କରିବେ, ଏଥିପାଇଁ ଶିକ୍ଷକମାନେ କପି ଯୋଗାଇଥାଆନ୍ତି । ଶିକ୍ଷକମାନଙ୍କର ଏହି ପାତର ଅନ୍ତର ନୀତି ଛାତ୍ରମାନଙ୍କୁ ବିପଥଗାମୀ କରାଇଥାଏ । ତେଣୁ କପି ସମସ୍ୟାର ସମାଧାନ ମୁଖ୍ୟତଃ ଶିକ୍ଷକମାନଙ୍କ ସାଧୁତା ଉପରେ ନିର୍ଭର କରେ । ଅବଶ୍ୟ ଶିକ୍ଷକମାନେ ଜାଣି ରଖିବା ଉଚିତ୍‌ ଯେ ସେମାନେ ଯାହା କରନ୍ତି ବା କହନ୍ତି ତାହା ଛାତ୍ରମାନଙ୍କଦ୍ୱାରା ଅନୁକରଣ କରାଯାଏ । ଯଦି ଜଣେ ଶିକ୍ଷକ ‘‘ହିପ୍‌ପି’’ ସାଜି ସମୁଦ୍ରକୂଳରେ ବସି ଗଞ୍ଜେଇ ଟାଣେ, ମଦ ପିଏ ବା ଅନ୍ୟ କିଛି ଅସାମାଜିକ କାମ କରେ ତେବେ ତାହା ଯେ କେବଳ ଶିକ୍ଷକ ସମାଜର ସମସ୍ୟା ହୁଏ ତା ନୁହେଁ ତାହାରି ଛାତ୍ରମାନେ ଅଧିକ ଅନୁପ୍ରାଣୀତ ହୋଇ ଅଧିକ କିଛି ଅସାମାଜିକ କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦେବେ ନାହିଁ । କାରଣ ବୟସର ତାରତମ୍ୟ ହେତୁ ଶିକ୍ଷକ ମନରେ ଅସ୍ଥିରତା ଅପେକ୍ଷା ଛାତ୍ରମନର ଅସ୍ଥିରତା ଖୁବ୍‌ ବେଶୀ ।

 

କପି ସମସ୍ୟା ସମାଧାନର ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ଛାତ୍ରମାନଙ୍କ ପାଇଁ ଲେଖାଯାଉଥିବା ଅର୍ଥ ବହି ବନ୍ଦ ହେବା ଦରକାର । ଏପରି ବହି ଲେଖି ମାତ୍ର କେତେଜଣ ଉପକୃତ ହୋଇପାରନ୍ତି, କିନ୍ତୁ ଏହାଦ୍ୱାରା ଛାତ୍ର ତଥା ଅନ୍ୟାନ୍ୟ ଶିକ୍ଷକମାନଙ୍କର ଘୋର କ୍ଷତି ହେଉଛି । ଅର୍ଥ ବହିଟିଏ ଦେଖିବା ପରେ ଛାତ୍ରମାନଙ୍କର ପାଠ ପଢ଼ିବାର ସୀମା ସଙ୍କୁଚିତ ହୋଇଯାଏ । ସେମାନେ ଭାବନ୍ତି ଯେ ବର୍ଷଯାକର ପାଠ ଗୋଟିଏ କ୍ଷୁଦ୍ର ଏବଂ ଅଳ୍ପମୂଲ୍ୟର ବହିରେ ଥିବାରୁ ବଡ଼ ବହି ବା ଏକାଧିକ ବହି ପଢ଼ିବାର ପ୍ରୟୋଜନ ନାହିଁ । ପରୀକ୍ଷା ବେଳକୁ କ୍ଷୁଦ୍ର ବହିଟିକୁ ମଧ୍ୟ ପଢ଼ି ନ ପାରି ପରୀକ୍ଷା ଦେବାକୁ ଆସନ୍ତି । ସେତେବେଳକୁ ସେମାନଙ୍କର ହତାଶାର ସୀମା ଏତେ ବଢ଼ିଯାଇଥାଏ ଯେ ପୃଷ୍ଠା ପୃଷ୍ଠା କରି ଅନେକ ପୃଷ୍ଠା ଚିରି ପକେଟରେ ରଖି ପରୀକ୍ଷା ହଲ୍‌କୁ ଆସନ୍ତି ଏବଂ କପି କରନ୍ତି । ତେଣୁ ସେମାନେ ବହି ନ ଲେଖିବା ହେଲା କପି ବନ୍ଦକରିବାର ଏକ ପନ୍ଥା । ଅବଶ୍ୟ ଆଇନ କରି ସେମାନେ ବହି ଲେଖା ବନ୍ଦ କରାଯାଇ ନ ପାରେ । କାରଣ ବହିର ଲେଖକ ହେଉଛନ୍ତି କେତେକ ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀଙ୍କ ଭିତରୁ ଜଣେ । ତେଣୁ ସମସ୍ୟାର ଗୁରୁତ୍ୱ ଉପଲବ୍‌ଧି କରି ତାହାର ନିରାକରଣ ପାଇଁ ବ୍ୟବସ୍ଥା କରିବା ଦରକାର ।

 

ଅବଶ୍ୟ ବହି ଯଦି ଛାପା ନ ଯାଏ ବା ବଜାରରେ ବିକ୍ରି ନ ହୁଏ ତା ହେଲେ ଯେ ଅର୍ଥ ବହି ପୂରାପୂରି ଲୋପ ହୋଇଯିବ, ତା ନୁହେଁ । ତାହା ଅନ୍ୟ ରୂପରେ ବିକାଶ ଲାଭ କରିବ । ଉଦାହରଣ ସ୍ୱରୂପ ଶ୍ରେଣୀ ଭିତରେ ନୋଟ ଦେବା କଥା ଦେଖାଯାଉ । ଅନେକ ଶିକ୍ଷକ ପିଲାମାନଙ୍କୁ ପାଠ ନ ବୁଝାଇ ନୋଟ ଡାକି ଦିଅନ୍ତି । ପିଲାମାନେ ତାହା ଖୁବ୍‌ ଆଗ୍ରହରେ ଲେଖି ନିଅନ୍ତି ଏବଂ ତାକୁ ପରୀକ୍ଷାସମୟକୁ ରଖିଦିଅନ୍ତି । ତା ଫଳରେ ଅଧିକ ଜ୍ଞାନ ତ ଦୂରର କଥା ସେହିତକ ଜ୍ଞାନ କେବଳ ନୋଟ ଭିତରେ ରହିଯାଏ । ସେହି ନୋଟ ପରୀକ୍ଷା ସମୟକୁ କପିର କାମ କରେ । ତେଣୁ ଶିକ୍ଷକମାନେ ନୋଟ ନ ଦେଇ ଟେକ୍‌ସ୍‌ଟ (Text) ବହି ପଢ଼ିବାର ପ୍ରେରଣା ପିଲାମାନଙ୍କୁ ଦେବା ଉଚିତ୍‌ । ଅବଶ୍ୟ ଶ୍ରେଣୀ ଭିତରେ ଶିକ୍ଷକ ନୋଟ ଡାକି ବା ନୋଟକୁ ଟାଇପ କରି ବା ଲିଥୋ କରି ପିଲାମାନଙ୍କୁ ଦେଇ ସେମାନଙ୍କ ନିକଟରେ ଅଧିକ ପ୍ରିୟ ହୋଇପାରନ୍ତି କିନ୍ତୁ ତାହାଦ୍ୱାରା ମଙ୍ଗଳ ପରିବର୍ତ୍ତେ ଅଧିକ ଅମଙ୍ଗଳ ହୁଏ ।

 

ପରୀକ୍ଷାରେ ପ୍ରଶ୍ନପତ୍ର ଏପରି ହେବା ଉଚିତ୍‌ ଯେଉଁଥିରେ କି ଛାତ୍ରମାନେ କପି କରିବାର ସୁବିଧା ପାଇବେ ନାହିଁ । ଏ ବିଷୟରେ କେତେକ ଶିକ୍ଷାବିତ୍‌ ସେମାନଙ୍କର ସୁଚିନ୍ତିତ ମତ ବ୍ୟକ୍ତ କରିଛନ୍ତି । କେହି କେହି କହନ୍ତି ଯେ, ପ୍ରଶ୍ନପତ୍ର ଏପରି ହେବା ଉଚିତ୍‌ ଯେପରି ଗୋଟିଏ ଉତ୍ତର ଗୋଟିଏ ଦୁଇଟି ଶବ୍ଦ ବା ବାକ୍ୟରେ ପ୍ରକାଶ ପାଇ ପାରିବ । ସେଭଳି ପ୍ରଶ୍ନ ପତ୍ରରେ ଅଧିକ ସଂଖ୍ୟକ ପ୍ରଶ୍ନ ରଖାଯିବା ଦରକାର; ଯେପରି ଛାତ୍ରମାନେ ପୂର୍ଣ୍ଣ ସମୟ ବିନିଯୋଗ କରି ଉତ୍ତର କରିବେ । ଉଦାହରଣ ସ୍ୱରୂପ ଗୋଟିଏ ପ୍ରଶ୍ନ ପତ୍ରରେ ଶହେଟି ବା ପଚାଶଟି ପ୍ରଶ୍ନ (କେତେ ଘଣ୍ଟା ପାଇଁ ପରୀକ୍ଷା ହେବ ବିଚାର କରି) ରଖାଗଲେ ଭଲ ହେବ । କାରଣ ଜଣେ ଛାତ୍ର ଗୁଡ଼ାଏ ବହି ବା ନୋଟ ପରୀକ୍ଷା ହଲ୍‌କୁ ଆଣି ଆସିବା ସମ୍ଭବ ନୁହେଁ । ଯଦିଓ ଆଣେ ତଥାପି ଆଗରୁ ପଢ଼ି ନଥିଲେ ସେଗୁଡ଼ିକରୁ ଉଦ୍ଦିଷ୍ଟ ଉତ୍ତର ଖୋଜି ବାହାର କରି ପାରିବ ନାହିଁ । ଆଉ କେହି କେହି କହନ୍ତି ଯେ ଉତ୍ତରଗୁଡ଼ିକ ପ୍ରବନ୍ଧ ଆକାରରେ ପ୍ରକାଶ କଲାଭଳି ପ୍ରଶ୍ନ ପଚରାଯିବା ଉଚିତ୍‌ । ତାହାହେଲେ ଛାତ୍ରମାନେ ଖୁବ୍‌ ଚିନ୍ତାକରି ଲେଖିବେ ଏବଂ ସେଥିରେ ନିଜର ଭାଷା, ମତାମତ ଆଦି ଦେବେ । କେତେକ ଛାତ୍ର କପି କରି ପାରନ୍ତି । କିନ୍ତୁ ସମସ୍ତ ଛାତ୍ରଙ୍କର ଉତ୍ତର ଏକାପରି ହେବ ନାହିଁ । ତେଣୁ ପରୀକ୍ଷାର୍ଥୀଙ୍କ ଭିତରୁ ଭଲ ମନ୍ଦ ବାଛି ହୋଇଯିବ ।

 

ଯଦି ପ୍ରଶ୍ନପତ୍ରରେ ପରିବର୍ତ୍ତନ ହୋଇପାରିବ ତେବେ କେତେକ ଦୃଷ୍ଟିରୁ କହିବାକୁ ଗଲେ ପରୀକ୍ଷା ପ୍ରଣାଳୀରେ ମଧ୍ୟ ପରିବର୍ତ୍ତନ ହୋଇପାରିବ । ବର୍ତ୍ତମାନ ପରି ନିରୀକ୍ଷକଙ୍କର କଠିନ ଦାୟିତ୍ୱ ନ ରହି ଲାଘବ ହୋଇଯିବ । ସେତେବେଳେ ଯଦି କୌଣସି ଛାତ୍ର ଉତ୍ତର ଲେଖିବାରେ ସାହାଯ୍ୟ କରିବା ପାଇଁ ପରୀକ୍ଷା ହଲ୍‌କୁ ବହି ବା ନୋଟ ଆଣେ ତେବେ ତାହା ଦୋଷାବହ ହେବନାହିଁ । ସେତେବେଳେ ବହି, ନୋଟ ବା ତା’ର ଅଂଶବିଶେଷର ବ୍ୟବହାରକୁ ‘କପି’ ନ କହି ‘ସମ୍ବଳ ସଂଗ୍ରହ’ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଦରକାର ହେଲେ ପରୀକ୍ଷାର୍ଥୀଙ୍କୁ ଆନୁସଙ୍ଗିକ ସାହାଯ୍ୟ ଦିଆଯାଇ ପାରିବ ।

 

କପି ସମସ୍ୟା ସମାଜର ଅନ୍ୟାନ୍ୟ କଳାବଜାରୀ ସମସ୍ୟା ଭିତରୁ ଗୋଟିଏ । କେତେକ ବସ୍‌ କଣ୍ଡକ୍ଟର, କଣ୍ଟ୍ରାକ୍ଟର, ଇଞ୍ଜିନିୟର, ଡାକ୍ତର, ଓଭରସିଅର, ପୋଲିସ କର୍ମଚାରୀ ଆଦି ବିନା ପରିଶ୍ରମରେ ପାରିଶ୍ରମିକ (ଉପୁରି) ଆଦାୟ କରୁଥିବା କଥା ସମସ୍ତେ ଜାଣନ୍ତି । ସେ ଜାଗାରେ ସମାଜ ନୀରବଦ୍ରଷ୍ଟା ହୋଇ ରହିଯାଏ । କେହି କେହି ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସେମାନଙ୍କୁ ଅଧିକ ଉତ୍ସାହିତ କରନ୍ତି । ଖଣ୍ଡିଏ ଟିକେଟ ପାଇଁ ଯଦି କୌଣସି ବସ୍‌ କଣ୍ଡକ୍ଟରଙ୍କୁ ଦେଢ଼ଟଙ୍କା ଦେବାକୁ ଥାଏ ସେ ଜାଗାରେ ଟିକେଟ ନ ଆଣି ଏକ ଟଙ୍କା ଦେଲେ କଣ୍ଡକ୍ଟର ଖୁସିରେ ନେଇଯାଆନ୍ତି । କିନ୍ତୁ ଅନେକ ସମୟରେ ସେପରି କଳାବଜାରୀଙ୍କୁ କଠିନ ଦଣ୍ଡ ପାଇବାକୁ ହୋଇଥାଏ ଏବଂ ଖୁବ୍‌ ଚତୁରତାର ସହିତ ସେପରି ଅସାମାଜିକ କାର୍ଯ୍ୟକଳାପକୁ ବନ୍ଦ କରାଯାଇଥାଏ । ଛାତ୍ରମାନଙ୍କର ଏପରି ଏକ ସମସ୍ୟାମୂଳକ କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ପ୍ରଥମେ ଅଭିଭାବକମାନେ ଦୃଷ୍ଟି ଦେବା ଉଚିତ୍‌ । କିନ୍ତୁ ଅଭିଭାବକ ନିଜେ ଯଦି କଳାବଜାରୀ ହୋଇଥିବେ ତେବେ ବରଂ ସେ ଖୁସି ହେବେ ଯେ ତାଙ୍କରି କଳା ଦୀର୍ଘଦିନ ସ୍ଥାୟୀ ହୋଇପାରୁଛି । ଦ୍ୱିତୀୟରେ ଶିକ୍ଷକମାନେ ନିଜର ସମ୍ମାନ ଓ ନିଜ ବୃତ୍ତିର ସମ୍ମାନ ରକ୍ଷା କରିବା ପାଇଁ ଛାତ୍ରମାନଙ୍କୁ କପି କରିବାରୁ ନିବୃତ୍ତ କରାଇବା ଉଚିତ୍‌ । ଏହାଦ୍ୱାରା ସେମାନଙ୍କୁ ଯଥେଷ୍ଟ ଶାରୀରିକ ଓ ମାନସିକ କଷ୍ଟ ସ୍ୱୀକାର କରିବାକୁ ପଡ଼ିପାରେ । ତଥାପି ବୟୋଜ୍ୟେଷ୍ଠ ବ୍ୟକ୍ତି ହିସାବରେ ସେମାନଙ୍କର ଉପଦେଶ ଦେବାର ଅଧିକାର ଥିବା ହେତୁ ସେମାନେ ପିଲାମାନଙ୍କୁ ଅସାଧୁ ଉପାୟ ଅବଲମ୍ବନ ନ କରିବା ପାଇଁ ପ୍ରବର୍ତ୍ତାଇବା ଉଚିତ୍‌ । ଏମାନଙ୍କ ବ୍ୟତୀତ ବିଶ୍ୱବିଦ୍ୟାଳୟ ଓ ସରକାରୀ କର୍ମକର୍ତ୍ତାମାନେ ଏ ବିଷୟରେ ଅଧିକ ଧ୍ୟାନ ଦେବା ଉଚିତ୍‌ ।

Image

 

ପରିବାର ନିୟନ୍ତ୍ରଣ ଓ ତା’ର ସମସ୍ୟା

 

ଜନସଂଖ୍ୟା ବୃଦ୍ଧି କେବଳ ଆମ ଦେଶର ଯେ ଏକ ସମସ୍ୟା ତାହା ନୁହେଁ । ପୃଥିବୀରେ ଅଧିକାଂଶ ଦେଶ ଏଥିପାଇଁ ଚିନ୍ତିତ । ବର୍ତ୍ତମାନ ଯେଉଁ ହାରରେ ଜନସଂଖ୍ୟା ବୃଦ୍ଧି ପାଉଛି ଯଦି ଅବ୍ୟାହତ ରହେ ତେବେ ବିଂଶଶତାବ୍ଦୀର ଶେଷବେଳକୁ ତାହା ୬୨ହଜାର କୋଟିରେ ପରିଣତ ହେବ । ଭାରତର ଲୋକସଂଖ୍ୟା ୧୯୫୧ରେ ୩୫.୭କୋଟି ଥିଲା । ୧୯୬୧ ବେଳକୁ ତାହା ୪୩.୪ କୋଟି ଓ ୧୯୭୧ ବେଳକୁ ତାହା ୫୩.୭କୋଟିରେ ପରିଣତ ହୋଇଛି । ଭାରତର ଲୋକସଂଖ୍ୟା କ୍ରମାଗତ ଭାବରେ ଏହିପରି ବଢ଼ିଚାଲିଛି । ଯଦିଓ ପୃଥିବୀର ସମସ୍ତ ସ୍ଥଳଭାଗରୁ ଭାରତ ଶତକଡ଼ା ୨.୪ଭାଗ ତଥାପି ପୃଥିବୀର ସମସ୍ତ ଜନସଂଖ୍ୟାର ଶତକଡ଼ା ୧୫ଭାଗ ଧାରଣ କରିଅଛି । ମାତ୍ର ଏପରି ଜନସଂଖ୍ୟା ଧାରଣ ବା ବୃଦ୍ଧି ଭାରତ ପକ୍ଷରେ ମଙ୍ଗଳ ଜନକ ନୁହେଁ । କାରଣ ଆମ ଦେଶର ଲୋକଙ୍କର ଜୀବନଧାରଣର ମାନ ପାଶ୍ଚାତ୍ୟ ଦେଶର ଲୋକଙ୍କଠାରୁ ବହୁତ ନିମ୍ନରେ ଅଛି । ଦେଶରେ ଅନେକ ଲୋକ ଦିନକୁ ପଚାଶ ପଇସାରୁ ଅଧିକ ଉପାର୍ଜନ କରିପାରନ୍ତି ନାହିଁ । ତେଣୁ ସେମାନେ ଯଥେଷ୍ଟ ଖାଦ୍ୟ ପାଇପାରନ୍ତି ନାହିଁ । ଏ ପରିସ୍ଥିତିରେ ଯଦି ଲୋକସଂଖ୍ୟା ବଢ଼ିଚାଲେ ତେବେ ପରିଶେଷରେ ଦେଶରେ ଖାଦ୍ୟାଭାବ ପଡ଼ିବା ସ୍ୱାଭାବିକ । ଖାଦ୍ୟଶସ୍ୟ ଅନୁସନ୍ଧାନ କମିଟିଙ୍କ ମତରେ ଦେଶରୁ ଖାଦ୍ୟ ସମସ୍ୟା ଦୂର କରିବାକୁ ହେଲେ ଅଧିକ ଉତ୍ପାଦନ କରିବାକୁ ହେବ । ଦେଶର ଜନସଂଖ୍ୟାକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ହେବ । ତେଣୁ କମିଟି ତାଙ୍କ ରିପୋର୍ଟରେ ଦେଶର ମହିଳା, ଡାକ୍ତର, ବୈଜ୍ଞାନିକ, ସମାଜବିଜ୍ଞାନୀ, ଅର୍ଥନୀତିଜ୍ଞ, ଶାସକ ଏବଂ ରାଜନୀତିଜ୍ଞମାନଙ୍କୁ ଅନୁରୋଧକରି କହିଛନ୍ତି ଯେ ସମସ୍ତେ ମିଶି ପରିବାର ନିୟନ୍ତ୍ରଣ ଉଦ୍ୟମକୁ ସଫଳ କରିବା ଉଚିତ୍‌ ।

 

ଦେଶର ଜନସଂଖ୍ୟା ବୃଦ୍ଧି ଖାଦ୍ୟସମସ୍ୟା ସଙ୍ଗେ ସଙ୍ଗେ ବେକାର ସମସ୍ୟା ମଧ୍ୟ ସୃଷ୍ଟି କରୁଛି । ଭାରତ କୃଷିପ୍ରଧାନ ଦେଶ । କିନ୍ତୁ ଏକପକ୍ଷରେ ଚାଷଜମି ସୀମିତ ଏବଂ କୌଣସି ଏକ ନିର୍ଦ୍ଦିଷ୍ଟ କୃଷିକ୍ଷେତ୍ରରୁ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ନିର୍ଦ୍ଦିଷ୍ଟ ସଂଖ୍ୟକ ଶ୍ରମିକ ଦରକାର । ବୈଜ୍ଞାନିକ ଚାଷ ପ୍ରଣାଳୀର ପ୍ରୟୋଗ ଫଳରେ ଶ୍ରମିକ ସଂଖ୍ୟା କମୁଛି ପଛକେ ବଢ଼ୁନାହିଁ । ତେଣୁ ଦେଶରେ ଯେତେ ଜନସଂଖ୍ୟା ବଢ଼ି ବଢ଼ି ଯାଉଛି ସେତେ ଅଧିକ ବେକାରସମସ୍ୟା ବଢ଼ୁଛି । ଆମ ଦେଶ ଯଦି ଯୁକ୍ତରାଷ୍ଟ୍ର ଆମେରିକା ପରି ଶିଳ୍ପସମୃଦ୍ଧ ହୋଇଥାଆନ୍ତା ତେବେ ଦେଶର ବର୍ଦ୍ଧିତ ଜନସଂଖ୍ୟାକୁ ଅନେକ ପରିମାଣରେ କାମ ଯୋଗାଇ ହୁଅନ୍ତା । କାରଣ ୧୯୪୦-୫୦ ମସିହା ଭିତରେ ସେ ଦେଶରେ ଯେତେ ଅଧିକ ଶ୍ରମିକ ସଂଖ୍ୟା ବଢ଼ିଚାଲିଲା ସେ ସମସ୍ତଙ୍କୁ ଶିଳ୍ପ ଓ ଅନ୍ୟାନ୍ୟ ଚାକିରୀ କ୍ଷେତ୍ରରେ ରଖିହେଲା । ଠିକ୍‌ ସେହି ସମୟରେ ଜାପାନରେ ମଧ୍ୟ ଅଧିକ ପରିମାଣରେ କାର୍ଯ୍ୟକ୍ଷମ ଲୋକଙ୍କୁ କୃଷି ଅପେକ୍ଷା ଶିଳ୍ପ ଓ ଅନ୍ୟାନ୍ୟ ଚାକିରୀ ଯୋଗାଇ ଦିଆଯାଇଥିଲା । କିନ୍ତୁ ଆମ ଦେଶ ଶିଳ୍ପକ୍ଷେତ୍ରରେ ସେତେଦୂର ଆଗେଇ ପାରିନାହିଁ । ତେଣୁ ଅଧିକ ଜନସଂଖ୍ୟା ବୃଦ୍ଧି ଦେଶରେ ବେକାର ସମସ୍ୟା ସୃଷ୍ଟିକରିବା ସ୍ୱାଭାବିକ୍‌ । ଏସବୁ ଦୃଷ୍ଟିରୁ ପରିବାର ନିୟନ୍ତ୍ରଣ ଭାରତପକ୍ଷରେ ଏକ ଅପରିହାର୍ଯ୍ୟ ପନ୍ଥା ।

 

ପରିବାର ନିୟନ୍ତ୍ରଣ କହିଲେ ଅନେକ ଲୋକ ବୁଝନ୍ତି ଯେ ପୂର୍ଣ୍ଣରୂପେ ଜନ୍ମନିୟନ୍ତ୍ରଣ । କିନ୍ତୁ ପରିବାର ନିୟନ୍ତ୍ରଣ ଅର୍ଥ ନିଜ ଇଚ୍ଛାଅନୁଯାୟୀ ସନ୍ତାନ ଲାଭକରିବା । ଏହାଦ୍ୱାରା ଗୋଟିଏ ସନ୍ତାନର ବୟସଠାରୁ ଅନ୍ୟ ସନ୍ତାନର ବୟସର ବ୍ୟବଧାନ କେତେ ହେବ ତାହା ବାପମାଆଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇପାରିବ ଏବଂ ଯେତୋଟି ସନ୍ତାନ ଜନ୍ମହେବା ପରେ ଆଉ ଅଧିକ ଦରକାର ହେବନାହିଁ ସେ କ୍ଷେତ୍ରରେ କେବଳ ପୂର୍ଣ୍ଣରୂପେ ଜନ୍ମନିୟନ୍ତ୍ରଣ ବାପମାଆଙ୍କଦ୍ୱାରା ସମ୍ଭବ ହୋଇପାରିବ ।

 

ପରିବାର ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ବିଭିନ୍ନ ଉପାୟ ଚିନ୍ତା କରାଯାଉଛି । କେତେକ ଲୋକ କହନ୍ତି ଯେ ସନ୍ତାନ ଜନ୍ମର ସଂଖ୍ୟା କମାଇବା ପାଇଁ ପ୍ରତ୍ୟେକ ଅଧିକ ସନ୍ତାନ ଉପରେ କର ବସାଇ ଦିଆଯିବା ଉଚିତ; କିନ୍ତୁ ତାହା କରାଗଲେ ଗରିବଲୋକଙ୍କଠାରେ ପରିବାର ନିୟନ୍ତ୍ରଣ ବିପରୀତ ଫଳ ଧରିବ । ଯେଉଁ ଅଧିକ ସନ୍ତାନ ପ୍ରତି ବାପାମାଆ କର ଦେବେ ସେ ସେମାନଙ୍କ ମନରେ ଏକ ଖରାପ ଧାରଣ ସୃଷ୍ଟି କରିବ । ସାଧାରଣତଃ ଡାକ୍ତରଖାନା ବା ମାତୃମଙ୍ଗଳ କେନ୍ଦ୍ରରେ ଯେଉଁ ସନ୍ତାନ ଜନ୍ମଲାଭ କରିବ ତାହାବ୍ୟତୀତ ଅନ୍ୟ ଜାଗାରେ ଜନ୍ମଲାଭ କରୁଥିବା ସନ୍ତାନମାନଙ୍କର ଯଥାର୍ଥ ହିସାବ ରଖି ସେମାନଙ୍କ ଉପରେ କର ବସାଇବା ସମ୍ଭବ ହେବନାହିଁ । ସେ ଦୃଷ୍ଟିରୁ ପରିବାର ନିୟନ୍ତ୍ରଣର ମୁଖ୍ୟ ଉଦ୍ଦେଶ୍ୟସୁଖୀ ପରିବାରଏହାଦ୍ୱାରା ସାଧିତ ହୋଇ ପାରିବ ନାହିଁ ।

 

କେହି କେହି କହନ୍ତି ଯେ ଅଧିକ ସନ୍ତାନ ଜନ୍ମହେବା ପୂର୍ବରୁ ତାହାକୁ ନଷ୍ଟ କରିଦେବା ପାଇଁ ଆଇନ ପ୍ରଣୟନ କରାଯିବା ଉଚିତ । ଏ ପ୍ରଥା ଜାପାନରେ କେତେଦିନ ପାଇଁ ପ୍ରଚଳନ କରାଯାଇଥିଲା । ସେଥିରୁ ଜଣାଗଲା ଯେ ଗୋଟିଏ ଗର୍ଭ ନଷ୍ଟ କରିଦେଲେ ମଧ୍ୟ ସେହିବର୍ଷ ପୁଣିଥରେ ସନ୍ତାନ ଜନ୍ମ ହେବାର ସୂଚନା ସେହି ସ୍ତ୍ରୀଲୋକଠାରେ ଦେଖା ଦେଇଥିଲା । ବାରମ୍ବାର ଗର୍ଭ ନଷ୍ଟକରିବା ସ୍ତ୍ରୀର ସ୍ୱାସ୍ଥ୍ୟପକ୍ଷରେ କ୍ଷତିକାରକ । ତେଣୁ ଜାପାନ ସରକାର ସେ ଆଇନର ପରିବର୍ତ୍ତନ କରି ପରିବାର ନିୟନ୍ତ୍ରଣ ପାଇଁ ଅନ୍ୟାନ୍ୟ ଉପାୟ ଅବଲମ୍ବନ କରିଛନ୍ତି ।

 

ଆଜିକାଲି ରାସାୟନିକ ଉପାୟ ଓ ବୈଜ୍ଞାନିକ ପ୍ରଣାଳୀ ସାହାଯ୍ୟରେ ଜନ୍ମନିୟନ୍ତ୍ରଣ କରାଯାଇ ପାରୁଛି । କିନ୍ତୁ ତାହା ସାମାଜିକ ବିଶ୍ୱାସ, ସାଂସ୍କୃତିକ ଉତ୍ସାହ ଓ ଅର୍ଥନୈତିକ ପରିସ୍ଥିତି ଉପରେ ପୂର୍ଣ୍ଣରୂପେ ନିର୍ଭର କରେ । ଭାରତ ସରକାରଙ୍କର ପରିବାର ନିୟନ୍ତ୍ରଣ ବିଭାଗର ଅନୁସନ୍ଧାନରୁ ଜଣାଯାଇଛି ଯେ କେବଳ ଉପରୋକ୍ତ ଉପାୟ ଦ୍ୱାରା ଜନସଂଖ୍ୟା ନିୟନ୍ତ୍ରଣ ଅନେକ କ୍ଷେତ୍ରରେ ଫଳପ୍ରଦ ହୋଇଛି ।

 

ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ କି ପୂର୍ଣ୍ଣରୂପେ ଜନ୍ମନିରୋଧ କରିବାକୁ ଚାହାନ୍ତି । ସେଥିପାଇଁ ଅପରେସନ ଏକ ସହଜ ଉପାୟ । ଅପରେସନ ବ୍ୟବସ୍ଥା ଆମ ଦେଶରେ ନୂଆକରି ପ୍ରଚଳନ ହେଉ ନାହିଁ । ୧୮୯୧ ମସିହାରେ ଫରାସୀ ଡାକ୍ତର କ୍ରିମେଲ ସ୍ତ୍ରୀମାନଙ୍କ ଅପରେସନ (Salpingectomy) ଆରମ୍ଭ କରିଥିଲେ । ଏବଂ ୧୮୯୭ ମସିହାରେ ସ୍ୱୀଡ଼େନ୍‌ ଡାକ୍ତର ଲେନାଣ୍ଡର୍‌ ପୁରୁଷମାନଙ୍କ ଅପରେସନ (Vasectomy) ଆରମ୍ଭ କରିଥିଲେ । ସେହିଦିନଠାରୁ ଏହା ବିଭିନ୍ନ ଦେଶରେ କାର୍ଯ୍ୟକାରୀ ହୋଇ ଆସୁଅଛି । ପରିବାର ନିୟନ୍ତ୍ରଣପାଇଁ ଉଭୟ ଅପରେସନର ଯଥାର୍ଥ ଦାନ ରହିଛି । ଏ ଦୁଇଟି ମଧ୍ୟରୁ ଦ୍ୱିତୀୟଟି ସହଜ । ଅନେକ କ୍ଷେତ୍ରରେ ଅପରେସନ୍‌ ହୋଇଥିବା ବ୍ୟକ୍ତି ନିକଟରେ କ୍ଳାନ୍ତି ଦେଖାଦେଇଥାଏ । କିନ୍ତୁ ତାହା ଅପରେସନ ଫଳରେ ନୁହେଁ । ତାହା ତା’ର ମାନସିକ ଧୈର୍ଯ୍ୟଚ୍ୟୁତି ଯୋଗୁଁ ହୋଇଥାଏ ।

 

ଉପରୋକ୍ତ ବିଭିନ୍ନପ୍ରକାର ଉପାୟ ବିଭିନ୍ନକ୍ଷେତ୍ରରେ ବ୍ୟବହାର ହୋଇପାରିବ । କିନ୍ତୁ ପ୍ରତ୍ୟେକ ଉପାୟର ବ୍ୟବହାର ଲୋକଙ୍କର ଇଚ୍ଛାଉପରେ ନିର୍ଭର କରେ । ଗଣତାନ୍ତ୍ରିକ ରାଷ୍ଟ୍ରରେ ବାଧ୍ୟକରି ପରିବାର ନିୟନ୍ତ୍ରଣ କରାଇବା ସମ୍ଭବ ନୁହେଁ । ଲୋକମାନେ ସମସ୍ୟାକୁ ଉପଲବ୍‌ଧି କରିବା ପାଇଁ ସରକାର ଖବରକାଗଜ, ସିନେମା, ରେଡ଼ିଓ, ରାସ୍ତାଘାଟରେ ଲୋକଙ୍କର ଦୃଷ୍ଟିପଡ଼ିବା ଜାଗାରେ ଲେଖି ଏହାକୁ ପ୍ରଚାର କରାଇବା ଉଚିତ । ଏହାର ସଫଳତାଗୋଟିଏ ପରିବାରରେ ଦୁଇଟି ସନ୍ତାନଦେଶର କୋଟି କୋଟି ଜନତାର ସହଯୋଗ ଉପରେ ନିର୍ଭର କରେ । ଲୋକମାନଙ୍କୁ ଶିକ୍ଷାଦେବାପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ସମାଜମଙ୍ଗଳ, କୃଷି ଶିଳ୍ପଆଦି କ୍ଷେତ୍ରରେ କାମ କରୁଥିବା ବୁଦ୍ଧିଜୀବୀଙ୍କର ଦାୟିତ୍ୱ ଅଛି ।

 

ପରିବାର ନିୟନ୍ତ୍ରଣର ପ୍ରଚାର ଯଥାରୀତି ଚାଲିଛି । ପଞ୍ଚବାର୍ଷିକ ଯୋଜନାମାନଙ୍କରେ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ତାସତ୍ତ୍ୱେ ଦେଶରେ ଲୋକସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି କାହିଁକି ? ଏଥିରୁ ଜଣା ଯାଉଛି ଯେ ଯେଉଁ ଉପାୟରେ ପରିବାର ନିୟନ୍ତ୍ରଣ ଯୋଜନାରେ ପ୍ରଚାର ଓ ପ୍ରସାର ହେଉଛି ସେଥିରେ ଅନେକ ଭୁଲ ରହି ଯାଉଛି, ତେଣୁ ଦେଶର ପ୍ରତ୍ୟେକ ଲୋକଙ୍କ ପାଖରେ ପରିବାର ନିୟନ୍ତ୍ରଣର ଖବର ପହଞ୍ଚି ପାରୁନାହିଁ ।

 

ଗାଁ ଗହଳରେ ପରିବାର କଲ୍ୟାଣ କେନ୍ଦ୍ର ଖୋଲାଯାଇଛି ସତ; କିନ୍ତୁ ସେଗୁଡ଼ିକରେ ଯଥେଷ୍ଟ କର୍ମୀ ନ ଥାନ୍ତି । ଯେଉଁମାନେ ଥାଆନ୍ତି ସେମାନଙ୍କର ପରିବାର ନିୟନ୍ତ୍ରଣ ସମ୍ବନ୍ଧରେ ଯଥେଷ୍ଟ ଜ୍ଞାନ ନଥାଏ ବା ସେମାନେ ସେ ବିଷୟରେ ତାଲିମ ପାଇ ନ ଥାନ୍ତି । ଅନେକ କ୍ଷେତ୍ରରେ ସେ କର୍ମୀଙ୍କର ନିଜ କର୍ତ୍ତବ୍ୟ ପ୍ରତି ଆଗ୍ରହ ନ ଥାଏ । ସେମାନଙ୍କ ଭିତରୁ ଅନେକ କର୍ମୀ ଅବିବାହିତ ଥାଆନ୍ତି । ତେଣୁ ପାରିବାରିକ ଜୀବନ ସମ୍ବନ୍ଧରେ ସେମାନଙ୍କର ଖୁବ୍‍ କମ୍‍ ଧାରଣା ଥାଏ । ଏ ସବୁ ଦୃଷ୍ଟିରୁ ସେମାନେ ଲୋକଙ୍କର ବିଭିନ୍ନ ପ୍ରକାର ପ୍ରଶ୍ନର ଉତ୍ତର ଦେବାକୁ ସମର୍ଥ ହୋଇ ପାରନ୍ତି ନାହିଁ-। ଗାଆଁମାନଙ୍କରେ ପରିବାର ନିୟନ୍ତ୍ରଣ ସମ୍ପର୍କରେ ଶିକ୍ଷା ଦେବାପାଇଁ ଅନେକ ଜାଗାରେ ସହରର ଡାକ୍ତର ବା ଶିକ୍ଷିତ ବ୍ୟକ୍ତିଙ୍କୁ ନିଯୁକ୍ତ କରାଯାଏ । ଗ୍ରାମବାସୀମାନେ ସେମାନଙ୍କର ମହତ୍‌ ଉଦ୍ଦେଶ୍ୟ ଶୁଣିବା ପରିବର୍ତ୍ତେ ସେମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖନ୍ତି ।

 

ଗ୍ରାମବାସୀମାନଙ୍କ ଭିତରେ ଅଧିକାଂଶ ମହିଳା ଲଜ୍ଜାଶୀଳା । ସେଥିପାଇଁ ପୁରୁଷ ପ୍ରଚାରକ ବା ଡାକ୍ତରଙ୍କର କୌଣସି କଥା ଶୁଣିବାକୁ ସେମାନେ କୁଣ୍ଠାବୋଧ କରନ୍ତି । ତେଣୁ ପରିବାର ନିୟନ୍ତ୍ରଣ ସମ୍ପର୍କରେ ମହିଳାମାନଙ୍କୁ ବିଶେଷ ଖବର ଯୋଗାଇବାକୁ ହେଲେ ପରିବାର କଲ୍ୟାଣ କେନ୍ଦ୍ରମାନଙ୍କରେ ଅଧିକ ମହିଳାକର୍ମୀ ରହିବା ଆବଶ୍ୟକ । ଅନୁସନ୍ଧାନରୁ ଜଣାଯାଇଛି ଯେ ଅନେକ ପରିବାର କଲ୍ୟାଣ କେନ୍ଦ୍ରରେ ପୁରୁଷମାନେ ଯେତେ ସଂଖ୍ୟାରେ ଅପରେସନ ହୋଇଛନ୍ତି ସ୍ତ୍ରୀମାନେ ତା ଅପେକ୍ଷା ବହୁତ କମ୍‌ ପରିମାଣରେ ଅପେରେସନ ହୋଇଛନ୍ତି ବା ଲୁପ୍‌ ନେଇଛନ୍ତି । ପରିବାର ନିୟନ୍ତ୍ରଣ ପକ୍ଷରେ ବିଭିନ୍ନ କେନ୍ଦ୍ରରେ ଜନ୍ମ ନିୟନ୍ତ୍ରଣ ସମ୍ବନ୍ଧୀୟ ବିଭିନ୍ନ ପ୍ରଦର୍ଶନୀର ଆୟୋଜନ ହୋଇଥାଏ । କିନ୍ତୁ ତାହା ଦେଖିବାକୁ ଆସିଥିବା ମହିଳାମାନଙ୍କୁ ବୁଝାଇ ଦିଆଯାଇ ପାରେନାହିଁ । ମହିଳାକର୍ମୀ ଅଭାବରୁ ଏହିପରି ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ।

 

କେବଳ ଯେ, କେତେକ କର୍ମୀଙ୍କର ଅପାରଗତା ବା ଅବହେଳା ଯୋଗୁଁ ପରିବାର ନିୟନ୍ତ୍ରଣ ପ୍ରସାରରେ ବାଧା ଆସେ ତା ନୁହେଁ । ଏଥିପାଇଁ ଆମର ସାମାଜିକ ପ୍ରଥା ବା ପୁରାତନ ବିଶ୍ୱାସ ଅନେକ ପରିମାଣରେ ଦାୟୀ । ଆମର ରକ୍ଷଣଶୀଳ ସମାଜରେ ଅଛି ଯେ ବାପମାଆ ଘରର ମାଲିକ । ତେଣୁ ପୁଅ ବା ବୋହୂ କିଛି କରିବାକୁ ଚାହିଁଲେ ସେମାନଙ୍କର ଅନୁମତି ନେବାକୁ ହେବ । ଯଦି ସେମାନେ କୌଣସି କଥାକୁ ମନାକଲେ ତେବେ ତାହା ହୋଇପାରିବ ନାହିଁ । ସାଧାରଣତଃ ଜନ୍ମ ନିୟନ୍ତ୍ରଣର ଆଧୁନିକ ଉପାୟ ବା ତା’ର ଫଳାଫଳ ଉପରେ କେତେକ ବାପମାଆଙ୍କର ବିଶ୍ୱାସ ନଥାଏ । ତେଣୁ ସେମାନେ ତାଙ୍କର ପିଲାମାନଙ୍କୁ ସେଥିପାଇଁ ଅନୁମତି ଦିଅନ୍ତି ନାହିଁ । ଅନେକ କ୍ଷେତ୍ରରେ ସ୍ତ୍ରୀମାନେ ଯଦିଓ ଜନ୍ମ ନିୟନ୍ତ୍ରଣ ପାଇଁ ରାଜି ହୁଅନ୍ତି କିନ୍ତୁ ସେମାନଙ୍କର ସ୍ୱାମୀଙ୍କର ବିରୁଦ୍ଧାଦେଶକୁ ମାନିବାକୁ ବାଧ୍ୟ ହୁଅନ୍ତି । କେତେକ ସ୍ତ୍ରୀ ପରିବାର ନିୟନ୍ତ୍ରଣ କର୍ମୀଙ୍କୁ କହିବାର ଶୁଣାଅଛି ଯେ, ‘‘ମୁଁ ରାଜି ଅଛି; ଆପଣ କାହିଁକି ଯାଇ ମୋର ସ୍ୱାମୀଙ୍କୁ ଏ ବିଷୟରେ ବୁଝାଉ ନାହାନ୍ତି ?’’ ତେଣୁ ପରିବାର ନିୟନ୍ତ୍ରଣର ସଫଳତା ଉଭୟ ପୁରୁଷ ଓ ସ୍ତ୍ରୀଙ୍କର ସହଯୋଗ ଉପରେ ନିର୍ଭର କରେ ।

 

ସମାଜରେ ଏପରି ଲୋକ ଅଛନ୍ତି ଯେଉଁମାନେ କି କୌଣସି ପ୍ରକାର ସମାଜିକ ପରିବର୍ତ୍ତନ ଚାହାନ୍ତି ନାହିଁ । ତେଣୁ ପରିବାର ନିୟନ୍ତ୍ରଣର ପ୍ରସାରପାଇଁ କିଛି କରିବାକୁ ହେଲେ ପ୍ରଥମେ ସାମାଜିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ହେବ । ଲୋକଙ୍କର ପୁରାତନ ବିଶ୍ୱାସ ଓ ଚିନ୍ତାଧାରା ବଦଳାଇବାକୁ ପଡ଼ିବ । ଅନେକ ଲୋକ କହନ୍ତି ଯେ ଯାହା ଆମ ଭାଗ୍ୟରେ ଅଛି ତାହା ନିଶ୍ଚୟ ଫଳିବ । ଏପରି କୃତ୍ରିମତା ଅବଲମ୍ବନ କରି ଲାଭ କଅଣ ? ପ୍ରଥମେ କିନ୍ତୁ ଆମର କର୍ତ୍ତବ୍ୟ ଯାହା ତାହା କରିବା ଉଚିତ୍‌ । ପରେ ଯେଉଁ ଫଳ ଫଳିବ ତାହାହିଁ କର୍ମର ଫଳ ଏବଂ ସେଥିରେ ସନ୍ତୁଷ୍ଟ ରହିବା ଉଚିତ । କେହି କେହି କହିବାର ଶୁଣାଯାଇଛି ଯେ ପରିବାର ନିୟନ୍ତ୍ରଣର କୌଣସି ଉପାୟ ଅବଲମ୍ବନ କରିବା ହିଁ ପାପ । କାରଣ ତାହାଦ୍ୱାରା କେତୋଟି ପ୍ରାଣ ନଷ୍ଟ କରି ଦିଆଯାଉଛି-। ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ଯଦି ଜଣେ ଲୋକ ପରିବାର ନିୟନ୍ତ୍ରଣର କୌଣସି ଉପାୟ ଅବଲମ୍ବନ କରେ ତେବେ ତା’ଦ୍ୱାରା ପ୍ରାଣର ସୃଷ୍ଟି ହେବ କିପରି ? ଏହାର ଉତ୍ତର ପାଇବାକୁ ହେଲେ ମଣିଷର ସାମାଜିକ ଶିକ୍ଷା ଓ ଜ୍ଞାନ ଦରକାର ।

 

ଅନେକ ଦେଶପ୍ରାଣ ବ୍ୟକ୍ତି କହନ୍ତି ଯେ ଭାରତରେ ଜନ୍ମ ନିୟନ୍ତ୍ରଣ କାମ୍ୟ ନୁହେଁ । କାରଣ ଦେଶର ଲୋକ ସଂଖ୍ୟା କମିଗଲେ ଶତ୍ରୁ ଆକ୍ରମଣ ସମୟରେ ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଲୋକ ମିଳିବେ ନାହିଁ । କିନ୍ତୁ ଦେଶର ପ୍ରତିରକ୍ଷା ପାଇଁ ପ୍ରସ୍ତୁତ ହେବାକୁ ହେଲେ ଅର୍ଥ ସଞ୍ଚୟ କରିବା ଦରକାର । ତାହାଦ୍ୱାରା ଆର୍ଥିକ ମାନବୃଦ୍ଧି ପାଇବ ଏବଂ ପ୍ରତିରକ୍ଷା ଖର୍ଚ୍ଚ ତୁଲାଇ ହେବ । ଦ୍ୱିତୀୟରେ ଦେଶର ସୀମାନ୍ତକୁ ରକ୍ଷା କରିବାକୁ ହେଲେ ବଳିଷ୍ଠ ପୁରୁଷ ଓ ସ୍ତ୍ରୀ ଆବଶ୍ୟକ । ଲୋକସଂଖ୍ୟା ବୃଦ୍ଧି ଫଳରେ ଖାଦ୍ୟାଭାବ ହେଲେ ସେମାନେ ଯଥେଷ୍ଟ ଖାଇବାକୁ ନ ପାଇ ଦୁର୍ବଳ ହୋଇ ପଡ଼ିବେ । ତେଣୁ ଦେଶରକ୍ଷା ତ ଦୂରର କଥା ସେମାନେ ଆତ୍ମରକ୍ଷା କରିବାକୁ ସମର୍ଥ ହେବେ ନାହିଁ । ସେ ଦୃଷ୍ଟିରୁ ଯଦି କେହି ଦେଶର ମଙ୍ଗଳ କାମନା କରେ ବା ବିଦେଶୀ ଆକ୍ରମଣରୁ ଦେଶକୁ ରକ୍ଷା କରିବାକୁ ଚାହେଁ ତେବେ ସେ ପରିବାର ନିୟନ୍ତ୍ରଣ ପ୍ରତି ପ୍ରଥମେ ଧ୍ୟାନ ଦେବା ଉଚିତ-

 

ଏ କଥା ସତ ଯେ ଗଣତାନ୍ତ୍ରିକ ରାଷ୍ଟ୍ରରେ ବାଧ୍ୟ କରି ପରିବାର ନିୟନ୍ତ୍ରଣ କରାଇବା ସମ୍ଭବ ନୁହେଁ । କିନ୍ତୁ ଆଇନ ଦ୍ୱାରା ଦେଶର କେତେକ ସାମାଜିକ କ୍ଷେତ୍ରରେ ପରିବର୍ତ୍ତନ କରାଯାଇ ପାରେ । ଉଦାହାରଣ ସ୍ୱରୂପ ଆଇନ ଦ୍ୱାରା ଦେଶର ପୁରୁଷ ଓ ସ୍ତ୍ରୀମାନଙ୍କର ବିବାହର ବୟସ ବଢ଼ାଇ ଦିଆଯାଇ ପାରିବ । ବୟସର ଆଧିକ୍ୟ ହେତୁ ଏକ ପକ୍ଷରେ ସେମାନଙ୍କର ଶାରୀରିକ ଦୃଢ଼ତା ଆସେ ଏବଂ ଅପର ପକ୍ଷରେ ବିବାହର ମୂଲ୍ୟ, ଶିଶୁପାଳନ, ପରିବାର ଗଠନରେ ସେମାନଙ୍କର ଦାୟିତ୍ୱ ଓ ପରିବାର ନିୟନ୍ତ୍ରଣ ସମ୍ୱନ୍ଧରେ ସେମାନେ ଯଥେଷ୍ଟ ଜ୍ଞାନ ଅର୍ଜନ କରି ପାରନ୍ତି । ସେହିପରି ଆଇନ ଦ୍ୱାରା ଶିକ୍ଷା କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଅଣାଯାଇ ପାରିବ । ସ୍ଥଳ ବିଶେଷରେ ଦେଖାଯାଇଛି ଯେ ବାପା ମାଆମାନେ ଛୋଟ ପିଲାଙ୍କର ଅଝଟକୁ ସମ୍ଭାଳି ନ ପାରି ସେମାନଙ୍କୁ ସ୍କୁଲକୁ ପଠାଇ ଦିଅନ୍ତି । ଯଦି ସ୍କୁଲରେ ପ୍ରବେଶ ବୟସର ସୀମା ବଢ଼ାଇ ଦିଆଯାଆନ୍ତା ତେବେ ବାପ ମାଆମାନେ ପିଲାମାନଙ୍କୁ ଘରେ ରଖିବାକୁ ବାଧ୍ୟ ହୁଅନ୍ତେ ଏବଂ ଘରେ ଅଧିକ ସଂଖ୍ୟକ ପିଲା ରହିବା ଫଳରେ ସେମାନେ କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଉପଲବ୍‌ଧି କରି ପାରନ୍ତେ । ଇଂଲଣ୍ଡରେ ଯେତେବେଳେ ଛୋଟ ପିଲାଙ୍କର ସ୍କୁଲ ଯିବା ବୟସର ସୀମା ବଢ଼ାଇ ଛଅ ବର୍ଷ ରଖାଗଲା ଏବଂ ସ୍ତ୍ରୀମାନଙ୍କୁ ପୁରୁଷମାନଙ୍କ ପରି ବାହାରେ ବୁଲିବାର ସ୍ୱାଧୀନତା ଦିଆଗଲା, ସେତେବେଳେ ସେମାନେ ପରିବାର ନିୟନ୍ତ୍ରଣ କରିବାକୁ ବାଧ୍ୟ ହେଲେ । କାରଣ ଯଦି ଅଧିକ ସଂଖ୍ୟକ ଛୋଟ ପିଲା ସ୍କୁଲ ନ ଯାଇ ଘରେ ରହି ଯାଆନ୍ତି ତାହା ହେଲେ ମାଆମାନେ ଆଉ ବାହାରକୁ ନ ବାହାରି ଘର ଭିତରେ ରହିବାକୁ ବାଧ୍ୟ ହେବେ । ତାହାପରେ ପରିବାର ନିୟନ୍ତ୍ରଣ ଯୋଜନା ସେ ଦେଶରେ ବିଶେଷ ଫଳପ୍ରଦ ହୋଇଛି ।

Image

 

ସାମାଜିକ ଅନ୍ଧ-ବିଶ୍ୱାସ

 

ଅନ୍ଧବିଶ୍ୱାସ ପ୍ରାୟ ପ୍ରତ୍ୟେକ ଦେଶ, ଜାତି ଓ ସମାଜରେ ଦେଖା ଦେଇଥାଏ । କାରଣ ମଣିଷ ତା ଜୀବନର ରକ୍ଷଣାବେକ୍ଷଣ ଓ ଉନ୍ନତି ପାଇଁ ସବୁବେଳେ ଚିନ୍ତାକରେ ଏବଂ ତା ସହିତ ତା’ର ଭବିଷ୍ୟତର ଆଶା ଓ ଆକାଙ୍‌କ୍ଷା ଭରି ରହିଥାଏ । ମଣିଷର ଆଶା ଓ ତାହା ଫଳପ୍ରଦ ହେବା ଭିତରେ ସୁଦୂର ପ୍ରସାରୀ ଅନିଶ୍ଚିତତା ଥାଏ । ସେହି ଅନିଶ୍ଚିତତା ଭିତରେ କେତେବେଳେ କ’ଣ ଘଟି ଯାଏ ତାହା ମଣିଷ ନିୟନ୍ତ୍ରଣ କରିପାରେ ନାହିଁ । ସେଥିପାଇଁ ଅନ୍ଧବିଶ୍ୱାସ ପରି ଏକ ଯାଦୁ ବିଦ୍ୟା ଉପରେ ଭରସା ରଖି ସେ ଆତ୍ମସନ୍ତୋଷ ଲାଭ କରେ ଓ ମାନସିକ ଯନ୍ତ୍ରଣାରୁ ମୁକ୍ତିଲାଭ କରେ । ମଣିଷ ଅନେକ ସମୟରେ ନିଜ ଦେହରେ ଥିବା ସମସ୍ତ ଶକ୍ତି ଓ ସାମର୍ଥ୍ୟ ନିଜର ଉନ୍ନତି ପାଇଁ ବିନିଯୋଗ କରେ ନାହିଁ । କାରଣ ସେ ଭାବେ ଯେ ପ୍ରକୃତି କିମ୍ୱା କୌଣସି ଏକ ବାହାରର ଶକ୍ତି ତାକୁ ସାହାଯ୍ୟ କରି ପାରିବ । ଏହି କଥାକୁ ଆଖି ଆଗରେ ରଖି ସେ ଭଗବାନ ଓ ଧର୍ମ ଶବ୍ଦର ସୃଷ୍ଟି କରିଅଛି । ସେଥିପାଇଁ କୁହାଯାଏ ଯେ, ଧର୍ମ ହେଉଛି ମାୟା (Illusion) । ଶିଶୁ ଭଗବାନଙ୍କୁ ନିଜର ବାପାଙ୍କର ଏକ ବୃହତ୍‌ ପ୍ରତିରୂପ ବୋଲି ଭାବିଥାଏ । ତେଣୁ ବାପାଙ୍କର ଶାସନାଧୀନରୁ ପିଲାମାନେ ମୁକୁଳି ଯିବାପରେ ସେମାନଙ୍କର ଈଶ୍ୱରବିଶ୍ୱାସ କ୍ରମଶଃ କମି କମି ଯାଇଥାଏ ।

 

ସମାଜ ବିଜ୍ଞାନବିତ୍‌ଙ୍କ ମତରେ ଅନ୍ଧବିଶ୍ୱାସ ହେଉଛି ଅଲୌକିକ ଶକ୍ତି ସମ୍ୱନ୍ଧରେ ମଣିଷର ବିଶ୍ୱାସ ଓ ଭୁଲ୍‌ ନିର୍ଦ୍ଦେଶିତ ଭକ୍ତି । ଅଲୌକିକ ଶକ୍ତି ସମ୍ୱନ୍ଧରେ ମଣିଷର କେତେକ ଅବାସ୍ତବ ଚିନ୍ତାଧାରା ଓ ଦୃଢ଼ ବିଶ୍ୱାସ କାଳକ୍ରମେ ସମାଜରେ ଗ୍ରହଣୀୟ ହୋଇଯାଏ । ଏପରି ବିଶ୍ୱାସ ପଛରେ କୌଣସି ସତ୍ୟସମ୍ୱଳିତ ବୈଜ୍ଞାନିକ ତଥ୍ୟ ନ ଥିଲେ ମଧ୍ୟ ମଣିଷର ଭବିଷ୍ୟତ ଅନିଶ୍ଚିତତା, ବିପଦ, ଭୟ, ଦୁର୍ଘଟଣା, ବନ୍ୟା, ମରୁଡ଼ି ଆଦିରୁ ଏହା ସୃଷ୍ଟି ହୋଇଥାଏ ।

 

ସାଧାରଣତଃ ଅନ୍ଧ ବିଶ୍ୱାସ ଗାଁ ଗହଳରେ ଥିବା ଲୋକଙ୍କ ଭିତରେ ଓ ଅଶିକ୍ଷିତ ଲୋକଙ୍କ ମନରେ ବେଶୀ ଦେଖାଯାଏ । ସେମାନେ ଭାବି ଥାଆନ୍ତି ଯେ କୌଣସି ଅଲୌକିକ ଶକ୍ତି ସେମାନଙ୍କର ଚାରିପଟେ ସବୁବେଳେ ଘୂରୁଛି । ତେଣୁ ଭୁଲ କାମ କଲେ ସେ ସଙ୍ଗେ ସଙ୍ଗେ ଆକ୍ରମଣ କରିବ । ସେହି ଅଲୌକିକ ଶକ୍ତିର ସତ୍ତା ସେମାନେ ଭଙ୍ଗା ଦର୍ପଣ, ନଅ, ଛଅ, ତେର ଆଦି ସଂଖ୍ୟା, ଶନିବାର; ସଂକ୍ରାନ୍ତି, କଳାରଙ୍ଗ ଭିତରେ ଅନୁଭବ କରି ଥାଆନ୍ତି । ଶିଶୁର ଜନ୍ମ ସମ୍ୱନ୍ଧରେ ସେମାନଙ୍କର ଧାରଣା ମଧ୍ୟ ଅଦ୍ଭୁତ । ‘ଷଠୀ’ ନାମକ ଏକ ଠାକୁରାଣୀ ପୁଅ ବା ଝିଅ ଜନ୍ମ ହେବ, ସେଥିପାଇଁ ଦାୟୀ ହୁଅନ୍ତି ଏବଂ ପିଲାମାନଙ୍କର ବୟସ ନିୟନ୍ତ୍ରଣ କରନ୍ତି । ଜନ୍ମ ହେବା ପୂର୍ବରୁ ବା ଜନ୍ମ ପରେ ପରେ ପିଲାଟି ମରିଗଲେ ତାହା ‘ଷଠୀ’ଙ୍କର ଅଭିଶାପ ବୋଲି ଭାବନ୍ତି, କେହି କେହି ଭାବନ୍ତି ଯେ ଏହା ଅଦୃଷ୍ଟର ଆଶୀର୍ବାଦ କାରଣ ଅଯୋଗ୍ୟକୁ ସଂସାରରେ ସ୍ଥାନ ନ ଦେବା ପାଇଁ ଈଶ୍ୱରଙ୍କର ଏହା ଏକ କୌଶଳ ।

 

ହିନ୍ଦୁ ଧର୍ମରେ ଥିବା ବଳିଦାନ ଅନ୍ଧବିଶ୍ୱାସର ଅନ୍ତର୍ଭୁକ୍ତ ବୋଲି କୁହାଯାଇଥାଏ । କାରଣ ମଣିଷ ମନ ଭିତରେ ଥିବା ହତାଶା ଓ ଅପରାଧର ଦୂରୀକରଣ ପାଇଁ ଏକ ନିର୍ଦ୍ଦୋଷ ପଶୁ, ପକ୍ଷୀ ବା ଫଳକୁ ଠାକୁରାଣୀଙ୍କ ନିକଟରେ ହତ୍ୟା କରିବାଦ୍ୱାରା ତା’ର ସମସ୍ତ ପାପ ଦୂର ହୁଏ ବୋଲି ବିଶ୍ୱାସ ଥାଏ । ଧର୍ମ ନାମରେ ଜଳ, ସ୍ଥଳ, ଆକାଶ, ଚନ୍ଦ୍ର, ସୂର୍ଯ୍ୟ, ଅଗ୍ନି ଆଦିକୁ ପୂଜା କରାଯାଏ । ମଣିଷ ସେମାନଙ୍କଠାରୁ ଉପକାର ପାଏ ଏବଂ ପୂଜା ବା ପ୍ରାର୍ଥନା କଲେ ଉପକାର ମିଳେ ବୋଲି ସେ ବିଶ୍ୱାସ କରେ । ଉଦାହରଣସ୍ୱରୂପ କୃଷିର ଉନ୍ନତି ପାଇଁ ମୃତ୍ତିକା ଓ ଜଳ ପାଇଁ ଇନ୍ଦ୍ରଦେବତାଙ୍କୁ ପୂଜା ଏବଂ ପ୍ରାର୍ଥନା କରି ସନ୍ତୁଷ୍ଟ କରିବା ଦରକାର ହୋଇଥାଏ । ଖାଦ୍ୟଶସ୍ୟ ନଷ୍ଟ କରିବାରେ ମୂଷା ମଣିଷର ଏକ ଶତ୍ରୁ; କିନ୍ତୁ କେତେକ ଜାଗାରେ ମୂଷାକୁ ପୂଜା କରାଯାଏ ଏବଂ ଯଥେଷ୍ଟ ଧାନ, ଚାଉଳ ଖାଇବାକୁ ଦିଆଯାଏ । ସାମାଜିକ ପ୍ରଥା ଅନୁଯାୟୀ ଅନେକ ସ୍ଥାନରେ ପୂର୍ବ ପୁରୁଷଙ୍କୁ ସନ୍ତୁଷ୍ଟ କରିବାପାଇଁ ଅନେକ ଖାଦ୍ୟ ଦ୍ରବ୍ୟ ଅର୍ପଣ କରାଯାଏ ଏବଂ ପରେ ସେଗୁଡ଼ିକୁ ପାଣିରେ ଫୋପାଡ଼ି ଦିଆଯାଏ । ସେହିପରି ହୋମ, ଯଜ୍ଞ ଆଦି କରିବାପାଇଁ ଶହ ଶହ ଟଙ୍କାର ଖାଣ୍ଟି ଘିଅ ନିଆଁରେ ପୋଡ଼ି ଦିଆଯାଏ । ଯେତେବେଳେ ଦେଶର ଲୋକେ ଅନାହାରରେ ମରି ଯାଉଛନ୍ତି, ପୁଷ୍ଟିକର ଖାଦ୍ୟ ନ ପାଇ ଶିଶୁମାନେ ବିକଳାଙ୍ଗ ଓ ରୋଗଗ୍ରସ୍ତ ହୋଇ ଯାଉଛନ୍ତି, ସେତେବେଳେ ସମାଜରେ କେତେକ ଲୋକଙ୍କର ଖିଆାଲି ମନ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଦେଶର ଅର୍ଥନୈତିକ ସମ୍ପଦ ନଷ୍ଟ କରିବାରେ ଲାଗିଛି ।

 

ମଣିଷର ଅନ୍ଧବିଶ୍ୱାସ ଜନ୍ମଗତ ନୁହେଁ, ଏ କଥା ସତ । ତେଣୁ ପିଲାଟି ଦିନରୁ ବଡ଼ହୋଇ ସ୍କୁଲ, କଲେଜରେ ପଢ଼ିବା ପର୍ଯ୍ୟନ୍ତ ବାପମାଆଙ୍କଠାରୁ ଆରମ୍ଭକରି ବନ୍ଧୁ, ପଡ଼ୋଶୀ, ଏବଂ ରେଡ଼ିଓ ଟେଲିଭିଜନ, ବହି, ଖବରକାଗଜ ଆଦିରୁ ସେ ଅନ୍ଧବିଶ୍ୱାସ ସମ୍ୱନ୍ଧରେ ଶିକ୍ଷା ଲାଭ କରେ । ଏପରି ଶିକ୍ଷା ତା’ର ବ୍ୟକ୍ତିତ୍ୱର ବିକାଶ ପଥରେ ଅନ୍ତରାୟ ସୃଷ୍ଟି କରେ ବୋଲି ସର୍ବପ୍ରଥମେ ବାପ ମାଆ ଅନୁଭବ କରିବା ଦରକାର ଏବଂ ସେମାନେ ଶିଶୁର ଶିକ୍ଷା ନିୟନ୍ତ୍ରଣ କରିବା ଉଚିତ । ବୟସର ଆଧିକ୍ୟ ହେତୁ ବାପମାଆ, ପରିବେଷ୍ଟନୀର ପ୍ରଭାବରେ ଅଧିକ ପ୍ରଭାବିତ ହୋଇ ନିଜର ବିଶ୍ୱାସରେ ପରିବର୍ତ୍ତନ ଆଣିବା ସମ୍ଭବ ହୋଇ ନ ପାରେ । ଡାହାଣ ନାକ ପୁଡ଼ାରେ ନିଶ୍ୱାସ ଯାଉଥିବା ବେଳେ, ଡାହାଣ ଆଖି ଡେଉଁଥିବା ବେଳେ କିମ୍ୱା କେହି ଖାଲି ମାଠିଆ ଧରି ଠିଆ ହୋଇଥିବାର ଦେଖିଲେ କୌଣସି ଦିଗକୁ ଯାତ୍ରା କରିବା ନିଷ୍ଫଳ ବୋଲି ସେମାନେ ବିବେଚନା କରି ପାରନ୍ତି । କିନ୍ତୁ ଏ କଥା ଯଦି କୋମଳମତି ବାଳକ ବାଳିକାମାନଙ୍କୁ ପ୍ରତ୍ୟକ୍ଷରେ ବା ପରୋକ୍ଷରେ ଶିକ୍ଷା ଦିଆଯାଏ ତା ହେଲେ ସେମାନଙ୍କର ଜୀବନର ପ୍ରଗତିରେ ଏହା ପ୍ରତିବନ୍ଧକ ସୃଷ୍ଟି କରେ, ଏଥିରେ ସନ୍ଦେହ ନାହିଁ ।

Image

 

ଶିଶୁର ବ୍ୟକ୍ତିତ୍ୱ

 

ଶିଶୁ ଜନ୍ମ ହେବାର ପ୍ରାୟ ନଅ ମାସ ପୂର୍ବରୁ ତା’ର ଶାରୀରିକ ଗଠନ ହୋଇଥାଏ । ସେହି ସମୟ ଭିତରେ ତା’ର ମାନସିକ କାର୍ଯ୍ୟକଳାପ ସର୍ମ୍ପକରେ ବିଶେଷ କିଛି ଜାଣି ହୁଏ ନାହିଁ । କିନ୍ତୁ ଜନ୍ମ ପରେ ପରେ ତା’ର ଶାରୀରିକ ଓ ମାନସିକ ବ୍ୟବହାର ସମ୍ପୂର୍ଣ୍ଣରୂପେ ଜାଣି ହୁଏ । ଶାରୀରିକ ବ୍ୟବହାର ଭିତରେ ଶିଶୁର ହସିବା, କାନ୍ଦିବା, ଖେଳିବା, ଖାଇବା ଇତ୍ୟାଦି ଅନ୍ତର୍ଭୁକ୍ତ । ସେହିପରି ମାନସିକ ବ୍ୟବହାର ଭିତରେ ଈର୍ଷା, କଳହ, ଉଦବେଗ, ପରାଧୀନତା, ପ୍ରଭୁତ୍ୱ, ବିବେକ ଇତ୍ୟାଦି ଥାଏ । ଉଭୟ ଶାରୀରିକ ଓ ମାନସିକ ବ୍ୟବହାରକୁ ଅନୁଧ୍ୟାନ କଲେ ଶିଶୁର ପରିପୂର୍ଣ୍ଣ ବ୍ୟକ୍ତିତ୍ୱ ସମ୍ପର୍କରେ ଜାଣିହୁଏ । ଅନ୍ୟ ଦୃଷ୍ଟିରୁ ‘‘ଶିଶୁର ବ୍ୟକ୍ତିତ୍ୱ କଅଣ ?’’ ବୋଲି ପ୍ରଶ୍ନକଲେ ଉତ୍ତରରେ ‘‘ଶିଶୁର ସମସ୍ତ ବ୍ୟବହାର’’ ବୋଲି କୁହାଯାଏ । ପରିବର୍ତ୍ତନଶୀଳ ପରିବେଷ୍ଟନୀ ଭିତରେ ତା’ର ବ୍ୟବହାର ଗୋଟିଏ ମୁହୂର୍ତ୍ତରୁ ଅନ୍ୟ ମୁହୂର୍ତ୍ତକୁ ବଦଳିଯାଏ । ତା’ର ଏହି ସମସ୍ତ ବ୍ୟବହାରକୁ ବ୍ୟକ୍ତିତ୍ୱର ଅନ୍ତର୍ଭୁକ୍ତ କରାଯାଇଥାଏ । ସାଧାରଣ ଲୋକଙ୍କଦ୍ୱାରା କୁହାଯାଉଥିବା ଉଚ୍ଚକୁଳ, ଧନସମ୍ପତ୍ତି, ପ୍ରଭୁତ୍ୱ, ପୋଷାକ ପରିଚ୍ଛଦ ବା ସୌନ୍ଦର୍ଯ୍ୟଦ୍ୱାରା ଶିଶୁର ବ୍ୟକ୍ତିତ୍ୱ ନିରୂପଣ କରାଯାଏ ନାହିଁ ।

 

ଶିଶୁର ବ୍ୟକ୍ତିତ୍ୱ ଗଠନ ସହିତ ତା’ର ଜନ୍ମଗତ ଗୁଣର ବିଶେଷ ସର୍ମ୍ପକ ନ ଥାଏ । କେବଳ ଶରୀରର ଚର୍ମ, ଅସ୍ଥି, ମେଦ, ଗ୍ରନ୍ଥି ଆଦି ଜନ୍ମ ସମୟର ସେ ଧାରଣ କରିଥାଏ, କିନ୍ତୁ ଜନ୍ମ ହେବା ପରେ ସେ ସବୁ ପ୍ରକାର ବ୍ୟବହାର ଶିକ୍ଷା କରେ ଏବଂ ସେହି ଅନୁସାରେ ବ୍ୟକ୍ତିତ୍ୱ ଗଠନ କରେ । ଦେଖି, ଶୁଣି ଏବଂ ଅଙ୍ଗେ ଲିଭେଇ ସେ ନିଜ ବିଷୟରେ ଏକ ଧାରଣା ଆଣିପାରେ, ନିଜର ବ୍ୟବହାର ନିୟନ୍ତ୍ରଣ କରେ ଓ ଅପର ସହିତ ସମ୍ପର୍କ ସ୍ଥାପନ କରେ । ଚକର ପହି ଭଳି ତା’ର ବ୍ୟକ୍ତିତ୍ୱ ସହିତ ବିଭିନ୍ନ ବୈଶିଷ୍ଟ୍ୟ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଯୋଡ଼ି ହୋଇଥାଏ । ଶିକ୍ଷା ମାଧ୍ୟମରେ ତା’ର ଗତିଶୀଳ ବ୍ୟକ୍ତିତ୍ୱ ଭିତରେ ଆଦିମ ପ୍ରବୃତ୍ତିପରି ଇଡ଼୍‌ (Id), ସାଧାରଣ ମଣିଷର ବ୍ୟବହାର ପରି ଇଗୋ (Ego) ଓ ମହାମାନବ ପରି ସୁପର-ଇଗୋ (Super Ego) ଦେଖାଦେଇ ଥାଏ, ଶିଶୁର ଅଚେତନ ମନ ଭିତରେ ଯେତେବେଳେ ଇଡ଼୍‌ ପ୍ରଭୁତ୍ୱ ବିସ୍ତାର କରେ ସେତେବେଳେ ସେ ଏକ ଆନନ୍ଦମୟ ସଂସାର ଭିତରେ ବିଚରଣ କରେ । ତା’ର ବିଚାରଦ୍ୱାରା ସେ ଦୁନିଆଁକୁ ଭାଙ୍ଗିପାରେ ବା ଗଢ଼ିପାରେ । ଇଗୋର ବିବେଚନାରେ ସଚେତନ ମନଭିତରେ ସୁଖ, ଦୁଃଖ, ଭଲ, ମନ୍ଦ ଆଦି କଳ୍ପନା କରିପାରେ, ଏବଂ ସେ ନିଜ ବିଷୟରେ ଭାବିପାରେ । ସୁପରଇଗୋର ପ୍ରଭାବରେ ସେ ଆଦର୍ଶବାଦ କଥା ଚିନ୍ତାକରି ପାରେ । ବ୍ୟକ୍ତିତ୍ୱ ଭିତରେ ଇଗୋ ଓ ସୁପରଇଗୋର ଅଧିକ ଅଂଶ ଅଚେତନତା ଭିତରେ ବୁଡ଼ି ରହିଥାଏ ଏବଂ ଖୁବ୍‌ କମ୍‍ ଅଂଶ ସଚେତ ଥାଏ ।

 

ଜନ୍ମ ହେବାପରେ ଶିଶୁ ପ୍ରଥମେ ମାଆକୁ ଦେଖେ । ତାଠାରୁ କ୍ଷୀର ଖାଇ ବଞ୍ଚେ, ଓ ମାଆ କୋଡ଼ରେ ବଢ଼ିବାକୁ ଆରମ୍ଭ କରେ । ତାପରେ ବାପାଙ୍କ ସମ୍ପର୍କରେ ସେ ଆସିଥାଏ । ବାପାମାଆଙ୍କ ପ୍ରଭାବରେ ସେ ତା’ର ଖାଦ୍ୟ ଅଭ୍ୟାସ ଶିକ୍ଷା କରେ । ତା’ର ପ୍ରଧାନ ଖାଦ୍ୟ କ’ଣ, ସେ ହାତରେ ଖାଇବ କି କଣ୍ଟାଚାମଚ ସାହାଯ୍ୟରେ ଖାଇବ, ସେ ତଳେ ବସି ଖାଇବ କି ଚୌକିରେ ବସି ଟେବୁଲ ଉପରେ ଖାଦ୍ୟ ରଖି ଖାଇବ ଇତ୍ୟାଦି ସେମାନଙ୍କଠାରୁ ଶିକ୍ଷା ପାଏ । ଘରର ଚଳଣୀ, ବଂଶ ମର୍ଯ୍ୟାଦା, ପାରିବାରିକ ବୃତ୍ତି, ଜାତିଗତ ସମ୍ମାନ, ନିଜର ଧର୍ମ, ନୈତିକତା ପ୍ରଭୃତି ବାପାମାଆ ତାକୁ ଶିକ୍ଷା ଦେଇଥାଆନ୍ତି । କେତେବେଳେ ଉପଦେଶ ମାଧ୍ୟମରେ, କେତେବେଳେ ଦଣ୍ଡଦେଇ ଏବଂ ଆଉ କେତେବେଳେ ପ୍ରଶଂସା କରି ବାପମାଆ ପିଲାଟିକୁ ସବୁକଥା ଶିଖାଇଥାଆନ୍ତି । ଅନେକ ସମୟରେ ଶିଶୁ ନିଜେ ସେମାନଙ୍କ କଥା ବା କାର୍ଯ୍ୟକୁ ଅନୁକରଣ କରି ଶିଖିପକାଏ । ଶିଶୁର ବ୍ୟକ୍ତିତ୍ୱ ସେତେବେଳେ କୁମ୍ଭାର ଗଢ଼ୁଥିବା କଞ୍ଚା ହାଣ୍ଡି ବା ମାଠିଆ ପରି ଖୁବ୍‍ କଅଁଳ ଥାଏ । ତାକୁ ସେହି ଅବସ୍ଥାରୁ ଯେକୌଣସି ପ୍ରକାର ରୂପ ଦିଆଯାଇପାରେ । ବଡ଼ ଦିନକୁ ତା’ର ବ୍ୟବହାରରୁ ହିଁ ବାପାମାଆଙ୍କର ପରିଚୟ ମିଳିପାରେ । ଯଦି ବାପାମାଆ ଖୁବ୍‌ ରାଗୀ ଏବଂ ପିଲାଟିର କୌଣସି କଥା ନଶୁଣି ସେମାନଙ୍କର ନିଜ ନିଷ୍ପତ୍ତି ଜୋର କରି ତା ଉପରେ ଲଦି ଦିଅନ୍ତି ତାହେଲେ ବଡ଼ଦିନକୁ ତା’ର ବ୍ୟବହାରରେ ରାଗ, ଭୟ, ହତାଶା, ଈର୍ଷ୍ୟା ବା ପ୍ରତିକ୍ରିୟାଶୀଳତା ଦେଖାଦିଏ । ଯଦି ଅତ୍ୟଧିକ ଯତ୍ନ ନିଆଯାଇଥାଏ ତାହେଲେ ସେ ଜଣେ ଅକର୍ମା ବା ପରମୁଖାପେକ୍ଷୀ ହୋଇଯାଏ । ତେଣୁ ଶିଶୁର ବ୍ୟକ୍ତିତ୍ୱ ଗଠନ ପାଇଁ ବାପାମାଆଙ୍କର ଯଥେଷ୍ଟ କର୍ତ୍ତବ୍ୟ ରହିଛି । ଏପରିକି ଯୌନପ୍ରକ୍ରିୟା ସମ୍ୱନ୍ଧରେ ଶିକ୍ଷା ଦେବାର ଦାୟିତ୍ୱ ବାପାମାଆଙ୍କର ଅଛି-। ଧୀମାନ୍‌ ଶିଶୁ ଏ ବିଷୟରେ ବାପମାଆଙ୍କୁ ପ୍ରଶ୍ନ ପଚାରି ପାରେ । ସେତେବେଳେ ଯଦି ତାକୁ କିଛି ଉତ୍ତର ଦିଆ ନ ଯାଏ ବା ଧମକ ଦେଇ ତା’ର ଜାଣିବାର ଆଗ୍ରହକୁ ଦବାଇ ଦିଆଯାଏ ତା ହେଲେ ତାହା ତା’ର ବ୍ୟକ୍ତିତ୍ୱ ଗଠନରେ ବାଧା ସୃଷ୍ଟି କରେ । ଯଦି ସେ ପଚାରେ ଯେ ସେ କେଉଁଠାରୁ ଆସିଲା, ସାଧାରଣ ଭାବରେ ତାକୁ କହିଦେବା କଥା ଯେ ସେ ମାଆ ପେଟ ଭିତରୁ ଆସିଲା । କିନ୍ତୁ ସେ ବିଷୟରେ ବିସ୍ତୃତ ବ୍ୟାଖ୍ୟା ସ୍ପୃହଣୀୟ ନୁହେଁ । ବ୍ୟକ୍ତିତ୍ୱ ଗଠନ ବିଷୟରେ ଶିକ୍ଷା ପାଉଥିବା ହେତୁ ଶିଶୁ ବାପାମାଆଙ୍କୁ ଭଗବାନଙ୍କର ପ୍ରତିରୂପ ବୋଲି ଭାବିଥାଏ ।

 

ଶିଶୁ ବଡ଼ ହୋଇ ଘର ଭିତରୁ ବାହାରକୁ ଆସିଲେ ପଡ଼ୋଶୀ ବନ୍ଧୁମାନଙ୍କ ଗହଣରେ ପ୍ରବେଶ କରେ । ବ୍ୟକ୍ତିତ୍ୱ ଗଠନରେ ବନ୍ଧୁମାନଙ୍କର ପ୍ରଭାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସେମାନେ ବିଭିନ୍ନ ପରିବାରରୁ ଆସିଥିବାରୁ ସେମାନଙ୍କର ପାରିବାରିକ ପ୍ରଭାବ ପରସ୍ପର ଉପରେ ପଡ଼ିଥାଏ । ଏହା ବ୍ୟତୀତ ବ୍ୟକ୍ତିତ୍ୱର ବୈଶିଷ୍ଟ୍ୟ ଉପରେ ନିର୍ଭର କରି ଦେଖାଯାଏ ଯେ କୌଣସି ଶିଶୁ ଯଦି ପ୍ରଭାବଶାଳୀ ହୋଇଥାଏ ଅନ୍ୟମାନେ ତାକୁ ଅନୁସରଣ କରନ୍ତି । ସ୍କୁଲକୁ ଯିବାପରେ ଶିଶୁର ବ୍ୟକ୍ତିତ୍ୱ ପୂରାପୂରି ଶିକ୍ଷା, ଶିକ୍ଷାର୍ଥୀବନ୍ଧୁ ଓ ଶିକ୍ଷକଙ୍କ ଉପରେ ନିର୍ଭର କରିଥାଏ । ଶିଶୁକୁ ଗୋଟିଏ ସାମାଜିକ ମଣିଷ କରିବାରେ ଶିକ୍ଷକଙ୍କର ଅବଦାନ ଅତୁଳନୀୟ । ଶିକ୍ଷାଗତ ଜ୍ଞାନ ଅର୍ଜନ କରିବା ସଙ୍ଗେ ସଙ୍ଗେ ସେ କିପରି ଅନ୍ୟମାନଙ୍କ ସହିତ ମିଳିମିଶି ଚଳି ପାରିବ, ପରିବର୍ତ୍ତନଶୀଳ ପରିବେଷ୍ଟନୀ ଭିତରେ କିପରି ନିଜକୁ ଖାପ ଖୁଆଇ ପାରିବ, ସାମାଜିକ କ୍ଷେତ୍ରରେ ବିଭିନ୍ନ ପରୀକ୍ଷାରେ କୃତକାର୍ଯ୍ୟ ହେବା କୌଶଳ ଆଦି ବିଷୟ ଶିଶୁକୁ ଶିକ୍ଷା ଦିଆଯାଏ । ତା’ର କେତେକ କାର୍ଯ୍ୟକୁ ପସନ୍ଦ କରି ପ୍ରେରଣା ଦିଆଯାଏ ଏବଂ ଆଉ କେତେକ କାର୍ଯ୍ୟକୁ ନାପସନ୍ଦ କରି ସେଥିରୁ ନିବୃତ୍ତ କରାଯାଏ । ବାପାମାଆ, ଶିକ୍ଷକ ଓ ବନ୍ଧୁଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।

Image

 

ଶିଶୁର ଭୟ

 

ବାଘ, ସାପ, ‘‘କୋକ’’ ଆଦି ଜୀବଜନ୍ତୁଙ୍କୁ ନ ଦେଖିଥିଲେ ମଧ୍ୟ ଏମାନଙ୍କ ନାଁ ଶୁଣୁ ଶୁଣୁ, ଶିଶୁ ଭୟବିହ୍ୱଳ ହୋଇ କାନ୍ଦିପକାଏ, ବେଳେ ବେଳେ ଶୋଇପଡ଼େ ଏବଂ ଆଉ କେତେକ ସମୟରେ ମାଆ କାନିରେ ମୁହଁ ଘୋଡ଼ାଇ ପକାଏ । ଏ ସବୁ ଦେଖି ମନେ ହୁଏ ଯେପରି ଶିଶୁ ଜନ୍ମ ହେବା ବେଳେ ଭୟ କରିବାର ସ୍ୱଭାବ ସାଥିରେ ଆଣି ଆସିଥାଏ । କିନ୍ତୁ ଜଙ୍ଗଲରେ ବାସ କରୁଥିବା ଲୋକଙ୍କ କଥା ଦେଖିଲେ ଜଣାଯାଏ ଯେ ସେଠିକାର ପିଲାମାନେ ଜଙ୍ଗଲର ପଶୁମାନଙ୍କୁ ଭୟ କରିବା ପରିବର୍ତ୍ତେ ସେମାନଙ୍କ ସହିତ ଲଢ଼େଇ କରନ୍ତି, ଖେଳନ୍ତି ଏବଂ ଦରକାର ହେଲେ ସେମାନଙ୍କୁ ମାରି ମାଂସ ଖାଆନ୍ତି । ତେଣୁ ମନରେ ସ୍ୱତଃ ପ୍ରଶ୍ନ ଉଠେ ସମସ୍ତ ଶିଶୁଙ୍କର ସ୍ୱଭାବ ଏକା ପ୍ରକାର ହୁଏ ନାହିଁ କାହିଁକି ଏବଂ ଭୟ କରିବାର ପ୍ରବୃତ୍ତି ସମସ୍ତଙ୍କଠାରେ ଦେଖାଯାଏ ନାହିଁ କାହିଁକି-?

 

ବିଭିନ୍ନ ପ୍ରକାର କାରଣ ଅନୁସନ୍ଧାନ କଲେ ଜଣାଯାଏ ଯେ ଶିଶୁ ମନରେ ଭୟ ଜାତ କରିବାପାଇଁ ପରିବେଷ୍ଟନୀଗତ ପ୍ରଭାବ ପ୍ରଥମ ଓ ପ୍ରଧାନ ସ୍ଥାନ ପାଏ । ଥରେ ଗୋଟିଏ ପିଲା ଖେଳୁଥିବା ବେଳେ ପାଖରେ ଯାଉଥିବା ଗୋଟଏ ସାପର ମୁଣ୍ଡକୁ ଧରି ପକାଇଲା । ସାପଟିକୁ ଧରିବା ବେଳେ ସେ କୌଣସି ଭୟ ପାଇ ନ ଥିଲା । କିନ୍ତୁ ସାପଟି ହାତରେ ଗୁଡ଼ାଇ ହୋଇଯିବା ପରେ ସେ କାନ୍ଦିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା, ପାଖରେ ଜମା ହୋଇଥିବା ଲୋକମାନେ ସାପଟିକୁ ବାହାର କରି ପିଲାଟିକୁ ବିପଦରୁ ଉଦ୍ଧାର କରିବାକୁ ସାହସ କଲେ ନାହିଁ । ନିକଟରେ କାମ କରୁଥିବା ଜଣେ ଶ୍ରମିକ ପିଲାଟିର କାନ୍ଦ ଶୁଣି ଓ ଲୋକମାନେ ଜମା ହୋଇଥିବାର ଦେଖି ସେମାନଙ୍କ ନିକଟକୁ ଆସିଲା ଓ ସାପଟି ବିଷଧର ନୁହେଁ ବୋଲି ଜାଣି ତାକୁ ହାତରେ ଧରି ପିଲାଟି ଦେହରୁ ସାପକୁ ଅଲଗା କରିଦେଲା । ଏହିପରି କେତେକ ଘଟଣାରୁ ଜଣାଯାଏ ଯେ, ପିଲାମାନେ ଯାହାକୁ ଭୟ କରନ୍ତି ନାହିଁ ବୟସ୍କ ଲୋକମାନେ ତାକୁ ଖୁବ୍‌ ଭୟ କରନ୍ତି । କାରଣ ବୟସ୍କମାନେ ପରିବେଷ୍ଟନୀର ପ୍ରଭାବରେ ଅଧିକ ପ୍ରଭାବିତ ହୋଇଥାନ୍ତି ।

 

ମାଆମାନଙ୍କର ଲାଳନ ପାଳନରେ ତ୍ରୁଟି ଯୋଗୁଁ ଅନେକ ସମୟରେ ଶିଶୁ ଭୟ ପାଇବା କଥା ଶିଖିଥାଏ, ଅବଶ୍ୟ ସମସ୍ତ ମାଆଙ୍କର ଶିଶୁପାଳନ କ୍ଷେତ୍ରରେ ଏକା ପ୍ରକାର ଅଭିଜ୍ଞତା ନ ଥାଏ-। ତେଣୁ କେତେକ ମାଆ ନିଜର ଅଜ୍ଞତାବଶତଃ ନିଜର ପିଲାଙ୍କୁ ଭୟ କରିବା ପାଇଁ ଶିକ୍ଷା ଦିଅନ୍ତି । ଶିଶୁ ମାଆ ପାଖରେ ଅଝଟ କରିବା ସ୍ୱାଭାବିକ । କିନ୍ତୁ ଅଝଟରୁ ନିବୃତ୍ତ ହେବା ପାଇଁ ଯଦି ମାଆ ବାଘ, ଭାଲୁ, ସାପ, ‘‘କୋକମିନା’’ ବା ଭୂତର ଭୟ ଦେଖାଏ ତେବେ ପିଲାଟି ଡରିଯାଇ ଅଝଟ ଲଗାଏ ନାହିଁ ସତ କିନ୍ତୁ ତା ମନ ଭିତରେ ସେହି ଭୟ ସବୁଦିନ ପାଇଁ ରହିଯାଏ ।

 

ଶିଶୁର ଭୟପାଇଁ ଅନ୍ୟ ଏକ କାରଣ ହେଉଛି ତା ସାଙ୍ଗସାଥୀ । ବିଭିନ୍ନ ପରିବାରରୁ ଆସିଥିବା ପିଲାମାନେ ବିଭିନ୍ନ ପ୍ରକାର ଭୟ ସାଥିରେ ଆଣି ଆସିଥାଆନ୍ତି । ସେମାନେ ଏକତ୍ରିତ ହେଲେ ସେମାନଙ୍କର ଭୟ ଅନ୍ୟମାନଙ୍କ ଭିତରେ ସମ୍ପ୍ରସାରିତ ହୁଏ । ଗୋଟିଏ ପିଲା ବା ତା’ର କେହି ଭାଇ, ଭଉଣୀ ପାଣିରେ ବୁଡ଼ି ଯାଇଥିଲେ ତା ମନରେ ପାଣି ପ୍ରତି ଯଥେଷ୍ଟ ଭୟ ଥାଏ । ସାଙ୍ଗମାନଙ୍କ ସହିତ ଖେଳିଲାବେଳେ ସେ ପାଣିରେ ଘଟିଥିବା ଦୁର୍ଘଟଣା କଥା କହି ଓ ପାଣିକୁ ଦେଖାଇ ଅନ୍ୟମାନଙ୍କ ମନରେ ଭୟ ସୃଷ୍ଟି କରାଏ । ତେଣୁ ବାପା ମାଆ ବା ସାଙ୍ଗମାନେ ଭୟ କରିବାର ଦେଖି ଏବଂ ସେମାନଙ୍କଠାରୁ ଭୟପୂର୍ଣ୍ଣ କାହାଣୀ ଶୁଣି ଶିଶୁ ଭୟପାଇବାକୁ ଶିଖିଥାଏ ।

 

ଅନେକ ସମୟରେ ଶିଶୁ ନିଜର ବ୍ୟକ୍ତିଗତ ଅନୁଭୂତିରୁ ଭୟପାଇବା ପାଇଁ ଶିଖିଥାଏ । ହଠାତ୍‌ ତା ପାଖରେ ଖୁବ୍‌ ଯୋରରେ ଶବ୍ଦ କଲେ, ଘଡ଼ଘଡ଼ି ବା ଚଡ଼ଚଡ଼ିର ଶବ୍ଦ ଶୁଣିଲେ, ନିଆଁରେ ପୋଡ଼ି ହୋଇ ଫୋଟକା ହେଲେ, ବିଜୁଳି ପ୍ରବାହିତ ତା’ର ଛୁଇଁଲେ ସେ ମନ ଭିତରେ ଭୟ ପାଇଥାଏ । ଯେଉଁଠାରେ ଭୟର ପରିମାଣ ବେଶୀ ସେଠାରେ ଭୟର ପୂର୍ବାଭାଷ ପାଇ ଶିଶୁ ମଧ୍ୟ ଭୟ କରେ । ଯେତେବେଳେ ସେ କୌଣସି ଡାକ୍ତର, ଡାକ୍ତରଖାନା, ବଡ଼ ଜନ୍ତୁ, କୌଣସି ଦାଢ଼ିଆ, ଡେଙ୍ଗା ବା ବିକଳାଙ୍ଗ ମଣିଷ ଦେଖେ ସେତେବେଳେ ସେ ଖୁବ୍‌ ଡରିଯାଏ । ସମୟ ସମୟରେ ଖରାପ ସ୍ୱପ୍ନ ଦେଖି ଶିଶୁ ଡରିଯାଇଥାଏ ।

 

ବିଭିନ୍ନ କାରଣରୁ ଶିଶୁ ଭୟ ପାଏ ଏବଂ ଚେଷ୍ଟା କଲେ ତା’ର ସମସ୍ତ ପ୍ରକାର ଭୟ ଦୂର ହୋଇଯାଏ ଶିଶୁର ଲକ୍ଷ୍ୟ ଭୟ ପାଉଥିବା ଜାଗାରୁ ଦୂରେଇ ନେଇ ବା ଭବିଷ୍ୟତରେ ଭୟ ନ କରିବା ପାଇଁ କେତେକ ନୀତିବାକ୍ୟ କହି ଶିଶୁର ଭୟ ଦୂର କରାଯାଇପାରେ । କିନ୍ତୁ ଏହା କ୍ଷଣସ୍ଥାୟୀ । କାରଣ ଶିଶୁ କାହାକୁ ଦେଖି ଭୟ କରୁଛି, ଏବଂ ଭବିଷ୍ୟତରେ କେଉଁଠାରୁ ଭୟ ପାଇବ ବା ନ ପାଇବ ତାହା ବାପମାଆ ଏବଂ ଅନ୍ୟ ବୟସ୍କ ବ୍ୟକ୍ତି ସବୁବେଳେ ଜାଣିବା ସମ୍ଭବ ନୁହେଁ । ଦ୍ୱିତୀୟରେ ବଡ଼ ମଣିଷମାନେ ଭୟ ବିଷୟରେ ତାକୁ କିଛି କହିବାକୁ ଯାଉଛନ୍ତି ବୋଲି ଜାଣିଲେ ଅନେକ ଶିଶୁ ଅଧିକ ଭୟ କରିଯାଆନ୍ତି । ସେଥିପାଇଁ ଖୁବ୍‌ ଚତୁରତା ଅବଲମ୍ୱନ କରି ଶିଶୁର ଭୟ ଦୂର କରାଯିବା ଉଚିତ । ଭୟ ପାଉଥିବା ଜାଗା ସହିତ ଶିଶୁର ମନ ବୁଝିଲା ଭଳି ପରିଚିତ କରାଇ ଦେବା, ସେ ଜାଗା ସହିତ ଘନିଷ୍ଠତା ବଢ଼ିବାପାଇଁ ପ୍ରେରଣା ଦେବା ଏବଂ ତା ସହିତ ଏକ ଆନନ୍ଦମୟ ବାତାବାରଣ ସୃଷ୍ଟି କରିବାର ସମସ୍ତ ପ୍ରକାର କୌଶଳ ବତାଇ ଦେବା ହେଲା ଭୟ ଦୂରକରିବାର ଅନ୍ୟ କେତେକ ପନ୍ଥା । କୌଣସି ବସ୍ତୁ ବା ସ୍ଥାନ କ୍ଷତିକାରକ ନୁହେଁ, ଏକଥା ତୁଣ୍ଡରେ କହିବା ସଙ୍ଗେ ସଙ୍ଗେ ଯଦି କାର୍ଯ୍ୟରେ ଦେଖାଇ ଦିଆଯାଏ ତା ହେଲେ ଭୟ ଦୂର କରିବାରେ ତାହା ଅଧିକ ଉପକାର କରେ । କାରଣ ଏହା ଦ୍ୱାରା ଶିଶୁ ତା’ର ବ୍ୟକ୍ତିତ୍ୱରେ ଏକ ପରିବର୍ତ୍ତନ ଆଣି ପାରେ l ଅନ୍ଧାର ଘର ଭିତରକୁ ଯାଇ, ନିର୍ଦ୍ଦୋଷ ଜନ୍ତୁ ସହିତ ମିଳାମିଶା କରି ବା କୌଣସି ଅପରିଚିତ ବ୍ୟକ୍ତି ସହିତ ହସ ଖୁସି କରି ଯଦି ଶିଶୁକୁ ଦେଖାଇ ଦିଆଯାଏ ଯେ ଏମାନଙ୍କୁ ଭୟ କରିବାର କୌଣସି କାରଣ ନାହିଁ, ତାହା ତା ମନରେ ସବୁ ଦିନ ପାଇଁ ସ୍ଥାୟୀ ହୋଇ ରହିଯାଏ-। କିନ୍ତୁ ଯଦି ଶିଶୁକୁ ଜୋର କରି ଭୟ ସୃଷ୍ଟି ହେଉଥିବା ସ୍ଥାନକୁ ଟାଣି ନିଆଯାଏ, ଗାଳି ଦିଆଯାଏ, ବା ତା’ର ଭୟକୁ ଅବହେଳା କରାଯାଏ, ତେବେ ତା ମନରୁ ଭୟ ଦୂର ନ ହୋଇ ଅନେକ ସମୟରେ ଅଧିକ ହୁଏ । ଉଚ୍ଚଜାଗା, ବଡ଼ଜନ୍ତୁ, ପାଣି, ରୋଗ, ଇଞ୍ଜେକସନ୍‌, ଭୂତ, ଅନ୍ଧାରଘର ବା ନିଛାଟିଆ ଜାଗାର ଭୟ ଯଦି ଶିଶୁ ମନରେ ଦୃଢ଼ ହୋଇଯାଇଥାଏ, ତାହା ଦୂର କରିବା କଠିନ ହୋଇପଡ଼େ । ତଥାପି ସେ ସବୁ ଦୂର କରିବାପାଇଁ ବାପାମାଆ, ଶିକ୍ଷକ ଏବଂ ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଚେଷ୍ଟା କରିବା ଦରକାର ।

Image

 

ଶିଶୁର କଥନ

 

ଶିଶୁ ମନରେ ଥିବା ସମସ୍ତ ପ୍ରକାର ଭାବନା ବିଭିନ୍ନ ଉପାୟରେ ପ୍ରକାଶିତ ହୋଇପାରେ-। ସେ ପ୍ରାୟ ଏକ ବର୍ଷ ବେଳକୁ କଥା କହିପାରେ । କିନ୍ତୁ ତା ପୂର୍ବରୁ ତା’ର ଭାବପ୍ରକାଶ କରିବାର ମାଧ୍ୟମ ହେଉଛି କାନ୍ଦଣା, ଗୁଲୁଗୁଲିଆ କଥା, ଏବଂ ଅଙ୍ଗଭଙ୍ଗୀ । ଜନ୍ମ ପରେ ପରେ ସେ କାନ୍ଦିବା ଆରମ୍ଭ କରେ । ସେତେବେଳେ ସେ କାନ୍ଦର କୌଣସି ମୂଲ୍ୟ ନ ଥାଏ । କେବଳ ଶବ୍ଦନଳୀ ଭିତର ଦେଇ ପେଟ ଭିତରକୁ ପବନ ଯିବା ଆସିବା କରିବା ଫଳରେ ସେପରି ଶବ୍ଦ ବାହାରି ଥାଏ । କିନ୍ତୁ ଜନ୍ମ ହେବାର ପ୍ରାୟ ଏକ ସପ୍ତାହ ପରେ ଶିଶୁ କାନ୍ଦିବା ସମୟରେ ଖାଇବାକୁ ପାଇବା କିମ୍ୱା ଅଧିକ ଯତ୍ନ ନିଆଯିବାର ଫଳରେ ସେ କାନ୍ଦିବାକୁ ଭାବ ପ୍ରକାଶର ଏକ ମାଧ୍ୟମ ରୂପେ ବ୍ୟବହାର କରିଥାଏ । ସେହିପରି ଖାଇବାକୁ ଦେବାବେଳେ ମାତୃସ୍ତନ ପାଖରୁ ମୁହଁ ଫେରାଇନେବା, ଖାଦ୍ୟପଦାର୍ଥକୁ ପାଟିରୁ ବାହାର କରିଦେବା, ବାପାମାଆଙ୍କୁ ଦେଖି ହସିବା ଏବଂ ହାତ ବଢ଼ାଇବା ଇତ୍ୟାଦି ଅଙ୍ଗଭଙ୍ଗୀ ମାଧ୍ୟମରେ ସେ ତା’ର ମନର ଭାବ ପ୍ରକାଶ କରିଥାଏ । ଶିଶୁ ପ୍ରାୟ ଚାରି-ପାଞ୍ଚମାସ ବେଳକୁ ଗୁଲୁଗୁଲିଆ କଥା କହିବାକୁ ଆରମ୍ଭ କରେ । ଏଥିରୁ କୌଣସି ଅର୍ଥ ବୁଝି ହୁଏ ନାହିଁ ସତ, କିନ୍ତୁ ସେ ତା’ର ମନ ଭିତରର ଭାବନା ପ୍ରକାଶ କରିବାକୁ ଚେଷ୍ଟା କରେ । ଏହିପରି କେତେକ ବ୍ୟବହାର ଶିଶୁ ମନରେ କଥା କହିବାର ପୂର୍ବାଭାଷ ସଦୃଶ କାର୍ଯ୍ୟ କରିଥାଏ ।

 

ଜନ୍ମ ପରେ ପରେ ଶିଶୁର କାନ୍ଦ, ଅଙ୍ଗଭଙ୍ଗୀ, ବା ଗୁଲୁଗୁଲିଆ କଥା ତା’ର ମନ ଭିତରୁ ସୃଷ୍ଟି ହୋଇଥାଏ । ଏକଥା ତାକୁ କେହି ଶିଖାଇ ନ ଥାନ୍ତି ବା ସେତେବେଳେ କୌଣସି କଥା ଶିଖିବାର ଯୋଗ୍ୟତା ତା’ର ନ ଥାଏ । କିନ୍ତୁ ଯେତେବେଳେ ତା’ର ମନ ଭିତରେ ଭାଷା ସ୍ଥାନ ପାଏ ଏବଂ କଥା କହିବାକୁ ଆରମ୍ଭ କରେ ସେତେବେଳେ ତାକୁ ତାହା ଶିଖିବାକୁ ପଡ଼େ । କାରଣ ଶିଶୁର କଥାବାର୍ତ୍ତା ଏକ କୌଶଳ । ତେଣୁ ଅନ୍ୟାନ୍ୟ କୌଶଳ ଶିଖିଲା ପରି କଥାବାର୍ତ୍ତା ମଧ୍ୟ ଶିଖିବାକୁ ହୁଏ ।

 

ଶିଶୁ କଥା କହି ଶିଖିବାର ପ୍ରଣାଳୀ ସାଧାରଣତଃ ଦୁଇଟି ଦୃଷ୍ଟିକୋଣରୁ ବିଚାର କରାଯାଇ ପାରେ । ସେଥିରୁ ଗୋଟିଏ ହେଲା ଶାରୀରିକ ପରିପୂର୍ଣ୍ଣତା ଏବଂ ଅନ୍ୟଟି ହେଲା ମାନସିକ କୌଶଳ । ପ୍ରଥମେ ଶାରୀରିକ ପରିପୂର୍ଣ୍ଣତା ବିଷୟ ବିଚାର କରାଯାଉ । କଥାକହିବା ପାଇଁ କଣ୍ଠନଳୀ ଓ ‘‘ଶବ୍ଦ ନିୟନ୍ତ୍ରଣ ବାକ୍‌ସ’’ ଦରକାର । ଜନ୍ମପରେ ଯଦି ଶିଶୁର ଏ ଦୁଇଟି ଅଙ୍ଗ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥାଏ ତେବେ ସେ କଥା କହିପାରେନାହିଁ । ତେଣୁ ଶାରୀରିକ ପରିପୂର୍ଣ୍ଣତା ଭିତରେ ଏ ଦୁଇଟି ଅଙ୍ଗର ପୂର୍ଣ୍ଣତା ଗୁରୁତ୍ୱପୂର୍ଣ ସ୍ଥାନ ଅଧିକାର କରେ । ଏହା ବ୍ୟତୀତ ଶିଶୁର ଓଠ, ଦାନ୍ତ, ଜିଭ, କଣ୍ଠନଳୀରେ ଥିବା ମାଂସପେଶୀର ସମ୍ମିଳିତ କାର୍ଯ୍ୟ ଉପରେ କଥା କହିବାର ସଫଳତା ନିର୍ଭର କରେ । ଜନ୍ମ ସମୟରେ ଶରୀର ଭିତରେ ଥିବା ଏ ସମସ୍ତ ଅଙ୍ଗର ପୂର୍ଣ୍ଣ ବିକାଶ ହୋଇ ନଥାଏ । ତେଣୁ ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଅଙ୍ଗ ପ୍ରତ୍ୟଙ୍ଗର ପୂର୍ଣ୍ଣତା ଆସେ ଏବଂ କଥା କହିବାର ଅଭ୍ୟାସ ଦ୍ୱାରା ସେଗୁଡ଼ିକର ପୂର୍ଣ୍ଣ ବିନିଯୋଗ ହୋଇଥାଏ । ଅନ୍ୟ ପକ୍ଷରେ ଶିଶୁର କଥାବର୍ତ୍ତା କରିବା ପାଇଁ ମାନସିକ କୌଶଳ ଅତ୍ୟନ୍ତ ଦରକାରୀ । ଜନ୍ମ ହେବାର ପ୍ରାୟ ଏକ ମାସ ଭିତରେ ଶିଶୁମୁହଁରୁ କେତେକ ଅବୁଝା ଓ ଅସ୍ପଷ୍ଟ ଶବ୍ଦ ବାହାରିଥାଏ । କିନ୍ତୁ ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେହି ଶବ୍ଦ ସ୍ପଷ୍ଟ ହୁଏ ଏବଂ ତାହା ବୁଝି ହୁଏ । ତା’ର କଥା ସେ ନିଜେ ବୁଝିପାରେ ଏବଂ ବାପ ମାଆ ଓ ପରିବାରର ଅନ୍ୟମାନେ ବୁଝି ପାରନ୍ତି । ଶିଶୁ ତା’ର କଥାର ଅର୍ଥ ବୁଝିବା ପାଇଁ ସ୍ମରଣଶକ୍ତି ଓ ବିଚାର ଉପରେ ନିର୍ଭର କରେ । ଗୋଟଏ ଶବ୍ଦର ଅର୍ଥ ଥରେ ବୁଝିବାପରେ ସେହି ଶବ୍ଦ ପୁଣି ଥରେ ଭବିଷ୍ୟତରେ ଯଥା ସ୍ଥାନରେ ବ୍ୟବହାର କରିବାପାଇଁ ତା’ର ଅତୀତର ଅନୁଭୂତି, ଅନୁଭୂତିର ସଂରକ୍ଷଣ ଏବଂ ମାନସିକ ଚଞ୍ଚଳତା ଦରକାର । ଜନ୍ମ ପରେ ପରେ ଶିଶୁ ନିକଟରେ ଏ ସବୁ ମାନସିକ ଗୁଣ ନଥାଏ । ସେ କ୍ରମଶଃ ତାହା ହାସଲ କରେ । ପ୍ରାୟ ଏକ ବର୍ଷଠାରୁ ଏକ ବର୍ଷ ଛଅ ମାସ ମଧ୍ୟରେ ଶିଶୁର କହିବା ଯୋଗ୍ୟତା ଆସି ଯାଇଥାଏ । ଏହି ସମୟ ଭିତରେ ସେମାନଙ୍କର ଶାରୀରିକ ଗଠନ ଓ ମାନସିକ ବିକାଶ କ୍ଷେତ୍ରରେ ଉନ୍ନତି ପରିଲିକ୍ଷିତ ହୁଏ । ଏହି ସମୟକୁ ସେମାନଙ୍କର ‘‘କଥନ ପ୍ରସ୍ତୁତି’’ ବା ‘‘କଥନ ଶିକ୍ଷଣୀୟ ମୁହୂର୍ତ୍ତ’’ ବୋଲି କୁହାଯାଏ । କିନ୍ତୁ କେତେକ ବିକଳାଙ୍ଗ ଶିଶୁଙ୍କ ପକ୍ଷରେ ଏହା ସମ୍ଭବ ହୁଏନାହିଁ । ବଧିର ଶିଶୁମାନେ ଡେରିରେ କଥନ-ଶିକ୍ଷଣୀୟ-ମୁହୂର୍ତ୍ତରେ ପହଞ୍ଚି ଥାଆନ୍ତି । ଆଉ କେତେକ ଶିଶୁ ଯେଉଁମାନେ ପରିବେଷ୍ଟନୀରୁ ଶିଖିବାର କୌଣସି ସୁଯୋଗ ପାଆନ୍ତି ନାହିଁ ସେମାନେ ବିଳମ୍ୱରେ କଥା କହି ଥାଆନ୍ତି । ଅନୁକରଣ କରିବା ପାଇଁ ସମାଜରେ ଆଦର୍ଶର ଅଭାବ ଦେଖାଗଲେ ଶିଶୁମାନେ କଥା କହିବାରେ ପଛେଇ ଯାଆନ୍ତି ଓ ଅକଥା ମଧ୍ୟ କହନ୍ତି ।

 

କଥା କହିବା ପାଇଁ ଶିଶୁର ଶାରୀରିକ ଓ ମାନସିକ ପ୍ରସ୍ତୁତି ପରେ ପ୍ରଶ୍ନ ଉଠିପାରେ ଯେ ଶିଶୁ କଥା କହିବା ଶିକ୍ଷା କରେ କିପରି ? ଶିଶୁମାନେ ଅତ୍ୟଧିକ ଅନୁକରଣପ୍ରିୟ । ବଡ଼ମଣିଷମାନେ ଯାହା କିଛି କରିବାର ସେମାନେ ଦେଖନ୍ତି, ସେମାନେ ତାହା କରିବାକୁ ଚେଷ୍ଟା କରନ୍ତି । କଥା କହିଲାବେଳେ ବଡ଼ମଣିଷଙ୍କ ପରି କହିବାକୁ ଇଚ୍ଛା କରନ୍ତି । ଶାରୀରିକ ଅକ୍ଷମତା ହେତୁ ସେମାନେ କହି ପାରନ୍ତି ନାହିଁ ସତ, କିନ୍ତୁ ଅନବରତ ଚେଷ୍ଟା କରିଥାଆନ୍ତି । କଥା କହିବାକୁ ଚେଷ୍ଟାକରିବା ଭିତରେ ସେମାନେ ଅନେକ ଭୁଲ କରିଥାଆନ୍ତି । ବାପ ମାଆା ବା ବଡ଼ ଭାଇ ଭଉଣୀ ସେମାନଙ୍କର ଭୁଲକୁ ସଂଶୋଧନ କରି ଦେଇଥାଆନ୍ତି । ଦେଖାଯାଇଛି ଯେ ଯେଉଁ ପରିବାରରେ ବାପାମାଆ ଓ ଅନ୍ୟାନ୍ୟ ବୟସ୍କ ବ୍ୟକ୍ତି ଶିଶୁର କଥନ ଶିକ୍ଷା ପ୍ରଣାଳୀର ପୂର୍ଣ୍ଣ ତତ୍ୱାବଧାନ କରି ସେମାନଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ନୂଆ କଥା ଶିକ୍ଷା ଦିଅନ୍ତି ସେଠାରେ ଶିଶୁ କମ ବୟସରୁ ଅଧିକ ଶିଖିପାରିଥାଏ । କିନ୍ତୁ ଅବହେଳିତ ଶିଶୁ କଥା ଶିଖିବାରେ ବହୁତ ପଛେଇ ଯାଏ । ବାପମାଆଙ୍କଠାରୁ ସ୍ନେହ, ମମତା କିମ୍ୱା କୌଣସି ପୁରସ୍କାର ବା ‘‘ସାବାସି’’ ପାଇଲେ ଶିଶୁର କଥା କହିବାର ଆଗ୍ରହ ଅଧିକ ହୋଇଯାଏ ।

 

ପୁରସ୍କାର ମାଧ୍ୟମରେ ଶିଶୁର କଥାବାର୍ତ୍ତା ଶିକ୍ଷା ଅନେକ ସମୟରେ ଖୁବ୍‌ ସହଜ ହୋଇଥାଏ ଏବଂ ତା’ର ସେଥିରେ ଅନେକ ଉନ୍ନତି ପରିଲକ୍ଷିତ ହୁଏ । ଶିଶୁପାଇଁ ପୁରସ୍କାର ଏଠାରେ ଦୁଇ ପ୍ରକାର ହୋଇପାରେ । ବାପ, ମାଆଙ୍କର ମୃଦୁହାସ୍ୟ ଏକ ପ୍ରକାର ପୁରସ୍କାର ପରି କାର୍ଯ୍ୟକରେ । ପିଲାଟି ତା’ର ଅବୁଝା ସ୍ୱରରେ ଡା, ପା, ନା, ଇତ୍ୟାଦି କହୁଥାଏ । କିନ୍ତୁ ଏ କଥା ଶୁଣି ବାପା ଭାବି ପାରନ୍ତି ଯେ ସେ ବାପା ଡାକିବାକୁ ଆରମ୍ଭ କରୁଛି; ମାଆ ଭାବି ପାରନ୍ତି ଯେ ସେ ମାଆ ଡାକିବାକୁ ଆରମ୍ଭ କରୁଛି । ତେଣୁ ସେମାନେ ପିଲାଟିର କଥା ଶୁଣି ଖୁବ୍‍ ଆନନ୍ଦରେ ହସି ଦିଅନ୍ତି । ସେହି ହସକୁ ପୁରସ୍କାର ବୋଲି ଭାବି ଶିଶୁ ଅଧିକ କଥା କହିବାକୁ ଅନୁପ୍ରାଣିତ ହୁଏ । ଶିଶୁପାଇଁ ଅନ୍ୟ ଏକପ୍ରକାର ପୁରସ୍କାର ହେଉଛି ତା’ର ଖାଦ୍ୟଦ୍ରବ୍ୟ, ରଙ୍ଗୀନଖେଳନା, ପୋଷାକ ଇତ୍ୟାଦି । ଖାଦ୍ୟ ପଦାର୍ଥ ବା ଖେଳଣାକୁ ଦେଖାଇ ଯଦି ବାପ ମାଆ କଥା କହିବାକୁ ଶିଶୁକୁ ଶିଖାଇ ଥାଆନ୍ତି, ସେ ତାକୁ ପାଇବା ଆଶାରେ ଶୀଘ୍ର କଥା କହିବାକୁ ଚେଷ୍ଟା କରେ । ବାପ ମାଆ ପ୍ରଥମେ ଶିଶୁକୁ ‘‘ବାପା’’ ‘‘ମାଆ’’ ଡାକିବାକୁ ଶିଖାଇଥାଆନ୍ତି । ସେହି ଶବ୍ଦ ଦୁଇଟି କହିବା ପରେ ତାକୁ ଖାଇବାକୁ ଦିଅନ୍ତି । ସେହି ଦୃଷ୍ଟିରୁ ବାପା ଓ ମାଆ ଡାକ ପ୍ରଥମେ ଶିଶୁ ମୁହଁରୁ ବାହାରିଥାଏ ।

 

କଥନର ବିକାଶପାଇଁ ଶିଶୁ ଅନେକ ସମୟରେ ଚତୁରତା ଅବଲମ୍ୱନ କରିଥାଏ । ବାପମାଆ କୌଣସି ପଦାର୍ଥ ବା ପ୍ରାଣୀର ନାମ ବତାଇ ଦେଲେ ସେ ତାକୁ ମନେ ରଖେ ଏବଂ ପରମୁହୂର୍ତ୍ତରେ ସେହି ପଦାର୍ଥ ବା ପ୍ରାଣୀକୁ ଦେଖି ତା’ର ନାମ କହିଥାଏ । ଗୋଟିଏ ବିରାଡ଼ିକୁ ଦେଖାଇ ଯଦି କୁହାଯାଏ ଯେ ‘‘ଏହାର ନାମ ପୁଷି’’, ପିଲାଟି ଅନ୍ୟ ସମୟରେ ବିରାଡ଼ିକୁ ଦେଖି ‘‘ପୁଷି’’ ବୋଲି କହିଥାଏ । ଅନେକ ପିଲା ତା’ର ବୋବାଇବାର ଶବ୍ଦକୁ ଲକ୍ଷ୍ୟ କରି ତାକୁ ‘‘ମିଆଁଉଁ’’ ବୋଲି କହିଥାଆନ୍ତି । ଯେଉଁ ଶିଶୁ କମ୍‍ ବୟସରୁ ବାପାମାଆଙ୍କ କଥାକୁ ଅନୁକରଣ କରିବାକୁ ସକ୍ଷମ ହୁଏ ଏବଂ ନିଜେ କଥା କହିପାରେ ତାକୁ ବୁଦ୍ଧିମାନ ଶିଶୁ ବୋଲି କୁହାଯାଏ । ସେହି ଶିଶୁ ଅଳ୍ପ ବୟସରୁ ଶବ୍ଦର ଅର୍ଥ ବୁଝିପାରେ, ବାକ୍ୟ ଗଠନ ଓ ତା’ର ଅର୍ଥ ଜାଣିପାରେ ଏବଂ ଏକାଧିକ ଭାଷା ମଧ୍ୟ ଜାଣିବାକୁ ସକ୍ଷମ ହୁଏ । ପ୍ରାଥମିକ ଶିକ୍ଷା ସ୍ତରରେ ଯେଉଁ ଶିଶୁ ଅଧିକ ଶବ୍ଦର ଅର୍ଥ ଜାଣିପାରେ ସେ ଅନ୍ୟାନ୍ୟ ବିଷୟରେ ମଧ୍ୟ ଭଲ କରୁଥିବା କଥା କେତେକ ପରୀକ୍ଷାରୁ ଜଣାଯାଇଛି-

 

ଶିଶୁମାନଙ୍କର କଥନର ବିକାଶ ସେମାନଙ୍କର ଆଗ୍ରହ ଓ ଅଭ୍ୟାସ କରିବାର ସୁବିଧା ଉପରେ ନିର୍ଭରକରେ । ବାପ ମାଆ ସେମାନଙ୍କ ମନରେ କଥା କହିବାର ଆଗ୍ରହ ସୃଷ୍ଟି କରାନ୍ତି ଓ ନିଜେ ନମୁନା ହୋଇ ଥାଆନ୍ତି । ଯେଉଁଠାରେ ବାପା ଓ ମାଆଙ୍କର ଭାଷାରେ ତାରତମ୍ୟ ଥାଏ ସେଠାରେ ଶିଶୁ ଭାଷା ଅନୁକରଣ କରିବାରେ ବ୍ୟାଘାତ ଆସିପାରେ । ଏହା ବ୍ୟତୀତ ତା’ର ସ୍ୱାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ ସ୍ଥିତି, ଧୀଶକ୍ତି, ପରିବାରରେ ତା’ର ସ୍ଥାନ ଆଦି ପରିବେଷ୍ଟନୀଗତ ପ୍ରଭାବ ତାହା ନିୟନ୍ତ୍ରଣ କରିଥାଏ । ଗୋଟିଏ ରୋଗଗ୍ରସ୍ତ ଶିଶୁ ଶାରୀରିକ ଦୁର୍ବଳତା ହେତୁ ଏବଂ ଚିକିତ୍ସାଳୟରେ ରହି ସାଙ୍ଗସାଥୀଙ୍କଠାରୁ ଦୂରରେ ରହିଥିବା ହେତୁ ତା’ର କଥାବାର୍ତ୍ତା ପ୍ରଣାଳୀରେ ଉନ୍ନତି ଦେଖାଯାଏ ନାହିଁ । ସେହିପରି ଯେଉଁ ପରିବାରରେ ସର୍ବଦା କଳହ ଲାଗିରହିଥାଏ, ବୁଝାମଣାର ଅଭାବ ଥାଏ, ଲୋକସଂଖ୍ୟା ଅଧିକ ହୋଇଥିବା ହେତୁ ଶିଶୁମାନଙ୍କର କଥାବାର୍ତ୍ତା ତଦାରଖ କରିବାରେ ସମୟ ବା ସୁଯୋଗ ମିଳୁ ନ ଥାଏ କିମ୍ୱା ଅଧିକ ସନ୍ତାନସନ୍ତତି ଥିବାହେତୁ ବାପାମାଆଙ୍କର ପିଲାମାନଙ୍କ ସହିତ ନିଗୁଢ଼ ସର୍ମ୍ପକ ରହିପାରେ ନାହିଁ, ସେଠାରେ ଶିଶୁର କଥା କହି ଶିଖିବା ବହୁତ ପଛରେ ପଡ଼ିଯାଏ । ଗରିବ ପରିବାରର ପିଲାଙ୍କ ଅପେକ୍ଷା ଧନୀ ଓ ସମାଜରେ ଉଚ୍ଚସ୍ଥାନ ପାଇଥିବା ପରିବାରର ପିଲାମାନେ ଅତି ଅଳ୍ପ ବୟସରୁ ପ୍ରାଞ୍ଜଳ ଭାବେ କଥାବାର୍ତ୍ତା କରି ପାରନ୍ତି । ଏହା ସେମାନଙ୍କର ପରିବେଷ୍ଟନୀ ଯୋଗୁଁ ସମ୍ଭବ ହୋଇପାରେ । କାରଣ ସେମାନେ ବାପାମାଆଙ୍କଠାରୁ ଶିକ୍ଷା ପାଇବା ବ୍ୟତୀତ ରେଡ଼ିଓ, ଟେଲିଭିଜନ, ଓ ରେକର୍ଡ଼ ମାଧ୍ୟମରେ ଶିକ୍ଷା ପଆନ୍ତି । ଅଧିକ ବହି, ମାଗାଜିନ୍‌, ଖବରକାଗଜ ଆଦି ପାଆନ୍ତି । ଅଧିକ ଅତିଥି, ଅଭ୍ୟାଗତଙ୍କର ସର୍ମ୍ପକରେ ଆସିବାଦ୍ୱାରା ସେମାନଙ୍କଠାରୁ କଥାବର୍ତ୍ତା ଶିଖିବାରେ ସାହାଯ୍ୟ ପାଇଥାଆନ୍ତି ।

 

ଅନେକ ସମୟରେ ଶୁଣାଯାଇଛି ଯେ କେତେକ ବାପମାଆ ନିଜର ପିଲାଙ୍କୁ କଥା କହିବାକୁ ଶିଖାଇବା ପରିବର୍ତ୍ତେ ସେମାନଙ୍କୁ ବାରଣ କରନ୍ତି । କାରଣ ସେମାନେ ଭାବନ୍ତି ପିଲାଟି ଅଧିକ କଥା କହିଲେ ସେମାନଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରି ବିରକ୍ତ ଓ ହଇରାଣ କରିବ, କିନ୍ତୁ ଏପରି କରିବାଦ୍ୱାରା ବାପା ମାଆ କେବଳ ନିଜ ପ୍ରତି ବା ପରିବାର ପ୍ରତି ନୁହେଁ ସମଗ୍ର ମଣିଷ ସମାଜ ପ୍ରତି ଅପରାଧ କରନ୍ତି । ସେମାନେ ବରଂ ନିଜେ ବହିପଢ଼ି, ରେଡ଼ିଓ, ଟେଲିଭିଜନ ବା ସିନେମା ଦେଖି ପିଲାମାନଙ୍କୁ କିପରି କଥା କହିବା ଶିକ୍ଷା ଦେଇ ପାରିବେ ଏବଂ ସେମାନଙ୍କ ପାଇଁ ଭଲ ନମୁନା ଓ ସେମାନଙ୍କର ଅନୁକରଣୀୟ ହୋଇ ପାରିବେ ସେଥିପ୍ରତି ଧ୍ୟାନ ଦେବା ଦରକାର ।

Image

 

ଶିଶୁର ଖେଳ

 

ଶିଶୁ ଅନେକ ସମୟରେ ତା’ର ନିଜର ଭୁଲ ନଥାଇ ମଧ୍ୟ ବାପମାଆ ବା ଶିକ୍ଷକଙ୍କଦ୍ୱାରା ଦଣ୍ଡିତ ହୋଇଥାଏ । କାରଣ ଅନେକ ବାପ ମାଆ ଭାବନ୍ତି ଯେ ସେ ଖେଳରେ ମନ ନ ଦେଇ ସବୁବେଳେ ପାଠ ପଢ଼ିବା ଉଚିତ । ଏପରି ଅଭିଭାବକମାନେ ଖେଳର ପ୍ରକୃତ ମର୍ଯ୍ୟାଦା ବୁଝି ନ ଥାନ୍ତି ବରଂ ଖେଳିବାକୁ ଗଲେ ପିଲାଟି କାହା ସାଥିରେ କଳି କରିବ, ହାତଗୋଡ଼ ଖଣ୍ଡିଆ କରିବ, ବା ପାଠ ପଢ଼ାରେ ଅମନଯୋଗୀ ହେବ—ଏଇ ଆଶଙ୍କା କରି ତାକୁ ଖେଳିବାକୁ ମନା କରି ଥାଆନ୍ତି । ଏହାଦ୍ୱାରା ଶିଶୁର ଶାରୀରିକ ଓ ମାନସିକ ବିକାଶରେ ଯଥେଷ୍ଟ ପ୍ରତିବନ୍ଧକ ସୃଷ୍ଟି ହୁଏ । ତେଣୁ ଶିଶୁ ପାଇଁ ଖେଳ ନିହାତି ଦରକାର । ଖେଳ କଅଣ ଏ ବିଷୟରେ ବିଭିନ୍ନ ପ୍ରକାର ଆଲୋଚନା ହେଉଅଛି । ଶିଶୁ ଯେଉଁ କାର୍ଯ୍ୟ କରି ଆନନ୍ଦ ପାଏ ତାକୁ ସାଧାରଣତଃ ଖେଳ ବୋଲି କୁହାଯାଏ ଏବଂ ଶିଶୁ ଆନନ୍ଦରେ ଯେଉଁ କାର୍ଯ୍ୟ କରେ ତାକୁ ମଧ୍ୟ ଖେଳ ବୋଲି କୁହାଯାଏ । ଗୋଟିଏ ଛଅମାସିଆ ଶିଶୁ ମନଖୁସିରେ ହାତଗୋଡ଼ ହଲାଏ । କୌଣସି ଏକ ରଙ୍ଗୀନ ଜିନିଷ ଦେଖିଲେ ଧରିବାକୁ ଯାଏ । ସେ ଟିକିଏ ବଡ଼ ହୋଇ ଚଲାବୁଲା କରି ପାରିଲେ ଧୂଳି ଖେଳଠାରୁ ଆରମ୍ଭ କରି କବାଡ଼ି, ବୋହୂଚୋରୀ, ଫୁଟବଲ ଇତ୍ୟାଦି ଖେଳେ । ବୟସ ଯେତେ ଅଧିକ ହୁଏ ଖେଳର ପ୍ରକାର ସେତେ ବଦଳିଯାଏ । ତା’ର ଖେଳ ଏକ ଶାରୀରିକ ଶ୍ରମ ହେଲେ ମଧ୍ୟ ଅନ୍ୟାନ୍ୟ କେତେକ ଶାରୀରିକ ଶ୍ରମଠାରୁ ଏହା ଭିନ୍ନ । କାରଣ ଖାଇବା, ପିଇବା ଗୋଟିଏ ଗୋଟିଏ ଶାରୀରିକ ଶ୍ରମ ହେଲେ ମଧ୍ୟ ତାକୁ ଶିଶୁର ଖେଳ ବୋଲି ଗ୍ରହଣ କରାଯାଏ ନାହିଁ ।

 

ଶିଶୁ ଖେଳୁଥିବାର ଦେଖିଲେ କେବଳ ଯେ ବାପ ମାଆ ଖୁସି ହୁଅନ୍ତି ତା ନୁହେଁ, ପରିବାରର ଅନ୍ୟମାନେ, ପଡ଼ୋଶୀ ଆଦି ଯେ କେହି ଲୋକ ଦେଖିଲେ ଖୁସି ହୁଅନ୍ତି । ତେଣୁ ନିଜେ ଖୁସିରେ ରହିବା ସଙ୍ଗେ ସଙ୍ଗେ ଅନ୍ୟକୁ ଖୁସି କରିବା ହେଲା ଖେଳର ଏକ ଉଦ୍ଦେଶ୍ୟ । କିନ୍ତୁ ଏହା ଏକମାତ୍ର ଉଦ୍ଦେଶ୍ୟ ନୁହେଁ । ଖେଳର ଅନ୍ୟ ଏକ ଉଦ୍ଦେଶ୍ୟ ହେଉଛି ଶିଶୁର ଶାରୀରିକ ସୌଷ୍ଠବ । ଖେଳିବା ଫଳରେ ତା’ର ଶରୀରରେ ରକ୍ତ ସଞ୍ଚାଳନ ହୁଏ; ଯା ଫଳରେ ସେ ନୀରୋଗ ହୁଏ ଏବଂ ମାଂସପେଶୀ ବୃଦ୍ଧି ପାଇବା ଫଳରେ ସେ ସୁନ୍ଦର ଦେଖାଯାଏ । ମନସ୍ତାତ୍ତ୍ୱିକମାନେ କହନ୍ତି, ଯେ ଖେଳିବା ଦ୍ୱାରା ଶିଶୁ ମନର ଉଦବେଗ, ହତାଶା, କ୍ରୋଧ ଓ ଆତ୍ମଗର୍ବ ଇତ୍ୟାଦି ମନ ଭିତରେ ସ୍ଥାନ ପାଏ ନାହିଁ; ଯା ଫଳରେ ଶିଶୁ ସ୍ୱାର୍ଥପର ବା ଈର୍ଷାପରାୟଣ ହୁଏ ନାହିଁ । ତେଣୁ ଖେଳ ଶିଶୁର ଶାନ୍ତଶିଷ୍ଟ, ସରଳ ଓ ସାମାଜିକ ବ୍ୟକ୍ତିତ୍ୱ ଗଠନ କରିବାରେ ସାହାଯ୍ୟ କରେ । ଖେଳ ମାଧ୍ୟମରେ ମଧ୍ୟ ପିଲାଟିକୁ ଶିକ୍ଷା ଦିଆଯାଇପାରେ । ସେ କିପରି ଅଚିହ୍ନା ଅଜଣା ପିଲାଙ୍କ ସହିତ ମିଳିମିଶି ପାରିବ, ସେମାନଙ୍କ ସହିତ ବନ୍ଧୁତା ସ୍ଥାପନ କରିପାରିବ ଏବଂ ସମାଜରେ ଯେଉଁପରି ବ୍ୟକ୍ତିତ୍ୱ ଅର୍ଜନ କଲେ ଅଧିକ ଆଦର ମିଳିପାରିବ, ତାହା ଖେଳପଡ଼ିଆରେ ସେ ଶିଖିବାକୁ ପାଏ ।

 

ଖେଳର ଏପରି ଅସୀମ ଉପକାର ଥିବା କଥା ଜାଣିବା ପରେ ବର୍ତ୍ତମାନ ପ୍ରଶ୍ନ ଉଠିପାରେ ଯେ ଶିଶୁ ଖେଳି ଶିଖେ କିପରି ? ଏଥିପାଇଁ ତା’ର ଜନ୍ମଗତ ପ୍ରଭାବ କେତେକ ପରିମାଣରେ ଦାୟୀ । ସେ ବାପାମାଆଙ୍କ ଶରୀର ଗଠନ ଅନୁଯାୟୀ ଦୁର୍ବଳ ବା ସବଳ, ଡେଙ୍ଗା ଗେଡ଼ା ହୋଇପାରେ । ଜନ୍ମଗତ ଦୋଷରୁ ସେ ଶରୀରର କୌଣସି ଅଙ୍ଗ ପ୍ରତ୍ୟଙ୍ଗ ହରାଇ ଥାଇପାରେ । ସେଥିପାଇଁ କେତେକ ପ୍ରକାର ଖେଳ ଖେଳିବା ତାପକ୍ଷରେ ସମ୍ଭବପର ହୁଏ ନାହିଁ । ଏହା ବ୍ୟତୀତ ସମସ୍ତ ପ୍ରକାର ଖେଳ ପିଲାଟି ସାମାଜିକ ପରିବେଷ୍ଟନୀ ଭିତରୁ ଶିଖିଥାଏ । ସେଥିମଧ୍ୟରୁ କେତେଗୁଡ଼ିଏ ଖେଳ ସେ ବଡ଼ ମଣିଷଙ୍କୁ ଅନୁକରଣ କରି ଶିଖିଥାଏ ଏବଂ ଆଉ କେତେଗୁଡ଼ିଏ ଖେଳ ବଡ଼ ମଣିଷମାନେ ପିଲାମାନଙ୍କୁ ଶିଖାଇ ଥାଆନ୍ତି । ବିଭିନ୍ନ ସମାଜରେ ଥିବା କେତେକ ପ୍ରକାର ଖେଳ ପ୍ରାୟ ଏକା ପ୍ରକାରର ହୋଇଥିବା ହେତୁ ସେ ସବୁ ଖେଳ ଅନୁକରଣ କରି ଶିଖିବା ପାଇଁ ପିଲାମାନଙ୍କୁ ଅସୁବିଧା ହୁଏ ନାହିଁ ।

 

ଶିଶୁମାନଙ୍କର ଖେଳ ସହିତ ଖେଳଣା ଓତଃପ୍ରୋତ ଭାବେ ଜଡ଼ିତ । କାରଣ ଖେଳଣା ବ୍ୟତୀତ ଖେଳ ସମ୍ଭବପର ହୁଏ ନାହିଁ । ଅବଶ୍ୟ ଶିଶୁ ଅଳ୍ପ ବୟସରେ ଖେଳଣା ନଥାଇ କାଳ୍ପନିକ ଖେଳଣା ସହିତ ଖେଳିବାର ଦେଖାଯାଇଥାଏ । ସେ ବୟସରେ ସେ ଖେଳଣା କ’ଣ ଜାଣି ନ ଥାଏ ବା ତାକୁ ଖେଳଣା ଯୋଗାଇ ଦିଆଯାଇ ନ ଥାଏ । ସେମାନଙ୍କୁ ଖେଳଣା ଯୋଗାଇବା ବାପ ମାଆଙ୍କର ପ୍ରଧାନ କର୍ତ୍ତବ୍ୟ । ସେମାନଙ୍କର ଖାଦ୍ୟ, ପୋଷାକ ପାଇଁ ବାପମାଆ ଯେପରି କର୍ତ୍ତବ୍ୟନିଷ୍ଟ ହୁଅନ୍ତି, ଖେଳଣା ପାଇଁ ମଧ୍ୟ ସେପରି ହେବା ଦରକାର । ଯଦି କେହି ଭାବନ୍ତି ଯେ ଏହାଦ୍ୱାରା ଆର୍ଥିକ କ୍ଷତି ହୁଏ ତାହା ତାଙ୍କର ଅପରିଣାମଦର୍ଶିତା ବୋଲି ବୁଝିବାକୁ ହେବ । ଅବଶ୍ୟ ଯେଉଁଠାରେ ଅର୍ଥାଭାବ ଥାଏ ସେଠାରେ ପିଲାମାନଙ୍କୁ ଖେଳଣା ଯୋଗାଇ ଦିଆଯାଇପାରେ ନାହିଁ-। କେତେକ ଜାଗାରେ ପିଲାମାନେ ଧୂଳିରେ ଖେଳନ୍ତି । ଗଛପତ୍ର, କାଠିକୁଟା, ଛିଣ୍ଡା କାଗଜ ଇତ୍ୟାଦି ସଂଗ୍ରହ କରି ଖେଳନ୍ତି । କେଉଁଠାରେ ପିଲାମାନେ ବଗିଚାରୁ ଫୁଲ ଛିଣ୍ଡାଇ ଖେଳନ୍ତି ଏବଂ ଆଉ କେଉଁଠାରେ ଘରର ଆସବାବ ପତ୍ର, ରୋଷେଇ ସରଞ୍ଜାମ ଇତ୍ୟାଦି ଖେଳଣା ରୂପେ ବ୍ୟବହାର କରନ୍ତି । ଏଥିରୁ ଜଣାପଡ଼େ ଯେ ସେ ଯେଉଁ ପରିବାରରେ ଥାଉନା କାହିଁକି ତା’ର ଖେଳଣା ଦରକାର । ବାପ ମାଆଙ୍କର ଆର୍ଥିକ ବା ସାମାଜିକ ପରିସ୍ଥିତି ବିଷୟରେ ଜାଣିବାକୁ ସେ ପ୍ରସ୍ତୁତ ନଥାଏ ।

 

ଶିଶୁର ବ୍ୟକ୍ତିତ୍ୱ ଗଠନ ଅନେକ ପରିମାଣରେ ତା’ର ଖେଳଣା ଉପରେ ନିର୍ଭର କରେ । ଗୋଟିଏ କୃଷକ ପରିବାରର ଶିଶୁ ହଳ ଲଙ୍ଗଳକୁ ଖେଳନା ରୂପେ ବ୍ୟବହାର କରେ । ସେହିପରି କମାର ଘରର ଶିଶୁ ହାତୁଡ଼ି, ଚିମୁଟା; ବଢ଼େଇ ଘରେ ଲିହଣ, ମୁଗୁର ଏବଂ କେଉଟ ଘରର ଶିଶୁ ଡଙ୍ଗାରେ ବସି ଖେଳିବାକୁ ଭଲପାଏ । ଶିକ୍ଷକଙ୍କ ପିଲାମାନେ ବହି, କଲମ ଧରି ଖେଳନ୍ତି ଏବଂ ଡାକ୍ତରଙ୍କ ପିଲାମାନେ ଔଷଧ ଓ ଡାକ୍ତରୀ ସରଞ୍ଜାମକୁ ଖେଳଣା ରୂପେ ବ୍ୟବହାର କରନ୍ତି । ଏହିପରି ଘରର ସରଞ୍ଜାମକୁ ଶିଶୁ ଖେଳଣା ରୂପେ ବ୍ୟବହାର କରେ ଏବଂ ଖେଳଣା ମାଧ୍ୟମରେ ସେ ପାରିବାରିକ ଧନ୍ଦା ଶିଖିଥାଏ ।

 

ବିଜ୍ଞାନର ପ୍ରଗତି ଯୁଗରେ ବୈଜ୍ଞାନିକ ଯନ୍ତ୍ରପାତି, କାରିଗରୀ କୌଶଳ ଓ ବୈଜ୍ଞାନିକ କାର୍ଯ୍ୟ ସର୍ମ୍ପକରେ ଶିଶୁ ମନରେ ଧାରଣା ହେବା ଉଚିତ୍‌ । ଶ୍ରେଣୀ ଭିତରେ ଶିକ୍ଷକଙ୍କ କଥା ଶୁଣି, ବହି ପଢ଼ି ବା ଚିତ୍ର ଦେଖି ସେ ଯେତିକି ଜ୍ଞାନ ଅର୍ଜନ କରେ । ଖେଳଣା, ମଟର ଗାଡ଼ି, ଉଡ଼ାଜାହାଜ, ରେଳ ଇଞ୍ଜିନ, ରକେଟ ଆଦି ପାଇଲେ ସେ ଖେଳିବା ସଙ୍ଗେ ସଙ୍ଗେ ସେଗୁଡ଼ିକ କଅଣ, ଏବଂ ତା’ର ବ୍ୟବହାର କିପରି ହୁଏ ସେ ବିଷୟରେ କିଛି କିଛି ଜାଣିପାରେ । ଏ କଥା ଦେଖାଯାଇଛି ଯେ ଶିଶୁ ଜଣେ ମୋଟର ମେକାନିକର ମୋଟର ଗାଡ଼ି ମରାମତି କରୁଥିବା କଥା ଦେଖିଲେ ସେ ତା’ର ନିଜର ଖେଳଣା ମୋଟର ଗାଡ଼ିକୁ ସେହିପରି ମରାମତି କରୁଥିବାର ଛଳନା କରେ । ବଡ଼ ମଣିଷଙ୍କର କାର୍ଯ୍ୟକୁ ଅନୁକରଣ କରି ସେ ଖେଳଣା ମୋଟର, ଉଡ଼ାଜାହାଜ, ରେଳଗାଡ଼ି ଆଦି ଚଳାଏ, ମରାମତି କରେ ଏବଂ ଦରକାର ମନେ କଲେ ପେଟ୍ରୋଲ ଭର୍ତ୍ତି କରେ । ତେଣୁ ଖେଳ ମାଧ୍ୟମରେ ତା’ର ଯନ୍ତ୍ରପାତି ସମ୍ୱନ୍ଧୀୟ ଜ୍ଞାନ ଲାଭ ହୁଏ । ଖେଳନା ଇଟାକୁ ନେଇ ସେ କୋଠାଘର, ଦୁର୍ଗ, ରାସ୍ତା, କୂଅ, ପୋଖରୀ ଆଦି ତିଆରି କରେ । କାଗଜକୁ କାଟି ଘର ତିଆରି କରେ; ଗଛ, ଫୁଲ, ବିଭିନ୍ନ ପ୍ରକାର ଜୀବଜନ୍ତୁ ଆଦି ମଧ୍ୟ କାଗଜ ସାହାଯ୍ୟରେ ତିଆରି କରିଥାଏ । ଏହାଦ୍ୱାରା ତା’ର ଗଠନମୂଳକ କାର୍ଯ୍ୟ ତଥା ମାନସିକ ବିକାଶ ସମ୍ଭବ ହୋଇପାରେ ।

 

ଖେଳନା ମାଧ୍ୟମରେ ଶିଶୁର ସ୍ମରଣ ଶକ୍ତି ପରୀକ୍ଷା କରାଯାଇ ଥାଏ । ତେଣୁ ତା’ର ଜ୍ଞାନର ପରିସର ବଢ଼ାଇବା ପାଇଁ ଖେଳଣାକୁ ମାଧ୍ୟମ କରାଯିବା ଉଚିତ । ପୃଥିବୀର ଉନ୍ନତ ଦେଶମାନଙ୍କରେ ଆଧୁନିକ ଧରଣର ଖେଳଣା ଯୋଗାଇ ଶିଶୁର ମାନସିକ ବିକାଶ କରାଯାଇଥାଏ-। ଆମ ଦେଶରେ ମଧ୍ୟ ଶିଶୁମାନଙ୍କୁ ଯଥେଷ୍ଟ ପରିମାଣରେ ଆଧୁନିକ ଧରଣର ଖେଳଣା ଯୋଗାଇ ଦିଆଯିବା ଉଚିତ ।

Image

 

ଶିଶୁର ବୁଦ୍ଧି

 

ଶିଶୁ ଭବିଷ୍ୟତରେ ଜଣେ ଡାକ୍ତର, ଇଞ୍ଜିନିୟର, ପ୍ରଫେସର, ଶାସକ ହେବ କିମ୍ୱା ଜଣେ ଚୋର, ଡକାୟତ ବା ଡାକୁ ସର୍ଦ୍ଦାର ହେବ ତାହା ତା’ର ପରିବେଷ୍ଟନୀର ପ୍ରଭାବ ଉପରେ ସମ୍ପୂର୍ଣ୍ଣରୂପେ ନିର୍ଭର କରେ । ପରିବେଷ୍ଟନୀ ଭିତରେ ବାପମାଆ; ସାଙ୍ଗସାଥୀ, ଶିକ୍ଷକ ଓ ବହି, ଖବର କାଗଜ, ରେଡ଼ିଓ, ଟେଲିଭିଜନ ଆଦି ଆସନ୍ତି, ଯାହାକି ତା’ର ସମସ୍ତପ୍ରକାର ବ୍ୟବହାରକୁ ନିୟନ୍ତ୍ରଣ କରନ୍ତି । ସେହିମାନଙ୍କର ନିୟନ୍ତ୍ରଣାଧୀନ ହୋଇ ଶିଶୁ ପରୋକ୍ଷରେ ଗୋଟିଏ ଗୁଣ ହାସଲ କରେ ଯାହାକୁ ଧୀଶକ୍ତି ବା ବୁଦ୍ଧି ବୋଲି କୁହାଯାଇଥାଏ । ବୁଦ୍ଧି ଶିଶୁର ସାମାଜିକ ପରିବେଷ୍ଟନୀ ଭିତରୁ ସୃଷ୍ଟି ହୋଇଥିଲେ ମଧ୍ୟ ପରେ ତା’ର ଅନ୍ୟାନ୍ୟ ସମସ୍ତ ଚଳଣିକୁ ନିୟନ୍ତ୍ରଣ କରିବାରେ ପ୍ରଧାନ ଭୂମିକା ଗ୍ରହଣ କରିଥାଏ ।

ଏକଥା ସତ ଯେ ସବୁ ଶିଶୁ ଏକା ପ୍ରକାର ପରିବେଷ୍ଟନୀ ଭିତରେ ବଢ଼ି ନ ଥାନ୍ତି । ପରିବେଷ୍ଟନୀର ତାରତମ୍ୟ ଯୋଗୁଁ ସେମାନଙ୍କର ବୁଦ୍ଧିରେ ମଧ୍ୟ ତାରତମ୍ୟ ଦେଖାଯାଏ । ସାଧାରଣ ଲୋକେ ଅବଲୀଳାକ୍ରମେ କାହାକୁ ବୁଦ୍ଧିମାନ ବା କାହାକୁ ନିର୍ବୋଧ ବୋଲି କହିଲେ ମଧ୍ୟ ମନସ୍ତାତ୍ତ୍ୱିକମାନେ ଶିଶୁର ବୁଦ୍ଧିକୁ ପରୀକ୍ଷା କରିବାର କେତେକ ଉପାୟ ସ୍ଥିର କରିଛନ୍ତି । ପରୀକ୍ଷା ପରେ ଧୀମାନ ଶିଶୁ କିଏ ତାହା ସହଜରେ ଜାଣିହୁଏ ।

୧୯୧୬ ମସିହା ବେଳକୁ ସାଇମନ (Simon), ବିନେ (Binet) ଓ ଷ୍ଟରନ୍‌ (Stern) ପ୍ରଭୃତି ମନସ୍ତାତ୍ତ୍ୱିକମାନଙ୍କଦ୍ୱାରା ବୁଦ୍ଧି ପରୀକ୍ଷା କରିବାର ଉପାୟ ସ୍ଥିର ହୋଇଯାଇଥିଲା-। ସେମାନେ ଏକ ପ୍ରକାର ଗାଣିତିକ ସୂତ୍ର ଯଥା: ମାନସିକ ବୟସକୁ ଜାତକ ବୟସଦ୍ୱାରା ଭାଗକରି ଭାଗଫଳକୁ ଏକଶହଦ୍ୱାରା ଗୁଣି ଗୁଣଫଳ ଯାହା ହୁଏ ତାହା ଶିଶୁର ବୁଦ୍ଧି ବୋଲି ଗ୍ରହଣ କରିଥିଲେ-। ସେହି ଗୁଣଫଳକୁ ସେମାନେ ‘‘ବୌଦ୍ଧିକ ଅନୁପାତ’’ (Intelligence Quotient - I.Q.) ନାମ ଦେଇ ତାହାକୁ ବୁଦ୍ଧି ମାପିବାର ଏକକରୂପେ ବ୍ୟବହାର କରିଥିଲେ । ପରେ ୧୯୨୬ ବେଳକୁ ଟରମ୍ୟାନ (Terman) ଓ ମେରିଲ (Merill) ସେହି ପଦ୍ଧତିରେ ସାମାନ୍ୟ ପରିବର୍ତ୍ତନ ଆଣି ଶିଶୁର ବୁଦ୍ଧି ମାପିବାରେ ବ୍ୟବହାର କରିଥିଲେ । ଯେଉଁ ଶିଶୁର ବୁଦ୍ଧିର ‘‘ବୌଦ୍ଧିକ ଅନୁପାତ’’ ୧୦୦ ତାକୁ ସାଧାରଣ ଶିଶୁ, ୧୦୦ରୁ ଅଧିକ ହେଲେ ବୁଦ୍ଧିମାନ ଓ ସେଥିରୁ କମ ହେଲେ ନିର୍ବୋଧ ବୋଲି କୁହାଯାଏ । ସେହି ପଦ୍ଧତି ଆଜିସୁଦ୍ଧା ବ୍ୟବହୃତ ହୋଇ ଆସୁଅଛି ।

‘‘ବୌଦ୍ଧିକ ଅନୁପାତ’’ ପଦ୍ଧତି ଅନୁସାରେ ଶିଶୁର ବୁଦ୍ଧି ମାପି ବୁଦ୍ଧିମାନ ବା ନିର୍ବୋଧ ଶିଶୁ କିଏ ତାହା ଜାଣିହୁଏ । ଏହା ବ୍ୟତୀତ ଆଉ କେତେଗୁଡ଼ିକ ଲକ୍ଷଣ ଶିଶୁଠାରେ ଦେଖି ସେ ବୁଦ୍ଧିମାନ କି ନୁହେଁ ମଧ୍ୟ ଜାଣିହୁଏ । ସେଥିମଧ୍ୟରୁ ଗୋଟିଏ ହେଲା ପରିବେଷ୍ଟନୀ ସହିତ ଖାପଖୁଆଇ ଚଳିବା । ଯେଉଁ ଶିଶୁ ପରିବର୍ତ୍ତନଶୀଳ ପରିବେଷ୍ଟନୀ ସହିତ ନିଜର ବ୍ୟବହାରକୁ ମିଶାଇ ଦେଇ ପାରିଲା ସେ ଜଣେ ବୁଦ୍ଧିମାନ ଶିଶୁ ବୋଲି ବୁଝିବାକୁ ହୁଏ । ସ୍କୁଲ ବା କଲେଜକୁ ବିଭିନ୍ନ ପରିବାରରୁ ଧନୀ, ଗରିବ ବା ମଧ୍ୟବିତ୍ତ ଶ୍ରେଣୀର ପିଲା ଆସିଥାଆନ୍ତି । ପଢ଼ିଲାବେଳେ ବା ଛାତ୍ରାବାସରେ ଥିବାବେଳେ ଯେଉଁ ଛାତ୍ର ନିଜର ପାରିବାରିକ ଅହଙ୍କାରକୁ ଭୁଲି ଏକ ସର୍ବସାଧାରଣ ଓ ଗୋଷ୍ଠୀଗତ ଜୀବନଯାପନ କରିପାରିଲା ସେ ବୁଦ୍ଧିମାନ ବୋଲି ବୁଝାଯାଏ । ବୁଦ୍ଧିମାନ ଶିଶୁର ଅନ୍ୟ ଲକ୍ଷଣ ହେଉଛି ପ୍ରତ୍ୟୁତ୍‌ପନ୍ନତା । ହଠାତ୍‌ କୌଣସି ଏକ ସମସ୍ୟା ଆସି ପହଞ୍ଚିଲେ ଖୁବ୍‍ ଚତୁରତାର ସହିତ ତା’ର ସମ୍ମୁଖୀନ ହେବା ଏବଂ ତା’ର ସମାଧାନ କରିପାରିବା ଶିଶୁ ହିଁ ବୁଦ୍ଧିମାନ ବୋଲି କୁହାଯାଇଥାଏ । ଉଦାହରଣସ୍ୱରୂପ ଶ୍ରେଣୀ ଭିତରେ ଏକ ପରୀକ୍ଷା ହେଉଥିବା ବେଳେ ଜଣେ ନିରୀକ୍ଷକ କଥା ଛଳରେ କହିଲେ ଯେ, ଯେଉଁ ଛାତ୍ର ଉଦ୍ଦିଷ୍ଟ ସମୟଠାରୁ ଅଧିକ ସମୟ ଖାତା ରଖି ଲେଖିବ ଦଣ୍ଡ ସ୍ୱରୂପ ଅଧିକ ଏକ ମିନିଟ ପାଇଁ ଗୋଟିଏ ଲେଖାଏଁ ନମ୍ୱର କାଟିଦିଆଯିବ । ହଠାତ୍‌ ଜଣେ ଛାତ୍ର ପଚାରିଲେ ଯେ ଉଦ୍ଦିଷ୍ଟ ସମୟ ପୂର୍ବରୁ ଯଦି ଖାତା ଫେରାଇ ଦିଆଯାଏ, ତା’ ହେଲେ ଅଧିକ କିଛି ନମ୍ୱର ମିଳିବ କି ଏବଂ କେତେ ସମୟ ପୂର୍ବରୁ ଫେରାଇଲେ ପୂରା ନମ୍ୱର ମିଳିବ ? ଏଭଳି ପ୍ରଶ୍ନ କେବଳ ବୁଦ୍ଧିମାନ ଶିଶୁ ହିଁ ପଚାରିପାରେ । ଅବଶ୍ୟ ଏ ପ୍ରକାର ପ୍ରଶ୍ନକୁ ଶିଶୁର ହାସ୍ୟ-ରସିକ ଗୁଣ ବୋଲି ଧରା ଯାଇପାରେ । କିନ୍ତୁ ହାସ୍ୟ ରସ ଓ ଧୀଶକ୍ତି ଭିତରେ କୌଣସି ସମ୍ପର୍କ ନ ଥିବା କଥା ଅନେକ ଗବେଷଣାରୁ ଜଣାଯାଇଛି । ପ୍ରତ୍ୟକ୍ଷ ଭାବରେ ସେ ଦୁଇଟି ଗୁଣ ଭିତରେ କୌଣସି ସର୍ମ୍ପକ ନ ଥିଲେ ମଧ୍ୟ ପରୋକ୍ଷ ଭାବରେ ଜଣାଯାଇଛି ଯେ ହାସ୍ୟରସ ମାଧ୍ୟମରେ ବ୍ୟକ୍ତିର ବିବେକ ଓ ବିଜ୍ଞତା ମପାଯାଇପାରେ ।

ବୁଦ୍ଧିମାନ ଶିଶୁ ସାଧାରଣତଃ ଦଳ ଭିତରେ ନେତୃତ୍ୱ ନେଇଥାଏ । ଦଳଗତ ଭାବେ କୌଣସି ଏକ ସମସ୍ୟାର ସମାଧାନ କରିବାକୁ ଯିବାବେଳେ ଦଳ ଭିତରେ ବୁଦ୍ଧିଆ ପିଲା ପ୍ରଥମେ ସମାଧାନର ଉପାୟ ବାହାର କରେ; ଅନ୍ୟମାନେ କେବଳ ତାକୁ ଅନୁକରଣ କରିଥାଆନ୍ତି । ନେତାମାନେ ବୁଦ୍ଧିମାନ ହେବା କଥା ଅନେକ ଗବେଷଣାରୁ ଜଣାପଡ଼ିଛି । ବୁଦ୍ଧିମାନ ଶିଶୁ ଖେଳିଲାବେଳେ ବା ପାଠ ପଢ଼ିଲାବେଳେ ଗୋଟିଏ ଛୋଟିଆ ଦଳ ଗଢ଼ି ତା’ର ଦଳପତି ହୁଏ ଏବଂ ତା’ର କଥା ଓ କାର୍ଯ୍ୟକୁ ଅନୁକରଣ କରିବା ପାଇଁ କେତେ ଗୁଡ଼ିଏ ଅନୁକରଣପ୍ରିୟ ଶିଶୁଙ୍କୁ ରଖିଥାଏ-। ଏ କଥା ମଧ୍ୟ ଦେଖାଯାଇଛି ଯେ ଦଳପତି ଓ ଦଳର ଅନ୍ୟମାନଙ୍କ ବୁଦ୍ଧିରେ ଅତ୍ୟଧିକ ପାର୍ଥକ୍ୟ ନ ଥାଏ । କାରଣ ତା ହେଲେ ସେ ସ୍ୱାର୍ଥ ସାଧନ ପାଇଁ ଦଳକୁ ବିପଥଗାମୀ କରିପାରେ ।

ବୁଦ୍ଧିମାନ ଶିଶୁର ମାନସିକ ଆବେଗ ବୁଦ୍ଧିହୀନ ଶିଶୁ ଅପେକ୍ଷା ଯଥେଷ୍ଟ ବେଶୀ । ଏ କଥା ମଣିଷ ପଶୁ ଉଭୟଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି । ପ୍ରଥମେ ମଣିଷ କଥା ଦେଖାଯାଉ । ଶିଶୁର ଭୟ, କ୍ରୋଧ, ଆନନ୍ଦ ଯେତିକି ପରିମାଣରେ ଥାଏ ବୟସ୍କ ଲୋକଙ୍କର ତାଠାରୁ ଅଧିକ ଥାଏ । ଅର୍ଥାତ୍‌ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଧୀଶକ୍ତି ଅଧିକ ହୁଏ ଏବଂ ତା ସହିତ ମାନସିକ ଆବେଗ ମଧ୍ୟ ବୃଦ୍ଧି ପାଏ । ପାଞ୍ଚବର୍ଷ ପର୍ଯ୍ୟନ୍ତ ଶିଶୁର ମାନସିକ ଆବେଗ ବୟସ ବୃଦ୍ଧି ସହିତ ତାଳ ଦେଇ ଗତି କରେ । କିନ୍ତୁ ପାଞ୍ଚବର୍ଷ ପରେ ମାନସିକ ଆବେଗ କମି କମି ଯାଏ ତା ନୁହେଁ । ସମାଜିକ ସୁରକ୍ଷା ଓ ଶୃଙ୍ଖଳା ବଳରେ ବୟସ୍କମାନେ ଅଧିକ ଆବେଗ ପ୍ରଦର୍ଶନ କରିବାର ସୁଯୋଗ ପାଆନ୍ତି ନାହିଁ । ଜଣାଯାଇଛି ଯେ ଗୋଟିଏ ମାଟିରେ ତିଆରି ମଣିଷ ମୁଣ୍ଡକୁ ବର୍ଷିକିଆ ବା ଦୁଇ ବର୍ଷିଆ ପିଲା ଥରକୁ ଦୁଇଥର ଚାହେଁ ନାହିଁ, ମାତ୍ର ପାଞ୍ଚ, ଛଅ ବର୍ଷିଆ ପିଲା ତାକୁ ଦେଖିଲେ ଡରିଯାଏ ।

ଦଶରୁ ପନ୍ଦର ବର୍ଷିଆ ବାଳକ ବାଳିକାମାନେ ତାକୁ ଦେଖି ଡରି ଯାଆନ୍ତି ଏବଂ ତା ପାଖରୁ ଦୌଡ଼ି ପଳାଇ ଯାଆନ୍ତି । ପଶୁମାନଙ୍କ ଭିତରେ ବୁଦ୍ଧିଆ ପଶୁ ଅତ୍ୟଧିକ ଆବେଗ ଦେଖାଇବା କଥା ପରୀକ୍ଷା କରି ଦେଖାଯାଇଛି । ଚିମ୍ପାଞ୍ଜି, କୁକୁର ଓ ମୂଷାଙ୍କ ଭିତରେ ମୂଷା ଅପେକ୍ଷା କୁକୁର ଓ କୁକୁର ଅପେକ୍ଷା ଚିମ୍ପାଞ୍ଜି ଅତ୍ୟଧିକ ଆବେଗ ଦେଖାଇଥାଏ । ଏହି ପ୍ରାଣୀମାନଙ୍କର ବୁଦ୍ଧିରେ ତାରତମ୍ୟ ହେତୁ ଭୟ ଓ କ୍ରୋଧରେ ମଧ୍ୟ ତାରତମ୍ୟ ଦେଖାଯାଏ । ଉଦାହରଣସ୍ୱରୂପ ମୂଷା ଯେତିକି ରାଗେ କୁକୁର ତା’ଠାରୁ ଅଧିକ ରାଗେ ଓ ଚିମ୍ପାଞ୍ଜି କୁକୁରଠାରୁ ଖୁବ୍ ବେଶୀ, ପ୍ରାୟ ମଣିଷ ରାଗିଲା ପରି ରାଗିପାରେ ।

ଶିଶୁର ସାମୂହିକ ଜ୍ଞାନ ବୃଦ୍ଧି ସର୍ମ୍ପକରେ ଅନୁଧ୍ୟାନ କରିବାକୁ ଯାଇ ପ୍ରଫେସର ପିଆଜେ (Jean Piaget) ବୁଦ୍ଧିମାନ ଶିଶୁ ନିକଟରେ କେତେକ ବିଶେଷ ଗୁଣ ଲକ୍ଷ୍ୟ କରିଛନ୍ତି । ତାଙ୍କ ମତରେ ପରିବେଷ୍ଟନୀ ସହିତ ନିଜକୁ ଖାପ ଖୁଆଇ ଚଳିବାହିଁ ବୁଦ୍ଧି । ଶିଶୁ ଜନ୍ମ ହେବା ପରଠାରୁ ଗୋଟିଏ ପ୍ରକାର ପରିବେଷ୍ଟନୀ ଭିତରେ ରହେ ନାହିଁ କିମ୍ୱା ପରିବେଷ୍ଟନୀ ସହିତ ଖାପ ଖୁଆଇବା ପାଇଁ ଏକା ପ୍ରକାର ବ୍ୟବହାର ଦେଖାଏ ନାହିଁ । ସେଥିପାଇଁ ତା’ର ବ୍ୟବହାରକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ । ଏକପ୍ରକାର ବ୍ୟବହାର ସେ ଜନ୍ମହେବା ପରଠାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଦେଖାଏ ଏବଂ ତା ପରେ ଅନ୍ୟ ଏକ ପ୍ରକାର ବ୍ୟବହାର ଦେଖାଇଥାଏ ।

ପ୍ରଥମ ଦୁଇ ବର୍ଷ ଭିତରେ ଶିଶୁ କଥା କହିବାପାଇଁ ସମର୍ଥ ହୋଇପାରିନଥାଏ । ତେଣୁ ଯାହା କିଛି ବ୍ୟବହାର ଦେଖାଏ କେବଳ ତା’ର ଶରୀରର ଅଙ୍ଗପ୍ରତ୍ୟଙ୍ଗ ପରିଚାଳନା କରି ଦେଖାଇଥାଏ । ସେହି ଅଙ୍ଗପ୍ରତ୍ୟଙ୍ଗ ପରିଚାଳନା ଭିତରେ ତା’ର ବୁଦ୍ଧି ନିହିତ ଥାଏ । ଉଦାହରଣସ୍ୱରୂପ ଜନ୍ମ ପରେ ମାଆଠାରୁ କ୍ଷୀର ଖାଇବା ମାସିକିଆ ପିଲା ପକ୍ଷରେ ଏକ ସାମାଜିକ ବ୍ୟବହାର-। ଦୁଇ ବର୍ଷ ଭିତରେ ଶିଶୁଟି ଗୋଟିକ ପରେ ଗୋଟିଏ ନୂଆ ନୂଆ ବ୍ୟବହାର ଦେଖାଏ, ପରିବେଷ୍ଟନୀ ଭିତରେ ତା’ର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସେ ବିଭିନ୍ନ ପ୍ରକାର ଉଦ୍ୟମ କରେ, ଅନୁକଣରଣ କରେ, ମାଧ୍ୟମ ଖୋଜେ ଏବଂ ତା ଆଗରେ ଦେଖାଦେଉଥିବା ସମସ୍ୟା ସମାଧାନ କରିବାରେ ସମର୍ଥ ହୁଏ । ଶିଶୁର ଏ ସମସ୍ତ ସ୍ୱକୀୟ ଗଠନମୂଳକ କାର୍ଯ୍ୟକୁ ଧୀଶକ୍ତି ବୋଲି ବର୍ଣ୍ଣନା କରାଯାଇଥାଏ ।

ଦୁଇବର୍ଷ ବେଳକୁ ଶିଶୁ କଥା କହିବାକୁ ସମର୍ଥ ହୋଇଥାଏ । ତେଣୁ ବଚନ ମାଧ୍ୟମରେ ସେ ତା’ର ଭାବ ପ୍ରକାଶ କରେ । ସେତେବେଳେକୁ ବିଭିନ୍ନ ବସ୍ତୁ ସମ୍ପର୍କୀୟ ସାଧାରଣ ଧାରଣା ତା’ର ହୋଇଯାଇଥାଏ । ସବୁବେଳେ ନିଜର ପରିବାର ଭିତରେ ବ୍ୟବହୃତ ହେଉଥିବା ବସ୍ତୁ ବିଷୟରେ ଧାରଣା ହେବା ଏକ ସାଧାରଣ ଶିଶୁ ପକ୍ଷରେ ସମ୍ଭବ । କିନ୍ତୁ ଯେଉଁ ବସ୍ତୁ ତା’ର ଅଗୋଚରରେ ଅଛି ତା ସମ୍ୱନ୍ଧରେ ଧାରଣା ହେବା କେବଳ ବୁଦ୍ଧିମାନ ଶିଶୁ ପକ୍ଷରେ ସମ୍ଭବ । ସେ ଦେଖିପାରି ନଥିବା କୌଣସି ଜିନିଷ ମାଆ ଲୁଚାଇ ରଖିଲେ ସେ ଖୋଜି ବାହାର କରେ । ସେଥିପାଇଁ ତା’ର ନିଜର ଚାହିଦା, ମାଆଙ୍କଠାରୁ ବା ପରିବାରର ଆଉ କାହାଠାରୁ ପାଇଥିବା ସଙ୍କେତ ଏବଂ ନିଜର ଶାରୀରିକ ସାମର୍ଥ୍ୟ ଭିତରେ ସମନ୍ୱୟ ରକ୍ଷା କରି ତା’ର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାପାଇଁ ସେ ସମର୍ଥ ହୋଇଥାଏ-। ସେ ଦୃଷ୍ଟିରୁ ଶିଶୁର ବୁଦ୍ଧିରେ ବିଶେଷତ୍ୱ ଥିବା କଥା ତା’ର ଜନ୍ମ ପରଠାରୁ ସାମୂହିକ ବୃଦ୍ଧିଭିତରେ ଜଣାଯାଇଥାଏ ।

ବୁଦ୍ଧିମାନ ଶିଶୁର ଶାରୀରିକ ଗଠନ ଓ ଚରିତ୍ର ସାଧାରଣ ଶିଶୁ ଅପେକ୍ଷା କେତେକ ପରିମାଣରେ ଉଚ୍ଚ ଧରଣର ହୋଇଥାଏ । ଅବଶ୍ୟ ଏ କଥା ସତ ଯେ ସମସ୍ତ ବୁଦ୍ଧିମାନ ଶିଶୁ ସାଧାରଣ ଶିଶୁ ଅପେକ୍ଷା ଉଚ୍ଚତର ନୁହନ୍ତି । ଯେଉଁମାନେ ବୁଦ୍ଧିମାନ ସେମାନେ ଦେଖିବାକୁ ସୁନ୍ଦର, ସ୍ୱାସ୍ଥ୍ୟବାନ, ନିରୋଗ ଏବଂ ଖୁବ୍‍ ସ୍ଥିର ଚିତ୍ତ ହୋଇଥାଆନ୍ତି । ସେମାନଙ୍କର ପାରିବାରିକ ପ୍ରଭାବ ମଧ୍ୟ ସେହିପରି ଉଚ୍ଚ ଧରଣର ହୋଇଥାଏ । ସେମାନେ ସାଧାରଣତଃ ଧନୀ ଓ ସାମାଜିକ ପ୍ରତିପତ୍ତି ଥିବା ପରିବାରରେ ଜନ୍ମ ହୋଇଥାଆନ୍ତି । ତେଣୁ ସେମାନଙ୍କର ଖାଦ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଚାଲିଚଳଣ ପ୍ରତି ଯଥେଷ୍ଟ ଧ୍ୟାନ ଦିଆାଯାଇଥାଏ । ସେ ଦୃଷ୍ଟିରୁ ବୁଦ୍ଧି ବ୍ୟତୀତ ଅନ୍ୟ କେତେକ ଭଲ ଗୁଣ ସେହି ପିଲାମାନଙ୍କ ପାଖରେ ଦେଖାଯାଏ ।

ଶିକ୍ଷା କ୍ଷେତ୍ରରେ ବୁଦ୍ଧିମାନ ଶିଶୁର ଉନ୍ନତି ଖୁବ୍‌ ଭଲ ଭାବରେ ଲକ୍ଷ୍ୟ କରି ହୁଏ । କୌଣସି ପରୀକ୍ଷାରେ ଫେଲ୍‌ ନ ହୋଇ ପ୍ରତ୍ୟେକ ବର୍ଷ ଉଚ୍ଚ ଶ୍ରେଣୀକୁ ଯିବା ଏବଂ ଶ୍ରେଣୀର ପିଲାମାନଙ୍କ ଭିତରେ ପୋଜିସନ ରଖିବାଦ୍ୱାରା ସେ ବୁଦ୍ଧିମାନ ବୋଲି ପରିଚିତ ହୁଏ । ବୁଦ୍ଧି ବଳରେ ସେ ସ୍କୁଲ, କଲେଜ, ଏପରିକି ବିଶ୍ୱବିଦ୍ୟାଳୟ ଶିକ୍ଷା ଲାଭ କରିପାରେ । କେତେକ ପରୀକ୍ଷାରୁ ଜଣାଯାଇଛି ଯେ ବୁଦ୍ଧିମାନ ଶିଶୁର ବୁଦ୍ଧି ଓ ଶ୍ରେଣୀ ପାଠ୍ୟକ୍ରମରେ ଥିବା କେତେକ ବିଷୟ ଭିତରେ ଅଧିକ ସମ୍ପର୍କ ଅଛି । ତା ଭିତରୁ ଗଣିତ, ଇଂରାଜି, ଇତିହାସ, ଭୂଗୋଳ୍‌, ବିଜ୍ଞାନ ଓ ବୈଦେଶିକ ଭାଷା ପ୍ରଧାନ । ତେଣୁ ବୁଦ୍ଧିମାନ ଶିଶୁ ଉପରୋକ୍ତ ବିଷୟଗୁଡ଼ିକରେ ଭଲ କରେ । କିନ୍ତୁ ଡ୍ରଇଁ କରିବା, ଚିତ୍ର କରିବା, ସିଲେଇ କରିବା, ରାନ୍ଧିବା ଆଦି ବିଷୟ ସହିତ ବୁଦ୍ଧିର ଅଧିକ ସମ୍ପର୍କ ନ ଥିବା ହେତୁ ବୁଦ୍ଧିମାନ ଶିଶୁ ଏ ସବୁ ବିଷୟରେ ଭଲ କରି ନ ପାରେ ।

ଶିକ୍ଷା କ୍ଷେତ୍ରରେ ସଫଳତା ଦୃଷ୍ଟିରୁ କୌଣସି ଶିଶୁକୁ ବୁଦ୍ଧିମାନ ବୋଲି କହିଲେ ମଧ୍ୟ ଶିକ୍ଷକ ଏହା ସହିତ ଶିଶୁର ଅନ୍ୟ କେତେକ ଗୁଣ ଦେଖିଥାଆାନ୍ତି । ଶ୍ରେଣୀ ଭିତରେ ପାଠ ପଢ଼ାଇଲା ବେଳେ, ପାଠ ଭିତରେ କୌଣସି ସଙ୍କେତ ଦେଲା ବେଳେ କେଉଁ ପିଲା ବୁଝିପାରୁଛି ଓ କିଏ ବୁଝୁ ନାହିଁ ସେ କଥା ସେମାନେ ଲକ୍ଷ୍ୟ କରନ୍ତି । ତାହା ଉପରେ ଶିଶୁର ବୁଦ୍ଧି ଥିବା ନ ଥିବା କଥା ସେମାନେ ବିଚାର କରନ୍ତି । ଅବଶ୍ୟ କେତେକ ଶିକ୍ଷକ ଅଛନ୍ତି ଯେଉଁମାନେ କି ଶିଶୁର ମୁହଁ, ଚେହେରା, ତା’ର ବାପାମାଆଙ୍କର ଆର୍ଥିକ ଓ ସାମାଜିକ ସ୍ଥିତି କିମ୍ୱା ତାହାଠାରୁ ଅର୍ଥ ଲାଭ କରି ସେମାନଙ୍କୁ ବୁଦ୍ଧିମାନ ବୋଲି କହିଥାଆନ୍ତି ଏବଂ ସେମାନଙ୍କୁ ପରୀକ୍ଷାରେ ଉଚ୍ଚତମ ସ୍ଥାନ ଦେଇଥାନ୍ତି । କିନ୍ତୁ ଶିକ୍ଷକଙ୍କର ଏପରି ମତାମତ ସହିତ ବୁଦ୍ଧିର କୌଣସି ସମ୍ପର୍କ ନ ଥାଏ ।

ବୁଦ୍ଧିମାନ ଶିଶୁର ଶିକ୍ଷାଲାଭ ପ୍ରଣାଳୀ ସାଧାରଣ ଶିଶୁଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଶ୍ରେଣୀ ଭିତରେ ବୁଦ୍ଧିମାନ, ନିର୍ବୋଧ ଓ ସାଧାରଣ ଶିଶୁ ବସି ଶିକ୍ଷକଙ୍କ କଥାକୁ ଶୁଣୁଥିବା ବେଳେ ବୁଦ୍ଧିମାନ ଶିଶୁ ଯଦି ଶୀଘ୍ର ବୁଝିଯାଏ କିମ୍ୱା ଆଗରୁ ବୁଝିସାରିଥାଏ ତେବେ ସେ ଅମନଯୋଗୀ ହୁଏ । ସେଥିପାଇଁ ବୁଦ୍ଧିମାନ ଶିଶୁଙ୍କୁ ସ୍ୱତନ୍ତ୍ର ଭାବରେ ଶିକ୍ଷା ଦେବାର ବ୍ୟବସ୍ଥା ଶିକ୍ଷକମାନେ କରିଥାଆନ୍ତି । ସେମାନଙ୍କୁ ସାଧାରଣ ପାଠ ବୁଝାଇବା ସଙ୍ଗେ ସଙ୍ଗେ ଅଧିକ କିଛି ଜାଣିବାର ସୁଯୋଗ ଦେଇଥାଆନ୍ତି । କେତେକ ଶିକ୍ଷଣୀୟ ବିଷୟର ସାମାନ୍ୟ ସଙ୍କେତରୁ ହିଁ ବୁଦ୍ଧିମାନ ଶିଶୁମାନେ ସବୁକଥା ବୁଝିଯାଆନ୍ତି । ତେଣୁ ଅନେକ କ୍ଷେତ୍ରରେ କେବଳ ସଙ୍କେତ ନିର୍ଦ୍ଦେଶନ କରି ସେମାନଙ୍କୁ ଶିକ୍ଷା ଦିଅନ୍ତି । ବଳକା ସମୟରେ ଆତ୍ମନିଯୁକ୍ତି, ବୈଷୟିକ ଶିକ୍ଷା, ଗବେଷଣା ଆଦି ସମ୍ପର୍କରେ ସେମାନଙ୍କୁ ଅଭ୍ୟସ୍ତ କରିବାରେ ଶିକ୍ଷକମାନେ ଅଧିକ ସମୟ ବିନିଯୋଗ କରନ୍ତି । ସେପରି ଶିଶୁମାନଙ୍କୁ ଦେଶର ଶିକ୍ଷା, ସ୍ୱାସ୍ଥ୍ୟ, ଯୋଜନା, ସମାଜ ମଙ୍ଗଳ ଆଦି ବିଷୟରେ ଚିନ୍ତା କରିବାକୁ ଏବଂ ନୂତନ ତଥ୍ୟ ଉଦ୍ଭାବନ କରିବାକୁ ଅଧିକ ସୁବିଧା ଓ ସୁଯୋଗ ଦିଆଯିବା ଦରକାର । ଆଜିକାଲିର ଜଟିଳ ସମାଜ ଭିତରେ ନେତୃତ୍ୱ ଏକ ଗୁରୁତର ସମସ୍ୟା । ଏଭଳି ସମସ୍ୟାର ସମାଧାନ ପାଇଁ ଦୂରଦୃଷ୍ଟିସମ୍ପନ୍ନ ବୁଦ୍ଧିମାନ ଶିଶୁ ହିଁ କେବଳ କ୍ଷମ ହେବ । ଅନ୍ୟ ପକ୍ଷରେ ନିର୍ବୋଧ ବା ମାନସିକ ଅବସାଦ ଗ୍ରସ୍ତ (Mentally Retarded) ଶିଶୁମାନଙ୍କର ଶାରୀରିକ ଗଠନରେ ପରିପୂର୍ଣ୍ଣତା ଆସି ନ ଥାଏ ଏବଂ ସାଧାରଣ ଶିଶୁଙ୍କ ଅପେକ୍ଷା ଖୁବ୍‌ ବିଳମ୍ୱରେ ସେମାନଙ୍କର ଅଙ୍ଗପ୍ରତ୍ୟଙ୍ଗ ବଢ଼ିବାରେ ଲାଗେ । ସେପରି ଶିଶୁମାନଙ୍କୁ ସମାଜର କଳଙ୍କ ବୋଲି ବିଚାରି ସେମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରାଯିବା ଉଚିତ ନୁହେଁ । ବରଂ ସେମାନଙ୍କୁ ସ୍ୱତନ୍ତ୍ର ଶିକ୍ଷାଦାନ ପଦ୍ଧତିଦ୍ୱାରା ଶିକ୍ଷା ଦିଆଗଲେ ସେମାନେ କେତେକ କାମ କରି ପାରିବେ । ତାହାଦ୍ୱାରା ସେମାନେ ନିଜେ ଉପାର୍ଜ୍ଜନକ୍ଷମ ହୋଇ ବଞ୍ଚିବା ସଙ୍ଗେ ସଙ୍ଗେ ସାମାଜିକ ପ୍ରଗତିରେ ସାହାଯ୍ୟ କରି ପାରିବେ ।

Image